ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି

କେନ୍ଦ୍ର ସରକାରଙ୍କ ଆଉ ଏକ ଚାଷୀ ଅନୁକୂଳ ପଦକ୍ଷେପ : ଆଖୁର ଉଚିତ୍‌ ଓ ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି


୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ପ୍ରଦାନ କରୁଥିବା ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ ବଢ଼ିଲା

ଆଖୁ ଚାଷୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ଉଚିତ ଏବଂ ଲାଭକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ପ୍ରଦାନ କରିବାକୁ ସରକାରୀ ମଞ୍ଜୁରି


ଚାଷୀଙ୍କ ଆୟ ବୃଦ୍ଧି ଲାଗି ଗତ ୮ ବର୍ଷ ମଧ୍ୟରେ ସରକାର ଏଫଆରପି ୩୪%ରୁ ଅଧିକ ବଢ଼ାଇଛନ୍ତି

ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଲାଗି ଭାରତ ସରକାର ସଂକଳ୍ପବଦ୍ଧ

୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରକୁ ଲାଭାନ୍ବିତ କରିବ ଏହି ନିଷ୍ପତ୍ତି, ଚିନି କଳ ଏବଂ ତତସଂକ୍ରାନ୍ତ କାର୍ଯ୍ୟରେ ନିୟୋଜିତ ୫ ଲକ୍ଷ ଶ୍ରମିକ ମଧ୍ୟ ହେବେ ଲାଭବାନ

Posted On: 03 AUG 2022 6:19PM by PIB Bhubaneshwar

ଆଖୁ ଚାଷୀଙ୍କ ହିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବାର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ । ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫଆରପିରେ ୩.୦୫ ଟଙ୍କା ହ୍ରାସ କରାଯିବ । ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ ହେବ ସେଠାରେ କୌଣସି ହ୍ରାସ କରାଯିବ ନାହିଁ । ଏପରି ଚାଷୀମାନଙ୍କୁ, ଆସନ୍ତା ଚିନି ଋତୁ ୨୦୨୨-୨୩ରେ ଆଖୁ ପାଇଁ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ମିଳିବ ଯାହାକି ଚଳିତ ଚିନି ଋତୁ ୨୦୨୧-୨୨ରେ କୁଇଣ୍ଟାଲ ପ୍ରତି ୨୭୫.୫୦ ଟଙ୍କା ରହିଛି । ୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଉତ୍ପାଦନର ଏ2+ଏଫଏଲ ଖର୍ଚ୍ଚ (ଅର୍ଥାତ୍‌ ବାସ୍ତବ ପରିଶୋଧ ଖର୍ଚ୍ଚ ଯୁକ୍ତ ପାରିବାରିକ ଶ୍ରମ ଆରୋପିତ ମୂଲ୍ୟ) କୁଇଣ୍ଟାଲ ପ୍ରତି ୧୬୨ ଟଙ୍କା ରହିଛି । ୧୦.୨୫% ଅସୁଲି ଦର ସହିତ କୁଇଟାଲ ପ୍ରତି ୩୦୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୮୮.୩% ଅଧିକ, ଯାହାକି ଚାଷୀଙ୍କୁ ସେମାନଙ୍କର ଖର୍ଚ୍ଚ ତୁଳନାରେ ୫୦%ରୁ ଅଧିକ ଲାଭ ଦେବାର ନିଷ୍ପତ୍ତିକୁ କାର୍ଯ୍ୟ କରୁଛି । ୨୦୨୨-୨୩ ଚିନି ଋତୁରେ ଏଫରଆରପି ୨୦୨୧-୨୨ ଚିନି ଋତୁର ଏଫଆରପି ତୁଳନାରେ ୨.୬% ରହିଛି ।

କେନ୍ଦ୍ର ସରକାରଙ୍କ ସକ୍ରିୟ ନୀତି କାରଣରୁ, ଆଖୁ ଚାଷୀ ଏବଂ ଚିନି ଉଦ୍ୟୋଗ ଗତ ୮ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଆତ୍ମନିର୍ଭରଶୀଳତା ସ୍ତରରେ ପହଞ୍ଚି ପାରିଛନ୍ତି । ଠିକଣା ସମୟରେ ସରକାରୀ ହସ୍ତକ୍ଷେପ ଏବଂ ଚିନି ଉଦ୍ୟୋଗ, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ଚାଷୀଙ୍କ ସହଯୋଗ କାରଣରୁ ଏପରି ପରିଣାମ ମିଳିପାରିଛି । ବିଗତ ବର୍ଷଗୁଡ଼ିକରେ ଚିନି କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ପ୍ରମୁଖ ପଦକ୍ଷେପ ନିମ୍ନରେ ଉଲ୍ଲେଖ କରାଗଲା :

