ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଦୋଦରାରେ ଗୁଜରାଟ ଗୌରବ ଅଭିଯାନରେ ପ୍ରଧାନମନ୍ତ୍ରୀ


୨୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ପିଏମ ଆବାସ ଯୋଜନା ଅଧିନରେ ୧.୪ ଲକ୍ଷ ଘରର ଉଦଘାଟନ ଓ ଶିଳାନ୍ୟାସ

୧୬ ହଜାର କୋଟିରୁ ଅଧିକ ଅର୍ଥର ରେଳ ପ୍ରକଳ୍ପ ଦ୍ୱାରା ସେ ଅଞ୍ଚଳରେ ରେଳ ସଂଯୋଗୀକରଣକୁ ବଡ଼ ଲାଭ
୮ଠଠ କୋଟି ଟଙ୍କା ବ୍ୟୟରେ ‘ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନା’ର କଲେ ଶୁଭାରମ୍ଭ

“ଏକବିଂଶ ଶତାବ୍ଦୀର ଭାରତ ଦ୍ରୁତ ପ୍ରଗତି ପାଇଁ ମହିଳାଙ୍କ ଦୃତ ବିକାଶ ଓ ସଶକ୍ତିକରଣ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ”

“ମହିଳାଙ୍କ ଆକାଂକ୍ଷା ଓ ଆବଶ୍ୟକତାକୁ ଆଖି ଆଗରେ ରଖି ଆଜି ଭାରତ ଯୋଜନା କରୁଥିବା ସହ ନିଷ୍ପତ୍ତି ମଧ୍ୟ ନେଉଛି”

ଭଦୋଦରା ହେଉଛି ସଂସ୍କାରର ମହାନଗରୀ । ଏହା ସବୁଆଡୁ ଏଠାକୁ ଆସିଥିବା ଲୋକଙ୍କ ଯତ୍ନ ନେଉଥାଏ ।”

“ଆମେ ନିଷ୍ପତ୍ତି ନେବା କ୍ଷେତ୍ରରେ ଅଧିକ ସୁଯୋଗ ପ୍ରଦାନ କରି ଗୁଜରାଟର ମହିଳାମାନଙ୍କୁ ପ୍ରତ୍ୟେକ ସ୍ତରରେ ଅଗ୍ରାଧିକାର ଦେଉଛୁ”

Posted On: 18 JUN 2022 3:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ଯୋଗ ଦେଇଛନ୍ତି । ସେ ୨୧ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଉନ୍ନୟନ ପ୍ରକଳ୍ପ ହିତାଧିକାରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ, ଜନ ପ୍ରତିନିଧି ଏବଂ ଅନ୍ୟାନ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଏହି ଅବସରରେ ଯୋଗ ଦେଇଥିଲେ ।

ପ୍ରଥମରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ତାଙ୍କ ପାଇଁ ମାତୃବନ୍ଦନ ଦିବସ । ସେ ଆଜି ଶହେ ବର୍ଷରେ ପଦାର୍ପଣ କରିଥିବା ତାଙ୍କ ମାଆଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ତାଙ୍କ ଦିନ ଆରମ୍ଭ କରିଥିଲେ । ତା’ପରେ ସେ ପୁନର୍ବିନ୍ୟାସ ହୋଇଥିବା ଶ୍ରୀ କାଳୀକା ମାତାଙ୍କ ମନ୍ଦିରକୁ ପଭଗଡ଼ ପାହାଡ଼ରେ ଉଦଘାଟନ କରି ଅମୃତ କାଳରେ ଦେଶର ସଂକଳ୍ପ ପୂରଣ କରିବାକୁ ଦେଶବାସୀଙ୍କୁ ଶକ୍ତି ଦେବାକୁ ଠାକୁରାଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତା’ପରେ ସେ ଉପସ୍ଥିତ ବିଶାଳ ମାତୃଶକ୍ତି ଉଦେଶ୍ୟରେ ମଥାନତ କରିଥିଲେ ।

