ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତରପ୍ରଦେଶର କାନପୁର ପରୌଙ୍ଖ ଗ୍ରାମରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 03 JUN 2022 9:39PM by PIB Bhubaneshwar

ନମସ୍କାର !

ଏହି ଗ୍ରାମର ସନ୍ତାନ, ପରୌଙ୍ଖ ଗାଁର ମାଟିରେ ଜନ୍ମିତ ଦେଶର ରାଷ୍ଟ୍ରପତି ଆଦରଣୀୟ ରାମନାଥ କୋବିନ୍ଦ ମହୋଦୟ, ଆଦରଣୀୟ ଶ୍ରୀମତୀ ସବିତା କୋବିନ୍ଦ ମହୋଦୟା, ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତର ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ମଂଚରେ ବିରାଜିତ ମନ୍ତ୍ରିପରିଷଦର ମୋର ସାଥୀ, ଉତର ପ୍ରଦେଶ ମନ୍ତ୍ରିପରିଷଦର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ରାଷ୍ଟ୍ରପତି ମହୋଦୟ ଯେତେବେଳେ ମୋତେ କହିଥିଲେ ଯେ ମୋତେ ଏଠାକୁ ଆସିବାକୁ ହେବ, ସେତେବେଳଠାରୁ ମୁଁ ଆପଣମାନଙ୍କ ପାଖକୁ ଆସି ଗ୍ରାମବାସୀଙ୍କୁ ସାକ୍ଷାତ କରିବାର ପ୍ରତିକ୍ଷା କରୁଥିଲି। ବାସ୍ତବରେ ଆଜି ଏଠାକୁ ଆସି ମନକୁ ବହୁତ ଶାନ୍ତି ଲାଗିଲା, ବହୁତ ଭଲ ଲାଗିଲା। ଏହି ଗାଁ ରାଷ୍ଟ୍ରପତି ମହୋଦୟଙ୍କ ବାଲ୍ୟକାଳ ଦେଖିଛି ଏବଂ ବଡ଼ ହେବା ପରେ ତାଙ୍କୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ କରୁଥିବା ତାହା ମଧ୍ୟ ଦେଖିଛି।

ଏଠାକୁ ଆସିବା ପୂର୍ବରୁ ରାଷ୍ଟ୍ରପତି ମହୋଦୟ ଏହି ଗାଁ ସହିତ ଜଡ଼ିତ ତାଙ୍କର ଅନେକ ସ୍ମୃତି ସମ୍ପର୍କରେ ମୋ ସହିତ ମତ ବିନିମୟ କରିଥିଲେ। ମୁଁ ଜାଣି ପାରିଲି ଯେ ପଂଚମ ଶ୍ରେଣୀ ପରେ ଯେତେବେଳେ 5-6 ମାଇଲ ଦୂରରେ ରହିଥିବା ଗୋଟିଏ ଗାଁ ସ୍କୁଲରେ ତାଙ୍କର ନାମଲେଖା ହେଲା, ସେତେବେଳେ ସେ ଖାଲି ପାଦରେ ସ୍କୁଲ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଉଥିଲେ ଆଉ ଏହି ଦୌଡ଼ିବା ସ୍ୱାସ୍ଥ୍ୟ ସଚେତନତା ପାଇଁ ନ ଥିଲା । ଏହି ଦୌଡ଼ିବା କାର୍ଯ୍ୟଟି ଏଥିପାଇଁ ହେଉଥିଲା କାରଣ ଗରମ ଯୋଗୁଁ ତାତି ଯାଇଥିବା ପାଦଚଲା ରାସ୍ତାରେ ପାଦ କମ୍ ତାତିବ।

ଚିନ୍ତା କରନ୍ତୁ, ଏଭଳି ତାତିଲା ଦ୍ୱିପ୍ରହରରେ ପଂଚମରେ ପଢ଼ୁଥିବା କୌଣସି ବାଳକ ଖାଲି ପାଦରେ ନିଜ ସ୍କୁଲ ଯାଏଁ ଦୌଡ଼ି ଯାଉଛି। ଜୀବନରେ ଏଭଳି ସଂଘର୍ଷ, ଏଭଳି ତପସ୍ୟା ମଣିଷକୁ, ମଣିଷ ହେବାରେ ବହୁତ ସାହାଯ୍ୟ କରିଥାଏ। ଆଜି ରାଷ୍ଟ୍ରପତି ମହୋଦୟଙ୍କ ଗାଁକୁ ଆସିବାର ଏହି ଅନୁଭବ ହେଉଛି ମୋ ପାଇଁ ଜୀବନର ଏକ ସୁଖଦ ସ୍ମୃତି ଭଳି। 