ଆଖୁ ଚାଷୀଙ୍କୁ ଗ୍ୟାରେଣ୍ଟି ଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ଆଖୁର ଏଫଆରପି ନିର୍ଦ୍ଧାରଣ କରାଯାଇଛି

ସରକାର ଗତ ଆଠ ବର୍ଷ ମଧ୍ୟରେ ଏଫଆରପି ୩୪% ବୃଦ୍ଧି କରିଛନ୍ତି ।

ଚିନିର ଏକ୍ସ ମିଲ ମୂଲ୍ୟ ହ୍ରାସର ନିରାକରଣ ଏବଂ ଆଖୁ ବକେୟା ରାଶି ସଂଗ୍ରହ ପାଇଁ ସରକାର ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ (ଏମଏସପି) ଧାରଣାକୁ କାର୍ଯ୍ୟକାରୀ କରିଛନ୍ତି (ପ୍ରଥମେ ଏମଏସପିକୁ କିଲୋ ପ୍ରତି ୨୯ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା ଯାହାକି ୦୭-୦୬-୨୦୧୮ରେ ଲାଗୁ ହୋଇଥିଲା; ୧୪-୦୨-୨୦୧୯ ଲାଗୁ ହୋଇଥିବା ଏମଏସପି ଦର କିଲୋ ପ୍ରତି ୩୧ ଟଙ୍କା ଥିଲା)

ଚିନି ରପ୍ତାନି ସୁବିଧା ଯୋଗାଇ ଦେବା, ମୋଟା ପରିମାଣର ଷ୍ଟକ ବଜାୟ ରଖିବା, ଇଥାନଲ ଉତ୍ପାଦନ କ୍ଷମତା ବଢ଼ାଇବା ଏବଂ ଚାଷୀଙ୍କ ବକେୟା ରାଶି ପରିଶୋଧ କରିବା ଲାଗି ସରକାର ଚିନି କଳମାନଙ୍କୁ ୧୮ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ବଳକା ଚିନିକୁ ଇଥାନଲ ଉତ୍ପାଦନ ପାଇଁ ସ୍ଥାନାନ୍ତର କରିବା ଫଳରେ ଚିନି କଳମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଛି । ଯାହାର ଫଳସ୍ବରୂପ, ସେମାନେ ଆଖୁ ବାବଦ ବକେୟା ରାଶି ପରିଶୋଧ କରିବାରେ ସଫଳ ହୋଇଛନ୍ତି ।

ରପ୍ତାନି ଏବଂ ଇଥାନଲ ଉତ୍ପାଦନ ପାଇଁ ଚିନିର ସ୍ଥାନାନ୍ତରଣ କାରଣରୁ, ଚିନି କ୍ଷେତ୍ର ଆତ୍ମନିର୍ଭରଶୀଳ ହୋଇପାରିଛି । ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ରପ୍ତାନି ଏବଂ ବଫର ପାଇଁ ବଜେଟ ସହାୟତା ଯୋଗାଇ ଦେବା ଆବଶ୍ୟକ ପଡ଼ିନାହିଁ ।

ଆହୁରି ବିଗତ ଋତୁଗୁଡ଼ିକରେ ଚିନି କ୍ଷେତ୍ରରେ ସୁଧାର ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ଆଖୁର ଉଚ୍ଚ ଉତ୍ପାଦନକାରୀ କିସମ ପ୍ରଚଳନ, ବୁନ୍ଦା ଜଳସେଚନ ପ୍ରଣାଳୀ ଗ୍ରହଣ, ଚିନି କଳର ଆଧୁନିକୀକରଣ ଏବଂ ଅନ୍ୟାନ୍ୟ ଗବେଷଣା ଓ ବିକାଶ ଗତିବିଧି, ଆଖୁ ଚାଷ, ଆଖୁ ଉତ୍ପାଦନ, ଆଖୁ ପେଡ଼ିବା, ଚିନି ଉତ୍ପାଦନ ଏବଂ ଏହାର ଅସୁଲି ପ୍ରତିଶତ ଏବଂ ଚାଷୀଙ୍କୁ ଅର୍ଥ ପଇଠ ଆଦିରେ ସୁଧାର ଆସିଛି ।

ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାର ସଂକଳ୍ପବଦ୍ଧ

କ୍ୟାବିନେଟ ନିଷ୍ପତ୍ତି ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଲାଭାନ୍ବିତ କରିବ । ଏଥିସହିତ ଚିନି କଳ ଏବଂ ତତସଂକ୍ରାନ୍ତ ଗତିବିଧିରେ ନିୟୋଜିତ ୫ ଲକ୍ଷ ଶ୍ରମିକ ଲାଭବାନ ହୋଇପାରିବେ । ୯ ବର୍ଷ ପୂର୍ବରୁ ୨୦୧୩-୧୪ ଚିନି ଋତୁରେ ଏଫଆରପି ଦର କୁଇଣ୍ଟାଲ ପ୍ରତି ମାତ୍ର ୨୧୦ ଟଙ୍କା ଥିଲା । ସେହିପରି ଚିନି କଳଗୁଡ଼ିକ ଦ୍ବାରା ମାତ୍ର ୨୩୯୭ ଏଲଏମଟି ଆଖୁ କିଣାଯାଉଥିଲା । ଚାଷୀମାନେ ଆଖୁ ବିକ୍ରି ବାବଦରେ ଚିନି କଳମାନଙ୍କ ଠାରୁ ମାତ୍ର ୫୧,୦୦୦ କୋଟି ଟଙ୍କା ପାଉଥିଲେ । ତେବେ, ଗତ ୮ ବର୍ଷ ମଧ୍ୟରେ ସରକାର ଏଫଆରପିରେ ୩୪% ବୃଦ୍ଧି କରିଛନ୍ତି । ଚଳିତ ୨୦୧-୨୨ ଚିନି ଋତୁରେ, ଚିନି କଳମାନେ ୧,୧୫,୧୯୬ କୋଟି ଟଙ୍କାର ପାଖାପାଖି ୩୫୩୦ ଲକ୍ଷ ଟନ୍‌ ଆଖୁ କିଣିଛନ୍ତି ।

୨୦୨୨-୨୩ ଚିନି ଋତୁରେ ଆଖୁ ଚାଷ କ୍ଷେତ୍ର ଏବଂ ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚଳିତ ଋତୁରେ ଚିନି କଳମାନେ ୩,୬୦୦ ଲକ୍ଷ ଟନରୁ ଅଧିକ ଆଖୁ କିଣିବେ ବୋଲି ଆଶା କରାଯାଉଛି । ଏଥିପାଇଁ ଚାଷୀ ୧,୨୦,୦୦ କୋଟି ଟଙ୍କାରୁ ଅଧିକ ପାରିଶ୍ରମିକ ପାଇପାରିବେ । ଚାଷୀ ଅନୁକୂଳ ପଦକ୍ଷେପ ସ୍ବରୂପ ଚାଷୀଙ୍କୁ ଠିକ୍‌ ସମୟରେ ସେମାନଙ୍କର ପାଉଣା ପ୍ରଦାନ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଗତ ୨୦୨୦-୨୧ ଚିନି ଋତୁରେ, ୯୨,୯୩୮ କୋଟି ଟଙ୍କାର ଆଖୁ ପାଉଣା ଚାଷୀଙ୍କୁ ପଇଠ କରାଯିବାର ଥିଲା, ଏଥିମଧ୍ୟରୁ ୯୨,୭୧୦ କୋଟି ଟଙ୍କା ପଇଠ କରାଯାଇଛି ଏବଂ ମାତ୍ର ୨୨୮ କୋଟି ଟଙ୍କାର ପାଉଣା ବକେୟା ରହିଛି । ଚଳିତ ୨୦୨୧-୨୨ ଆଖୁ ଋତୁରେ, ପଇଠ କରାଯିବାକୁ ଥିବା ୧,୧୫,୧୯୬ କୋଟି ଟଙ୍କା ମଧ୍ୟରୁ ୧,୦୫,୩୨୨ କୋଟି ଟଙ୍କା ଚାଷୀଙ୍କୁ ପଇଠ କରାଯାଇଛି । ପୂର୍ବ ଋତୁ ତୁଳନାରେ ୯୧.୪୨% ଆଖୁ ପାଉଣା ପଇଠ କରାଯାଇ ସାରିଛି।

https://static.pib.gov.in/WriteReadData/userfiles/image/image001GQMI.jpg

 

