ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଫଗାନିସ୍ଥାନର ହିନ୍ଦୁ ଓ ଶିଖ ପ୍ରତିନିଧିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ଦୁର୍ଦ୍ଦଶା ସମୟରେ ସାହାଯ୍ୟ କରିବା ଏବଂ ନିରାପଦରେ ସେମାନଙ୍କୁ ଆଫଗାନିସ୍ଥାନରୁ ଭାରତ ଆଣିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତିନିଧିମଣ୍ଡଳର ସଦସ୍ୟ

ଆପଣମାନେ ଅତିଥି ନୁହଁନ୍ତି; ନିଜ ଘରେ ଅଛନ୍ତି, ଭାରତ ଆପଣମାନଙ୍କର ଘର : ପ୍ରଧାନମନ୍ତ୍ରୀ

ସିଏଏ ପାଇଁ ପ୍ରତିନିଧି ଦଳର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ;

କହିଲେ ମୋଦୀ ବିଶ୍ୱର ପ୍ରଧାନମନ୍ତ୍ରୀ

ସ୍ୱତନ୍ତ୍ର ବ୍ୟବସ୍ଥାରେ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ସହିତ ଗୁରୁ ଗ୍ରନ୍ଥ ସାହେବର ସ୍ୱରୂପକୁ ଆଫଗାନିସ୍ଥାନରୁ ଭାରତ ଆଣିବା କଥା ମୋଦୀ ଯେତେବେଳେ ଉଲ୍ଲେଖ କଲେ ତାହାଶୁଣି ସେମାନଙ୍କ ଆଖିରେ ଲୁହ ଆସିଗଲା ବୋଲି କହିଲେ ପ୍ରତିନିଧି ଦଳର ସଦସ୍ୟ

ଭବିଷ୍ୟତରେ ସମ୍ପୃକ୍ତ ସମୁଦାୟକୁ ନିରନ୍ତର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇ ସେମାନଙ୍କର ସବୁ ଅସୁବିଧାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ

Posted On: 19 FEB 2022 2:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସ୍ଥାନୀୟ ୭-ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ଆଫଗାନିସ୍ଥାନରୁ ଆସିଥିବା ହିନ୍ଦୁ-ଶିଖ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଭେଟିଥିଲେ । ଆଫଗାନିସ୍ଥାନରୁ ହିନ୍ଦୁ ଓ ଶିଖଙ୍କୁ ନିରାପଦରେ ଭାରତକୁ ଆଣିଥିବାରୁ ପ୍ରତିନିଧିଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମ୍ମାନୀତ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହିତ ସେମାନେ ଭାରତର ଅତିଥି ନୁହଁନ୍ତି; ବରଂ ନିଜ ଘରକୁ ଆସିଛନ୍ତି  ବୋଲି କହିଥିଲେ । ଭଭାରତ ସେମାନଙ୍କର ଘର ଏବଂ ସେହି ବିଚାରରେ ଏଠାରେ ରହିବାକୁ  ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିନିଧିମାନେ ଆଫଗାନିସ୍ଥାନରେ ସମ୍ମୁଖୀନ ହୋଇଥିବା ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ସେମାନଙ୍କୁ ନିରାପଦରେ ଭାରତ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଆଫଗାନିସ୍ଥାନର ଅନୁଭୂତି ଶୁଣିଥିଲେ ଏବଂ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ର ଗୁରୁତ୍ୱ ବୁଝାଇଥିଲେ । ଏହି ଆଇନର ଲାଭ ସମ୍ପୃକ୍ତ ସମ୍ପ୍ରଦାୟଙ୍କୁ ମିଳିଛି ବୋଲି ସେ କହିଥିଲେ । ଭାରତ ଆସିଥିବା ଆଫଗାନ ହିନ୍ଦୁ ଓ ଶିଖ ନାଗରିକଙ୍କ ଅଭାବ ଅସୁବିଧା ଦୂର କରାଯିବ ତଥା ଭବିଷ୍ୟତରେ ସରକାର ସବୁପ୍ରକାର ସହାୟତା ଯୋଗାଣ ଅବ୍ୟାହତ ରହିବା ଘେନି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ଗୁରୁ ଗ୍ରନ୍ଥ ସାହେବଙ୍କୁ  ସମ୍ମାନ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ପରମ୍ପରା ସମ୍ପର୍କରେ କହିଥିଲେ । ଆଫଗାନିସ୍ଥାନରୁ ଗୁରୁ ଗ୍ରନ୍ଥ ସାହେବଙ୍କ ସ୍ୱରୂପକୁ ସମ୍ମାନର ସହିତ ସ୍ୱତନ୍ତ୍ର ବ୍ୟବସ୍ଥାରେ କିପରି ଭାରତ ଅଣାଗଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି କଥାବାର୍ତ୍ତା ସମୟରେ ଆଫଗାନିସ୍ଥାନରୁ ସେ ପାଇଥିବା ବିପୁଳ ସ୍ନେହଶ୍ରଦ୍ଧା କଥା ଉଲ୍ଲେଖ କରି ବେଶ୍ ଖୁସିର ସହିତ ତାଙ୍କ କାବୁଲଗସ୍ତ କଥା ମନେ ପକାଇଥିଲେ ।

