ନିର୍ବାଚନ ଆୟୋଗ

ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଯୁବପୀଢିଙ୍କୁ ବର୍ଷକୁ ଚାରିଟି ସୁଯୋଗ

Posted On: 28 JUL 2022 12:08PM by PIB Bhubaneshwar

୧୭+ ବର୍ଷର ଯୁବପୀଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ/ଇଆରଓ/ଏଇଆରଓଙ୍କୁ କେବଳ ଜାନୁୟାରୀ ୧ ନୁହେଁ ବରଂ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ମଧ୍ୟ ଆଗୁଆ ଆବେଦନ ଦାଖଲ ପାଇଁ ଯୁବପୀଢିଙ୍କୁ ପ୍ରଯୁକ୍ତିଗତ ସମାଧାନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଠାରୁ ଭୋଟର ତାଲିକା ପ୍ରତି ତିନି ମାସରେ ଅପଡେଟ ହେବ ଓ ସେହି ବର୍ଷର ପ୍ରତି ତିନି ମାସରେ ୧୮ ବର୍ଷ ବୟସ୍କ ହେଉଥିବା ଯୋଗ୍ୟ ଯୁବପୀଢିଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ । ପଞ୍ଜିକୃତ ହେବା ପରେ ସେମାନଙ୍କୁ ଏକ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ଜାରି କରାଯିବ । ଭୋଟର ତାଲିକା, ୨୦୨୩ର ବାର୍ଷିକ ସଂଶୋଧନର ଚଳନ୍ତି ପର୍ଯ୍ୟାୟ ପାଇଁ ୨୦୨୩ର ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ୧୮ ବର୍ଷର ନାଗରିକ ଖସଡା ଭୋଟର ତାଲିକା ପ୍ରକାଶନ ପୂର୍ବରୁ  ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ।

 

ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪ବି ଅନୁଯାୟୀ ଓ ଭୋଟର ପଞ୍ଜିକରଣ ଅଧିନିୟମ, ୧୯୬୦ରେ ହୋଇଥିବା ସଂଶୋଧନ ଅନୁଯାୟୀ ଭାରତୀୟ ନିର୍ବାଚନ ଆୟୋଗ ବିଧାନସଭା/ଲୋକସଭା ନିର୍ବାଚନ କ୍ଷେତ୍ରଗୁଡିକର ଭୋଟର ତାଲିକା ପ୍ରସ୍ତୁତି/ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ସୁପାରିଶ ଅନୁଯାୟୀ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ନିକଟରେ ଜନପ୍ରତିନିଧି ଆଇନରେ ସଂଶୋଧନ କରି ଭୋଟର ତାଲିକାରେ ଯୁବପୀଢିଙ୍କୁ ସାମିଲ କରିବାକୁ ପୂର୍ବର ଗୋଟିଏ ତାରିଖ ଜାନୁୟାରୀ ୧ ବଦଳରେ ଚାରିଟି ତାରିଖ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧କୁ ସାମିଲ କରିଛନ୍ତି ।   

ପ୍ରଚଳିତ ନୀତି ଅନୁଯାୟୀ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଜାନୁୟାରୀ ୧କୁ ଭିତ୍ତି କରି ପ୍ରତି ବର୍ଷ ଶେଷ ତିନି ମାସରେ ଭୋଟର ତାଲିକା ସଂଶୋଧନ ହୋଇଥାଏ, ଯେପରି ପର ବର୍ଷ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ । ଫଳରେ ଜାନୁୟାରୀ ୧ ପରେ ୧୮ ବର୍ଷ ପୂରଣ କରୁଥିବା ବହୁସଂଖ୍ୟକ ଯୁବପୀଢିଙ୍କୁ ପର ବର୍ଷର ସ୍ୱତନ୍ତ୍ର ସଂଶୋଧନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଯାହାଦ୍ୱାରା ସେମାନେ ଏହି ସମୟ ମଧ୍ୟରେ କୌଣସି ନିର୍ବାଚନରେ ଭାଗ ନେଇପାରନ୍ତି ନାହିଁ ।

 