ଭାରତ ବିଶ୍ବର ସର୍ବବୃହତ ଚିନି ଉତ୍ପାଦନକାରୀ ଏବଂ ଦ୍ବିତୀୟ ସର୍ବାଧିକ ଚିନି ରପ୍ତାନିକାରୀ

ଚଳିତ ଚିନି ଋତୁରେ ଭାରତ ଚିନି ଉତ୍ପାଦନ କ୍ଷେତ୍ରରେ ବ୍ରାଜିଲକୁ ଟପି ଯାଇଛି । ଗତ ୮ ବର୍ଷ ମଧ୍ୟରେ ଚିନି ଉତ୍ପାଦନ ବଢ଼ିବା କାରଣରୁ ଘରୋଇ ଖର୍ଚ୍ଚ ପରେ ଭାରତରେ ଚିନି ରପ୍ତାନି ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଗତ ଚାରିଟି ଚିନି ଋତୁ ଅର୍ଥାତ୍‌ ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଚିନି ଋତୁରେ ଯଥାକ୍ରମେ ୬ ଲକ୍ଷ ମେଟ୍ରିକ ଟନ, ୩୮ ଲକ୍ଷ ମେଟ୍ରିକ ଟନ, ୫୯.୬୦ ଲକ୍ଷ ମେଟ୍ରିକ ଟନ ଏବଂ ୭୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନି କରାଯାଇଛି । ଚଳିତ ୨୦୨୧-୨୨ ଚିନି ଋତୁରେ ୧.୦୮.୨୦୨୨ ସୁଦ୍ଧା ପ୍ରାୟ ୧୦୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନି କରାଯାଇଛି ଏବଂ ଏହା ୧୧୨ ଲକ୍ଷ ମେଟ୍ରିକ ଟନ ଛୁଇଁବ ବୋଲି ଆଶା କରାଯାଉଛି ।

ଚିନି ଚାଷୀ ଏବଂ ଚିନି ଉଦ୍ୟୋଗ ଏବେ ଇନ୍ଧନ କ୍ଷେତ୍ରରେ ଯୋଗଦାନ ଦେଉଛନ୍ତି

ଭାରତର ୮୫% ଅଶୋଧିତ ତୈଳ ଆବଶ୍ୟକତା ଆମଦାନୀରୁ ପୂରଣ ହୋଇଥାଏ । ତେବେ ଅଶୋଧିତ ତୈଳ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ହ୍ରାସ କରିବା, ପ୍ରଦୂଷଣ କମାଇବା ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବଢ଼ାଇବା ଲାଗି ଭାରତ ସରକାର ସକ୍ରିୟ ଭାବେ ପେଟ୍ରୋଲ ସହିତ ଇଥାନଲ ମିଶ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି । ତେଣୁ ଅତିରିକ୍ତ ଆଖୁକୁ ଇଥାନଲ ଉତ୍ପାଦନରେ ବିନିଯୋଗ କରିବା ଲାଗି ସରକାର ଚିନି କଳମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏହା ବିଦେଶୀ ମୂଦ୍ରା ସଞ୍ଚୟ କରିବା ସହିତ ଅଶୋଧିତ ତୈଳ ଆମଦାନୀ କମାଇବ ।  ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଚିନି ଋତୁରେ ଯଥାକ୍ରମେ ୩.୩୭ ଲକ୍ଷ ମେଟ୍ରିକ ଟନ, ୯.୨୬ ଲକ୍ଷ ମେଟ୍ରିକ ଟନ ଏବଂ ୨୨ ଲକ୍ଷ ମେଟ୍ରିକ ଟନ ଚିନିକୁ ଇଥାନଲ ପାଇଁ ସ୍ଥାନାନ୍ତରିତ କରାଯାଇଛି । ଚଳିତ ୨୦୨୧-୨୨ ଚିନି ଋତୁରେ ୩୫ ଲକ୍ଷ ମେଟ୍ରିକ ଟନ ଚିନି ଏଥିପାଇଁ ଖର୍ଚ୍ଚ କରାଯିବାକୁ ଥିବା ବେଳେ ୨୦୨୫-୨୬ରେ ୬୦ ଲକ୍ଷ ମେଟ୍ରିକ ଟନ ଚିନି ଇଥାନଲ ଉତ୍ପାଦନ ପାଇଁ ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଅତିରିକ୍ତ ଆଖୁର ଉପଯୋଗ କରିବା ସହିତ ଚାଷୀମାନେ ଠିକ୍‌ ସମୟରେ ସେମାନଙ୍କର ପାଉଣା ପାଇପାରିବେ । ସରକାର ୨୦୨୨ ସୁଦ୍ଧା ୧୦% ଏବଂ ୨୦୨୫ ସୁଦ୍ଧା ୨୦% ଇଥାନଲ ପେଟ୍ରୋଲରେ ମିଶାଇବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

