ଅର୍ଥ ମନ୍ତ୍ରଣାଳୟ
ମହାମାରୀ ସମୟରେ ସାମାଜିକ ସେବା ବାବଦରେ ସରକାରୀ ବ୍ୟୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି
ବଜେଟ୍ ଅଟକଳ ୨୦୨୧ -୨୨ ସରକାରଙ୍କର ସାମାଜିକ ସେବା କ୍ଷେତ୍ରରେ ଆବଂଟନରେ ୯.୮ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି
୨୦୨୧-୨୨ରେ ସ୍ୱାସ୍ଥ୍ୟ ବ୍ୟୟ ଅନୁଦାନରେ ୭୩ ପ୍ରତିଶତ ବୃଦ୍ଧି ଘଟିଛି: ଶିକ୍ଷା କ୍ଷେତ୍ରରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି
ଜଳ ଜୀବନ ମିଶନ ଅନ୍ତର୍ଗତ ୧୯/୦୧/୨୦୨୨ ସୁଦ୍ଧା ୮ ଲକ୍ଷରୁ ଅଧିକ ସ୍କୁଲ୍ ଗୁଡିକରେ ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି
୨୦୧୯ - ୨୦ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ହାରରେ ହ୍ରାସ ଘଟିଛି
୨୦୧୯ -୨୦ରେ ସ୍କୁଲ୍ ଗୁଡିକରେ ୨୬.୪୫ କୋଟି ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି; ପୂର୍ବ ବର୍ଷ ଗୁଡ଼ିକରେ ମୋଟ ନାମଲେଖା ଅନୁପାତରେ ହ୍ରାସ ଘଟିବାର ବିପରୀତ ଧାରା ଦେଖିବାକୁ ମିଳିଛି
‘ଶିକ୍ଷାର ସ୍ଥିତି ଉପରେ ବାର୍ଷିକ ରିପୋର୍ଟ ୨୦୨୧’ ଅନୁସାରେ ଗ୍ରାମାଂଚଳ ଗୁଡିକରେ ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲ୍ରୁ ସରକାରୀ ସ୍କୁଲ୍କୁ ପାଠ ପଢ଼ିବାକୁ ଯାଇଛନ୍ତି
Posted On:
31 JAN 2022 3:04PM by PIB Bhubaneshwar
୨୦୨୧ - ୨୨ର ଅର୍ଥନୀତିକ ସର୍ଭେ ଉଲ୍ଲେଖ କରିଛି ଯେ ମହାମାରୀ ସମୟରେ ସାମାଜିକ ସେବା ଉପରେ ସରକାରୀ ଖର୍ଚ୍ଚରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୧ -୨୨କୁ ଉପସ୍ଥାପିତ କରିଛନ୍ତି । ୨୦୨୦ -୨୧ ତୁଳନାରେ ୨୦୨୧ -୨୨ରେ ସାମାଜିକ ସେବା କ୍ଷେତ୍ରରେ ବ୍ୟୟ ଅନୁଦାନରେ ୯.୮ ପ୍ରତିଶତ ବୃଦ୍ଧି କରାଯାଇଛି ।
ସାମାଜିକ କ୍ଷେତ୍ର ନିମନ୍ତେ ବ୍ୟୟ
ଏହି ସର୍ଭେ ଉଲ୍ଲେଖ କରିଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ୨୦୨୧ -୨୨ (ବଜେଟ୍ ଅଟକଳ)ରେ ସାମାଜିକ ସେବା କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ହାରାହାରି ୭୧.୬୧ ଲକ୍ଷ କୋଟି ଟଙ୍କା ନିର୍ଦ୍ଧାରିତ କରିଥିଲେ । ଗତ ବର୍ଷ (୨୦୨୦ -୨୧)ର ସଂଶୋଧିତ ବ୍ୟୟ ବୃଦ୍ଧି ପାଇ ୫୪,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇ ଯାଇଛି । ଅର୍ଥନୀତିକ ସର୍ଭେରେ ପୁନଶ୍ଚ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି ଯେ ୨୦୨୧ -୨୨ (ବଜେଟ୍ ଅଟକଳ)ରେ ଏହି କ୍ଷେତ୍ରକୁ ପାଣ୍ଠିରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮.୬ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ କି ୨୦୨୦ -୨୧ (ସଂଶୋଧିତ ଅଟକଳ)ରେ ଏହା ୮.୩ ପ୍ରତିଶତ ଥିଲା । ଗତ ପାଂଚ ବର୍ଷରେ ସାମାଜିକ ସେବା କ୍ଷେତ୍ରକୁ ମୋଟ ସରକାରୀ ବ୍ୟୟର ପ୍ରାୟ ୨୫ ପ୍ରତିଶତ ଅବଦାନ ରହିଛି । ଏହା ୨୦୨୧ -୨୨ (ବଜେଟ୍ ଅଟକଳ)ରେ ୨୬.୬ ପ୍ରତିଶତ ଥିଲା ।
ଅର୍ଥନୀତିକ ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟ ୨୦୧୯-୨୦ରେ ୨.୭୩ ଲକ୍ଷ କୋଟି ଟଙ୍କାରୁ ୨୦୨୧- ୨୨ରେ (ବଜେଟ୍ ଅଟକଳ) ବୃଦ୍ଧି ପାଇ ୪.୭୨ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି । ଏହିଭଳି ଭାବେ ଏଥିରେ ପ୍ରାୟ ୭୩ ପ୍ରତିଶତ ବୃଦ୍ଧି ଘଟିଛି । ସର୍ଭେରେ କୁହାଯାଇଛି ଯେ ଶିକ୍ଷା କ୍ଷେତ୍ର ନିମନ୍ତେ ସମାନ ଅବଧିରେ ବୃଦ୍ଧିର ପରିମାଣ ୨୦ ପ୍ରତିଶତ ରହିଛି ।
ଶିକ୍ଷା
ମହାମାରୀର ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ରେ, ଯାହାର ତଥ୍ୟ ଉପଲବ୍ଧ ଅଛି, ତାହାର ମୂଲ୍ୟାଙ୍କନରୁ ଏହା ଜାଣିବାକୁ ମିଳୁଛି ଯେ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ସ୍କୁଲ୍କୁ ଛାଡି ୨୦୧୮ -୧୯ ଏବଂ ୨୦୧୯ -୨୦ ମଧ୍ୟରେ ମାନ୍ୟତାପ୍ରାପ୍ତ ସ୍କୁଲ୍ ଏବଂ କଲେଜ୍ ଗୁଡିକର ସଂଖ୍ୟା ବୃଦ୍ଧି ପାଇଛି । ଜଳ ଜୀବନ ମିଶନ ଯୋଜନା ଆଧାରରେ ସ୍କୁଲ୍ ଗୁଡିକରେ ପାନୀୟ ଜଳ ତଥା ସ୍ୱଚ୍ଛତା, ସ୍ୱଚ୍ଛ ଭାରତ ମିଶନ ତଥା ସମଗ୍ର ଶିକ୍ଷା ଯୋଜନାକୁ ପ୍ରାଥମିକତା ଦେବା ଫଳରେ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରାଯାଇଛି ଏବଂ ସ୍କୁଲ୍ ଗୁଡିକରେ ପରିସମ୍ପତିର ସୃଷ୍ଟି କରାଯାଇ ପାରିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟ ଉଲ୍ଲେଖ କରିଛି । ଜଳ ଜୀବନ ମିଶନ ଅଧୀନରେ ୧୯/୦୧/୨୦୨୨ ସୁଦ୍ଧା ୮,୩୯,୪୪୩ ସ୍କୁଲ୍କୁ ନଳ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି । ୨୦୧୨-୧୩ରୁ ୨୦୧୯-୨୦ ପର୍ଯ୍ୟନ୍ତ ନିରନ୍ତର ଭାବେ ସମସ୍ତ ସ୍ତରରେ ଶିକ୍ଷକ ମାନଙ୍କର ଉପଲବ୍ଧତାରେ ଉନ୍ନତି ଘଟିଛି ।
