ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କାନପୁରର ପରଉଙ୍ଖ ଗାଁରେ ଜନସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି


ରାଷ୍ଟ୍ରପତିଙ୍କ ସହିତ ତାଙ୍କର ପୈତୃକ ଗ୍ରାମକୁ ଯାଇଛନ୍ତି

ପରଉଙ୍ଖ ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଉତ୍କୃଷ୍ଟ ଉଦାହରଣ

ରାଷ୍ଟ୍ରପତି ଉଭୟ ‘ସମ୍ବିଧାନ’ ଓ ‘ସଂସ୍କାର’ ର ସମନ୍ବୟ

‘‘ଭାରତରେ ଏକ ଗାଁରେ ଜନ୍ମିତ ଗରିବ ଲୋକ ମଧ୍ୟ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚି ପାରିବେ”

‘‘ଭାରତର ଗ୍ରାମଗୁଡିକର ସଶକ୍ତିକରଣ ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା ମଧ୍ୟରୁ ଗୋଟିଏ”

ଦେଶ ଗରିବଙ୍କ କଲ୍ୟାଣ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି

‘‘ମୁଁ ଚାହୁଁଛି ଯେ ପରିବାରବାଦ ଫାଶରେ ପଡ଼ିଥିବା ଦଳମାନେ ଏହି ରୋଗରୁ ନିଜକୁ ମୁକ୍ତ କରନ୍ତୁ ଏବଂ ନିଜକୁ ଉଚିତ୍ ମାର୍ଗକୁ ଆଣନ୍ତୁ। କେବଳ ସେତେବେଳେ ଯାଇ ଭାରତର ଗଣତନ୍ତ୍ର ଶକ୍ତିଶାଳୀ ହେବ ଏବଂ ଦେଶର ଯୁବକମାନେ ରାଜନୀତିରେ ଯୋଗଦେବା ପାଇଁ ସର୍ବାଧିକ ସୁଯୋଗ ପାଇବେ।’’

Posted On: 03 JUN 2022 5:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ କାନପୁରର ପରଉଙ୍ଖ ଗାଁର ପଥ୍ରୀ ମାତା ମନ୍ଦିର ପରିଦର୍ଶନ କରିଥିଲେ। ଏହା ପରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ପରିଦର୍ଶନ କରିଥିଲେ, ଏବଂ ଏହା ପରେ ମିଳନ କେନ୍ଦ୍ରକୁ ଯାଇଥିଲେ। ଏହି କେନ୍ଦ୍ରଟି ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହା ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏହାକୁ ଏକ କମ୍ୟୁନିଟି କେନ୍ଦ୍ର (ମିଳନ କେନ୍ଦ୍ର) ରେ ପରିଣତ କରଯାଇଛି। ଉଭୟ ସମ୍ମାନସ୍ପଦ ବ୍ୟକ୍ତି ପରଉଙ୍ଖରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ମହିଳା ଶ୍ରୀମତୀ ସବିତା କୋବିନ୍ଦ, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ, ଲୋକ ପ୍ରତିନିଧି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପିଲାଦିନର ସାକ୍ଷୀ ରହିଥିବା ତାଙ୍କ ଗାଁକୁ ଦେଖି ସେ ବହୁତ ଖୁସି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ତାଙ୍କ ସହ ଆଦାନ ପ୍ରଦାନ କରିଥିବା ସ୍ମୃତି ବିଷୟକୁ ସେ ମନେ ପକାଇଥିଲେ। ରାଷ୍ଟ୍ରପତିଙ୍କ ଜୀବନର ଯାତ୍ରାର ଶକ୍ତିକୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରଉଙ୍ଖରେ ଭାରତର ଆଦର୍ଶ ଗାଁର ଶକ୍ତି ସେ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ଗ୍ରାମ ହେଉଛି ଏକ ଭରତ, ଶ୍ରେଷ୍ଠ ଭାରତର ଏକ ପ୍ରକୃଷ୍ଟ ଉଦାହରଣ। ପଥ୍ରି ମାତା ମନ୍ଦିର ଉଭୟ ଦେବ ଭକ୍ତି ଏବଂ ଦେଶ ଭକ୍ତିକୁ ଉପସ୍ଥାପିତ କରେ। ସେ ରାଷ୍ଟ୍ରପତିଙ୍କ ପିତାଙ୍କ ଚିନ୍ତାଧାରା ଏବଂ କଳ୍ପନାକୁ ପ୍ରଣାମ ଜଣାଇଲେ। ତୀର୍ଥଯାତ୍ରା ପାଇଁ ତାଙ୍କର ପ୍ରବଳ ଆଗ୍ରହ ରହିଥିଲା।  