୨୦୧୪ ବେଳକୁ ମୋଲାସେସ ଆଧାରିତ ଡିଷ୍ଟିଲେରୀରେ ଇଥାନଲ ଡିଷ୍ଟିଲେସନ କ୍ଷମତା ୨୧୫ କୋଟି ଲିଟର ଥିଲା । ତେବେ ଗତ ୮ ବର୍ଷ ମଧ୍ୟରେ ସରକାରଙ୍କ ଉଚିତ୍‌ ପଦକ୍ଷେପ କାରଣରୁ ଏହା ୫୯୫ କୋଟି ଲିଟରକୁ ବୃଦ୍ଧି ପାଇଛି । ସେହିପରି ଶସ୍ୟ ଆଧାରିତ ଡିଷ୍ଟିଲେରୀଗୁଡ଼ିକର କ୍ଷମତା ୨୦୧୪ରେ ୨୦୬ କୋଟି ଲିଟର ଥିବା ବେଳେ ବର୍ତ୍ତମାନ ଏହା ୨୯୮ କୋଟି ଲିଟରକୁ ବୃଦ୍ଧି ପାଇଛି । ତେଣୁ ଗତ ଆଠ ବର୍ଷ ମଧ୍ୟରେ ଇଥାନଲ ଉତ୍ପାଦନ ଦ୍ବିଗୁଣିତ ହୋଇଛି ଯାହାକି ୨୦୧୪ରେ ୪୨୧ କୋଟି ଲିଟରରୁ ବୃଦ୍ଧି ପାଇ ୨୦୨୨ରେ ୮୯୩ କୋଟି ଲିଟରକୁ ବଢ଼ିଛି । ଇଥାନଲ ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ବ୍ୟାଙ୍କରୁ ଋଣ ନେବା ନିମନ୍ତେ ଚିନି କଳ ଏବଂ ଡିଷ୍ଟିଲେରୀଗୁଡ଼ିକୁ ସରକାର ସୁଧ ରିହାତି ପ୍ରଦାନ କରୁଛନ୍ତି । ଇଥାନଲ କ୍ଷେତ୍ରରେ ପ୍ରାୟ ୪୧,୦୦୦ କୋଟି ଟଙ୍କାର ନିବେଶ କରାଯାଉଛି ଯାହାକି ଗ୍ରାମୀଣ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ତୈଳ ବିପଣନ କମ୍ପାନୀକୁ ଇଥାନଲ ଯୋଗାଣ ମାତ୍ର ୩୮ କୋଟି ଲିଟର ଥିଲା ଏବଂ ମିଶ୍ରଣ ସ୍ତର ୧.୫୩% ରହିଥିଲା । ଇନ୍ଧନ ଗ୍ରେଡର ଇଥାନଲ ଉତ୍ପାଦନ ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହାର ଯୋଗାଣ ୨୦୧୩-୧୪ ତୁଳନାରେ ୮ ଗୁଣା ବୃଦ୍ଧି ପାଇଛି । ୨୦୨୦-୨୧ ଇଥାନଲ ଯୋଗାଣ ବର୍ଷରେ (ଡିସେମ୍ବର-ନଭେମ୍ବର)ରେ ତୈଳ ବିପଣନ କମ୍ପାନୀଗୁଡ଼ିକୁ ୩୦୨.୩୦ କୋଟି ଇଥାନଲ ଯୋଗାଣ କରାଯାଇଛି । ଫଳରେ ୮.୧% ମିଶ୍ରଣ ସ୍ତର ହାସଲ କରାଯାଇପାରିଛି । ୨୦୨୧-୨୨ ଇଥାନଲ ଯୋଗାଣ ବର୍ଷରେ ୧୦.୧୭% ଇଥାନଲ ମିଶ୍ରଣ ସ୍ତର ହାସଲ କରାଯାଇପାରିଛି । ଚିନି କଳ/ଡିଷ୍ଟିଲେରୀଗୁଡ଼ିକୁ ୪୦୦ କୋଟିରୁ ଅଧିକ ଲିଟର ଇଥାନଲ ଯୋଗାଣ କରାଯିବ ବୋଳି ଆଶା କରାଯାଉଛି । ୨୦୧୩-୧୪ ଯୋଗାଣ ବର୍ଷ ତୁଳନାରେ ୨୦୨୧-୨୨ରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ୧୦ ଗୁଣା ବୃଦ୍ଧି ପାଇଛି ।

