ପୋଷ୍ଟ କରାଯିବା ଦିନାଙ୍କ:
29 MAR 2022 10:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଶ୍ରୀଧାମ ଠାକୁରନଗର ଠାକୁରବାଡ଼ିଠାରେ (୨୯.୩.୨୨) ଦିନ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ୨୧୧ତମ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ମତୁଆ ଧର୍ମମେଳାକୁ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ସମ୍ବୋଧନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କିପରି ମାର୍ଚ୍ଚ ୨୦୨୧ରେ ବଙ୍ଗଳା ଦେଶର ଓରାକାଣ୍ଡୀ ଠାକୁରବାଡ଼ି ଓ ୨୦୧୯ ଫେବୃଆରୀରେ ଠାକୁରନଗର ପରିଦର୍ଶନ କରି ତାଙ୍କର ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ ତାର ସ୍ମରଣ କରିଥିଲେ । ମତୁଆ ଧର୍ମମେଳାର ଗୁରୁତ୍ୱ ଉପରେ ଆଲୋକପାତ କରି କିପରି ମତୁଆ ପରମ୍ପରା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ପରେ ଗୁରୁଚାନ୍ଦ ଠାକୁରଜୀ ଓ ବୋରୋ ମା ଏହାକୁ ଆଗକୁ ନେଇଥିଲେ ସେ ବର୍ଣ୍ଣନା କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ମନ୍ତ୍ରୀମଣ୍ଡଳ ସହଯୋଗୀ ଶ୍ରୀ ଶାନ୍ତନୁ ଠାକୁର ଏହି ମହାନ ପରମ୍ପରାକୁ ଆଗେଇ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତାହାର ଅବତାରଣା କରିଥିଲେ ।
ମହାମେଳା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିଫଳନ ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ସଂସ୍କୃତି ଓ ସଭ୍ୟତା ଏହାର ନିରବିଚ୍ଛିନ୍ନ ପ୍ରବାହ ଯୋଗୁଁ ମହାନ ହୋଇରହିଛି । ଏହାର ଆତ୍ମ ଜାଗରଣ ଏକ ପ୍ରାକୃତିକ ପ୍ରକ୍ରିୟା । ମତୁଆ ଗୋଷ୍ଠୀର ସମାଜ ସେବା ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ପାଇଁ ନବଭାରତର ଉଦ୍ୟମ, ଦେଶର ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ଆତ୍ମବିଶ୍ୱାସ ଉପରେ କହିଥିଲେ । ଯେତେବେଳେ ଆମେ ଦେଖୁ ଯେ, ସମାଜର ପ୍ରତ୍ୟେକ ସ୍ତରରେ ଆମର ପୁଅ, ଝିଅ ଓ ଭଉଣୀମାନେ ଦେଶ ଗଠନରେ ଯୋଗଦାନ ଦେଉଛନ୍ତି, ଲାଗେ ଯେ ଏହା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ଭିତ୍ତିକରି ସରକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖକୁ ନିଅନ୍ତି ଓ ସବକା ପ୍ରୟାସ ଦେଶକୁ ବିକାଶ ପଥରେ ଆଗେଇ ନିଏ, ସେତେବେଳେ ଆମେ ଏକ ସାମୂହିକ ସମାଜ ଗଠନ ଦିଗରେ ଆଗେଇ ଚାଲୁ । ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଜୀଙ୍କ ବିଭୁପ୍ରେମ ସହ କର୍ତ୍ତବ୍ୟବୋଧର ସ୍ମରଣ କରି ପ୍ରଧାନମନ୍ତ୍ରୀ ସାଧାରଣ ଜୀବନରେ କର୍ତ୍ତବ୍ୟର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆମକୁ କର୍ତ୍ତବ୍ୟବୋଧକୁ ଦେଶର ବିକାଶର ମୌଳିକ ପଦକ୍ଷେପ ଭାବେ ନେବାକୁ ପଡିବ । ଆମର ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଛି । ଆମେ ନିଷ୍ଠାପର ଭାବେ ଆମର କର୍ତ୍ତବ୍ୟ ସମ୍ପାଦନ କଲେ ସେହି ଅଧିକାରଗୁଡିକର ସୁରକ୍ଷା କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମତୁଆ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ । ଯେ କୌଣସି ସ୍ଥାନରେ କେହି ନା କେହି ହଇରାଣ ହେଉଥିବା ଦେଖିଲେ ଏହା ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କର । ଏହା ଆମର ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ରାଜନୀତିକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରିବା ଆମର ଗଣତାନ୍ତ୍ରିକ ଅଧିକାର । ମାତ୍ର ରାଜନୀତିକ ବିରୋଧାଭାଷ ଯୋଗୁଁ ଯଦି କେହି କାହାରିକୁ ହିଂସା ଦ୍ୱାରା ଭୟଭୀତ କରାଏ, ତେବେ ଏହା ଆମର ଅଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ସେହି ଦୃଷ୍ଟିରୁ ଏହା ଆମର କର୍ତ୍ତବ୍ୟ ଯେ ଯଦି ହିଂସାତ୍ମକ ଭାବନା ଓ ଅରାଜକତା ସମାଜର ଯେ କୌଣସି ସ୍ଥାନରେ ଦେଖାଦିଏ ଆମକୁ ଏହାର ବିରୋଧ କରିବାକୁ ହେବ ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଭୋକାଲ ଫର ଲୋକାଲ ଓ ଦେଶ ପ୍ରଥମ ମନ୍ତ୍ର ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
SM/DD