ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମର ଦୀଫୁଠାରେ ଶାନ୍ତି ଓ ବିକାଶ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
प्रविष्टि तिथि:
28 APR 2022 4:16PM by PIB Bhubaneshwar
ଭାରତ ମାତା କି ଜୟ, ଭାରତ ମାତା କି ଜୟ!
କାର୍ବି ଆଙ୍ଗ – ଲୋଙ୍ଗ କୋରଟେ ଇଙ୍ଗଜିର, କେ – ଡୋ ଅଂ - ଅପହାନ୍ତା, ନେଲି କାରଡୋମ ପଜିର ଇଗ୍ଲୋ ।
ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ମହୋଦୟ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ସରମା ମହୋଦୟ, କାର୍ବି ରାଜା ଶ୍ରୀ ରାମ ସିଂ ରୁଙ୍ଗହୋଙ୍ଗ ମହୋଦୟ, କାର୍ବି ଆଙ୍ଗଲୋଙ୍କ ସ୍ୱୟଂଶାସିତ ପରିଷଦର ଶ୍ରୀ ତୁଲିରାମ ରୋଙ୍ଗହୋଙ୍ଗ ମହୋଦୟ, ଆସାମ ସରକାରରେ ମନ୍ତ୍ରୀ ଶ୍ରୀ ପିୟୁଷ ହଜାରିକା ମହୋଦୟ, ଜୋଗେନ ମୋହନ ମହୋଦୟ, ସଂସଦରେ ମୋର ସାଥୀ ଶ୍ରୀ ହିରେନ ସିଂହ ବେ ମହୋଦୟ, ବିଧାୟକ ଶ୍ରୀ ଭବେଶ କଲିତା ମହୋଦୟ, ଅନ୍ୟ ସମସ୍ତ ଜନ ପ୍ରତିନିଧିଗଣ ଏବଂ କାର୍ବି ଆଙ୍ଗଲୋଙ୍ଗର ମୋର ପ୍ରିୟ ଭାଇ ଓ ଭଉଣୀମାନେ!
ମତେ ଯେବେ ଯେବେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି, ଆପଣମାନଙ୍କ ଅକୁଣ୍ଠ ସ୍ନେହ, ଆପଣମାନଙ୍କର ଆପଣାର ଭାବ ଏପରି ଲାଗେ ଯେ ଯେପରି ଇଶ୍ୱରଙ୍କ ଆଶୀର୍ବାଦ ମିଳୁଛି । ଆଜି ମଧ୍ୟ ଏତେ ବଡ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ଦୂର ଦୂରାନ୍ତରୁ ମତେ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି ଏବଂ ତାହା ପୁଣି ଉମଙ୍ଗ, ଉତ୍ସାହ ଏବଂ ଉତ୍ସବର ମନୋଭାବ ସହ ରଙ୍ଗ ବେରଙ୍ଗର ଆପଣମାନଙ୍କର ପାରମ୍ପରିକ ବେଶଭୂଷାରେ ଏବଂ ଏଠାରେ ପ୍ରବେଶ ପଥରେ ଯେଉଁଭଳି ଭାବରେ ସମସ୍ତ ଜନ ଜାତି ନିଜ ପାରମ୍ପରିକ ପରମ୍ପରା ଅନୁସାରେ ଆମ ସମସ୍ତଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କଲେ, ମୁଁ ଆପଣମାନଙ୍କୁ ହୃଦୟର ସହ ଅନେକ ଅନେକ କୃତଜ୍ଞତା ଜଣାଉଛି ।
ଭାଇ ଓ ଭଉଣୀମାନେ,
ଏହା ସୁଖଦ ସଂଯୋଗ ଯେ ଆଜି ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମେ ଏହି ମାଟିର ମହାନ୍ ସନ୍ତାନ ଲଚିତ ବୋରଫୁକାନ ଜୀଙ୍କ ୪୦୦ତମ ଜନ୍ମ ଜୟନ୍ତୀ ମଧ୍ୟ ପାଳନ କରୁଛେ । ତାଙ୍କ ଜୀବନ ରାଷ୍ଟ୍ର ଭକ୍ତି ଏବଂ ରାଷ୍ଟ୍ର ଶକ୍ତିର ପ୍ରେରଣା ଅଟେ । କାର୍ବି ଆଙ୍ଗଲୋଙ୍ଗରୁ ଦେଶର ଏହି ମହାନ ନାୟକଙ୍କୁ ମୁଁ ସାଦର ପ୍ରଣାମ କରୁଛି, ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ବନ୍ଧୁଗଣ,