ଆତ୍ମନିର୍ଭରଶୀଳ ହେଉଛି ଚିନି ଉଦ୍ୟୋଗ:

ଏଥିପୂର୍ବରୁ ଚିନି କଳଗୁଡ଼ିକ କେବଳ ଚିନି ବିକ୍ରିରୁ ପ୍ରାପ୍ତ ରାଜସ୍ବ ଉପରେ ନିର୍ଭରଶୀଳ ଥିଲେ । କୌଣସି ଋତୁରେ ବଳକା ଉତ୍ପାଦନ ହେଲେ ଏହାର ପ୍ରତିକୂଳ ପ୍ରଭାବ ଚିନି କଳଗୁଡ଼ିକ ଉପରେ ପଡ଼ୁଥିଲା । ଚାଷୀଙ୍କ ଆଖୁ ପାଉଣା ବକେୟା ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଥିଲା । ସରକାରଙ୍କ ହସ୍ତକ୍ଷେପ କାରଣରୁ ଗତ କିଛି ବର୍ଷ ମଧ୍ୟରେ ବଳକା ଚିନିକୁ ଇଥାନଲ ଉତ୍ପାଦନରେ ବିନିଯୋଗ କରାଯାଉଛି, ଫଳରେ ଚିନି ଉଦ୍ୟୋଗ ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

୨୦୧୩-୧୪ ପରଠାରୁ ଚିନି କଳମାନେ ତୈଳ  ବିପଣନ କମ୍ପାନୀଗୁଡ଼ିକୁ ଇଥାନଲ ବିକ୍ରି କରି ପ୍ରାୟ ୪୯,୦୦୦ କୋଟି ଟଙ୍କା ଆୟ କରିଛନ୍ତି । ଚଳିତ ୨୦୨୧-୨୨ ଚିନି ଋତୁରେ ଇଥାନଲ ବିକ୍ରିରୁ ଚିନି କଳମାନେ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ବ ପାଇଛନ୍ତି । ଏହା ଚିନି କଳମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହିତ ଚାଷୀଙ୍କ ଆଖୁ ବିକ୍ରି ପାଉଣା ପ୍ରଦାନରେ ସେମାନଙ୍କୁ ସହାୟକ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଏଫଆରପି ବୃଦ୍ଧି ଫଳରେ ଚାଷୀମାନେ ଅଧିକ ଆଖୁ ଚାଷ ପାଇଁ ଆଗ୍ରହୀ ହୋଇଛନ୍ତି । ଏହା ଚିନି କଳମାନଙ୍କୁ ଘରୋଇ ଚିନି ଉତ୍ପାଦନ ପାଇଁ ନିରନ୍ତର ପ୍ରୋତ୍ସାହନ ଯୋଗାଇଛି । ଚିନି କ୍ଷେତ୍ରରେ ସରକାରଙ୍କ ସକ୍ରିୟ ପଦକ୍ଷେପ କାରଣରୁ ଭାରତ ଇନ୍ଧନ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳ ହେଉଛି ।

 

*******

P.S.



(Release ID: 1849805) Visitor Counter : 228