ଭାଇ ଓ ଭଉଣୀମାନେ,

ଯେତେବେଳେ ମୁଁ ରାଷ୍ଟ୍ରପତି ମହୋଦୟଙ୍କ ସହିତ ବିଭିନ୍ନ ସ୍ଥାନ ସବୁ ବୁଲି ଦେଖୁଥିଲି, ସେତେବେଳେ ମୁଁ ପରୌଙ୍ଖରେ ଭାରତୀୟ ଗାଁର ଅନେକ ଆଦର୍ଶ ଛବିଗୁଡ଼ିକୁ ଅନୁଭବ କଲି। ଏଠାରେ ସର୍ବପ୍ରଥମେ ମୋତେ ପଥରୀ ମାତାଙ୍କ ଆଶୀର୍ବାଦ ନେବାର ସୁଯୋଗ ମିଳିଲା। ଏହି ମନ୍ଦିର ଏହି ଗାଁର, ଏହି ଅଂଚଳର ଆଧ୍ୟାତ୍ମିକ ଆଭା ସହିତ ଏକ ଭାରତ- ଶ୍ରେଷ୍ଠ ଭାରତର ମଧ୍ୟ ହେଉଛି ପ୍ରତୀକ। ଆଉ ମୁଁ କହି ପାରିବି ଏହା ହେଉଛି ଏଭଳି ମନ୍ଦିର, ଯେଉଁଠାରେ ଦେବଭକ୍ତି ମଧ୍ୟ ଅଛି, ଦେଶଭକ୍ତି ମଧ୍ୟ ଅଛି। ଆଉ ମୁଁ ଦେଶଭକ୍ତି ଏଥିପାଇଁ କହୁଛି ଯେ ରାଷ୍ଟ୍ରପତିଙ୍କ ପିତାଙ୍କ ଚିନ୍ତାଧାରାକୁ ମୁଁ ପ୍ରଣାମ କରୁଛି। ତାଙ୍କ କଳ୍ପନା ଶକ୍ତିକୁ ପ୍ରଣାମ କରୁଛି। ସେ ନିଜ ଜୀବନରେ ତୀର୍ଥସ୍ଥାନ ବୁଲିବା, ଭିନ୍ନ- ଭିନ୍ନ ଯାତ୍ରା ସ୍ଥାନକୁ ଯିବା, ଈଶ୍ୱରଙ୍କ ଆଶୀର୍ବାଦ ନେବା, ଏଥିପାଇଁ କେବେ- କେବେ ମଧ୍ୟ ଘରୁ ବାହାରି ଯାଉଥିଲେ। କେବେ ବଦ୍ରିନାଥ ଗଲେ, କେବେ କେଦାରନାଥ ଗଲେ, କେବେ ଅଯୋଧ୍ୟା ଗଲେ, କେବେ ମଥୁରା ଗଲେ, ଭିନ୍ନ- ଭିନ୍ନ ସ୍ଥାନକୁ ଯାଉଥିଲେ।

ସେହି ସମୟରେ ତାଙ୍କର ଆର୍ôଥକ ସ୍ଥିତି ଏଭଳି ନ ଥିଲା ଯେ ଗାଁର ସବୁ ଲୋକଙ୍କ ପାଇଁ ସେଠାରୁ କିଛି ପ୍ରସାଦ ନେଇ ଆସିବେ, ଗାଁ ସାରା କିଛି ବାଂଟି ପାରିବେ। ତେଣୁ ତାଙ୍କର କଳ୍ପନା ବହୁତ ମଜାଦାର ଥିଲା ଯେ ସେ ସେହି ତୀର୍ଥ କ୍ଷେତ୍ରରୁ, ସେହି ମନ୍ଦିର ପରିସରରୁ ଗୋଟିଏ ଅଧେ ପଥର ନେଇ ଆସୁଥିଲେ। ଆଉ ସେହି ପଥରକୁ ଏଠାରେ ଗଛ ତଳେ ରଖି ଦେଉଥିଲେ। ଆଉ ସେହି ପବିତ୍ର ସ୍ଥାନରୁ ପଥର ଆସିଛି, ହିନ୍ଦୁସ୍ତାନର କୋଣ- ଅନୁକୋଣରୁ ପଥର ଆସିଛି, ଏଥିପ୍ରତି ଏକ ଭାବ ଜାଗ୍ରତ ହୋଇ ଯାଉଥିଲା, ଆଉ ଗ୍ରାମବାସୀ ତାହାକୁ ମନ୍ଦିର ଭାବେ ପୂଜା କରୁଥିଲେ ଯେ ହେଉଛି ଅମୁକ ଅଂଚଳର ପଥର, ତାହା ଅମୁକ ମନ୍ଦିରର ପଥର, ଏହା ଅମୁକ ନଦୀ ନିକଟରେ ଥିବା ପଥର। ଏଥିପାଇଁ ମୁଁ କହୁଛି ଯେ ଏଥିରେ ଦେବଭକ୍ତି ମଧ୍ୟ ଅଛି ଏବଂ ଏଥିରେ ଦେଶଭକ୍ତି ମଧ୍ୟ ଅଛି।