ବିଜେପିର ଡବଲ ଇଞ୍ଜିନର ସରକାର, ଯେଉଁଠାରେ ବି ଅଛି ସେଠାରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଏହି ଭାବନା ସହ କାମ କରୁଛି । ଆଜି ଏହି ସଙ୍କଳ୍ପ କାର୍ବି ଆଙ୍ଗଲୋଙ୍ଗର ଏହି ମାଟିରେ ପୁଣି ଥରେ ସଶକ୍ତ ହୋଇଛି । ଆସାମର ସ୍ଥାୟୀ ଶାନ୍ତି ଏବଂ ଦୃତ ବିକାଶର, ସେଥିପାଇଁ ଯେଉଁ ରାଜିନାମା ହୋଇଥିଲା ତାକୁ ଆଜି ବାସ୍ତବତାରେ ପରିଣତ କରିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ସେହି ରାଜିନାମା ଅଧିନରେ ୧୦୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଆଜି ଏଠାରେ କରାଗଲା । ଡିଗ୍ରୀ କଲେଜ ହେଉ, ପ୍ରାଣୀ ଚିିକିତ୍ସା କଲେଜ ହେଉ, କୃଷି ମହାବିଦ୍ୟାଳୟ ହେଉ, ଏହି ସମସ୍ତ ପ୍ରତିଷ୍ଠାନ ଏଠାକାର ଯୁବକମାନଙ୍କୁ ନୂଆ ସୁଯୋଗ ପ୍ରଦାନ କରିବାକୁ ଯାଉଛି ।
ବନ୍ଧୁଗଣ,
ଆଜି ଯେଉଁ ଶିଳାନ୍ୟାସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ତାହା କେବଳ କୌଣସି ଅଟ୍ଟାଳିକାର ଶିଳାନ୍ୟାସ ନୁହେଁ, ଏହା କେବଳ କୌଣସି କଲେଜର, କୌଣସି ମହାବିଦ୍ୟାଳୟର, କୌଣସି ପ୍ରତିଷ୍ଠାନର ଶିଳାନ୍ୟାସ ନୁହେଁ । ଏହାର ମୋର ଏଠାକାର ଯୁବକମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ଶିଳାନ୍ୟାସ ଅଟେ । ଉଚ୍ଚ ଶିକ୍ଷା ପାଇଁ ଏବେ ଏଠାରେ ଉଚିତ୍ ବ୍ୟବସ୍ଥା ହେବା ଦ୍ୱାରା ଗରିବରୁ ଅତି ଗରିବ ପରିବାର ମଧ୍ୟ ନିଜର ପିଲାକୁ ଉତମ ଶିକ୍ଷା ଦେଇପାରିବେ । ଏଥି ସହ କୃଷକ ଏବଂ ପ୍ରାଣୀପାଳକମାନଙ୍କ ପାଇଁ ମଧ୍ୟ ଏହି ପ୍ରତିଷ୍ଠାନଗୁଡିକରେ ଉନ୍ନତ ସୁବିଧାମାନ ଉପଲବ୍ଧ ହୋଇପାରିବ । ଏହି ପ୍ରକଳ୍ପଗୁଡିକ ବ୍ୟତୀତ ରାଜିନାମାର ଯାହାସବୁ ଅନ୍ୟାନ୍ୟ ଦିଗ ରହିଛି ଆସାମ ସରକାର ସେସବୁ ଉପରେ ମଧ୍ୟ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି । ଅସ୍ତ୍ର ତ୍ୟାଗ କରି ଯେଉଁ ସାଥୀ ରାଷ୍ଟ୍ର ନିର୍ମାଣ ପାଇଁ ଫେରିଛନ୍ତି, ସେମାନଙ୍କ ପୁନର୍ବାସ ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ ଜାରି ରହିଛି ।
ଭାଇ ଓ ଭଉଣୀମାନେ,
ଆଜାଦୀର ଅମୃତ ମହୋତ୍ସବରେ ଦେଶ ଯେଉଁ ସଙ୍କଳ୍ପ ନେଇଛି, ସେଥିରେ ଏକ ମହତ୍ୱପୂର୍ଣ୍ଣ ସଙ୍କଳ୍ପ ରହିଛି - ଅମୃତ ସରୋବର ନିର୍ମାଣ ସହ ଜଡିତ । ପ୍ରତି ଜିଲ୍ଲାରେ ଅତି କମରେ ୭୫ ଅମୃତ ସରୋବର ନିର୍ମାଣର ଲକ୍ଷ୍ୟ, ଏତେ ବଡ ଲକ୍ଷ୍ୟ ନେଇ ଦେଶ ଆଜି ଆଗକୁ ବଢୁଛି । କିଛି ଦିନ ପୂର୍ବରୁ ହିଁ ଜମ୍ମୁ କାଶ୍ମୀରରୁ ମୁଁ ଏହାର ଶୁଭାରମ୍ଭ କରିଥିଲି । ମୁଁ ଆନନ୍ଦିତ ଯେ ଆଜି ଆସାମରେ ମଧ୍ୟ ୨୬୦୦ରୁ ଅଧିକ ଅମୃତ ସରୋବର ଖନନ କାମ ଆରମ୍ଭ ହେଉଛି । ଏହି ସରୋବରର ନିର୍ମାଣ ସମ୍ପୁର୍ଣ୍ଣ ଭାବରେ ଜନ ଭାଗିଦାରୀ ଆଧାରିତ ଅଟେ । ଏଭଳି ସରୋବରଗୁଡିକର ତ ଜନଜାତି ସମାଜରେ ଏକ ସମୃଦ୍ଧ ପରମ୍ପରା ମଧ୍ୟ ରହିଛି । ଏହାଦ୍ୱାରା ଗାଁଗୁଡିକରେ ଜଳର ଭଣ୍ଡାର ତ ତିଆରି ହେବ ଏଥି ସହ ରୋଜଗାର ମଧ୍ୟ ବଢିବ । ଆସାମରେ ମାଛ ତ ଭୋଜନ ଏବଂ ଜୀବିକାର ଏକ ପ୍ରମୁଖ ମାଧ୍ୟମ ଅଟେ । ଏହି ଅମୃତ ସରୋବରରେ ମତ୍ସ୍ୟପାଳନକୁ ମଧ୍ୟ ବେଶ ଲାଭ ମିଳିବାର ଅଛି ।
ଭାଇ ଓ ଭଉଣୀମାନେ,
ଆପଣମାନେ ସମସ୍ତେ ବିଗତ ଦଶନ୍ଧିରେ ଏକ ଦୀର୍ଘ କାଳ ବହୁତ କଷ୍ଟରେ ବିତାଇଛନ୍ତି । କିନ୍ତୁ ୨୦୧୪ ପରେ ଉତର ପୂର୍ବରେ ଲଗାତାର ଭାବେ ଅସୁବିଧା ହ୍ରାସ ପାଇ ଚାଲିଛି, ଜନସାଧାରଣଙ୍କର ବିକାଶ ହେଉଛି । ଆଜି ଯେତେବେଳେ କେହି ଆସାମର ଜନଜାତି କ୍ଷେତ୍ରକୁ ଆସିଥାଏ, ଉତର ପୂର୍ବର ଅନ୍ୟାନ୍ୟ ରାଜ୍ୟକୁ ଯାଇଥାଏ, ସେତେବେଳେ ପରିସ୍ଥିତିକୁ ବଦଳୁଥିବାର ଦେଖି ତାକୁ ମଧ୍ୟ ଖୁସି ଲାଗିଥାଏ । କାର୍ବି ଆଙ୍ଗଲୋଙ୍ଗ ହେଉ ଅଥବା ଅନ୍ୟାନ୍ୟ ଜନଜାତୀୟ କ୍ଷେତ୍ର, ଆମେ ବିକାଶ ଏବଂ ବିଶ୍ୱାସର ନୀତି ଉପରେ ହିଁ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
ଆପଣମାନେ ଭଲଭାବରେ ଜାଣିଛନ୍ତି ଯେ ମୁଁ ଆପଣମାନଙ୍କ ସମସ୍ୟାଗୁଡିକୁ, ଏହି ଅଂଚଳଗୁଡିକର ଅସୁବିଧାଗୁଡିକୁ ଆପଣମାନଙ୍କର ହିଁ ପରିବାର ସଦସ୍ୟ ଭାବରେ, ଆପଣମାନଙ୍କର ହିଁ ଜଣେ ଭାଇ ଭଳି, ଆପଣମାନଙ୍କର ହିଁ ଜଣେ ପୁଅ ଭଳି, ମୁଁ ପ୍ରତି ଅସୁବିଧାକୁ ବୁଝିବାର ପ୍ରୟାସ କରିଛି ଏବଂ ଆପଣମାନେ ମତେ ବୁଦ୍ଧିରୁ କମ୍ ହୃଦୟରୁ ଅଧିକ ବୁଝାଇଛନ୍ତି । ଆପଣମାନେ ପ୍ରତିଥର ମୋ ମନକୁ କିଣି ନେଇଛନ୍ତି । ମୋର ହୃଦୟକୁ ଜିତି ନେଇଛନ୍ତି । ଯେତେବେଳେ ପରିବାରର ସଦସ୍ୟ ଭାବରେ ଆମେ ସମସ୍ତେ ଏକ ପରିବାର ଭଳି ସମାଧାନ ଖୋଜି ଥାଆନ୍ତି, ସେତେବେଳେ ସେଥିରେ ଏକ ସମ୍ବେଦନଶୀଳତା ରହିଥାଏ, ଦୁଃଖ ଓ ଯନ୍ତ୍ରଣାର ଅନୁଭବ ହୋଇଥାଏ, ମୁଁ ଆପଣଙ୍କ ସ୍ୱପ୍ନକୁ ବୁଝିପାରିଥାଏ, ଆପଣଙ୍କ ସଙ୍କଳ୍ପକୁ ବୁଝିପାରିଥାଏ । ଆପଣମାନଙ୍କ ସଚ୍ଚୋଟ ଅଭିପ୍ରାୟର ସମ୍ମାନ କରିବା ପାଇଁ, ଜୀବନ ଲୁଟେଇଦେବା ପାଇଁ ମନ କରିଥାଏ ।
ବନ୍ଧୁଗଣ,
ପ୍ରତି ମନୁଷ୍ୟକୁ, ଆସାମର ଏହି ଦୁରଦୂରାନ୍ତ କ୍ଷେତ୍ରର ଲୋକମାନଙ୍କର ମଧ୍ୟ, ଜଙ୍ଗଲରେ ବିତାଉଥିବା ମୋର ଯୁବପିଢୀଙ୍କର ମଧ୍ୟ ଆଗକୁ ବଢିବାର ଇଚ୍ଛା ଥାଏ, ଅଭିଳାଷା ଥାଏ ଏବଂ ଏହି ଭାବନାକୁ ହୃଦବୋଧ କରି ଆପଣମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆପଣମାନଙ୍କ ସ୍ୱପ୍ନ ଆମ ସମସ୍ତଙ୍କ ସଙ୍କଳ୍ପ ପାଲଟିଯାଉ ଏବଂ ଆପଣମାନେ ଓ ଆମେ ମିଶି ପ୍ରତି ସଙ୍କଳ୍ପକୁ ସିଦ୍ଧ ସାବ୍ୟସ୍ତ କରୁ ଏହି କାମରେ ମୁଁ ମଧ୍ୟ ଲାଗିପଡିଛି, ଆପଣମାନେ ମଧ୍ୟ ଏକଜୁଟ ହୋଇଛନ୍ତି, ମିଳିମିଶି ଲାଗି ପଡିଛନ୍ତି ଏବଂ ଏହି ଏକଜୁଟତାର ବିଜୟ ମଧ୍ୟ ହେବାକୁ ଯାଉଛି ।