ଆଜି କାର୍ଯ୍ୟକ୍ରମର ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଗୁଜରାଟର ବିକାଶ ମାଧ୍ୟମରେ ଦେଶର ବିକାଶକୁ ମଧ୍ୟ ଶକ୍ତି ଦେବ । ମାତୃ ସ୍ୱାସ୍ଥ୍ୟ, ଗରିବଙ୍କ ନିମନ୍ତେ ଘର, ସଂଯୋଗୀକରଣ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଏତେ ବଡ଼ ଧରଣର ପୁଞ୍ଜିନିବେଶ ଗୁଜରାଟର ଶିଳ୍ପଗତ ବିକାଶକୁ ବିଶେଷ ଭାବେ ଆଗେଇ ନେବାରେ ସାହାଯ୍ୟ କରିବ । ଏଥିମଧ୍ୟରୁ ଅଧିକାଂଶ ପ୍ରକଳ୍ପ ସ୍ୱାସ୍ଥ୍ୟ, ପୌଷ୍ଟିକତା ଓ ମହିଳା ସଶକ୍ତିକରଣ ସହ ସଂଶ୍ଳିଷ୍ଟ ବୋଲି ସେ କହିଥିଲେ । ଆଜି ଡବଲ ଇଞ୍ଜିନ ସରକାର ଦ୍ୱାରା ମହିଳା ସଶକ୍ତିକରଣ ବିକାଶର ମେରିଖୁଣ୍ଟ ସାଜିଥିବା ବେଳେ ମାଆ କାଳୀକାଙ୍କ ଆଶୀର୍ବାଦ ଏହା ଆହୁରି ଆଗକୁ ବଢ଼ାଇଦେବ ।

“ଏକବିଂଶ ଶତାବ୍ଦୀରେ ଦେଶର ଦ୍ରୁତ ବିକାଶ ମହିଳା ସଶକ୍ତିକରଣ ଓ ବିକାଶ ଭଳି ସମଭାବେ ଗୁରୁତ୍ୱପୂର୍ଣ୍ଣ । ଆଜି ଦେଶ ମହିଳାମାନଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଯୋଜନା କରିଛନ୍ତି ଓ ନିଷ୍ପତ୍ତି ନେଇଛନ୍ତି” ବୋଲି ସେ କହିଥିଲେ । ସମାବେଶରେ ଅନେକ ଚିହ୍ନା ମୁହଁ ଦେଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପାଇଁ ଭରପୂର ସୁଯୋଗ ରଖିଛି, ମହିଳାଙ୍କ ସଶକ୍ତିକରଣ ନିମନ୍ତେ ସେମାନେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସରକାର ଯୋଜନାମାନ କରିଛନ୍ତି ।

“ଭଦୋଦରା ମାତୃଶକ୍ତି ପାଳନର ଏକ ସୁନ୍ଦର ନଗରୀ । ଭଦୋଦରା ଏକ ସଂସ୍କାର ନଗରୀ । ଏହି ନଗରୀ ସମସ୍ତଙ୍କର ସବୁ ଉପାୟରେ ଯତ୍ନ ନେଇଥାଏ, ସେମାନଙ୍କ ସୁଖ ଦୁଖରେ ଭାଗୀଦାର ହେବା ସହ ଆଗକୁ ବଢ଼ିବାକୁ ସୁଯୋଗ ଦେଇଥାଏ ।” ଏହି ନଗରୀ ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ବିନୋବା ଭାବେ ଏବଂ ବାବା ସାହେବ ଆମ୍ବେଦକରଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ଉତ୍ସାହ ଦେଇଛି । ଏହି ନଗରୀ ତାଙ୍କ ବ୍ୟକ୍ତିଗତ ଜୀବନରେ ଯେଉଁ ଅବଦାନ ଦେଇଛି ସେ ତାହାର ସ୍ମୃତିଚାରଣ କରିଥିଲେ । ୨୦୧୪ରେ ଉଭୟ ଭଦୋଦରା ଓ କାଶୀ ବିଶ୍ୱନାଥର ଆଶୀର୍ବାଦ ପାଇଥିଲେ । ସେ ମାଆ ଓ ମାତୃ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମାତୃ ସ୍ୱାସ୍ଥ୍ୟ କେବଳ ମାଆ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସମଗ୍ର ପରିବାର ଓ ବିଶେଷକରି ପିଲା ପାଇଁ ବିଶେଷ ଜରୁରୀ । “ଅପପୁଷ୍ଟି ଦୁଇ ଦଶନ୍ଧି ପୂର୍ବରୁ ଗୁଜରାଟରେ ବଡ଼ ଆହ୍ୱାନ ଥିଲା, ଯେତେବେଳେ ମତେ ଗୁଜରାଟ ସେବା କରିବାର ସୁଯୋଗ ଦେଇଥିଲେ । ତା’ପରେ ଆମେ ଗୋଟେ ପରେ ଗୋଟେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ ଓ ତା’ର ସୁଫଳ ଆଜି ଉପଲବ୍ଧ” ବୋଲି ସେ କହିଥିଲେ । ଆଦିବାସୀ ବହୁଳ ଅଞ୍ଚଳରେ ରକ୍ତ ଶିକୁଳୀ ସମସ୍ୟାର ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ । ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଗୁଜରାଟର ମହିଳାମାନଙ୍କୁ ବିଶେଷ ସାହାଯ୍ୟ କରିବ । ପୌଷ୍ଟିକତା ପରିବର୍ତ୍ତେ ସ୍ୱଚ୍ଛ ଭାରତ ଓ ଉଜ୍ୱଳା ଯୋଜନା ଅଧିନରେ ମହିଳାମାନଙ୍କୁ ଏକ ଅନୁକୂଳ ବାତାବରଣ ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ ।