ରାଷ୍ଟ୍ରପତି ମହୋଦୟଙ୍କ ପିତା ଏହି ମନ୍ଦିରରେ ପୂଜା କରୁଥିଲେ। ଏହି ପବିତ୍ର ମନ୍ଦିରର ଦର୍ଶନ କରିବା ହେଉଛି ସ୍ୱାଭାବିକ, କିନ୍ତୁ ମୋ ମନରେ ଅନେକ ପ୍ରକାରର ଚିନ୍ତାଧାରା ଘୂରି ବୁଲୁଥିଲା। ଆଉ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଛି ଯେ ମୋତେ ସେ ମନ୍ଦିରର ଦର୍ଶନ କରିବାର ସୁଯୋଗ ମିଳିଛି।

ସାଥୀଗଣ,

ପରୌଙ୍ଖର ମାଟିରୁ ରାଷ୍ଟ୍ରପତି ମହୋଦୟଙ୍କୁ ଯେଉଁ ସଂସ୍କାର ମିଳିଛି, ଆଜି ସମଗ୍ର ବିଶ୍ୱ ତାହାର ସାକ୍ଷୀ ପାଲଟିଛି। ଆଉ ମୁଁ ଆଜି ଦେଖୁଥିଲି ଗୋଟିଏ ପଟେ ସମ୍ବିଧାନ, ଅନ୍ୟପଟେ ସଂସ୍କାର, ଆଉ ଆଜି ଗାଁରେ, ରାଷ୍ଟ୍ରପତି ମହୋଦୟଙ୍କ ପଦ ପାଇଁ ଥିବା ସମସ୍ତ ମର୍ଯ୍ୟାଦାରୁ ବାହାରକୁ ବାହାରି ଯାଇ ମୋତେ ଆଜି ଆଶ୍ଚର୍ଯ୍ୟ ଚକିତ କରି ଦେଲେ। ସେ ସ୍ୱୟଂ ନିଜେ ମୋତେ ହେଲିପ୍ୟାଡ଼କୁ ପାଛୋଟି ନେବାକୁ ଆସିଲେ। ମୁଁ ବହୁତ ଲଜ୍ୟା ଅନୁଭବ କରୁଥିଲି ଯେ ତାଙ୍କ ମାର୍ଗଦର୍ଶନରେ ଆମେ କାର୍ଯ୍ୟ କରୁଛୁ, ତାଙ୍କ ପଦର ଏକ ମର୍ଯ୍ୟାଦା ରହିଛି ବରିଷ୍ଠତା ରହିଛି।

ମୁଁ କହିଲି ରାଷ୍ଟ୍ରପତି ମହୋଦୟ ଆପଣ ଆଜି ମୋ ସହିତ ଅନ୍ୟାୟ କରିଦେଲେ, ସେତେବେଳେ ସେ ଅତି ସହଜ ସୁଲଭ ଢଙ୍ଗରେ କହିଲେ ଯେ, ମୁଁ ସମ୍ବିଧାନର ମର୍ଯ୍ୟାଦା ଗୁଡିକୁ ପାଳନ କରୁଛି, କିନ୍ତୁ କେବେ- କେବେ ସଂସ୍କାରର ମଧ୍ୟ ନିଜର ଶକ୍ତି ଥାଏ। ଆଜି ଆପଣ ମୋ ଗାଁକୁ ଆସିଛନ୍ତି। ମୁଁ ଏଠାରେ ଅତିଥିଙ୍କ ସତ୍କାର କରିବାକୁ ଆସିଛି, ମୁଁ ରାଷ୍ଟ୍ରପତି ଭାବେ ଆସିନାହିଁ। ମୁଁ ଏହି ଗାଁର ଏକ ପିଲା ଭଳି, ଯେଉଁଠାରେ ଜୀବନର ଶୁଭାରମ୍ଭ ହୋଇଛି, ସେହି ଗାଁର ନାଗରିକ ଭାବେ ମୁଁ ଆଜି ଆପଣଙ୍କୁ ସ୍ୱାଗତ କରୁଛି। ଅତିଥି ଦେବୋ ଭବଃର ସଂସ୍କାର ଭାରତରେ କୌଣସି ପ୍ରକାରରେ ଆମର ରକ୍ତରେ ପହଂଚିଛି, ତାହାର ଉତମ ଉଦାହରଣ ଆଜି ରାଷ୍ଟ୍ରପତି ମହୋଦୟ ପ୍ରସ୍ତୁତ କଲେ। ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି।

ରାଷ୍ଟ୍ରପତି ମହୋଦୟ ନିଜର ପୈତୃକ ବାସଗୃହକୁ ମିଳନ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଦେଇଥିଲେ। ଆଜି ତାହା ବିଚାର ବିମର୍ଶ ଏବଂ ଏକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ମହିଳା ସଶକ୍ତୀକରଣକୁ ନୂତନ ଶକ୍ତି ପ୍ରଦାନ କରୁଛି। ତାଙ୍କର ପ୍ରୟାସ ଯୋଗୁଁ ଏଠାରେ ଆମ୍ବେଦକର ଭବନ ଭାବେ ବାବା ସାହେବଙ୍କ ଆଦର୍ଶର ପ୍ରେରଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି। ମୋର ବିଶ୍ୱାସ ଯେ, ଭବିଷ୍ୟତରେ ପରୌଙ୍ଖ ଆପଣମାନଙ୍କର ସାମୁହିକ ପ୍ରୟାସ ଦ୍ୱାରା ବିକାଶ ପଥରେ ଆହୁରି ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେବ, ଏବଂ ଦେଶ ସାମ୍ନାରେ ଗ୍ରାମୀଣ ବିକାଶର ମଡେଲ ପ୍ରସ୍ତୁତ କରିବ।