ଅର୍ଥନୀତିକ ସର୍ଭେରେ କୁହାଯାଇଛି ଯେ ୨୦୧୯ -୨୦ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡ଼ୁଥିବା ହାରରେ ମଧ୍ୟ ହ୍ରାସ ଘଟିଛି । ୨୦୧୯ -୨୦ରେ ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧.୪୫ ପ୍ରତିଶତ ରହିଛି, ଯେତେବେଳେକି ଏହା ୨୦୧୮- ୧୯ରେ ୪.୪୫ ପ୍ରତିଶତ ଥିଲା । ଏହି ହ୍ରାସ ଉଭୟ ପୁଅ ଏବଂ ଝିଅଙ୍କ କ୍ଷେତ୍ରରେ ଦେଖା ଦେଇଛି । ଏହି ହ୍ରାସ ବିଗତ ଦୁଇ ବର୍ଷ ମଧ୍ୟରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଘଟୁଥିବା ବୃଦ୍ଧି ଧାରାର ବିପରୀତ ଅଟେ ।
ଅର୍ଥନୀତିକ ସର୍ଭେ ପୁନଶ୍ଚ ଉଲ୍ଲେଖ କରିଛି ଯେ, ୨୦୧୯ -୨୦ ରେ ସବୁ ସ୍ତରରେ ମୋଟ ନାମଲେଖା ଅନୁପାତ (ଜିଇଆର୍) ଏବଂ ଲିଙ୍ଗଭିତିକ ସମାନତାରେ ମଧ୍ୟ ଉନ୍ନତି ଘଟିଛି । ୨୦୧୯ -୨୦ ବର୍ଷରେ ସ୍କୁଲ୍ ଗୁଡିକରେ ୨୬.୪୫ କୋଟି ଛାତ୍ରଛାତ୍ରୀଙ୍କର ନାମଲେଖା ହୋଇଥିଲା । ଏହା ୨୦୧୬ -୧୭ ଏବଂ ୨୦୧୮ -୧୯ ମଧ୍ୟରେ ଜିିଇଆର୍ରେ ହ୍ରାସକୁ ବିପରୀତାଭିମୁଖୀ କରିବା କ୍ଷେତ୍ରରେ ସହାୟତା କରିଛି । ଏହି ବର୍ଷ ଗୁଡିକରେ ସ୍କୁଲ୍ ଗୁଡିକରେ ପ୍ରାୟ ୪୨ ଲକ୍ଷ ଅତିରିକ୍ତ ଛାତ୍ରଛାତ୍ରୀଙ୍କର ନାମଲେଖା ହୋଇଛି, ଯେଉଁଥିରେ ୨୬ ଲକ୍ଷ ଛାତ୍ରଛାତ୍ରୀ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରର ଥିଲେ ଏବଂ ଏଜୁକେସନ୍ ପ୍ଲସ୍ (ୟୁଡିଆଇଏସ୍ଏଫ୍+) ନିମନ୍ତେ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ଅନୁସାରେ ପ୍ରାକ୍- ପ୍ରାଥମିକ ଶ୍ରେଣୀରେ ୧୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ ।
୨୦୧୯ -୨୦ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୭:୧ ପ୍ରତିଶତ ରହିଥିଲା, ଯାହା ୨୦୧୮ -୧୯ର ୨୬.୩ ପ୍ରତିଶତରୁ କିଛି ପରିମାଣରେ ଅଧିକ ଅଟେ । ଅର୍ଥନୀତିକ ସର୍ଭେରେ ଉଲ୍ଲେଖ କରିଛି ଯେ ସରକାର ଉଚ୍ଚଶିକ୍ଷା ପାରିବେଶିକ ବ୍ୟବସ୍ଥାକୁ କ୍ରାନ୍ତିକାରୀ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି, ଏହି ପଦକ୍ଷେପ ଗୁଡିକ ମଧ୍ୟରେ ଜାତୀୟ ଆପ୍ରେଂଟିସ୍ସିପ୍ ତାଲିମ୍ ଯୋଜନାରେ ସଂଶୋଧନ, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍, ଇ -ପିଜି ପାଠଶାଳା, ଉନ୍ନତ ଭାରତ ଅଭିଯାନ ତଥା ଦୁର୍ବଳ ଶ୍ରେଣୀ ନିମନ୍ତେ ଛାତ୍ରବୃତି ସାମିଲ୍ ଅଟେ ।
ଅର୍ଥନୀତିକ ସର୍ଭେ ଦର୍ଶାଇଛି ଯେ ଶିକ୍ଷା ବ୍ୟବସ୍ଥା ଉପରେ ମହାମାରୀର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଛି, ଯେଉଁଥିରେ ସମଗ୍ର ଭାରତରେ ଲକ୍ଷ ଲକ୍ଷ ସ୍କୁଲ୍ ଏବଂ କଲେଜ୍ ପ୍ରଭାବିତ ହୋଇଛନ୍ତି । ସର୍ଭେରେ ମଧ୍ୟ କୁହାଯାଇଛି ଯେ ବାରମ୍ବାର ଲକ୍ଡାଉନ୍ ଲାଗୁ କରାଯିବା କାରଣରୁ ଶିକ୍ଷା କ୍ଷେତ୍ରରେ ବାସ୍ତବ ସମୟର ପ୍ରଭାବକୁ ଜାଣିବା କଷ୍ଟକର ହୋଇଛି କାରଣ ନୂତନ ଉପଲବ୍ଧ ବ୍ୟାପକ ଅଧିକାରିକ ତଥ୍ୟ ୨୦୧୯ -୨୦ ବର୍ଷର ଅଟେ । ଏଥିରେ ଶିକ୍ଷାର ସ୍ଥିତି ଉପରେ ବାର୍ଷିକ ରିପୋର୍ଟ (ଏଏସ୍ଇଆର୍) ୨୦୨୧ ସମ୍ପର୍କରେ ଚର୍ଚ୍ଚା କରାଯାଇଛି, ଯେଉଁଥିରେ ଗ୍ରାମାଂଚଳ ଗୁଡିକରେ ଶିକ୍ଷା କ୍ଷେତ୍ର ନିମନ୍ତେ ମହାମାରୀ ସମୟରେ ପ୍ରଭାବକୁ ଆକଳନ କରାଯାଇଛି । ଏଏସ୍ଇଆର୍ରେ ଏହା ଦେଖିବାକୁ ମିଳିଛି ଯେ ମହାମାରୀ ହେବା ସତ୍ୱେ ୧୫ରୁ ୧୬ ବର୍ଷ ବୟସରେ ନାମଲେଖାରେ ଉନ୍ନତି ଜାରି ରହିଛି, ଯେହେତୁ ‘ନାମ ଲେଖାଇ ନଥିବା’ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୮ରେ ୧୨.୧ ପ୍ରତିଶତରୁ କମ୍ ହୋଇ ୨୦୨୧ରେ ୬.୬ ପ୍ରତିଶତ ହୋଇ ଯାଇଛି । ତେବେ ଏଏସ୍ଇଆର୍ ରିପୋର୍ଟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ମହାମାରୀ ସମୟରେ ସ୍କୁଲ ଗୁଡିକରେ ୬ରୁ ୧୪ ବୟସର ଛାତ୍ରଛାତ୍ରୀ ବର୍ତମାନ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀଙ୍କର ସଂଖ୍ୟା, ୨୦୧୮ର ୨.୫ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୧ରେ ୪.୬ ପ୍ରତିଶତ ହୋଇ ଯାଇଛି । ଅର୍ଥନୀତିକ ସର୍ଭେରେ କୁହାଯାଇଛି ଯେ, ସ୍କୁଲ ଛାତ୍ରଛାତ୍ରୀ, ସେମାନଙ୍କର ବିଷୟ ତଥା ରିସର୍ଚ୍ଚ ସେୟାରିଂର ଚିହ୍ନଟ କରିବା ନିମନ୍ତେ ସରକାର କୋଭିଡ୍ -୧୯ କାର୍ଯ୍ୟ ଯୋଜନା ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳଗୁଡିକ ସହିତ ଆବଂଟିତ କରିଛନ୍ତି ।
ଏଏସ୍ଇଆର ରିପୋର୍ଟରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ମହାମାରୀ ସମୟରେ ଗ୍ରାମାଂଚଳ ଗୁଡିକରେ ସବୁ ବୟସର ଛାତ୍ରଛାତ୍ରୀ ଘରୋଇ ସ୍କୁଲ୍ରୁ ସରକାରୀ ସ୍କୁଲ୍କୁ ଯାଇଛନ୍ତି । ଏହି ପରିବର୍ତନର ସମ୍ଭାବ୍ୟ କାରଣ କମ୍ ବ୍ୟୟସାପେକ୍ଷ ଘରୋଇ ସ୍କୁଲ୍ ବନ୍ଦ ହେବା, ଅଭିଭାବକ ମାନଙ୍କର ଆର୍ôଥକ ସମସ୍ୟା, ସରକାରୀ ସ୍କୁଲ୍ ଗୁଡିକରେ ନିଃଶୁଳ୍କ ସୁବିଧା ପ୍ରଦାନ ଏବଂ ବାହାରେ ରହୁଥିବା ପରିବାର ଗାଁକୁ ପୁଣି ଫେରି ଆସିବା ଇତ୍ୟାଦି ସାମିଲ୍ ଅଟେ । ଜୁଲାଇ, ୨୦୨୦ରେ ସରକାର ପ୍ରବାସୀ ଶ୍ରମିକ ମାନଙ୍କର ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ନିମନ୍ତେ ପରିଚୟପତ୍ର ଅତିରିକ୍ତ ଅନ୍ୟ କୌଣସି ଦସ୍ତାବିଜ/ କାଗଜପତ୍ର ନ ମାଗି ସ୍କୁଲ୍ରେ ସହଜରେ ସେମାନଙ୍କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ବର୍ତମାନ ସୁଦ୍ଧା ୨୦୧୮ରେ ୩୬.୫ ପ୍ରତିଶତ ତୁଳନାରେ ୨୦୨୧ରେ ୬୭.୬ ପ୍ରତିଶତ ସ୍ମାର୍ଟଫୋନ୍ର ଉପଲବ୍ଧତା ବୃଦ୍ଧି ପାଇଛି, ଏଏସ୍ଇଆର ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚ ଶ୍ରେଣୀର ପିଲାମାନଙ୍କ ତୁଳନାରେ ନିମ୍ନ ଶ୍ରେଣୀର ପିଲାମାନଙ୍କ ନିମନ୍ତେ ଅନ୍ଲାଇନ୍ କ୍ଲାସ୍ କରିବା କଠିନ ରହିଛି । ପିଲାମାନଙ୍କ ନିକଟରେ ସ୍ମାର୍ଟଫୋନ୍ର ଉପଲବ୍ଧତା ନହେବା ତଥା ସଂଯୋଗୀକରଣ ନିମନ୍ତେ ନେଟୱର୍କ ଉପଲବ୍ଧ ନହେବା ଭଳି ଆହ୍ୱାନକୁ ସାମନା କରିବାକୁ ପଡିଛି, କିନ୍ତୁ ସମସ୍ତ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବର୍ତମାନର ଶ୍ରେଣୀ ନିମନ୍ତେ (୯୧.୯ ପ୍ରତିଶତ) ପାଠ୍ୟ ପୁସ୍ତକ ଉପଲବ୍ଧ କରାଯାଇଛି । ସରକାରୀ ଏବଂ ଘରୋଇ ଉଭୟ ପ୍ରକାରର ସ୍କୁଲ୍ ଗୁଡିକରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ବର୍ଷ ତୁଳନାରେ ଏହି ଅନୁପାତ ବୃଦ୍ଧି ପାଇଛି ।
ଅର୍ଥନୀତିକ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ବ୍ୟବସ୍ଥା ଉପରେ ମହାମାରୀର ପ୍ରତିକୂଳ ପ୍ରଭାବକୁ କମ୍ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି, ଫଳରେ ମହାମାରୀ ସମୟରେ ଘରେ ପଢ଼ିବା ନିମନ୍ତେ ସୃଷ୍ଟି ହୋଇଥିବା ଚିନ୍ତାକୁ ଦୂର କରା ଯାଇ ପାରିବ । ସରକାରଙ୍କ ଦ୍ୱାରା ଘରକୁ ଘର ପାଠ୍ୟ ପୁସ୍ତକର ବିତରଣ, ଶିକ୍ଷକମାନଙ୍କ ଦ୍ୱାରା ଟେଲିଫୋନ୍ ମାଧ୍ୟମରେ ନିର୍ଦ୍ଦେଶନାମା ପଠେଇବା, ଟିଭି ତଥା ରେଡିଓ ମାଧ୍ୟମରେ ଅନ୍ଲାଇନ୍ ଏବଂ ଡିଜିଟାଲ୍ ସାମଗ୍ରୀ ଉପଲବ୍ଧ କରାଇବା, ଟିଏଆର୍ଏ ଇଂଟରଆକ୍ଟିଭ୍ ଚାର୍ଟବଟ୍, ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଦ୍ୱାରା ଜାରି ବୈକଳ୍ପିକ କ୍ୟାଲେଣ୍ଡର ମାଧ୍ୟମରେ ଆକ୍ଟିଭିଟି/ କାର୍ଯ୍ୟକଳାପ ଆଧାରିତ ଲର୍ଣ୍ଣିଂ ସାମିଲ୍ ଅଟେ । ସର୍ଭେରେ ଏହା ଉଲ୍ଲେଖ କରାଯାଇଛି ଯେ କୋଭିଡ୍ - ୧୯ ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନ୍ୟ ପ୍ରମୁଖ ପଦକ୍ଷେପ ମଧ୍ୟରେ ପିଏମ୍ ଇ- ବିଦ୍ୟା, ନ୍ୟାସନାଲ୍ ଡିଜିଟାଲ୍ ଏଜୁକେସନ୍ ଆର୍କିଟେକ୍ଚର, ନିପୁଣ ଭାରତ ମିଶନ ଇତ୍ୟାଦି ସାମିଲ୍ ଅଟେ ।
*****
SSP
(Release ID: 1794866)
Visitor Counter : 274