ଭାଇ ଓ ଭଉଣୀମାନେ,
ଆଜି ସମଗ୍ର ଦେଶ ଏକଥା ଦେଖୁଛି ଯେ ବିଗତ ବର୍ଷ ଗୁଡିକରେ ହିଂସା, ଅରାଜକତା ଏବଂ ଅବିଶ୍ୱାସର ଦଶନ୍ଧି ପୁରୁଣା ସମସ୍ୟାସବୁ, କିଭଳି ସେସବୁର ସମାଧାନ କରାଯାଉଛି, କିଭଳି ମାର୍ଗ ଅନ୍ୱେଷଣ କରାଯାଉଛି । କେବେ ଏହି କ୍ଷେତ୍ରର ଚର୍ଚ୍ଚା ହେଉଥିଲା ତ, ସେତେବେଳେ କେବେ ବୋମାର ଶଦ୍ଦ ଶୁଭୁଥିଲା, କେବେ ଗୁଳିର ଶଦ୍ଦ ଶୁଭୁଥିଲା । ଆଜି କରତାଳିର ଶଦ୍ଦ ଖେଳିଯାଉଛି । ଜୟ ଜୟକାର ହୋଇଚାଲିଛି । ଗତ ବର୍ଷ ସେପ୍ଟେମ୍ବରରେ କାର୍ବି ଆଙ୍ଗଲୋଙ୍ଗର ଅନେକ ସଙ୍ଗଠନ ଶାନ୍ତି ଓ ବିକାଶର ପଥରେ ଆଗକୁ ବଢିବାର ସଙ୍କଳ୍ପ ନେଇ ଏକଜୁଟ ହୋଇଯାଇଛନ୍ତି । ୨୦୨୦ରେ ବୋଡୋ ରାଜିନାମା ସ୍ଥାୟୀ ଶାନ୍ତିର ନୂଆ ଦ୍ୱାର ଉନ୍ମୁକ୍ତ କରିଦେଇଛି । ଆସାମ ବ୍ୟତୀତ ତ୍ରିପୁରାରେ ମଧ୍ୟ ଏନଏଲଏଫଟି ଶାନ୍ତିର ମାର୍ଗରେ ପାଦ ଆଗକୁ ବଢାଇଛି । ପ୍ରାୟ ଅଢେଇ ଦଶନ୍ଧି ଧରି ଯେଉଁ ବ୍ରୁ-ରିଆଙ୍ଗ ସହ ଜଡିତ ସମସ୍ୟା ଲାଗି ରହିଥିଲା, ତାର ମଧ୍ୟ ସମାଧାନ କରାଗଲା । ଅନ୍ୟାନ୍ୟ ଇଲାକାରେ ମଧ୍ୟ ସ୍ଥାୟୀ ଶାନ୍ତି ପାଇଁ ଆମର ପ୍ରୟାସ ନିରନ୍ତର ଭାବେ ଚାଲିଛି, ଗମ୍ଭୀରତାର ସହ ଚାଲିଛି ।
ବନ୍ଧୁଗଣ,
ହିଂସା ଦ୍ୱାରା, ଅଶାନ୍ତି ଦ୍ୱାରା ଯେଉଁମାନେ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇ ଆସିଛନ୍ତି, ଯେଉଁମାନଙ୍କୁ ସବୁଠାରୁ ଅଧିକ ଦୁଃଖ ସହିବାକୁ ପଡିଛି, ଯେଉଁମାନଙ୍କର ଲୁହର ଧାର କେବେ ବି ଶୁଖି ନାହିଁ, ସେମାନେ ସବୁ ହେଉଛନ୍ତି ଆମମାନଙ୍କର ମାଆ, ଆମମାନଙ୍କର ଭଉଣୀ ଏବଂ ଆମମାନଙ୍କର ପିଲା । ଆଜି ମୁଁ ଯେତେବେଳେ ଅସ୍ତ୍ର ପରିତ୍ୟାଗ କରି ଜଙ୍ଗଲରୁ ଫେରିଥିବା ଯୁବକମାନଙ୍କୁ ନିଜର ପରିବାର ସହିତ ପରିବାର ନିକଟକୁ ଫେରୁଥିବାର ଦେଖୁଛି ଏବଂ ମୁଁ ଯେତେବେଳେ ସେହି ମାଆମାନଙ୍କର ଆଖିକୁ ଦେଖୁଛି, ସେହି ମାଆମାନଙ୍କର ଆଖିରେ ଯେଉଁ ଆନନ୍ଦର ଅନୁଭବ ମୁଁ ଦେଖିପାରୁଛି, ସେତେବେଳେ ମୋ ଆଖିରୁ ଖୁସିର ଲୁହ ବହି ଯାଉଛି । ଯେତେବେଳେ ମାଆର ଜୀବନକୁ ଏକ ସାନ୍ତ୍ୱନା ମିଳିଥାଏ, ସନ୍ତୋଷ ମିଳିଥାଏ ସେତେବେଳେ ମୁଁ ଆଶୀର୍ବାଦକୁ ଅନୁଭବ କରିଥାଏ । ଆଜି ଏଠାରେ ମଧ୍ୟ ଏତେ ବଡ ସଂଖ୍ୟାରେ ମାଆ ଭଉଣୀମାନେ ଆସିଛନ୍ତି, ଏହି ମାଆ ଭଉଣୀମାନଙ୍କର ଏଠାକୁ ଆସିବା, ଆଶୀର୍ବାଦ ଦେବା, ଏହା ମଧ୍ୟ ଶାନ୍ତିର ପ୍ରୟାସକୁ ନୂତନ ଶକ୍ତି ପ୍ରଦାନ କରୁଛି, ନୂଆ ଉର୍ଜା ଦେଉଛି । ଏହି କ୍ଷେତ୍ରର ଲୋକମାନଙ୍କ ଜୀବନ, ଏଠାକାର ସନ୍ତାନ ସନ୍ତତିମାନଙ୍କ ଜୀବନ ଅଧିକ ଉତମ ହେଉ, ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଞ୍ଜିନ ସରକାର ସମ୍ପୁର୍ଣ୍ଣ ଶକ୍ତିର ସହ କାର୍ଯ୍ୟ କରୁଛନ୍ତି । ସମର୍ପଣ ଭାବନା ସହ କାର୍ଯ୍ୟ କରୁଛନ୍ତି, ସେବା ମନୋଭାବ ସହ କାର୍ଯ୍ୟ କରୁଛନ୍ତି ।