ସାଥୀଗଣ,

ଆମେ କେଉଁଠାରେ ମଧ୍ୟ ପହଂଚି ଯାଉନା କାହିଁକି, ବଡ଼- ବଡ଼ ସହର ଅବା ବିଶ୍ୱର କୌଣସି ମଧ୍ୟ କୋଣ ଅନୁକୋଣରେ ରହୁ ନା କାହିଁକି, ଯଦି ଆମେ ନିଜ ଗାଁ ସହିତ ବଂଚିଛେ, ତେବେ ଆମ ଗାଁ ଆମ ଭିତରୁ କେବେ ବାହାରି ଯାଇ ପାରିବ ନାହିଁ। ତାହା ଆମ ରକ୍ତରେ ପ୍ରବାହିତ ହେଉଥାଏ, ତାହା ଆମ ଚିନ୍ତାଧାରାରେ ସଦା ସର୍ବଦା ରହିଥାଏ। ତେଣୁ ଆମେ ଏଥିପାଇଁ କହୁଛୁ ଯେ ଭାରତର ଆତ୍ମା ଗାଁରେ ହିଁ ରହିଥାଏ, କାରଣ ଗାଁ ଆମର ଆତ୍ମାରେ ହିଁ ରହିଥାଏ।

ଆଜି ଯେତେବେଳେ ଦେଶ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଗ୍ରାମୀଣ ଭାରତ ପାଇଁ, ଆମର ଗାଁଗୁଡ଼ିକ ପାଇଁ ଆମର ସ୍ୱପ୍ନ ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥାଏ। ଆମର ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମାଗାନ୍ଧି ଭାରତର ସ୍ୱାଧୀନତାକୁ ଭାରତର ଗାଁ ସହିତ ଯୋଡ଼ି ଦେଖୁଥିଲେ । ଭାରତର ଗାଁ ଅର୍ଥାତ, ଯେଉଁଠାରେ ଆଧ୍ୟାତ୍ମ ମଧ୍ୟ ଅଛି, ଆଦର୍ଶ ମଧ୍ୟ ରହିଛି! ଭାରତର ଗାଁ ଅର୍ଥାତ ଯେଉଁଠାରେ ପରମ୍ପରାଗୁଡ଼ିକ ମଧ୍ୟ ଅଛି, ଆଉ ପ୍ରଗତିଶୀଳତା ମଧ୍ୟ ଅଛି! ଭାରତର ଗାଁ ଅର୍ଥାତ ଯେଉଁଠାରେ ସଂସ୍କାର ମଧ୍ୟ ଅଛି, ଆଉ ସହଯୋଗ ମଧ୍ୟ ଅଛି! ଭାରତର ଗାଁ ଅର୍ଥାତ ଯେଉଁଠାରେ ସମତା ମଧ୍ୟ ଅଛି, ଆଉ ମମତା ମଧ୍ୟ ଅଛି! 

ଆଜି ସ୍ୱାଧୀନତାର ଅମୃତକାଳରେ ଏହିଭଳି ଗାଁର ପୁର୍ନଗଠନ, ସେଗୁଡିକର ପୁନର୍ଜାଗରଣ ଏହା ହେଉଛି ଆମର କର୍ତବ୍ୟ। ଆଜି ଏହି ସଂକଳ୍ପକୁ ନେଇ ଦେଶ, ଗାଁ- ଗରିବ, କୃଷି- କୃଷକ ଏବଂ ପଂଚାୟତି ଗଣତନ୍ତ୍ରକୁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି। ଆଜି ଭାରତର ଗାଁରେ ସବୁଠାରୁ ଦ୍ରୁତ ଗତିରେ ସଡ଼କ ନିର୍ମାଣ ହେଉଛି। ଆଜି ଭାରତର ଗାଁରେ ଦ୍ରୁତ ଗତିରେ ଅପ୍ଟିକାଲ ଫାଇବର ବିଛାଯାଉଛି। ଆଜି ଭାରତର ଗାଁରେ ଦ୍ରୁତ ଗତିରେ ଗୃହ ନିର୍ମାଣ ହେଉଛି, ଏଲଇଡ଼ି ଷ୍ଟ୍ରିଟ୍ ଲାଇଟ ଲାଗୁଛି। ସହର ସହିତ ଆମ ଗାଁରେ ମଧ୍ୟ ବିକାଶର ପ୍ରତ୍ୟେକ ପଥରେ ପାଦ ସହିତ ପାଦ ମିଳାଇ ଚାଲିବା, ଏହା ହେଉଛି ନୂତନ ଭାରତର ଚିନ୍ତାଧାରା ଏବଂ ନୂତନ ଭାରତର ସଂକଳ୍ପ ମଧ୍ୟ।