“ଗୁଜରାଟର ମହିଳାମାନଙ୍କୁ ପ୍ରତ୍ୟେକ ସ୍ତରରେ ସୁବିଧା ଦେବା ପାଇଁ ଆମେ ଅନେକ ନିଷ୍ପତ୍ତି ବଳରେ ସୁଯୋଗ ସୃଷ୍ଟି କରିଛୁ । ଗୁଜରାଟ ମହିଳାମାନଙ୍କ ପରିଚାଳନାଗତ ଦକ୍ଷତାକୁ ବିଚାରକୁ ନେଇ ସେମାନଙ୍କୁ ଗ୍ରାମାଞ୍ଚଳର ଅନେକ ପ୍ରକଳ୍ପ ପାଇଁ ନେତୃତ୍ୱର ସୁଯୋଗ ଦିଆଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ମହିଳାମାନଙ୍କୁ ପରିବାରର ଆର୍ଥିକ ନିଷ୍ପତ୍ତିରେ ଏକ ପ୍ରମୁଖ ଭୂମିକା ପାଇଁ ତାଙ୍କ ଅଙ୍ଗୀକାରବଦ୍ଧତାର ଦୃଢ଼ୋକ୍ତି ଉପସ୍ଥାପନ କରିଥିଲେ । ଜନଧନ ଖାତା, ମୁଦ୍ରା ଯୋଜନା ଓ ସ୍ୱରୋଜଗାର ଯୋଜନାର ଏ ଦିଗରେ ଅନେକ ଅବଦାନ ରହିଛି । ଶ୍ରୀ ମୋଦି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ନିମନ୍ତେ ଅନେକ ପଦକ୍ଷେପ ନେଇ ସୂଚନା ଦେଇଥିଲେ । ସହରାଞ୍ଚଳ ଗରିବ ପରିବାରଗୁଡ଼ିକ ୭.୫ ଲକ୍ଷ ଘର ପାଇସାରିଛନ୍ତି ଓ ୪.୫ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀ ପରିବାର ଘର ତିଆରି ବାବଦ ସହାୟତା ପାଇଛନ୍ତି ବୋଲି ସେ କହିଥିଲେ । ଉପଯୁକ୍ତ ଘରଭଡ଼ା ଯୋଜନା ଓ ସ୍ୱନିଧି ଯୋଜନା ମଧ୍ୟ ଗ୍ରାମାଞ୍ଚଳ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କୁ ବେଶ ସାହାଯ୍ୟ କରୁଛି ବୋଲି ସେ କହିଥିଲେ । ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ସହ ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଉଥିବା ବିଷୟ ସେ କହିଥିଲେ ।

ଗୁଜରାଟର ପର୍ଯ୍ୟଟନ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଭଦୋଦରା ପାଇଁ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପଭଗଡ଼ ଓ କେଭାଡ଼ିଆ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇଛି । ଭଦୋଦରାରେ ରେଳବାଇ ଓ ବିମାନ ସେବା ଭିତ୍ତିଭୂମିର ମଧ୍ୟ ବିକାଶ ଘଟିଛି । ସେହିପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରେଳ ବିଶ୍ୱବିଦ୍ୟାଳୟ ଓ ବିର୍ସାମୁଣ୍ଡା ଆଦିବାସୀ ବିଶ୍ୱବିଦ୍ୟାଳୟ ମଧ୍ୟ ଶିକ୍ଷା କ୍ଷେତ୍ରରେ ଶକ୍ତି ସଞ୍ଚାର କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ

ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ପ୍ରକଳ୍ପ ଉଦଘାଟନ ଓ ଦେଶ ଉଦେଶ୍ୟରେ ସମର୍ପଣ କରିବା ସହ କେତେକର ଶିଳାନ୍ୟାସ କରିଥିଲେ । ଏଥିମଧ୍ୟରେ ରହିଛି ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର-ମଦାର ଷ୍ଟେସନର ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ-ବୋଟାଡ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନ ବିଦୁତକରଣ ଇତ୍ୟାଦି । ପ୍ରଧାନମନ୍ତ୍ରୀ ମଧ୍ୟ ସୁରତ, ଉଧନା, ସୋମନାଥ ଓ ସାବରମତୀ ଷ୍ଟେସନର ଆଧୁନିକୀକରଣ କରିବାର ଶିଳାନ୍ୟାସ କରିବା ସହ ରେଳବାଇ କ୍ଷେତ୍ରରେ ଅନ୍ୟାନ୍ୟ ପଦକ୍ଷେପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଯୋଗୁ ଅଞ୍ଚଳରେ ବ୍ୟବସ୍ଥାଗତ ଖର୍ଚ୍ଚ ହ୍ରାସ ପାଇବା ସହ ଶିଳ୍ପ ଓ କୃଷି କ୍ଷେତ୍ରରେ ବିକାଶ ଘଟିବ । ଏଥିରେ ସଂଯୋଗୀକରଣର ଉନ୍ନତି ହେବା ସହ ଯାତ୍ରୀମାନଙ୍କ ସୁବିଧା ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୧.୩୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି । ସେଥିରୁ ସହରାଞ୍ଚଳରେ ୧.୮ଠଠ କୋଟି ବ୍ୟୟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୧୫୩ଠ କୋଟି ଟଙ୍କା ବ୍ୟୟ ହୋଇଛି । ଏହାଛଡ଼ା ୩୧ଠ କୋଟି ଟଙ୍କା ବ୍ୟୟରେ ୩ଠଠଠ ଘରର ଖତ୍ ମହୁରତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।

ଏହା ସହିତ ପ୍ରଧାନମନ୍ତ୍ରୀ ୬୮ଠ କୋଟି ଟଙ୍କା ବ୍ୟୟରେ ଖେଡ଼ା, ଆନନ୍ଦ, ଭଦୋଦରା, ଛୋଟେ ଉଦୟପୁର ଓ ପଞ୍ଚ ମହଲରେ ଜନସାଧାରଣଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ବିଭିନ୍ନ ପ୍ରକଳ୍ପକୁ ଉତ୍ସର୍ଗ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜରାଟର ଜାବୋହୀ ତାଲୁକରକୁନେ୍ଧଲା ଗ୍ରାମର ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ଭଦୋଦରା ନଗରୀରୁ ପ୍ରାୟ ୨ଠ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ପ୍ରାୟ ୪୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ପ୍ରାୟ ୨୫ ଶହ ବିଦ୍ୟାର୍ଥୀଙ୍କ ଉଚ୍ଚଶିକ୍ଷାରେ ସହାୟକ ହେବ ।

ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ‘ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏ ବାବଦ ପ୍ରାୟ ୮ଠଠ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏହି ଯୋଜନା ଅଧିନରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ପ୍ରତି ମାସରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଦୁଇ କେଜି ବୁଟ, ଏକ କେଜି ମସୁର ଡାଲି ଓ ଏକ କେଜି ଖାଇବା ତେଲ ମାଗଣା ମିଳିବ । ପ୍ରଧାନମନ୍ତ୍ରୀ ମଧ୍ୟ ‘ପୋଷଣ ଶୁଦ୍ଧ ଯୋଜନା’ ନିମନ୍ତେ ୧୨ଠ କୋଟି ଟଙ୍କା ଘୋଷଣା କରିଥିଲେ। ଏହା ରାଜ୍ୟର ଆଦିବାସୀ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଆଦିବାସୀ ଅଧୁଷିତ ଜିଲ୍ଲାଗୁଡ଼ିକରେ କାଲସିୟମ ଓ ଲୌହ ବଟିକା ବଣ୍ଟନ ସହ ପୌଷ୍ଟିକତା ସଚେତନତା ସୃଷ୍ଟିରୁ ଗର୍ଭବତୀ ଓ ସ୍ତନ୍ୟପାନକ କରାଉଥିବା ମାଆମାନଙ୍କ କ୍ଷେତ୍ରରେ ଉନ୍ନତି ଦେଖାଯିବା ପରେ ଏହି ପଦକ୍ଷେପ ନିଆଯାଉଛି ।

SM/MB



(Release ID: 1835153) Visitor Counter : 117