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରଉଙ୍ଖ ଗାଁର ମାଟିରୁ ରାଷ୍ଟ୍ରପତି ଗ୍ରହଣ କରିଥିବା ‘ସଂସ୍କାର’ ଆଜି ବିଶ୍ୱରେ ସାକ୍ଷୀ ରହିଛି। ଉଭୟ ‘ସମ୍ବିଧାନ’ଏବଂ ‘ସଂସ୍କାର’ର ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତି ପ୍ରୋଟୋକଲ୍ ଭାଙ୍ଗି ତାଙ୍କ ହେଲିପ୍ୟାଡ ନିକଟକୁ ଯାଇ ସ୍ବାଗତ କରି ପ୍ରଧାନମନ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ରାଷ୍ଟ୍ରପତି କହିଛନ୍ତି ଯେ ଜଣେ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ତାଙ୍କର 'ସଂସ୍କୃତି' କୁ ଅନୁସରଣ କରୁଛନ୍ତି। ତାଙ୍କର ଏହି ନମ୍ର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ତାଙ୍କ ପୈତୃକ ବାସସ୍ଥାନକୁ ‘ମିଳନ କେନ୍ଦ୍ର’ ଭାବରେ ବିକଶିତ କରିବାକୁ ଦେଇଛନ୍ତି। ପରାମର୍ଶ ଏବଂ ତାଲିମ କେନ୍ଦ୍ର ଆକାରରେ ଆଜି ଏହା ମହିଳା ସଶକ୍ତିକରଣକୁ ନୂତନ ଶକ୍ତି ପ୍ରଦାନ କରୁଛି। ସେହିଭଳି ଡକ୍ଟର ବି ଆର ଆମ୍ବେଦକର ଭବନ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମବାସୀଙ୍କ ସାମୂହିକ ପ୍ରୟାସରେ ପରଉଙ୍ଖ ବୃଦ୍ଧି ପାଇବ ଏବଂ ଏକ ସଂପୂର୍ଣ୍ଣ ଗାଁର ଆଦର୍ଶ ଦେଶ ନିକଟରେ ଉପସ୍ଥାପନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଗାଁ ତାର ଅଧିବାସୀମାନଙ୍କୁ କେବେ ଛାଡ଼ନ୍ତି ନାହିଁ ସେ ଯେଉଁଠାରେ ଥାଆନ୍ତୁ ନା କାହିଁକି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଏହାକୁ ଭାରତର ଗାଁ ସହ ଯୋଡି ଭାରତର ସ୍ବାଧୀନତାର ସ୍ବପ୍ନ ଦେଖୁଥିଲେ। ଭାରତର ଗାଁର ଅର୍ଥ ହେଉଛି, ଯେଉଁଠାରେ ଆଧ୍ୟାତ୍ମିକତା ଅଛି, ସେଠାରେ ମଧ୍ୟ ଆଦର୍ଶ ରହିବା ଉଚିତ୍ | ଭାରତର ଗାଁର ଅର୍ଥ ହେଉଛି, ଯେଉଁଠାରେ ପରମ୍ପରା ଅଛି, ଏବଂ ସେଠାରେ ମଧ୍ୟ ପ୍ରଗତି ଅଛି | ଭାରତର ଗାଁର ଅର୍ଥ ହେଉଛି, ଯେଉଁଠାରେ ସଂସ୍କୃତି ଅଛି, ସେଠାରେ ମଧ୍ୟ ସହଯୋଗ ହେବା ଉଚିତ୍ | ଯେଉଁଠାରେ ପ୍ରେମ ଅଛି, ସେଠାରେ ସମାନତା ଅଛି | ଅମୃତ କାଳ ଅବସରରେ, ଏହିପରି ଗ୍ରାମଗୁଡ଼ିକୁ ମଜବୁତ କରିବାର ଆବଶ୍ୟକତା ଅଛି। ଗ୍ରାମ, କୃଷକ, ଏବଂ ପଞ୍ଚାୟତ ଗଣତନ୍ତ୍ର ପାଇଁ କାର୍ଯ୍ୟ କରିବାର ଏହି ପ୍ରତିଶ୍ରୁତି ସହିତ ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। “ଆମ ଗାଁଗୁଡ଼ିକରେ ସର୍ବାଧିକ ସମ୍ଭାବନା ଏବଂ ଶ୍ରମଶକ୍ତି, ଏବଂ ସର୍ବାଧିକ ଉତ୍ସର୍ଗୀକୃତ ମନୋଭାବ ରହିଛି। ସେଥିପାଇଁ ଭାରତର ଗ୍ରାମଗୁଡିକର ସଶକ୍ତିକରଣ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଅଟେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନ ଧନ ଯୋଜନା, ପିଏମଏୱାଇ, ଉଜ୍ଜ୍ବଳା ଏବଂ ହର୍‌ ଘର ଜଲ୍‌ ଭଳି ଯୋଜନା ଦ୍ୱାରା କୋଟି କୋଟି ଗ୍ରାମୀଣ ଲୋକମାନେ ଉପକୃତ ହୋଇଛନ୍ତି। ସେ କହିଛନ୍ତି, “ଗରିବଙ୍କ କଲ୍ୟାଣ ପାଇଁ ଦେଶ ଏକ ଦ୍ରୁତ ଗତିରେ କାମ କରିଛି। ବର୍ତ୍ତମାନ ଦେଶ ସମସ୍ତ ଯୋଜନାର ଶତପ୍ରତିଶତ ଲାଭକୁ 100 ପ୍ରତିଶତ ଲୋକଙ୍କ ନିକଟକୁ ନେବାକୁ ଚେଷ୍ଟା କରୁଛି। ଯୋଜନାଗୁଡିକର ସଭିଙ୍କ ନିକଟରେ ପହଞ୍ଚାଇବା ହେଉଛି ବର୍ତ୍ତମାନ ସର୍ବୋଚ୍ଚ ପ୍ରାଥମିକତା। ଏହାଦ୍ୱାରା କୌଣସି ଭେଦଭାବ ବିନା ସମସ୍ତଙ୍କ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ଭାରତୀୟ ଗଣତନ୍ତ୍ରର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ମଞ୍ଚରେ ଥିବା ଚାରିଜଣ ସମ୍ମାନୀୟ ବ୍ୟକ୍ତି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଗ୍ରାମ କିମ୍ବା ଛୋଟ ସହରରୁ ଆସିଛନ୍ତି। ଆମର ସଂଘର୍ଷ ଏବଂ ଦାରିଦ୍ର୍ୟ ଓ ଗ୍ରାମ ଜୀବନ ସହିତ ସିଧାସଳଖ ଯୋଗାଯୋଗ ଆମର ସଂସ୍କୃତକୁ ମଜବୁତ କରିଛି, ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି। ଭାରତରେ, ଏକ ଗ୍ରାମରେ ଜନ୍ମିତ ଗରିବ ବ୍ୟକ୍ତି ମଧ୍ୟ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚି ପାରିବେ ବୋଲି ସେ କହିଛନ୍ତି। 

