ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧିନଗର ଗିଫ୍ଟସିଟିରେ ଆଇଏଫ୍‌ଏସ୍‌ସିଏ ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ


ଗିଫ୍ଟସିଟିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଭାରତର ପ୍ରଥମ ଆନ୍ତର୍ଜାତିକ ବୁଲିଅନ ଏକ୍ସଚେଞ୍ଚ- ଆଇଆଇବିଏକ୍ସ

“ବିଶ୍ୱ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେଉଥିବା ରାଷ୍ଟ୍ର ଆମେରିକା, ବ୍ରିଟେନ ଓ ସିଙ୍ଗାପୁର ଆଦିଙ୍କ ଗୋଷ୍ଠୀରେ ସାମିଲ ହେବା ଆରମ୍ଭ କଲା ଭାରତ”

“ଗିଫ୍ଟସିଟିରେ ଉଭୟ ଧନ ଓ ଜ୍ଞାନର ଆବାହନ”

“ଆମର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ଅର୍ଥନୀତିରେ ଭବିଷ୍ୟତରେ ଭାରତର ଭୂମିକା ବଢାଇବା ଭଳି ଅନୁଷ୍ଠାନ/ପ୍ରତିଷ୍ଠାନ ଆମେ ଆବଶ୍ୟକ କରୁଛୁ”

“ଏବେ ବିଶ୍ୱ ଅର୍ଥନୀତି ସହିତ ସମନ୍ୱିତ ହେବା ଆମର ଅନ୍ୟତମ ପ୍ରମୁଖ କାର୍ଯ୍ୟସୂଚୀ; ଆମେ ବିଶ୍ୱ ବଜାର ଓ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଦ୍ରୁତଗତିରେ ସାମିଲ ହେଉଛି”

“ଗୋଟିଏ ପଟରେ ଆମେ ସ୍ଥାନୀୟ କଲ୍ୟାଣ ପାଇଁ ବିଶ୍ୱରୁ ପୁଞ୍ଜି ଆଣୁଛୁ, ଅନ୍ୟପଟରେ ଆମେ ମଧ୍ୟ ସ୍ଥାନୀୟ ଉତ୍ପାଦକତାକୁ ବିଶ୍ୱ କଲ୍ୟାଣ ପାଇଁ ବିନିଯୋଗ କରୁଛୁ”

“ଟେକ୍‌ନୋଲୋଜି, ବିଜ୍ଞାନ ଓ ସଫ୍ଟଓୟାର କ୍ଷେତ୍ରରେ ଭାରତ ଅଗ୍ରଣୀ ଏବଂ ଏ କ୍ଷେତ୍ରରେ ଆମର ଭଲ ଅଭିଜ୍ଞତା ରହିଛି”

“ଶ୍ରେଷ୍ଠ ନିୟାମକ ବ୍ୟବସ୍ଥା ସୃଷ୍ଟି କରିବା ସହିତ ଆଇନର ଶାସନ କ୍ଷେତ୍ରରେ ଉଚ୍ଚମାନ ପ୍ରତିଷ୍ଠା ଏବଂ ବିଶ୍ୱର ମନପସନ୍ଦ ଆର୍ବିଟ୍ରେସନ କେନ୍ଦ୍ରଭାବେ ପ୍ରତିଷ୍ଠା ଲାଭ କରିବା ଲକ୍ଷ୍ୟ ହେବା ଉଚିତ”