ଭାଇ ଓ ଭଉଣୀମାନେ,
ଆସାମରେ, ଉତର ପୂର୍ବରେ, ସରକାର ଏବଂ ସମାଜର ସାମୁହିକ ପ୍ରୟାସ ଦ୍ୱାରା ଯେପରି ଯେପରି ଶାନ୍ତି ଫେରିଚାଲିଛି, ସେତିକି ସେତିକି ସେତିକି ପୁରୁଣା ନିୟମରେ ମଧ୍ୟ ପରିବର୍ତନ କରାଯାଉଛି । ଦୀର୍ଘ ସମୟ ଧରି ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ୍ (ଏଏଫଏସପିଏ)ଉତର ପୂର୍ବର ଅନେକ ରାଜ୍ୟରେ ବଳବତର ଥିଲା । କିନ୍ତୁ ୮ ବର୍ଷ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ଉତମ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଆମେ ଏଏଫଏସପିଏକୁ ଉତର ପୂର୍ବର ଅନେକ ଇଲାକାରୁ ହଟାଇ ଦେଇଛୁ । ଗତ ୮ ବର୍ଷ ମଧ୍ୟରେ ଉତର ପୂର୍ବରେ ହିଂସା ଘଟଣା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ହିଁ ପ୍ରଥମେ ତ୍ରିପୁରା ଏବଂ ପରେ ମେଘାଳୟରୁ ଏଏଫଏସପିଏକୁ ଉଠାଇ ଦିଆଗଲା । ଆସାମରେ ତ ଏହା ତିନି ଦଶନ୍ଧିରୁ ଲାଗୁ ରହିଥିଲା । ସ୍ଥିତିରେ ଉନ୍ନତି ନ ହେବାରୁ ପୂର୍ବର ସରକାରମାନେ ଏହାକୁ ବାରମ୍ବାର ଲାଗୁ କରି ଚାଲିଲେ । କିନ୍ତୁ ବିଗତ ବର୍ଷ ଗୁଡିକରେ ପରିସ୍ଥିତିକୁ ଏଭଳି ଭାବେ ନିୟନ୍ତ୍ରିତ କରାଗଲା ଯେ ଆଜି ଆସାମର ୨୩ଟି ଜିଲ୍ଲାରୁ ଏଏଫଏସପିଏକୁ ଉଠାଇ ଦିଆଯାଇଛି । ଅନ୍ୟାନ୍ୟ ଇଲାକାରେ ମଧ୍ୟ ଆମେ ଦୃତ ଗତିରେ ପରିସ୍ଥିତିକୁ ସ୍ୱାଭାବିକ କରିବାର ପ୍ରୟାସ କରିଚାଲିଛୁ, ଯାହା ଫଳରେ ସେଠାରୁ ମଧ୍ୟ ଏଏଫଏସପିଏକୁ ହଟାଇ ଦିଆଯାଇ ପାରିବ । ନାଗାଲାଣ୍ଡ ଏବଂ ମଣିପୁରରେ ମଧ୍ୟ ଏହି ଦିଗରେ ବେଶ ଦୃତ ଗତିରେ କାର୍ଯ୍ୟ ଚାଲିଛି ।
ବନ୍ଧୁଗଣ,
ଉତର ପୂର୍ବର ରାଜ୍ୟଗୁଡିକର ଆଭ୍ୟନ୍ତରୀଣ ସମସ୍ୟାସବୁର ସମାଧାନ ତ ହୋଇ ଚାଲିଛି, ରାଜ୍ୟଗୁଡିକ ମଧ୍ୟରେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ଯେଉଁ ସୀମା ବିବାଦ ଥିଲା, ସେସବୁର ମଧ୍ୟ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାଧାନ କରାଯାଉଛି । ମୁଁ ହିମନ୍ତ ଜୀ ଏବଂ ଉତର ପୂର୍ବର ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଆଜି ବିଶେଷ ଭାବେ ଅଭିନନ୍ଦନ ଜଣାଇବି ଯେ ସେମାନଙ୍କର ପ୍ରୟାସ ଦ୍ୱାରା ଉତର ପୂର୍ବ ଏବେ ଦେଶର