ସେହିପରି ପଞ୍ଜିକରଣ ଫର୍ମକୁ ମଧ୍ୟ ଆୟୋଗଙ୍କ ପକ୍ଷରୁ ସରଳ ଓ ବ୍ୟବହାର ଉପଯୋଗୀ କରାଯାଇଛି । ଅଗଷ୍ଟ ୧, ୨୦୨୨ ଠାରୁ ନୂତନ ପରିବର୍ତ୍ତିତ ଫର୍ମ ଲାଗୁ ହେବ । ଅଗଷ୍ଟ ୧, ୨୦୨୨ ପୂର୍ବରୁ ପ୍ରଚଳିତ ଫର୍ମରେ ପ୍ରାପ୍ତ ସମସ୍ତ ଆବେଦନ (ଦାବି ଓ ଆପତ୍ତି)କୁ ବିବେଚନା କରାଯିବ ଓ ଏଥିପାଇଁ ନୂଆ ଫର୍ମରେ ଆବେଦନ କରିବାର ଆବଶ୍ୟକତା ନାହିଁ ।

ମତଦାନ ହେବାକୁ ଥିବା ରାଜ୍ୟଗୁଡିକୁ ବାଦ ଦେଇ ଅନ୍ୟ ରାଜ୍ୟଗୁଡିକୁ ୧. ୧.୨୦୨୩ରୁ ବାର୍ଷିକ ସଂଶୋଧନ ପାଇଁ ଆୟୋଗ ଆଦେଶ ଦେଇଛନ୍ତି । ସଂଶୋଧନ ପୂର୍ବର ସମସ୍ତ କାର୍ଯ୍ୟବିଧି ଆୟୋଗଙ୍କ ବର୍ତ୍ତମାନର ଦିଶାନିର୍ଦ୍ଦେଶ ଓ ଭୋଟର ତାଲିକା ମାନୁଆଲ, ୨୦୧୬ ଓ ମତଦାନ କେନ୍ଦ୍ର ମାନୁଆଲ, ୨୦୨୦ ଅନୁଯାୟୀ କରାଯିବ । ସଂଶୋଧନ ଓ ସଂଶୋଧନ ପୂର୍ବର କାର୍ଯ୍ୟବିଧି ଏପରି ଭାବେ କରାଯିବ ଯେପରି ଜାତୀୟ ମତଦାତା ଦିବସ ( ପ୍ରତିବର୍ଷ ଜାନୁୟାରୀ ୨୫) ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇପାରିବ ଓ ନୂଆ ଭୋଟର ବିଶେଷ କରି ଯୁବ ଭୋଟର (୧୮-୧୯ ବର୍ଷର)ମାନଙ୍କୁ ଭୋଟର ଫଟୋ ପରିଚୟପତ୍ର ଜାତୀୟ ମତଦାତା ଦିବସ ଅବସରରେ ଆନୁଷ୍ଠାନିକ ଭାବେ ବଣ୍ଟା ଯାଇପାରିବ ।

ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରର ପୁର୍ନବିନ୍ୟାସ, ଜନସଂଖ୍ୟାଗତ/ଫଟୋ ତ୍ରୁଟି ସଂଶୋଧନ, ୧.୧୦.୨୦୨୨କୁ ଭିତ୍ତି କରି ଅତିରିକ୍ତ ଓ ସମନ୍ୱିତ ଖସଡା ତାଲିକା ପ୍ରସ୍ତୁତି ଆଦି ସାମିଲ ରହିଛି । ଚଳିତ ସଂଶୋଧନ କାର୍ଯ୍ୟକ୍ରମ ବେଳେ ଭୋଟର ତାଲିକାରୁ ଜନସଂଖ୍ୟାଗତ/ଫଟୋ ତ୍ରୁଟି ସୁଧାରିବା ସହ ଏପିକ ସଂକ୍ରାନ୍ତୀୟ ତ୍ରୁଟି ଶତ ପ୍ରତିଶତ ସୁଧାରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଖସଡା ଭୋଟର ତାଲିକା ପ୍ରକାଶନ ପରେ ପ୍ରାପ୍ତ ଦାବି ଓ ଅଭିଯୋଗର ସମାଧାନ ସାମିଲ ହେବ । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅନୁଯାୟୀ ଏକ ମାସ ମଧ୍ୟରେ ଦାବି ଓ ଅଭିଯୋଗ ଜଣାଇବାକୁ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ଦ୍ୱାରା ସପ୍ତାହାନ୍ତରେ ବିଶେଷ ଶିବିର ଆୟୋଜନ କରାଯିବ । ଏହି ତାରିଖ ସମ୍ପର୍କରେ ସିଇଓମାନେ ଅବଗତ କରାଇବେ । ଅନ୍ତିମ ଭୋଟର ତାଲିକା ଜାନୁୟାରୀ ୫, ୨୦୨୩ରେ ପ୍ରକାଶିତ ହେବ ।