ଆପଣ ଚିନ୍ତା କରନ୍ତୁ, କ’ଣ କେବେ କେହି କଳ୍ପନା କରିଥିଲେ ଯେ ଦିନେ କୃଷି ସହିତ ଜଡ଼ିତ କଷ୍ଟରୁ ଅତି କଷ୍ଟକର କାର୍ଯ୍ୟ ଏବେ ଡ୍ରୋନ ମାଧ୍ୟମରେ ସମାଧାନ ହେବା ଆରମ୍ଭ ହୋଇ ଯାଇଛି। କିନ୍ତୁ ଆଜି ଦେଶ ଏହି ଦିଗରେ ଆଗକୁ ଅଗ୍ରସର ହେଉଛି। ମୋତେ ଅବଗତ କରାଯାଇଛି ଯେ ଏଠାରେ ଏହି ଗାଁରେ ମଧ୍ୟ 300ରୁ ଅଧିକ ଲୋକଙ୍କୁ ସ୍ୱାମିତ୍ୱ ଯୋଜନା ଅଧୀନରେ ଘରବାରିର ପଟା ଦିଆ ଯାଇ ସାରିଛି, ସମ୍ପତିର ଦସ୍ତାବେଜ ଦିଆ ଯାଇ ସାରିଛି। ବୈଷୟିକ ଜ୍ଞାନ ଜରିଆରେ କିଭଳି କୃଷକମାନଙ୍କୁ ସୁବିଧା ଯୋଗାଇ ଦିଆଯିବ ଏବଂ ସେମାନଙ୍କର ରୋଜଗାର ବଢ଼ିବ, ଏହି ଦିଗରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି।

ସାଥୀଗଣ,

ଆମ ଗାଁ ପାଖରେ ସବୁଠାରୁ ଅଧିକ ସାମର୍ଥ୍ୟ ଅଛି, ସବୁଠାରୁ ଅଧିକ ଶ୍ରମଶକ୍ତି ଅଛି ଆଉ ସବୁଠାରୁ ଅଧିକ ସମର୍ପଣ ଭାବ ମଧ୍ୟ ଅଛି। ଏଥିପାଇଁ ଭାରତର ଗାଁଗୁଡ଼ିକର ସଶକ୍ତୀକରଣ ଆମ ସରକାରଙ୍କର ହେଉଛି ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଜନଧନ ଯୋଜନା ହେଉ, ଆବାସ ଯୋଜନା ହେଉ, ଉଜ୍ଜ୍ୱଳା ଯୋଜନା ଅଧୀନରେ ମିଳୁଥିବା ଗ୍ୟାସ ସଂଯୋଗ ହେଉ, ହର୍ ଘର୍ ଜଳ ଅଭିଯାନ ହେଉ, ଆୟୂଷ୍ମାନ ଭାରତ ଯୋଜନା ହେଉ, ଏହି ସବୁର ଲାଭ କୋଟି- କୋଟି ଗ୍ରାମବାସୀଙ୍କୁ ମିଳିଛି। ଗରିବ କଲ୍ୟାଣ ପାଇଁ ଦେଶ ଯେଉଁ ଗତିରେ କାର୍ଯ୍ୟ କରୁଛି, ତାହା ହେଉଛି ଅଦ୍ଭୁତପୂର୍ବ।

ଏବେ ଦେଶର ଗୋଟିଏ ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ଯୋଜନାର ଶତ- ପ୍ରତିଶତ ଲାଭ ଶତ- ପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଂଚାଇବା, ଅର୍ଥାତ ଶତ- ପ୍ରତିଶତ ସଶକ୍ତୀକରଣ। ନା କୌଣସି ଭେଦଭାବ, ନା କୌଣସି ପ୍ରଭେଦ! ଏହା ହିଁ ତ ହେଉଛି ସାମାଜିକ ନ୍ୟାୟ। ସମରସତା ଏବଂ ସମାନତା ସମ୍ପର୍କରେ ବାବା ସାହେବଙ୍କର ଏହି ସ୍ୱପ୍ନ ଥିଲା ଯାହାକୁ ଆଧାର କରି ସେ ଆମକୁ ଆମର ସମ୍ବିଧାନ ଦେଇଥିଲେ। ବାବା ସାହେବଙ୍କ ସ୍ୱପ୍ନ ଆଜି ପୂରଣ ହେବାରେ ଲାଗିଛି। ଦେଶ ସେହି ଦିଗରେ ଆଗକୁ ବଢ଼ୁଛି।