Posted On: 29 JUL 2022 6:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗର ସ୍ଥିତ ଗିଫ୍ଟସିଟିରେ ଇଣ୍ଟର ନେଶନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (ଆଇଏଫ୍‌ଏସ୍‌ସିଏ) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଗିଫ୍ଟ-ଆଇଏଫ୍‌ଏସ୍‌ସିରେ ଭାରତ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ନେଶନାଲ ଷ୍ଟକ ଏକ୍ସଚେଞ୍ଚର ଆଇଏଫ୍‌ଏସ୍‌ସି ଏସ୍‌ଜିଏକ୍ସ କନେକ୍ଟର ଶୁଭାରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନ ଓ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, କୂଟନୀତିଜ୍ଞ, ବିଶିଷ୍ଟ ବ୍ୟବସାୟୀ ଓ ଉଦ୍ୟୋଗଜଗତର ନେତାଗଣ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ  ଆଜିର ଦିନଟି ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଟେକ୍‌ନୋଲୋଜି ଶକ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧିକୁ ଏହା ପ୍ରମାଣିତ କରୁଛି । ଆଜି ଗିଫ୍ଟ ସିଟିରେ ଆଇଏଫ୍‌ଏସ୍‌ସିଏର ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ଏହି ଭବନ ଦେଖିବାକୁ ଯେପିର ଅତି ପ୍ରକାଣ୍ଡ ଓ କମନୀୟ ହେବ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ôଥକ ଶକ୍ତିରେ ପରିଣତ କରିବାରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା । ଏହି ସଂଗଠନ ଇନୋଭେସନକୁ ପ୍ରୋତ୍ସାହିତ କରି ଅଭିବୃଦ୍ଧିର ବାହକ ହେବ । ଆଜି ଯେଉଁ ପ୍ରତିଷ୍ଠାନ ଓ ଫ୍ଲାଟଫର୍ମ ସବୁ ଉଦ୍‌ଘାଟିତ ହୋଇଛି ତାହା ୧୩୦କୋଟି ଭାରତୀୟଙ୍କୁ ଆଧୁନିକ ବିଶ୍ୱ ଅର୍ଥନୀତି ସହ ସଂଯୁକ୍ତ କରିବ । ଏବେ ବିଶ୍ୱ ଅର୍ଥନୀତିକୁ ଦିଗ୍‌ଦର୍ଶନ କରୁଥିବା ଆମେରିକା, ବ୍ରିଟେନ ଓ ସିଙ୍ଗାପରୁ ଭଳି ରାଷ୍ଟ୍ରଙ୍କ ଗହଣରେ ସାମିଲ ହେବାକୁ ଭାରତ ଆରମ୍ଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗିଫ୍ଟସିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବେପାର ବଣିକ ପାଇଁ ଉଦ୍ଦିଷ୍ଟ ନୁହେଁ । ମୂଳରୁ ଏହା ସହିତ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନିହିତ । ଭାରତର ଭବିଷ୍ୟତର ଲକ୍ଷ୍ୟ ଗିଫ୍ଟି ସିଟି ସହିତ ସମ୍ପୃକ୍ତ ଏବଂ ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ମଧ୍ୟ ଏହା ସହ ଜଡିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୮ରେ ସମଗ୍ର ବିଶ୍ୱ ଯେତେବେଳେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତରେ ନୀତିଗତ ପକ୍ଷାଘାତର ସ୍ଥିତି ଦେଖାଦେଇଥିଲା । ମାତ୍ର ସେହି ସମୟରେ ଗୁଜରାଟ ନୂଆ ପଦକ୍ଷେପ ମାନ ଗ୍ରହଣ କରିଥିଲା । ଫିନ୍‌ଟେକ କ୍ଷେତ୍ରରେ ନୂଆ ପ୍ରୟାସ  ବଡ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲା । ସେହି ବିଚାର ଓ ପ୍ରୟାସ ସଫଳ ହୋଇ ଆଜି ଏହି ସ୍ଥିତିରେ ପହଞ୍ଚିଥିବାରୁ ମୁଁ ଆନନ୍ଦିତ ।

ସେ ଆହୁରି କହିଥିଲେ ଯେ ଗିଫ୍ଟସିଟି ଏବେ ବାଣିଜ୍ୟ ଓ ଟେକ୍‌ନୋଲୋଜିର ଏକ ସଫଳ ହକ୍ ଭାବେ ନିଜର ସ୍ଥିତି ଜାହିର କରିଛି । ଏଥିରେ ଉଭୟ ଧନ ଓ ଜ୍ଞାନର ଉପାସନା କରାଯାଉଛି । ଏହା ବୈଶ୍ୱିକ ସେବା ଯୋଗାଣ କ୍ଷେତ୍ରରେ ଭାରତକୁ ଅଗ୍ରଗାମୀ କରାଇବା ନିଶ୍ଚିତ ଆନନ୍ଦର ବିଷୟ । ଏଠାରେ ବିଶ୍ୱର ଶ୍ରେଷ୍ଠ ପ୍ରତିଭା ଓ ମସ୍ତିଷ୍କ ମାନ ନିୟୋଜିତ ଏବଂ ସେମାନେ ନିଜର ଜ୍ଞାନର ଉପଯୋଗ କରି ଧନ ଅର୍ଜନ କରୁଛନ୍ତି । ଅର୍ଥ ଓ ବ୍ୟବସାୟ କ୍ଷେତ୍ରର ଭାରତର ଶ୍ରେଷ୍ଠତାର ପୂର୍ବ ଗୌରବ ଫେରାଇ ଆଣିବାରେ ଗିଫ୍ଟସିଟି ଏକ ମାଧ୍ୟମ ପାଲଟିଛି। ସମୃଦ୍ଧ ଫିନ୍‌ଟେକ୍ କ୍ଷେତ୍ର କେବଳ ବେପାର ବଣିକକୁ ସୁଗମ କରିବାକୁ ଉଦ୍ଦିଷ୍ଟ ନୁହେଁ, ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ଉତ୍ତମ ଜୀବନ ଓ ନୂଆ ସୁଯୋଗ ଯୋଗାଇ ଦେବାକୁ ଅଭିପ୍ରେତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ବଦଳିବା ସହିତ ଭାରତ ବଦଳୁଛି ଏବଂ ନୂଆ ଭାରତ ବେପାର ବଣିଜ, ଅର୍ଥ, ଟେକ୍‌ନୋଲୋଜି କ୍ଷେତ୍ରରେ ସମଗ୍ର ବିଶ୍ୱ ସହିତ ଦ୍ରୁତଗତିରେ ଯୋଡି ହେଉଛି । ବିଶ୍ୱ ବଜାର ସହିତ ସମନ୍ୱିତ ହେବା ଉପରେ ଏବେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ଏବଂ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ । ଆମେ ମଧ୍ୟ ଏବେ ବିଶ୍ୱବଜାର ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳା ସହିତ ଦ୍ରୁତଗତିରେ ଯୋଡି ହେବାରେ ଲାଗିଛୁ। ଭାରତୀୟ ଆନ୍ତର୍ଜାତିକ ସୁବିଧା ସୁଯୋଗ ସହିତ ସଂଯୋଜିତ ହେବାରେ ଗିଫ୍ଟସିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାରା ପାଲଟିଛି । ସମଗ୍ର ବିଶ୍ୱ ସହିତ ଆମେ ସଂଯୋଜିତ ହୋଇପାରୁଛୁ ।

ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ଅନ୍ୟତମ ବୃହତ୍ ଅର୍ଥନୀତି । ଆଗକୁ ଆମ ଅର୍ଥନୀତିର ଆକାର ଆହୁରି ବଡ ହେବ । ସେଥି ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ  ପଡିବ । ଏଥିପାଇଁ ନୂଆ ଅନୁଷ୍ଠାନ, ପ୍ରତିଷ୍ଠାନ ମାନ ଆମର ଲୋଡା; ଯାହା ଆମର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ଅର୍ଥନୈତିକ ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇପାରିବ । ଇଣ୍ଡିଆ ଇଣ୍ଟର ନ୍ୟାସନାଲ ବୁଲିୟନ ଏକ୍ସଚେଞ୍ଚ-ଆଇଆଇବିଏକ୍ସ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଅବସରରେ ସେ ଭାରତୀୟ ମହିଳା ଆର୍ଥିକ ସଶକ୍ତିକରଣରେ ସୁନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପରିଚୟ କେବଳ ଏକ ବଡ ବଜାରରେ ସୀମିତ ହୋଇ ରହିବା ଅନୁଚିତ । ଏହା ବଜାର ନିର୍ମାଣ ବା ମାର୍କେଟ ନିର୍ମାତା ହେବା ଆବଶ୍ୟକ । ଗୋଟିଏ ପଟରେ ଆମେ ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ପୁଞ୍ଜି ଆଣୁଥିବାବେଳେ ଅନ୍ୟପକ୍ଷରେ ଆମେ ବିଶ୍ୱ କଲ୍ୟାଣ ପାଇଁ ସ୍ଥାନୀୟ ଉତ୍ପାଦକତାକୁ ବିନିଯୋଗ କରୁଛୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ, ବିଶ୍ୱର ଅର୍ଥନୀତିକ ସଙ୍କଟ ଓ ଯୋଗାଣ ଶୃଙ୍ଖଳା ବିଘ୍ନିତ ହେବା ସମୟରେ ଭାରତ ସାରା ପୃଥିବୀକୁ ଉଚ୍ଚ ମାନର ସାମଗ୍ରୀ ଓ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲା । ଏକବିଂଶ ଶତାବ୍ଦୀ ଅର୍ଥ ଓ ଟେକ୍‌ନୋଲୋଜିର ଯୁଗ । ଏହି ଦୁଇ କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି । ଟେକ୍‌ନୋଲୋଜି, ବିଜ୍ଞାନ ଓ ସଫ୍ଟଓୟାର  କ୍ଷେତ୍ରରେ ଭାରତର ଉଭୟ ଅଗ୍ରଣୀ ଓ ଅଭିଜ୍ଞ । ତେଣୁ ଏହି ଶକ୍ତି ଓ ସାମର୍ଥ୍ୟର ଶ୍ରେଷ୍ଠ ଉପଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଆଶାବ୍ୟକ୍ତ କରିଛନ୍ତି ଯେ ଗିଫ୍ଟ - ଆଇଏଫ୍‌ଏସ୍‌ସି ଫିନ୍‌ଟେକ କ୍ଷେତ୍ରରେ ବୈଶ୍ୱିକ ପ୍ରୟୋଗଶାଳାରେ ପରିଣତ ହେବ ଏବଂ ଇନେଭେସନ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିବ । ବିଶ୍ୱର ଅର୍ଥ ଓ ବାଣିଜ୍ୟ ବ୍ୟବସ୍ଥାରେ ନୂଆ ମାନ ଓ ନିୟାମକ ସ୍ଥାପନ କରି ଆଇଏଫ୍‌ଏମ୍‌ସିଏ ବିଶ୍ୱର ମନ ପସନ୍ଦରେ ଆବ୍ରି୍ରଟେସନ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ସେ କହିଛନ୍ତି ଯେ ଦୁବାଇ ଓ ସିଙ୍ଗାପୁର ଭଳି ଦେଶଠୁ ଏ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିବାକୁ ହେବ ।

ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭୂମିକାକୁ ସେ ପ୍ରଶଂସା କରିବା ସହିତ ଏ କ୍ଷେତ୍ରରେ ଅଧିକ ସହଯୋଗ କାମନା କରିଛନ୍ତି ।

 

*****

TKM/SLP



(Release ID: 1846384) Visitor Counter : 260