ଗଣତନ୍ତ୍ରର ଶକ୍ତି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ପାରିବାରିକ ରାଜନୀତି ବିରୋଧରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ପାରିବାରିକ ରାଜନୀତି କେବଳ ରାଜନୀତିରେ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଭାକୁ ଆଗକୁ ବଢ଼ିବାକୁ ରୋକିଥାଏ। କୌଣସି ରାଜନୈତିକ ଦଳ କିମ୍ବା କୌଣସି ବ୍ୟକ୍ତିଙ୍କ ବିରୋଧରେ ମୋର କୌଣସି ବ୍ୟକ୍ତିଗତ କ୍ରୋଧ ନାହିଁ। ମୁଁ ଚାହୁଁଛି ଯେ ଦେଶରେ ଏକ ଦୃଢ଼ ବିରୋଧୀ ଦଳ ରହିବା ଉଚିତ ଏବଂ ଗଣତନ୍ତ୍ର ପାଇଁ ରାଜନୈତିକ ଦଳ ସମର୍ପିତ ହେବା ଉଚିତ ବୋଲି ସେ କହିଛନ୍ତି। ମୁଁ ଚାହୁଁଛି ଯେ ପାରିବାରିକ ଫାଶରେ ପଡ଼ିଥିବା ଦଳମାନେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରନ୍ତୁ। କେବଳ ସେତେବେଳେ ଭାରତର ଗଣତନ୍ତ୍ର ଶକ୍ତିଶାଳୀ ହେବ, ଦେଶର ଯୁବକମାନେ ରାଜନୀତିରେ ଯୋଗଦେବା ପାଇଁ ସର୍ବାଧିକ ସୁଯୋଗ ପାଇ ପାରିବେ।”

ପ୍ରଧାନମନ୍ତ୍ରୀ ଗ୍ରାମରେ ଅମୃତ ସରୋବର ନିର୍ମାଣରେ ସହାୟତା କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କୁ ପ୍ରାକୃତିକ ଚାଷ କରିବାକୁ ମଧ୍ୟ କହିଥିଲେ। ସେ ପରିଶେଷରେ କହିଛନ୍ତି ଯେ ସଭିଙ୍କ ପ୍ରୟାସ ମାଧ୍ୟମରେ ଆତ୍ମନିର୍ଭର ଭାରତ ହାସଲ କରାଯାଇପାରିବ ଓ ଆତ୍ମନିର୍ଭର ଗ୍ରାମ ହେଉଛି ଆତ୍ମନିର୍ଭର ଭାରତର ମୂଳଦୁଆ।   

ଭାରତର ମାନ୍ୟବର ରାଷ୍ଟ୍ରପତି ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିଥିଲେ।

BS


(Release ID: 1830984)