କ୍ୟାବିନେଟ

 ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରିବାକୁ କ୍ୟାବିନେଟ୍‌ର ଅନୁମୋଦନ


ଏହାଫଳରେ ସମ୍ପୃକ୍ତ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ

ଏହି ନିଷ୍ପତ୍ତି ଘରୋଇ ବିନିର୍ମାଣ (ମାନୁଫ୍ୟାକଚରିଂ)କୁ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବ

ଏହି କାର୍ଯ୍ୟ ପାଇଁ ମୋଟ ୨୪୨୬.୩୯କୋଟି ଟଙ୍କା ଖର୍ଚ୍ଚ ହେବ

Posted On: 27 APR 2022 4:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସ୍‌ଓଏଫ୍‌) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ତଦନୁସାରେ ଦେଶରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ । ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ୍‌ଗୁଡିକୁ ୪ଜିରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏସବୁ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨୩୪,୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଖର୍ଚ୍ଚ ମଧ୍ୟରେ ଟିକସ ଓ ଉପକର ଅନ୍ତର୍ଭୁକ୍ତ ନୁହେଁ । ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଂଚବର୍ଷ ଯାଏ କରିବାକୁ ପଡିବ । ତେବେ ଏହି ପାଂଚବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍‌ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍‌ଏନ୍‌ଏଲ ନିଜ ଖର୍ଚ୍ଚରେ କରିବ । ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍‌ଏନ୍‌ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍‌ଏନ୍‌ଏଲ୍‌କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନ୍‌ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍‌ଏନ୍‌ଏଲ ଏହି ସାଇଟ୍‌ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ । ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ । କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା  ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ -ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ ।

ଏ ସମ୍ମାନଜନକ ପ୍ରକଳ୍ପ ପାଇଁ ସରକାର ବିଏସ୍‌ଏନ୍‌ଏଲ୍‌କୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ । ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ । ଆଧୁନିକୀକରଣ କାର୍ଯ୍ୟରେ ଦେଶୀ ୪ଜି ଉତ୍ପାଦ ଓ ଉପକରଣ ବ୍ୟବହାର କରାଯିବ ।

ଏହି ଉନ୍ନୟନ ଓ ପରିବର୍ତ୍ତନ ପ୍ରକ୍ରିୟା ଫଳରେ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ । ଏହା ଫଳରେ ସେ ଅଞ୍ଚଳରେ ମୁତୟନ ହେଉଥିବା ନିରାପତା କର୍ମଚାରୀଙ୍କ ଯୋଗାଯୋଗ ଆବଶ୍ୟକତା ପୂରଣ ହେବ । ଏହାଛଡା ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ ।

୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

 

****

TKM/SLP



(Release ID: 1820719) Visitor Counter : 178