ସାଥୀଗଣ,

ଆଜିକାର ଏହି ଅବସର ଆଉ ଏକ କଥା ପାଇଁ ମଧ୍ୟ ହେଉଛି ବହୁତ ଐତିହାସିକ। ଆଉ ଏହି କଥା ସମସ୍ତଙ୍କ ପାଇଁ ଉଲ୍ଲେଖନୀୟ ହେଉଛି, କାରଣ ଏହି ଦେଶ ଗଣତନ୍ତ୍ରର ଶକ୍ତି, ଦେଶର ଗାଁର ଶକ୍ତିକୁ ଏକା ସହିତ ଦେଖାଉଛି। ଏଠାରେ ଏହି ମଂଚରେ ଆଦରଣୀୟ ରାଷ୍ଟ୍ରପତି ମହୋଦୟ, ୟୁପିର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ମହୋଦୟା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ ଉପସ୍ଥିତ ଅଛନ୍ତି। ମୋତେ ମଧ୍ୟ ଆପଣମାନେ, ଆପଣ ସମସ୍ତ ଦେଶବାସୀ ଦେଶର ସେବା ପାଇଁ ଏତେ ବଡ଼ ଦାୟିତ୍ୱ ଅର୍ପଣ କରିଛନ୍ତି। ଆମେ ଚାରି ଜଣ ଲୋକ କୌଣସି ନା କୌଣସି ଛୋଟ ଗାଁ ଅବା ପଡ଼ାରୁ ବାହାରି ଏଠାରେ ପହଂଚିଛୁ।

ମୋର ମଧ୍ୟ ଜନ୍ମ ଗୁଜରାଟର ଏକ ଛୋଟିଆ ପଡ଼ା ଗ୍ରାମରେ ହୋଇଥିଲା । ଗାଁର ସଂସ୍କୃତି, ସଂସ୍କାର ଏବଂ ଆମର ଏଠାରେ ଲାଗି ରହିଥିବା ସଂଘର୍ଷ ଆମ ଭଳି କେତେ ଲୋକଙ୍କୁ ପରଖିଛି, ଆମର ସଂସ୍କାରକୁ ସୁଦୃଢ଼ କରିଛି। ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି। ଭାରତରେ ଗାଁରେ ଜନ୍ମ ନେଇଥିବା ଗରିବରୁ ଗରିବ ଲୋକ ମଧ୍ୟ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ- ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଂଚି ପାରନ୍ତି।

କିନ୍ତୁ ଭାଇ ଓ ଭଉଣୀମାନେ,

ଆଜି ଆମେ ଯେତେବେଳେ ଗଣତନ୍ତ୍ରର ଏହି ଶକ୍ତି ସମ୍ପର୍କରେ ଆଲୋଚନା କରୁଛେ, ସେତେବେଳେ ଆମେ ଏହା ସାମ୍ନାରେ ଠିଆ ହୋଇଥିବା ପରିବାରବାଦ ଭଳି ଆହ୍ୱାନ ଠାରୁ ମଧ୍ୟ ସାବଧାନ ରହିବାର ଆବଶ୍ୟକତା ଅଛି। ଏହି ପରିବାରବାଦ ହିଁ ହେଉଛି ଯାହା ରାଜନୀତି ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭା ଗୁଡ଼ିକର କଣ୍ଠରୋଧ କରିଥାଏ, ତାକୁ ଆଗକୁ ବଢ଼ିବାକୁ ଦେଇ ନ ଥାଏ।

ଏମିତିରେ ସାଥୀଗଣ,

ମୁଁ ଯେତେବେଳେ ପରିବାରବାଦ ବିରୋଧର କଥା କହୁଛି, ସେତେବେଳେ କିଛି ଲୋକଙ୍କୁ ଲାଗୁଛି ଯେ ମୁଁ ରାଜନୈତିକ ବୟାନ ଦେଉଛି, ମୁଁ କୌଣସି ରାଜନୈତିକ ଦଳ ବିରେଧରେ କହୁଛି, ଏହିଭଳି ପ୍ରଚାର ହେଉଛି। ମୁଁ ଦେଖୁଛି ଯେ ଯେଉଁ ଲୋକ ପରିବାରବାଦକୁ ନେଇ ମୋର ବ୍ୟାଖ୍ୟା ସହିତ ସଠିକ୍ ଖାପ ଖାଉଛନ୍ତି, ସେମାନେ ମୋ ଉପରେ କ୍ର୍ରୋଧ କରୁଛନ୍ତି, ରାଗୁଛନ୍ତି। ଦେଶର କୋଣ ଅନୁକୋଣରେ ଏହି ପରିବାରବାଦୀ ଏବେ ମୋ ବିରୋଧରେ ଏକାଠି ହୋଇଛନ୍ତି। ସେମାନେ ଏହି କଥାକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ଯେ ଦେଶର ଯୁବକ, ପରିବାରବାଦ ବିରୋଧରେ ମୋଦୀଙ୍କ କଥାକୁ ଏତେ ଗମ୍ଭୀରତାର ସହ ନେଉଛନ୍ତି।

ସାଥୀଗଣ,

ମୁଁ ଏହି ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ମୋ କଥାର ଭୁଲ ଅର୍ଥ ବାହାର କରନ୍ତୁ ନାହିଁ। ମୋର କୌଣସି ରାଜନୈତିକ ଦଳ ଅବା କୌଣସି ବ୍ୟକ୍ତିଙ୍କ ସହିତ କୌଣସି ବ୍ୟକ୍ତିଗତ ଅସନ୍ତୋଷ ଭାବ ନାହିଁ । ମୁଁ ଚାହୁଁଛି ଯେ ଦେଶରେ ଏକ ସୁଦୃଢ଼ ବିରୋଧୀ ରୁହନ୍ତୁ, ଗଣତନ୍ତ୍ର ପ୍ରତି ସମର୍ପିତ ରାଜନୈତିକ ଦଳ ରୁହନ୍ତୁ। ମୁଁ ଚାହୁଁଛି ଯେ ପରିବାରବାଦ ପଞ୍ଝାରେ ଫସି ରହିଥିବା ଦଳ, ନିଜକୁ ଏହି ରୋଗରୁ ମୁକ୍ତ କରନ୍ତୁ, ନିଜେ ନିଜର ଚିକିତ୍ସା କରାନ୍ତୁ। ସେତେବେଳେ ଯାଇ ଭାରତର ଗଣତନ୍ତ୍ର ସୁଦୃଢ଼ ହେବ, ଦେଶର ଯୁବକମାନଙ୍କୁ ରାଜନୀତିକୁ ଆସିବା ପାଇଁ ଅଧିକରୁ ଅଧିକ ସୁଯୋଗ ମିଳିବ।

ସେ ଯାହା ହେଉ, ପରିବାରବାଦୀ ଦଳଗୁଡ଼ିକ ଠାରୁ ମୁଁ କିଛି ଅଧିକ ଆଶା କରୁଛି। ଏଥିପାଇଁ, ମୁଁ ଆପଣଙ୍କ ଗହଣରୁ ମଧ୍ୟ କହିବି ଯେ, ଏହା ହେଉଛି ଆମର ଦାୟିତ୍ୱ ଯେ ଆମେ ଦେଶରେ ପରିବାରବାଦ ଭଳି କୁ- ପ୍ରଥାକୁ ଜନ୍ମ ହେବାକୁ ଦେବା ନାହିଁ। ଗାଁର ଗରିବର ପୁଅ, ଗାଁର ଗରିବର ଝିଅ ମଧ୍ୟ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ ହୋଇ ପାରନ୍ତୁ, ଏଥିପାଇଁ ପରିବାରବାଦୀ ଦଳକୁ ଅଟକାଇବାର ବହୁତ ଜରୁରୀ ଆବଶ୍ୟକତା ଅଛି।

ସାଥୀଗଣ,

ରାଷ୍ଟ୍ରପତି ମହୋଦୟଙ୍କ ଏହି ଗାଁକୁ ଆଜି ମୁଁ ଉପହାର ସ୍ୱରୂପ କିଛି ମାଗିବାକୁ ଆସିଛି, ମୁଁ କିଛି ମାଗିବାକୁ ଚାହୁଁଛି। ଆପଣମାନଙ୍କୁ ଲାଗୁଥିବ ଇଏ ହେଉଛନ୍ତି କିଭଳି ପ୍ରଧାନମନ୍ତ୍ରୀ, ଆମ ଗାଁକୁ ଆସିଲେ, କିଛି ଆଣିଲେ ନାହିଁ ଆଉ ଏବେ ଆମକୁ ମାଗୁଛନ୍ତି। ମୁଁ ମାଗୁଛି, ଆପଣମାନେ ଦେବେ ନା... ମୁଁ ଗାଁକୁ ମାଗିବି ତେବେ ମିଳିବ ନା... ଯେଉଁ ଯେଉଁ ଗାଁରୁ ଲୋକ ଆସିଛନ୍ତି ସେମାନେ ମଧ୍ୟ ଦେବେ ନା । ଦେଖନ୍ତୁ ଆପଣମାନେ ନିଜ ଗାଁର ଏତେ ବିକାଶ କରିଛନ୍ତି।

ଆଜି ଯେତେବେଳେ ଦେଶ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆପଣମାନଙ୍କୁ ନିଜର ପ୍ରଚେଷ୍ଟା ବୃଦ୍ଧି କରିବାର ଅଛି। ଅମୃତକାଳରେ ଦେଶ ସଂକଳ୍ପ ନେଇଛି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ 75ଟି ଲେଖାଏଁ ଅମୃତ ସରୋବର ନିର୍ମାଣ କରାଯିବ। ଆଉ ଏବେ ଯୋଗୀ ମହାଶୟ କହୁଥିଲେ ଯେ ଏଠାରେ ପରୌଙ୍ଖରେ ମଧ୍ୟ 2ଟି ଅମୃତ ସରୋବର ନିର୍ମାଣ କରାଯାଉଛି। ଆପଣମାନଙ୍କୁ ମଧ୍ୟ ଏହି ଅମୃତ ସରୋବର ନିର୍ମାଣରେ ସହାୟତା କରିବାକୁ ହେବ, କରସେବା କରିବାକୁ ହେବ ଏବଂ ଏହାର ଭବ୍ୟତା ମଧ୍ୟ ବଜାୟ ରଖିବାକୁ ହେବ। ମୁଁ ଆପଣମାନଙ୍କଠାରୁ ଆଉ ଏକ କଥା ମଧ୍ୟ ମାଗିବାକୁ ଯାଉଛି ଆଉ ମୋର ବିଶ୍ୱାସ ଯେ, ଆପଣମାନେ ମୋର ଏହି ଦାବି ପୂରଣ କରିବେ, ଆଉ ତାହା ହେଉଛି ପ୍ରାକୃତିକ ଚାଷ, ପ୍ରାକୃତିକ କୃଷି। ପରେøଙ୍ଖ ଗାଁରେ ଅଧିକରୁ ଅଧିକ ପ୍ରାକୃତିକ କୃଷିକୁ ଗ୍ରହଣ କରାଯାଉ, ପ୍ରାକୃତିକ ଚାଷକୁ ଆପଣାଇବେ ତେବେ ତାହା ଦେଶ ପାଇଁ ବହୁତ ବଡ଼ ଉଦାହରଣ ପାଲଟିବ।

ସାଥୀଗଣ,

ଭାରତର ସଫଳତାର ପଥ ହେଉଛି ଗୋଟିଏ- ସମସ୍ତଙ୍କର ପ୍ରୟାସ। ସମସ୍ତଙ୍କର ପ୍ରୟାସ ଦ୍ୱାରା ହିଁ ଆତ୍ମନିର୍ଭର ଭାରତର ସ୍ୱପ୍ନ ମଧ୍ୟ ପୂରଣ ହେବ। ଆଉ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆତ୍ମନିର୍ଭର ଗାଁ, ଆତ୍ମନିର୍ଭର ଯୁବକ। ଆମର ଗାଁ ଗତିଶୀଳ ହେବ, ସେତେବେଳେ ଦେଶ ମଧ୍ୟ ଗତିଶୀଳ ହେବ। ଆମର ଗାଁ ବିକାଶ କରିବ, ସେତେବେଳେ ଦେଶ ମଧ୍ୟ ବିକାଶ କରିବ।

ଆଦରଣୀୟ କୋବିନ୍ଦ ମହୋଦୟଙ୍କ ଭଳି ଦେଶକୁ ରାଷ୍ଟ୍ରପତି ଦେଇଥିବା ପରୌଙ୍ଖ ଏହା ସାବ୍ୟସ୍ତ କରି ଦେଇଛି, ଯେ ଗାଁର ମାଟିରେ କେତେ ସାମର୍ଥ୍ୟ ରହିଥାଏ। ଆମକୁ ଏହି ସାମର୍ଥ୍ୟର, ଏହି ପ୍ରତିଭାର ସଠିକ ବ୍ୟବହାର କରିବାର ଅଛି। ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା, ଆଉ ଦେଶର ସ୍ୱପ୍ନଗୁଡିକୁ ପୂରଣ କରିବା।

ଏହି ସଂକଳ୍ପ ସହିତ, ମୁଁ ପୁଣି ଥରେ ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ଯେ, ସେ ନିଜ ସହିତ ମୋତେ ମଧ୍ୟ ଏଠାକୁ ଆସିବାର ସୁଯୋଗ ଦେଲେ। ମୁଁ ଆପଣମାନଙ୍କୁ ମଧ୍ୟ ପୁଣିଥରେ ହୃଦୟର ସହିତ ଅଭିନନ୍ଦନ ଜଣାଉଛି, ଆଉ ଗାଁର ପ୍ରତ୍ୟେକ ଗଳି- କନ୍ଦି ମୁଁ ଯେଉଁଠାକୁ ଯାଇଛି, ଯେଉଁ ଉଲ୍ଲାସ ଏବଂ ଉତ୍ସାହର ସହିତ ଆପଣମାନେ ଅଭିବାଦନ ଜଣାଇଛନ୍ତି, ପୁଷ୍ପ ବୃଷ୍ଟି କରିଛନ୍ତି, ସ୍ନେହ ବର୍ଷା କରିଛନ୍ତି, ନିଜର ଭଲପାଇବା ସହିତ ଅଭିଭୂତ କରିଦେଲେ। ମୁଁ ଆପଣମାନଙ୍କର ଏହି ଭଲପାଇବାକୁ କେବେ ଭୂଲି ପାରିବି ନାହିଁ। ଆପଣମାନଙ୍କର ଏହି ସ୍ୱାଗତକୁ କେବେ ଭୂଲି ପାରିବି ନାହିଁ। ଆଉ ଗାଁରେ ଯେତେ ସମୟ ଅତିବାହିତ କରିବାର ସୁଯୋଗ ମିଳିଲା, ନିଜର ପିଲାଦିନ ସହିତ ମଧ୍ୟ ମୁଁ ଯୋଡି ହୋଇଗଲି। ଏଥିପାଇଁ ମଧ୍ୟ ମୁଁ ଆପଣ ଗ୍ରାମବାସୀମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇ ମୋର ବାଣୀକୁ ବିରାମ ହେଉଛି।

ବହୁତ ବହୁତ ଧନ୍ୟବାଦ! 

 

*****



(Release ID: 1831070) Visitor Counter : 158