ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଏହା ଭାରତର ଶ୍ରେଷ୍ଠତମ କ୍ରୀଡ଼ା ବିଜୟ’ : ଥୋମାସ କପ୍‌ ୨୦୨୨ ବିଜେତାମାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ


ଫେରିବା ପରେ ଖେଳାଳୀ ଓ କୋଚ୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ କଲେ ନିମନ୍ତ୍ରଣ
‘‘କୋଚ୍ ଓ ମାତାପିତା ସବୁ ଶ୍ରେୟ ପାଇବାର ହକ୍‌ଦାର’’

‘‘ଆପଣମାନେ ସମସ୍ତେ ଏକ ସ୍ମରଣୀୟ ସଫଳତା ହାସଲ କରିଛନ୍ତି । ଦଳର ସମସ୍ତେ ପ୍ରଶଂସାର ପାତ୍ର’’

ଆପଣ ମୋତେ ଏବେ ‘ଆଲମୋଡ଼ାର ବାଲ୍‌ ମିଠାଇ’ ନିଶ୍ଚିତ ଦେବେ; ଲକ୍ଷ୍ୟ ସେନ୍‌ଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ଭାରତରେ ଏବେ କ୍ରୀଡ଼ା ପ୍ରତି ଚମତ୍କାର ସମର୍ଥନ ରହିଛି । ଏପରି ଜାରି ରହିଲେ, ଆମେ ଭାବୁଛୁ, ଭାରତରେ ଆହୁରି ଅନେକ ଚାମ୍ପିଅନ ସୃଷ୍ଟି ହେବେ : ପ୍ରଧାନମନ୍ତ୍ରୀଙ୍କୁ କହିଲେ ବିଜେତା ଦଳ

ଯୁବ ପ୍ରତିଭାଙ୍କୁ ବିଜେତା ଦଳର ପରାମର୍ଶ : ‘‘ଶତପ୍ରତିଶତ ସମର୍ପଣ ସହିତ କାର୍ଯ୍ୟ କରିପାରିଲେ, ଆପଣମାନେ ନିଶ୍ଚିତ ସଫଳ ହେବେ’’

Posted On: 15 MAY 2022 8:31PM by PIB Bhubaneshwar

 

ଥୋମାସ କପରେ ଆଜି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ କଥା ହୋଇଛନ୍ତି । 

ପ୍ରଧାନମନ୍ତ୍ରୀ ବିଜେତା ଦଳକୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ, ଏହି ସଫଳତାକୁ କ୍ରୀଡ଼ା ବିଶ୍ଳେଷକମାନେ ଭାରତର ଶ୍ରେଷ୍ଠତମ କ୍ରୀଡ଼ା ବିଜୟ ଭାବେ ବିବେଚନା କରିବେ । ଭାରତୀୟ ଦଳ କୌଣସି ରାଉଣ୍ଡରେ ପରାଜିତ ହୋଇନଥିବାରୁ ସେ ବିଶେଷ ଭାବେ ଆନନ୍ଦିତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । 

କେଉଁ ପର୍ଯ୍ୟାୟରେ ସେମାନେ ଜିତିବାକୁ ଯାଉଥିବା ଅନୁଭବ କଲେ ବୋଲି ଖେଳାଳୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । କିଦାମ୍ବୀ ଶ୍ରୀକାନ୍ତ ଏ ସମ୍ପର୍କରେ ତାଙ୍କୁ ସୂଚନା ଦେଇ କହିଥିଲେ ଯେ କ୍ବାର୍ଟର ଫାଇନାଲ ପରେ, ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଦଳର ମନୋବଳ ଅଧିକ ସୁଦୃଢ଼ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ସେ କହିଥିଲେ ଯେ ଦଳଗତ ଭାବନା ବିଶେଷ ସହାୟକ ହୋଇଥିଲା ଏବଂ ଦଳର ସବୁ ସଦସ୍ୟ ଶତପ୍ରତିଶତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଚ୍‌ମାନେ ସବୁ ଶ୍ରେୟ ପାଇବାର ହକ୍‌ଦାର ।

ଲକ୍ଷ୍ୟ ସେନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କୁ ଏବେ ଆଲମୋଡ଼ାର ‘ବାଲ ମିଠାଇ’ ଦେବାକୁ ପଡ଼ିବ । ଏହି ଅଗ୍ରଣୀ ବ୍ୟାଡମିଣ୍ଟନ ତାରକା ଦେବଭୂମି ଉତ୍ତରାଖଣ୍ଡର ପ୍ରତିନିଧିତ୍ବ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ୟ ହେଉଛନ୍ତି ତୃତୀୟ ପିଢ଼ିର ଖେଳାଳୀ । ଲକ୍ଷ୍ୟ ସେନ୍‌ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ତାଙ୍କ ବାପା ଉପସ୍ଥିତ ଥିଲେ । ସେ ମଧ୍ୟ ଶ୍ରୀକାନ୍ତଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କ୍ବାର୍ଟର ଫାଇନାଲ୍ସ ପରେ, ବିଜୟ ପ୍ରତି ବିଶ୍ବାସ ଆହୁରି ସୁଦୃଢ଼ ହୋଇଥିଲା । ଏଚଏସ ପ୍ରଣୟ ମଧ୍ୟ କହିଥିଲେ ଯେ କ୍ବାର୍ଟର ଫାଇନାଲ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ସେହି ମୁକାବିଲା ଜିତିବା ପରେ ଭାରତୀୟ ଦଳ ଯେକୌଣସି ଦଳ ସହ ଦୃଢ଼ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ମଜବୁତ ସ୍ଥିତିକୁ ଚାଲି ଆସିଥିଲା । ଦଳଗତ ସମର୍ଥନ କାରଣରୁ ମାଲେସିଆ ଭଳି ଦଳକୁ ହରାଇବାରେ ସହାୟତା ମିଳି ପାରିଥିଲା ବୋଲି ସେ କହିଥିଲେ । ସାତ୍ତ୍ବିକ ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମଧ୍ୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଚିରାଗ ସେଟ୍ଟୀଙ୍କ ସହିତ ପ୍ରଧାନମନ୍ତ୍ରୀ ମରାଠୀ ଭାଷାରେ କଥା ହୋଇଥିଲେ । ଚିରାଗ ଏହି ଅବସରରେ କହିଥିଲେ ଯେ ଭାରତ ପକ୍ଷରୁ ଖେଳି ବିଶ୍ବ ଚାମ୍ପିଅନ ହେବା ଠାରୁ ବଡ଼ ସଫଳତା ଆଉ କିଛି ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆପଣମାନେ ଏକ ସ୍ମରଣୀୟ ସଫଳତା ହାସଲ କରିଛନ୍ତି । ଏଥିପାଇଁ ଦଳର ସବୁ ସଦସ୍ୟ ପ୍ରଶଂସାର ପାତ୍ର ।’’ ଭାରତକୁ ଫେରିବା ପରେ ସେମାନଙ୍କର ଅଭିଜ୍ଞତା ବିଷୟରେ ଜାଣିବା ଓ ସେମାନଙ୍କ ସହିତ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିବା ସହିତ କୋଚ୍‌ଙ୍କ ସମେତ ଦଳର ସବୁ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଆସିବା ଲାଗି ନିମନ୍ତ୍ରଣ କରିଥିଲେ। 