ଏକ ସଶକ୍ତ ଆର୍ଥିକ କେନ୍ଦ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି । ସବକା ସାଥ, ସବକା ବିକାଶର ଭାବନା ସହିତ ଆଜି ସୀମା ସହ ସଂଶ୍ଳିଷ୍ଟ ମାମଲାଗୁଡିକର ସମାଧାନ ଖୋଜା ଚାଲିଛି । ଆସାମ ଏବଂ ମେଘାଳୟ ମଧ୍ୟରେ ହୋଇଥିବା ସହମତି ଅନ୍ୟାନ୍ୟ ମାମଲାଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏହି ସମଗ୍ର କ୍ଷେତ୍ରର ବିକାଶର ଆକାଂକ୍ଷାଗୁଡିକୁ ମଧ୍ୟ ଶକ୍ତି ମିଳିବ ।
ଭାଇ ଓ ଭଉଣୀମାନେ,
ବୋଡୋ ଚୁକ୍ତି ହେଉ ଅବା ପୁଣି କାର୍ବି ଆଙ୍ଗଲୋଙ୍ଗର ରାଜିନାମା, ସ୍ଥାନୀୟ ସ୍ୱାୟତ ଶାସନ ଏହା ଉପରେ ଆମେ ବହୁତ ଜୋର ଦେଇଛୁ । କେନ୍ଦ୍ର ସରକାରଙ୍କ ଗତ ୭-୮ ବର୍ଷ ଧରି ଏହା ନିରନ୍ତର ପ୍ରୟାସ ରହିଛି ଯେ ସ୍ଥାନୀୟ ଶାସନର ସଂସ୍ଥାଗୁଡିକୁ ସଶକ୍ତ କରାଯାଉ, ସେସବୁକୁ ଅଧିକ ପାରଦର୍ଶୀ କରାଯାଉ । କାର୍ବି ଆଙ୍ଗଲୋକ ସ୍ୱୟଂଶାସିତ ପରିଷଦ ହେଉ ଅବା ପୁଣି ଅନ୍ୟ ସ୍ଥାନୀୟ ପ୍ରତିଷ୍ଠାନ, ଏସବୁ ଉପରେ ବହୁତ ବଡ ଦାୟିତ୍ୱ ରହିଛି । କେନ୍ଦ୍ର ଏବଂ ରାଜ୍ୟର ଯୋଜନାଗୁଡିକୁ ଦୃତ ଗତିରେ ଗାଁ ଗାଁରେ ପହଂଚାଇବାର ବହୁତ ବଡ ଦାୟିତ୍ୱ ମଧ୍ୟ ଏହି ପ୍ରତିଷ୍ଠାନଗୁଡିକର ସହଯୋଗରେ ହିଁ ପୂରଣ ହେବ । ଜନ ସୁବିଧା, ଜନ କଲ୍ୟାଣ ଏବଂ ଜନ ଭାଗିଦାରୀ, ଏହା ଆମ ସମସ୍ତଙ୍କର ପ୍ରାଥମିକତା ଅଟେ ।
ଭାଇ ଓ ଭଉଣୀମାନେ,
ରାଷ୍ଟ୍ରର ବିକାଶ ପାଇଁ ରାଜ୍ୟର ବିକାଶ ଏବଂ ରାଜ୍ୟର ବିକାଶ ପାଇଁ ଗାଁର ବିକାଶ, ନଗରଗୁଡିକର ବିକାଶ ଏହା ବହୁତ ଆବଶ୍ୟକ ଅଟେ । ଗାଁର ବାସ୍ତବ ବିକାଶ ସେତିକିବେଳେ ସମ୍ଭବ ହୁଏ, ଯେତେବେଳେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ, ସ୍ଥାନୀୟ ପରିସ୍ଥିତି ଆଧାରରେ ବିକାଶ ଯୋଜନାଗୁଡିକ ପ୍ରସ୍ତୁତ ହୁଏ ଏବଂ ସେସବୁର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ କରାଯାଏ । ଏଥିପାଇଁ ବିଗତ ବର୍ଷଗୁଡିକରେ କେନ୍ଦ୍ରର ଯୋଜନାଗୁଡିକରେ ଆମେ ସ୍ଥାନୀୟ ଆବଶ୍ୟକତାଗୁଡିକ ଉପରେ ବହୁତ ଧ୍ୟାନ ରଖିଛୁ । ଏବେ ଯେମିତି କି ଗରିବମାନଙ୍କର ଆବାସ ସହ ଜଡିତ ଯୋଜନା ହେଉ, ଯାହା ପୂର୍ବରୁ ଚାଲୁଥିଲା, ତାର ନକ୍ସାଠାରୁ ନେଇ ସରଞ୍ଜାମ ପର୍ଯ୍ୟନ୍ତ ସବୁକିଛି ଦିଲ୍ଲୀରେ ସ୍ଥିର ହେଉଥିଲା । ଯେତେବେଳେ କି କାର୍ବି ଆଙ୍ଗଲୋଙ୍ଗ ଭଳି ଆଦିବାସୀ କ୍ଷେତ୍ରଗୁଡିକର ପରମ୍ପରା ଭିନ୍ନ ଅଟେ, ଗୃହ ନିର୍ମାଣ ସହ ଜଡିତ ସଂସ୍କୃତି ଭିନ୍ନ ଅଟେ, ସରଞ୍ଜାମର ଉପଲବଧତା ଭିନ୍ନ ଅଟେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ ପରିବର୍ତନ ଏହା କରାଗଲା ଯେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପହଂଚିବ । ଏହାପରେ ସେହି ହିତାଧିକାରୀ, ନିଜ ପସନ୍ଦ ମୁତାବକ, ନିଜର ଇଚ୍ଛା ଅନୁଯାୟୀ ତା ନିଜର ଘର ତିଆରି କରିବ ଏବଂ ଗର୍ବର ସହିତ ସାରା ଦୁନିଆକୁ କହିବ ଯେ ଏହା ମୋ ଘର, ମୁଁ ତିଆରି କରିଛି । ମୋ ପାଇଁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହା କୌଣସି ସରକାରଙ୍କ କୃପାର କାର୍ଯ୍ୟକ୍ରମ ନୁହେଁ, ମୋ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବମାନଙ୍କର ସ୍ୱପ୍ନର ମହଲ ତିଆରି କରିବାର ସ୍ୱପ୍ନ ଅଟେ, ଗରିବର ଇଚ୍ଛା ଅନୁଯାୟୀ ଘର ତିଆରି କରିବାର ସ୍ୱପ୍ନ ଅଟେ । ଗାଁର ବିକାଶରେ ଗାଁର ଲୋକମାନଙ୍କ ଅଧିକରୁ ଅଧିକ ଭାଗିଦାରୀର ଏହି ଭାବନା ପ୍ରତି ଘରକୁ ଜଳ ଯୋଜନାରେ ମଧ୍ୟ ରହିଛି । ଘରକୁ ଘର ଯେଉଁ ପାଇପ ଯୋଗେ ପାନୀୟ ଜଳ ପହଂଚୁଛି, ତାକୁ ଗାଁର ଜଳ ସମିତି ହିଁ ପରିଚାଳନା କରୁ, ଏବଂ ସେସବୁ ସମିତିରେ ମଧ୍ୟ ଅଧିକରୁ ଅଧିକ ମାଆ ଓ ଭଉଣୀମାନେ ରୁହନ୍ତୁ କାରଣ ପାଣିର ମହତ୍ୱ କ’ଣ ତାହା ମାଆ ଓ ଭଉଣୀମାନେ ଯେତିକି ବୁଝିପାରନ୍ତି, ସେତିକି ପୁରୁଷମାନଙ୍କ ମୁଣ୍ଡକୁ ପଶେ ନାହିଁ । ଏବଂ ଏଥିପାଇଁ ଆମେ ମାଆ ଭଉଣୀମାନଙ୍କୁ କେନ୍ଦ୍ରରେ ରଖି ଜଳର ଯୋଜନାଗୁଡିକୁ ବଳ ଦେଇଛୁ । ମତେ କୁହାଯାଇଛି ଯେ ଏହି ଯୋଜନା ଆରମ୍ଭ ହେବା ପୂର୍ବ ପର୍ଯ୍ୟନ୍ତ ଯେଉଁଠି ଦୁଇ ପ୍ରତିଶତରୁ ମଧ୍ୟ କମ୍ ଗାଁର ଘରଗୁଡିକୁ ପାଇପ ଯୋଗେ ପାନୀୟ ଜଳ ପହଂଚୁଥିଲା ଏବେ ପ୍ରାୟ ୪୦ ପ୍ରତିଶତ ପରିବାର ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ପହଂଚି ସାରିଛି । ମୋର ବିଶ୍ୱାସ ଯେ ଖୁବ ଶୀଘ୍ର ହିଁ ଆସାମର ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ପହଂଚିଯିବ ।
ଭାଇ ଓ ଭଉଣୀମାନେ,
ଜନଜାତିୟ ସମାଜର ସଂସ୍କୃତି, ଏଠାକାର ଭାଷା, ଏଠାକାର ଖିଆ ପିଆ, ଏଠାକାର କଳା, ଏଠାକାର ହସ୍ତଶିଳ୍ପ, ଏସବୁ କେବଳ ଏଠାକାର ନୁହେଁ, ଏହା ମୋ ଭାରତର ଐତିହ୍ୟ ଅଟେ । ଆପଣଙ୍କର ଏହି ଐତିହ୍ୟ ପାଇଁ ପ୍ରତ୍ୟେକ ଭାରତବାସୀ ଗର୍ବ ଅନୁଭବ କରେ ଏବଂ ଆସାମର ପ୍ରତି ଜିଲ୍ଲା, ପ୍ରତି କ୍ଷେତ୍ର, ପ୍ରତି ଜନଜାତି ଏହି କ୍ଷେତ୍ରରେ ବେଶ ସମୃଦ୍ଧ ଅଟେ । ଏଠି ସାଂସ୍କୃତିକ ଐତିହ୍ୟ ଭାରତକୁ ଯୋଡିଥାଏ, ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଜବୁତ କରିଥାଏ । ଏଥିପାଇଁ କେନ୍ଦ୍ର ସରକାରଙ୍କର ଏହା ପ୍ରୟାସ ରହିଛି ଯେ ଆଦିବାସୀ କଳା ସଂସ୍କୃତି, ଚାରୁ ଓ କାରୁକଳାକୁ ସଂରକ୍ଷିତ କରାଯାଉ, ସେସବୁକୁ ଆଗାମୀ ପିଢୀ ପର୍ଯ୍ୟନ୍ତ ପହଂଚାଇବାର ବ୍ୟବସ୍ଥା ହେଉ, ଆଜି ସମଗ୍ର ଦେଶରେ ଯେଉଁ ଆଦିବାସୀ ସଂଗ୍ରହାଳୟ ସ୍ଥାପନା କରାଯାଉଛି, ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମରେ ଯେଉଁ ସଂଗ୍ରହାଳୟ ବିକଶିତ କରାଯାଉଛି, ତାହା ପଛରେ ଏହା ହିଁ ଭାବନା । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦିବାସୀ ପ୍ରତିଭାର, ଜନଜାତି ସମାଜରେ ଯେଉଁ ସ୍ଥାନୀୟ ଉତ୍ପାଦ ରହିଛି ତାହାର ମଧ୍ୟ ପ୍ରୋତ୍ସାହନ କରାଯାଉଛି । କାର୍ବି ଆଙ୍ଗଲୋଙ୍ଗ ସମେତ ସମଗ୍ର ଆସାମରେ ହସ୍ତତନ୍ତରେ ପ୍ରସ୍ତୁତ ସୂତା କପଡା, ବାଉଁଶ, କାଠ ଏବଂ ଧାତୁ ନିର୍ମିତ ବାସନକୁସନ, ଅନ୍ୟାନ୍ୟ କଳାକୃତିସବୁର ଅତି ଅଦ୍ଭୁତ ପରିପାଟୀ ରହିଛି । ଏହି ସ୍ଥାନୀୟ ଉତ୍ପାଦ ପାଇଁ ମୁଖର ହେବା ଅତ୍ୟନ୍ତ ଆବଶ୍ୟକ । ଏହିତ୍ତଉତ୍ପାଦ ଦେଶ ଏବଂ ବିଶ୍ୱର ବଜାର ପର୍ଯ୍ୟନ୍ତ ପହଂଚୁ, ପ୍ରତି ଘରେ ପହଂଚୁ, ଏଥିପାଇଁ ସରକାର ସମସ୍ତ ଆବଶ୍ୟକ ମଂଚ ପ୍ରସ୍ତୁତ କରୁଛନ୍ତି ଏବଂ ଦୂରଦୂରାନ୍ତ ଜଙ୍ଗଲରେ ରହୁଥିବା ମୋର ଭାଇଭଉଣୀ, କଳା ସହିତ ଜଡିତ ମୋର ଭାଇ ଭଉଣୀ, ହସ୍ତଶିଳ୍ପ ସହ ଜଡିତ ମୋ ଭାଇ ଭଉଣୀ, ମୁଁ ପ୍ରତି ସ୍ଥାନକୁ ଯାଇ ଆପଣମାନଙ୍କ କଥା ଉଲ୍ଲେଖ କରୁଛି । ଭୋକାଲ ଫର ଲୋକାର ସବୁ ସ୍ଥାନରେ କହି ଚାଲିଛି । କାରଣ ଆପଣମାନେ ଯାହା କରନ୍ତି, ସେସବୁକୁ ଭାରତର ସବୁ ଘରେ ସ୍ଥାନ ମିଳୁ, ବିଶ୍ୱରେ ତାର ସମ୍ମାନ ବଢୁ ।
ବନ୍ଧୁଗଣ,
ଆଜାଦୀର ଅମୃତ କାଳରେ କାର୍ବି ଆଙ୍ଗାଲୋଙ୍ଗ ମଧ୍ୟ ଶାନ୍ତି ଓ ବିକାଶର ନୂଆ ଭବିଷ୍ୟତ ଆଡକୁ ଆଗେଇ ଚାଲିଛି । ଏବେ ଏଠାରୁ ଆମେ ପଛକୁ ଫେରିବାର ନାହିଁ । ଆଗାମୀ କିଛି ବର୍ଷ ମଧ୍ୟରେ ଆମମାନଙ୍କୁ ଏକଜୁଟ ହୋଇ ସେହି ବିକାଶର ଭରଣା କରିବାର ଅଛି, ଯାହା ବିଗତ ଦଶନ୍ଧି ସବୁରେ ଆମେ କରି ପାରିନାହୁଁ । ଆସାମର ବିକାଶର ପ୍ରୟାସରେ, ମୁଁ ସମ୍ପୁର୍ଣ୍ଣ ରୂପେ ଆପଣଙ୍କ ସହିତ ଅଛି । ମୁଁ ପୁଣି ଥରେ ଧନ୍ୟବାଦ ଦେଉଛି ଏତେ ବଡ ସଂଖ୍ୟାରେ ଆପଣମାନେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ମୁଁ ପୁଣି ଥରେ ବିଶ୍ୱାସ ଦେଉଛି, ମୁଁ ଆଗରୁ ମଧ୍ୟ କହିଥିଲି ଆପଣମାନଙ୍କର ଏଇ ଯେଉଁ ସ୍ନେହ, ଏହି ଭଲପାଇବାକୁ ମୁଁ ସୁଧ ସମେତ ଫେରାଇବି । ବିକାଶ କରି ଫେରାଇବି, ମୋର ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
କାରଡୋମ! ଧନ୍ୟବାଦ!
ଭାରତ ମାତା କି – ଜୟ
ଭାରତ ମାତା କି – ଜୟ
ଭାରତ ମାତା କି – ଜୟ
ବହୁତ ବହୁତ ଧନ୍ୟବାଦ! କାରଡୋମ!
(रिलीज़ आईडी: 1821187)
आगंतुक पटल : 134
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam