ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇସିଆରଆଇଏସଏଟିର ୫୦ତମ ବର୍ଷ ପୂର୍ତ୍ତି ସମାରୋହ ଶୁଭାରମ୍ଭ କରିବା ସହ ଦୁଇଟି ଗବେଷଣା କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


‘‘ଆପଣମାନଙ୍କର ଗବେଷଣା ଓ ପ୍ରଯୁକ୍ତି କୃଷିକୁ ସହଜ ଏବଂ ଦୀର୍ଘସ୍ଥାୟୀ କରିବାରେ ସହାୟକ ହୋଇଛି’’

‘‘ପର୍ଯ୍ୟାବରଣ ଅନୁକୂଳ ଜନ ଆନ୍ଦୋଳନ କେବଳ କଥାରେ ନୁହେଁ, ବରଂ ଭାରତ ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି’’

‘‘ଜଳବାୟୁ ସମସ୍ୟାରୁ ଚାଷୀଙ୍କୁ ସୁରକ୍ଷିତ ରଖିବା ଲାଗି ‘ଅତୀତରୁ ଶିକ୍ଷା’ ଏବଂ ‘ଭବିଷ୍ୟତ ଆଡ଼କୁ ଅଗ୍ରସର’ ହେବାର ମିଶ୍ରିତ ଲକ୍ଷ୍ୟ ହାସଲ ପ୍ରତି ଭାରତ ଧ୍ୟାନ ଦେଉଛି’’

‘‘ଡିଜିଟାଲ ପ୍ରଯୁକ୍ତି ଜରିଆରେ ଚାଷୀମାନଙ୍କୁ ସଶକ୍ତ କରିବା ଲାଗି ଭାରତର ପ୍ରୟାସ ଲଗାତାର ବଢ଼ିଚାଲିଛି’’

‘‘ଅମୃତ କାଳ ସମୟରେ, ଉଚ୍ଚ କୃଷି ଅଭିବୃଦ୍ଧି ସହିତ ଭାରତ ସମାବେଶୀ ବିକାଶ ଉପରେ ଧ୍ୟାନ ଦେଉଛି’’

‘‘ହଜାର ହଜାର ସଂଖ୍ୟାରେ ଏଫପିଓ ଜରିଆରେ ଆମେ କ୍ଷୁଦ୍ର ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ଏକ ସକ୍ରିୟ ଓ ଶକ୍ତିଶାଳୀ ବଜାର ଶକ୍ତିରେ ପରିଣତ କରିବାକୁ ଚାହୁଁଛୁ’’

‘‘ଆମେ ଖାଦ୍ୟ ସୁରକ୍ଷା ସହିତ ପୋଷଣ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ। ଏହି ସଂକଳ୍ପ ସହିତ ଆମେ ଗତ ୭ ବର୍ଷ ମଧ୍ୟରେ ବହୁ ଜୈବ-ପୋଷଣଯୁକ୍ତ ଫସଲ ବିକଶିତ କରିଛୁ’’

Posted On: 05 FEB 2022 4:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦର ପଟନଚେରୁରେ ଥିବା ‘ସେମି-ଆରିଡ୍‌ ଟ୍ରପିକ୍ସ ପାଇଁ ଅନ୍ତର୍ଜାତୀୟ ଫସଲ ଗବେଷଣା ସଂସ୍ଥାନ (ଆଇସିଆରଆଇଏସଏଟି)’ ପରିସର ଗସ୍ତ କରିବା ସହିତ ଆଇସିଆରଆଇଏସଏଟିର ୫୦ତମ ବର୍ଷ ପୂର୍ତ୍ତି ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ଭିଦ ସୁରକ୍ଷା ଉପରେ ଆଇସିଆରଆଇଏସଏଟିର ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ର ଏବଂ ଆଇସିଆରଆଇଏସଏଟିର ରାପିଡ ଜେନେରେସନ ଆଡଭାନ୍ସମେଣ୍ଟ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି ଦୁଇଟି କେନ୍ଦ୍ର ଏସିଆ ଏବଂ ଉପ ସାହାରା ଆଫ୍ରିକାର କ୍ଷୁଦ୍ର ଚାଷୀଙ୍କ ପ୍ରତି ସମର୍ପିତ। ପ୍ରଧାନମନ୍ତ୍ରୀ ମଧ୍ୟ ବିଶେଷ ଭାବେ ଡିଜାଇନ୍‌ କରାଯାଇଥିବା ଆଇସିଆରଆଇଏସଏଟିର ଲୋଗୋ ଅନାବରଣ କରିଥିଲେ। ସେ ଏହି ଅବସରରେ ଜାରି ହୋଇଥିବା ସ୍ମାରକୀ ଡାକ ଟିକେଟକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ଶ୍ରୀମତୀ ତାମିଲସାଇ ସୁନ୍ଦରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ବସନ୍ତ ପଞ୍ଚମୀର ପବିତ୍ର ଅବସର ବିଷୟରେ ଅବତାରଣା କରିବା ସହିତ ୫୦ ବର୍ଷ ପୂରଣ କରିଥିବାରୁ ଆଇସିଆରଆଇଏସଏଟିକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସନ୍ତା ୨୫ ବର୍ଷ ଦେଶ ଏବଂ ଆଇସିଆରଆଇଏସଏଟି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଅବଧିରେ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହ ତା’ ଉପରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଭାରତ ସମେତ ବିଶ୍ୱର ଅଧିକାଂଶ ଭାଗରେ କୃଷି ବିକାଶ ଦିଗରେ ଯୋଗଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଆଇସିଆରଆଇଏସଏଟିକୁ ପ୍ରଶଂସା କରିଥିଲେ। ଜଳ ଓ ମୃତ୍ତିକା ପରିଚାଳନା, ଫସଲ କିସମରେ ସୁଧାର, ଚାଷ ଜମିର ବିବିଧତା ଏବଂ ପଶୁପାଳନର ଏକୀକରଣ କ୍ଷେତ୍ରରେ ସେମାନଙ୍କର ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ଚାଷୀଙ୍କୁ ସେମାନଙ୍କ ବଜାର  ସହ ଯୋଡ଼ିବା ପାଇଁ ସାମଗ୍ରିକ ଆଭିମୁଖ୍ୟ ଏବଂ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଡାଲି ଓ ଚଣା ଉତ୍ପାଦକୁ ପ୍ରୋତ୍ସାହିତ କରିବା ଲାଗି ସେ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆପଣମାନଙ୍କର ଗବେଷଣା ଓ ପ୍ରଯୁକ୍ତି କୃଷିକୁ ସହଜ ଏବଂ ଦୀର୍ଘସ୍ଥାୟୀ କରିବାରେ ସହାୟକ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କମ୍‌ ସମ୍ବଳ ଥିବା ଏବଂ ବିକାଶରୁ ବଞ୍ଚିତ ରହିଥିବା ଲୋକମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏହି କାରଣରୁ, ଜଳବାୟୁ ପରିବର୍ତ୍ତନ ଉପରେ ବିଶେଷ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ପୁଣିଥରେ ବିଶ୍ୱକୁ ଭାରତର ଅନୁରୋଧ ଦୋହରାଇଥିଲେ। ‘ଲାଇଫ – ଲାଇଫଷ୍ଟାଇଲ୍‌ ଫର ଇନଭାଇର୍ଣ୍ଣମେଣ୍ଟ’ (ପରିବେଶ ଅନୁକୂଳ ଜୀବନଶୈଳୀ); ପି ଥ୍ରୀ – ପ୍ରୋ ପ୍ଲାନେଟ୍‌ ପିପୁଲ (ପୃଥିବୀ ଅନୁକୂଳ ଜନସାଧାରଣ) ଆନ୍ଦୋଳନ ଏବଂ ୨୦୭୦ ସୁଦ୍ଧା ଭାରତର ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରୋ ପ୍ଲାନେଟ୍‌ ପିପୁଲ ଏପରି ଏକ ଆନ୍ଦୋଳନ ଯାହା ପ୍ରତ୍ୟେକ ସମୁଦାୟ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜଳବାୟୁ ଉତ୍ତରଦାୟିତ୍ୱ ସହ ଯୋଡ଼ିଥାଏ। ପରିବେଶ ଅନୁକୂଳ ଜନ ଆନ୍ଦୋଳଳନ କେବଳ କଥାରେ ନୁହେଁ, ବରଂ ଭାରତ ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶର ୧୫ଟି କୃଷି-ପାଣିପାଗ କ୍ଷେତ୍ର ଏବଂ ୬ଟି ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କୃଷିର ପ୍ରାଚୀନ ଅଭିଜ୍ଞତା ଦିଗରେ ଭାରତର ଗଭୀରତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଜଳବାୟୁ ସମସ୍ୟାରୁ ଚାଷୀଙ୍କୁ ସୁରକ୍ଷିତ ରଖିବା ଲାଗି ‘ଅତୀତରୁ ଶିକ୍ଷା’ ଏବଂ ‘ଭବିଷ୍ୟତ ଆଡ଼କୁ ଅଗ୍ରସର’ ହେବାର ମିଶ୍ରିତ ଲକ୍ଷ୍ୟ ହାସଲ ପ୍ରତି ଭାରତ ଧ୍ୟାନ ଦେଉଛି । ‘‘ଆମେ ଆମର ୮୦ ପ୍ରତିଶତ କ୍ଷୁଦ୍ର ଚାଷୀମାନଙ୍କ ଉପରେ ଅଧିକ ଧ୍ୟାନ ଦେଉଛୁ ଯେଉଁମାନେ ଆମକୁ ଅଧିକ ଆବଶ୍ୟକ କରିଥାନ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ।