ବାର୍ଷିକ ସଂକ୍ଷିପ୍ତ ସଂଶୋଧନ ଅନ୍ତର୍ଗତ ଖସଡା ଭୋଟର ତାଲିକା ପ୍ରକାଶନ ପୂର୍ବରୁ ମତଦାନ କେନ୍ଦ୍ର ମାନୁଆଲ, ୨୦୨୦ର ଦିଶାନିର୍ଦ୍ଦେଶ ଅନୁଯାୟୀ ୧୫୦୦ରୁ ଅଧିକ ମତଦାତା ଥିବା ମତଦାନ କେନ୍ଦ୍ରଗୁଡିକର ପୁର୍ନବିନ୍ୟାସ କରାଯିବ ।

ଆଧାର ନମ୍ବରକୁ ଭୋଟର ତାଲିକା ତଥ୍ୟ ସହ ଯୋଡିବା ପାଇଁ ମତଦାତାମାନଙ୍କ ଠାରୁ ଆଧାର ବିବରଣୀ ଗ୍ରହଣ ପାଇଁ ସଂଶୋଧିତ ପଞ୍ଜିକରଣ ଫର୍ମରେ ବ୍ୟବସ୍ଥା ହୋଇଛି । ବର୍ତ୍ତମାନର ଭୋଟରମାନଙ୍କ ଠାରୁ ଆଧାର ନମ୍ବର ସଂଗ୍ରହ ପାଇଁ ନୂଆ ଫର୍ମ-6B ପ୍ରଚଳିତ ହୋଇଛି । ତେବେ କେହି ଯଦି ଆଧାର ନମ୍ବର ପ୍ରଦାନ କରିବାରେ ଅବା ଜଣାଇବାରେ ସକ୍ଷମ ନହୁଅନ୍ତି ତେବେ ତାଙ୍କ ନାମ ସାମିଲ କରିବାର ଆବେଦନ ବାତିଲ ହେବ ନାହିଁ ବା ଭୋଟର ତାଲିକାରୁ ନାମ ବାଦ ପଡିବ ନାହିଁ ।

ଭୋଟର ତାଲିକାରେ ଗୋଟିଏ ନାମ ଯେପରି ଏକାଧିକବାର ନରହେ, ସେଥିପାଇଁ ବିସ୍ତୃତ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ହୋଇଛି ।

ଭୋଟର ତାଲିକା ସଠିକ ଭାବେ ପ୍ରସ୍ତୁତି ପାଇଁ ନିର୍ବାଚନ ଆୟୋଗ ବୁଥସ୍ତରୀୟ ଅଧିକାରୀମାନଙ୍କ କ୍ଷେତ୍ର ସମୀକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି ।

ରାଜନୈତିକ ଦଳଗୁଡିକର ଅଧିକ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଆୟୋଗ ସ୍ୱୀକୃତ ରାଜନୈତିକ ଦଳଗୁଡିକର ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ଏକାଧିକ ଆବେଦନପତ୍ର ଜମା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏକାଥରକେ କିମ୍ବା ଗୋଟିଏ ଦିନରେ ଜଣେ ବୁଥସ୍ତରୀୟ ଏଜେଣ୍ଟ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ୧୦ରୁ ଅଧିକ ଫର୍ମ ଜମା ଦେଇପାରିବେ ନାହିଁ । ଯଦି କୌଣସି ବୁଥସ୍ତରୀୟ ଏଜେଣ୍ଟ ଦାବି ଓ ଅଭିଯୋଗ ଦାଖଲ ସମୟସୀମା ମଧ୍ୟରେ ୩୦ରୁ ଅଧିକ ଫର୍ମ ଜମା ଦିଅନ୍ତି ତେବେ ଇଆରଓ କିମ୍ବା ଏଇଆରଓ ସେଗୁଡିକ ଯାଞ୍ଚ କରିବେ । ଏହାବ୍ୟତୀତ ବୁଥସ୍ତରୀୟ ଏଜେଣ୍ଟ ଆବେଦନ ଫର୍ମର ସୂଚୀ ସହିତ ଆବେଦନ ଫର୍ମରେ ଦିଆଯାଇଥିବା ବିବରଣୀଗୁଡିକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିଥିବା ଏବଂ ସେଗୁଡିକ ଠିକ ବୋଲି ହୃଦୟଙ୍ଗମ କରିଥିବା ଘୋଷଣାନାମା ପ୍ରଦାନ କରିବେ ।

SR



(Release ID: 1845986) Visitor Counter : 218