ଆଫଗାନିସ୍ଥାନରୁ ହିନ୍ଦୁ-ଶିଖ୍ ସମୁଦାୟଙ୍କୁ ନିରାପଦରେ ଭାରତ ଆଣିବା ପାଇଁ ପଦକ୍ଷେପ ଗ୍ରହଣ ଓ ସହାୟତା ଯୋଗାଣ ନିମନ୍ତେ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ମନଜିନ୍ଦର ସିଂହ ସିର୍ସା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ କେହି ଠିଆ ହୋଇ ନ ଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିରନ୍ତର ସମର୍ଥନ ଓ ସମୟୋଚିତ ସହାୟତା ଯୋଗାଇଥିଲେ । ଦୁର୍ଦ୍ଦଶାକାଳରେ ସେମାନଙ୍କ ସହାୟତା ଓ ସହାନୁଭୂତିର ହାତ ବଢାଇ ନେଇ ଶ୍ରୀ ମୋଦୀ ଠିଆ ହୋଇଥିବାରୁ ସେଥିପାଇଁ ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ ଆଫଗାନିସ୍ଥାନରୁ ଗୁରୁ ଗ୍ରନ୍ଥ ସାହେବଙ୍କ ସ୍ୱରୂପକୁ ସସମ୍ମାନେ ଭାରତ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଣିବା ପରେ ସେମାନଙ୍କ ଆଖିରେ ଲୁହ ଆସି ଯାଇଥିଲା । ଭାରତରେ ସିଏଏ ଲାଗୁ ହୋଇଥିବାରୁ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହା ସେମାନଙ୍କ ସମୁଦାୟର ଅଶେଷ ଉପକାର କରିବ ବୋଲି ପ୍ରତିନିଧିମଣ୍ଡଳର ସଦସ୍ୟମାନେ କହିଥିଲେ । ସେମାନେ ଆହୁରି କହିଥିଲେ ଯେ ଶ୍ରୀ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି; ସେ ବାସ୍ତବରେ ସମଗ୍ର ବିଶ୍ୱର ପ୍ରଧାନମନ୍ତ୍ରୀ । ଏହର କାରଣ ହେଲା ଯେ ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ହିନ୍ଦୁ ଓ ଶିଖମାନଙ୍କର ଅସୁବିଧା ସେ ବୁଝନ୍ତି ଏବଂ ସେମାନଙ୍କୁ ତୁରନ୍ତ ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ ପଦକ୍ଷେପ ନେଇଥାନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଓ ସୁଶ୍ରୀ ମିନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ ।

*****

TM / SLP



(Release ID: 1799721) Visitor Counter : 170