ପରିବର୍ତ୍ତିତ ଭାରତର ଆଉ ଏକ ଦିଗ- ଡିଜିଟାଲ କୃଷି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାକୁ ସେ ଭାରତର ଭବିଷ୍ୟତ ଭାବେ ଅଭିହିତ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଆମର ପ୍ରତିଭାବାନ ଯୁବପିଢ଼ି ଏ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରିବେ। ଫସଲ ଆକଳନ, ଜମି ରେକର୍ଡର ଡିଜିଟାଲକରଣ, ଡ୍ରୋନ ମାଧ୍ୟମରେ କୀଟନାଶକ ଏବଂ ପୋଷକ ସିଞ୍ଚନ ଆଦି କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କାରଣରୁ ଏଗୁଡ଼ିକ ବୃଦ୍ଧି ପାଉଛି । ଡିଜିଟାଲ ପ୍ରଯୁକ୍ତି ଜରିଆରେ ଚାଷୀମାନଙ୍କୁ ସଶକ୍ତ କରିବା ଲାଗି ଭାରତର ପ୍ରୟାସ ଲଗାତାର ବଢ଼ିଚାଲିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଅମୃତ କାଳ ସମୟରେ, ଉଚ୍ଚ କୃଷି ଅଭିବୃଦ୍ଧି ସହିତ ଭାରତ ସମାବେଶୀ ବିକାଶ ଉପରେ ଧ୍ୟାନ ଦେଉଛି । କୃଷି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି । ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଉନ୍ନତ ଜୀବନଧାରଣ ଦିଗରେ ନେଇ ଯିବା ଲାଗି କୃଷି କ୍ଷେତ୍ର ନିକଟରେ ଅପାର ସମ୍ଭାବନା ରହିଛି । ଭୌଗଳିକ ଭାବେ କଠିନ କ୍ଷେତ୍ରରେ ରହିଥିବା ଚାଷୀମାନଙ୍କୁ ଏହି ଅମୃତ କାଳ ନୂତନ ଅବସର ଆଣି ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏବେ ଦ୍ଵୈତ ରଣନୀତି ଉପରେ କାର୍ଯ୍ୟ କରୁଛି।  ଗୋଟିଏ ପଟେ, ଜଳ ସଂରକ୍ଷଣ ଏବଂ ନଦୀ ସଂଯୋଗୀକରଣ ମାଧ୍ୟମରେ ଅଧିକ ଅଞ୍ଚଳରେ ଚାଷ ଜମିକୁ ଜଳସେଚନ କରାଯାଇପାରିଛି । ଅନ୍ୟପଟେ, ସୀମିତ ଜଳସେଚନ ଥିବା କ୍ଷେତ୍ରରେ କ୍ଷୁଦ୍ର ଜଳସେଚନକୁ ପ୍ରୋତ୍ସାହନ ଦିଆଯାଇ ଜଳ ଉପଯୋଗରେ ଦକ୍ଷତା ଆଣିବା ପାଇଁ ପ୍ରୟାସ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଆରମ୍ଭ କରାଯାଇଥିବା ଜାତୀୟ ମିଶନ ଭାରତର ନୂତନ ଆଭିମୁଖ୍ୟକୁ ଦର୍ଶାଉଛି। ଏହି ମିଶନ ଅଧୀନରେ ୬ ଲକ୍ଷ ହେକ୍ଟର ଚାଷ ଜମିରେ ତାଳ ତେଲ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ପ୍ରତ୍ୟେକ ସ୍ତରରେ ଭାରତୀୟ ଚାଷୀମାନଙ୍କୁ ସହାୟକ ହେବ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଚାଷୀମାନଙ୍କ ପାଇଁ ଅଧିକ ଲାଭଜନକ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୩୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ସୃଷ୍ଟି ଭଳି ଫସଲ ଅମଳ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ କୃଷି ମୂଲ୍ୟ ଶୃଙ୍ଖଳା ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦେଉଛି। ହଜାର ହଜାର ସଂଖ୍ୟାରେ ଏଫପିଓ ଜରିଆରେ ଆମେ କ୍ଷୁଦ୍ର ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ଏକ ସକ୍ରିୟ ଓ ଶକ୍ତିଶାଳୀ ବଜାର ଶକ୍ତିରେ ପରିଣତ କରିବାକୁ ଚାହୁଁଛୁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଖାଦ୍ୟ ଶସ୍ୟ ଉତ୍ପାଦନ ବଢ଼ାଇବା ଭାରତର ଲକ୍ଷ୍ୟ ନୁହେଁ। ବିଶ୍ୱର ଅନ୍ୟତମ ସର୍ବବୃହତ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ବଳକା ଖାଦ୍ୟ ଶସ୍ୟ ରହିଛି । ‘‘ଆମେ ଖାଦ୍ୟ ସୁରକ୍ଷା ସହିତ ପୋଷଣ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ । ଏହି ସଂକଳ୍ପ ସହିତ ଆମେ ଗତ ୭ ବର୍ଷ ମଧ୍ୟରେ ବହୁ ଜୈବ-ପୋଷଣଯୁକ୍ତ ଫସଲ ବିକଶିତ କରିଛୁ’’, ପ୍ରଧାନମନ୍ତ୍ରୀ କହିଥିଲେ।

ଆଇସିଆରଆଇଏସଏଟି ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ ଯାହା ଏସିଆ ଏବଂ ଉପ-ସାହାରା ଆଫ୍ରିକା ପାଇଁ କୃଷି ଗବେଷଣା କାର୍ଯ୍ୟକାରୀ କରିଥାଏ । ଏହା ଚାଷୀମାନଙ୍କୁ ଉନ୍ନତ କିସମର ଫସଲ ଓ ସଙ୍କରଜାତୀୟ ବିହନ ଯୋଗାଇ ଦେଇଥାଏ। ଅନୁରୂପ ଭାବେ ଶୁଷ୍କ ଭୂମି ଅଞ୍ଚଳର କ୍ଷୁଦ୍ର ଭାଗଚାଷୀମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା ନିମନ୍ତେ ସହାୟତା କରିଥାଏ।

 

*******

 






P.S.



(Release ID: 1795836) Visitor Counter : 179