ପ୍ରତିଭାବାନ କ୍ରୀଡ଼ାବିତ୍‌ ଏବଂ ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ ଓ ସନ୍ତରଣ ଭଳି କ୍ରୀଡ଼ାକୁ ଗ୍ରହଣ କରିବାକୁ ଚାହୁଁଥିବା ଛୋଟ ଛୋଟ ପିଲାଙ୍କୁ ବାର୍ତ୍ତା ଦେବା ଲାଗି ପ୍ରଧାନମନ୍ତ୍ରୀ ବିଜେତା ଦଳକୁ ପରାମର୍ଶ ଦେଇଥିଲେ । ଶ୍ରୀକାନ୍ତ ଦଳ ପାଇଁ କଥା ହୋଇଥିଲେ ଏବଂ କହିଥିଲେ ଯେ, ଆଜି ଭାରତରେ କ୍ରୀଡ଼ା ପାଇଁ ଭାରତରେ ଏବେ କ୍ରୀଡ଼ା ପ୍ରତି ଚମତ୍କାର ସମର୍ଥନ ରହିଛି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଭାରତ ସରକାର, କ୍ରୀଡ଼ା ସଂଘମାନଙ୍କ ପ୍ରୟାସ ଏବଂ ଶୀର୍ଷ ସ୍ତରରେ ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ ଯୋଜନା (ଟିଓପିଏସ) ଦ୍ବାରା କ୍ରୀଡ଼ାବିତମାନେ ଅଧିକ ସମର୍ଥନ ପାଉଥିବାରୁ ସେମାନଙ୍କର ମନୋବଳ ବୃଦ୍ଧି ପାଉଛି । ଏପରି ଜାରି ରହିଲେ, ଆମେ ଭାବୁଛୁ, ଭାରତରେ ଆହୁରି ଅନେକ ଚାମ୍ପିଅନ ସୃଷ୍ଟି ହେବେ । କ୍ରୀଡ଼ାକୁ ନିଜ ଇଚ୍ଛାରେ ଗ୍ରହଣ କରିବା ଲାଗି ଚାହୁଁଥିବା ଯୁବ ପ୍ରତିଭାମାନଙ୍କୁ ସେ ପରାମର୍ଶ ଦେଇଥିଲେ ଯେ, ଯଦି ସେମାନେ ଶତପ୍ରତିଶତ ସମର୍ପଣ ଦେବାକୁ ଚାହୁଁଛନ୍ତି ତା’ହେଲେ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ପାଇଁ ଯଥେଷ୍ଟ ସମର୍ଥନ ରହିଛି । ଯଦି ସେମାନେ ସଂକଳ୍ପବଦ୍ଧ ଅଛନ୍ତି, ସେମାନଙ୍କ ପାଇଁ ଭଲ ପ୍ରଶିକ୍ଷକ ଓ ଭିତ୍ତିଭୂମି ରହିଛି, ଯାହାର ସହାୟତାରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଭଲ କରିପାରିବେ । ଶତପ୍ରତିଶତ ସମର୍ପଣର ସହ କାର୍ଯ୍ୟ କରିପାରିଲେ, ସେମାନେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ଶ୍ରୀକାନ୍ତ କହିଥିଲେ ।

କ୍ରୀଡ଼ା କ୍ଷେତ୍ରରେ ଯିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଓ ଶେଷ ପର୍ଯ୍ୟନ୍ତ ସେମାନଙ୍କ ସହ ରହିବା ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳୀଙ୍କ ମାତାପିତାଙ୍କୁ ପ୍ରଶଂସା କରିଥିଲେ ଓ ସେମାନଙ୍କ ପ୍ରତି ନିଜର ସମ୍ମାନ ଜଣାଇଥିଲେ । ଫୋନ୍‌ କଲ ଶେଷରେ ପ୍ରଧାନମନ୍ତ୍ରୀ ଖେଳାଳୀ ମାନଙ୍କର ଆନନ୍ଦ ଉଲ୍ଲାସରେ ସାମିଲ ହୋଇ ‘ଭାରତ ମାତା କୀ ଜୟ’ କହିଥିଲେ ।

 

******

P.S.



(Release ID: 1825643) Visitor Counter : 141