ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ଏଜେଣ୍ଡାରେ ‘ଷ୍ଟେଟ୍‌ ଅଫ୍‌ ଦ ୱାର୍ଲ୍ଡ’ ଉପରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ ଅଭିଭାଷଣ


‘‘କରୋନା କାଳରେ, ‘ଏକ ବିଶ୍ୱ, ଏକ ସ୍ଵାସ୍ଥ୍ୟ’ ସଂକଳ୍ପକୁ ଅନୁସରଣ କରି ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧ ଓ ଟିକା ଯୋଗାଇ ଦେଇ ବହୁସଂଖ୍ୟକ ଜୀବନ ରକ୍ଷା କରିଛି’’

‘‘ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ ଏକ ଭରସାଯୋଗ୍ୟ ସହଭାଗୀ ହେବା ପ୍ରତି ସଂକଳ୍ପବଦ୍ଧ’’

‘‘ଏହା ହେଉଛି ଭାରତରେ ନିବେଶ ଲାଗି ଶ୍ରେଷ୍ଠ ସମୟ’’

‘‘ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ କେବଳ ନିଜର ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଉପରେ ଜୋର ଦେଉନାହିଁ, ବରଂ ଏହା ନିବେଶ ଓ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହିତ କରୁଛି’’

‘‘ଆସନ୍ତା ୨୫ ବର୍ଷର ଲକ୍ଷ୍ୟକୁ ଧ୍ୟାନରେ ରଖି ଭାରତ ନୀତି ପ୍ରଣୟନ କରୁଛି। ଏହି ଅବଧି ମଧ୍ୟରେ, ଭାରତ ଉଚ୍ଚ ଅଭିବୃଦ୍ଧି ଏବଂ କଲ୍ୟାଣ ଓ ଆରୋଗ୍ୟର ପରିପୂର୍ଣ୍ଣତା ହାସଲ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ବିକାଶର ଏହି ଅବଧି, ସବୁଜ, ସ୍ଵଚ୍ଛ, ଦୀର୍ଘସ୍ଥାୟୀ ତଥା ଭରସାଯୋଗ୍ୟ ହେବ।’’

‘‘ଫିଙ୍ଗାଫୋପଡ଼ା ସଂସ୍କୃତି ଓ ଉପଭୋକ୍ତାବାଦ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଅଧିକ ଗମ୍ଭୀର କରିଛି। ଆଜିର ‘ସଂଗ୍ରହ-ନିର୍ମାଣ-ଉପଯୋଗ-ନିଷ୍ପାଦନ’’ ଅର୍ଥବ୍ୟବସ୍ଥା ଠାରୁ ଆମକୁ ‘ଚକ୍ରାକାର ଅର୍ଥବ୍ୟବସ୍ଥା’ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେବାର ଆବଶ୍ୟକତା ରହିଛି’’

‘‘ଏଲ.ଆଇ.ଏଫ.ଆଇ.କୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ‘ପୃଥିବୀ ଅନୁକୂଳ ମନୁଷ୍ୟ’ ବା P-3 ପାଇଁ ଏକ ଦୃଢ଼ ମୂଳଦୁଆ ହୋଇପାରିବ’’

‘‘ବହୁପକ୍ଷୀୟ ସଂସ୍ଥ

Posted On: 17 JAN 2022 10:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ଏଜେଣ୍ଡାରେ ‘ଷ୍ଟେଟ୍‌ ଅଫ୍‌ ଦ ୱାର୍ଲ୍ଡ’ (ବିଶ୍ୱର ସ୍ଥିତି) ଶୀର୍ଷକ ବିଶେଷ ଅଭିଭାଷଣ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସତର୍କତା ଓ ଆତ୍ମବିଶ୍ଵାସର ସହିତ ଆଉ ଏକ ମହାମାରୀର ମୁକାବିଲା କରୁଛି ଏବଂ ବହୁ ଆଶାନୁରୂପ ପରିଣାମ ସହିତ ଆର୍ଥିକ କ୍ଷେତ୍ରରେ ଆଗକୁ ବଢ଼ୁଛି। ସେ କହିଥିଲେ ଯେ, ଏକ ଦୃଢ଼ ଗଣତନ୍ତ୍ର ଭାବେ ଭାରତ ମାନବଜଗତକୁ ଅନେକ ଆଶାର ଉପହାର ଭେଟି ଦେଇଛି । ଏଥିରେ ଗଣତନ୍ତ୍ର ପ୍ରତି ଭାରତର ଅତୁଟ ଭରସା ସାମିଲ ରହିଛି । ଏଥିରେ ଏକବିଂଶ ଶତାବ୍ଦୀକୁ ସଶକ୍ତ କରୁଥିବା ପ୍ରଯୁକ୍ତି ରହିଛି ଏବଂ ଭାରତୀୟମାନଙ୍କର ପ୍ରତିଭା ଓ ମନୋଭାବ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା କାଳରେ, ‘ଏକ ବିଶ୍ୱ, ଏକ ସ୍ଵାସ୍ଥ୍ୟ’ ସଂକଳ୍ପକୁ ଅନୁସରଣ କରି ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧ ଓ ଟିକା ଯୋଗାଇ ଦେଇ ବହୁସଂଖ୍ୟାରେ ଜୀବନ ରକ୍ଷା କରିଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଔଷଧୀୟ ସାମଗ୍ରୀ ଉତ୍ପାଦନକାରୀ ଏବଂ ଏହା ‘ବିଶ୍ୱ ଫାର୍ମାସୀର କେନ୍ଦ୍ର’ ଭାବେ ପରିଚିତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେ ଆଜି ଭାରତ ରେକର୍ଡ ସଂଖ୍ୟକ ସଫ୍ଟୱେର ଇଞ୍ଜିନିୟରଙ୍କୁ ଯୋଗାଇ ଦେଉଛି। ଭାରତରେ ୫୦ ଲକ୍ଷରୁ ଅଧିକ ସଫ୍ଟୱେର ଡେଭଲପର୍ସମାନେ କାମ କରୁଛନ୍ତି। ସେ ସୂଚନା ଦେଇଥିଲେ ଯେ ଭାରତରେ ଆଜି ତୃତୀୟ ସର୍ବାଧିକ ସଂଖ୍ୟକ ୟୁନିକର୍ଣ୍ଣ ରହିଛି। ଗତ ଛଅ ମାସ ମଧ୍ୟରେ ଦେଶରେ ୧୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ସଂସ୍ଥା ପଞ୍ଜୀକରଣ କରିଛନ୍ତି। ସେ ମଧ୍ୟ ଭାରତର ବିଶାଳ, ନିରାପଦ ଏବଂ ସଫଳ ଡିଜିଟାଲ ପଇଠ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ, କେବଳ ଗତ ମାସରେ ୟୁନିଫାଏଡ଼ ପେମେଣ୍ଟ୍ସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ୪.୪ ବିଲିୟନ କାରବାର ହୋଇଛି। ବ୍ୟବସାୟିକ ସୁଗମତା ବଢ଼ାଇବା ଏବଂ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। କର୍ପୋରେଟ ଟିକସ ଦରକୁ ସରଳ କରିବା ଏବଂ ଏହାକୁ ବିଶ୍ୱର ସବୁଠୁ ଦକ୍ଷ ବ୍ୟବସ୍ଥାରେ ପରିଣତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ମହାକାଶ, ଡ୍ରୋନ, ଜିଓ-ସ୍ପାଟିଆଲ ମ୍ୟାପିଂ (ଭୂ-ସ୍ଥାନିକ ମାନଚିତ୍ରଣ) ଭଳି କ୍ଷେତ୍ରକୁ ଭାରତ ନିୟାମକ ମୁକ୍ତ କରିଛି। ଆଇଟି ଏବଂ ବିପିଓ କ୍ଷେତ୍ର ସହ ଜଡ଼ିତ ପୁରୁଣା ଦୂରସଞ୍ଚାର ନିୟାମକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ବିଗତ ବର୍ଷ ଆମେ ୨୫ ହଜାରରୁ ଅଧିକ ଅନୁପାଳନ ହ୍ରାସ କରିଛୁ ବୋଲି ସେ କହିଥିଲେ।

ଏକ ଭାଗୀଦାର ଭାବେ ଭାରତର ବୃଦ୍ଧି ପାଉଥିବା ଆକର୍ଷଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଏକ ଭରସାଯୋଗ୍ୟ ସହଭାଗୀ ହେବା ଦିଗରେ ସଂକଳ୍ପବଦ୍ଧ। ଭାରତ ଏଥିପାଇଁ ବିଭିନ୍ନ ରାଷ୍ଟ୍ର ସହ ମୁକ୍ତ ବାଣିଜ୍ୟ ରାଜିନାମା ନିମନ୍ତେ ମାର୍ଗ ପ୍ରଶସ୍ତ କରୁଛି। ନବସୃଜନ, ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ଭାରତ ନିକଟରେ ଥିବା ସାମର୍ଥ୍ୟ ଏବଂ ଉଦ୍ୟମିତା ଭାବନା ଭାରତକୁ ଏକ ଆଦର୍ଶ ବିଶ୍ୱ ଭାଗୀଦାରରେ ପରିଣତ କରିବାରେ ସହାୟକ ହୋଇପାରିବ। ଏହି କାରଣରୁ, ଭାରତରେ ନିବେଶ କରିବା ଲାଗି ଏହା ହେଉଛି ଶ୍ରେଷ୍ଠ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉଦ୍ୟମିତା କ୍ଷେତ୍ରରେ ଭାରତୀୟ ଯୁବପିଢ଼ି ସଫଳତାର ନୂତନ ଶିଖର ହାସଲ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଦେଶରେ ମାତ୍ର ୧୦୦ଟି ଷ୍ଟାର୍ଟଅପ୍ସ ଥିଲା, ଆଜି ଭାରତରେ ୬୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ରହିଛି। ଏଥିମଧ୍ୟରୁ ୮୦ଟି ୟୁନିକର୍ଣ୍ଣ ହୋଇଥିବା ବେଳେ କେବଳ ୨୦୨୧ରେ ୪୦ଟି ଷ୍ଟାର୍ଟଅପ୍ସ ୟୁନିକର୍ଣ୍ଣରେ ପରିଣତ ହୋଇଛନ୍ତି।

ଭାରତର ଆତ୍ମବିଶ୍ଵାସୀ ମନୋଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କରୋନା କାଳରେ ଯେତେବେଳେ ସାରା ବିଶ୍ୱ ପରିମାଣାତ୍ମକ ସୁଗମତା  ବା କ୍ବାଣ୍ଟିଟେଟିଭ୍‌ ଇଜିଂ ଭଳି ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରୁଥିଲା, ସେହି ସମୟରେ ଭାରତ ବ୍ୟବସ୍ଥାଗତ ସଂସ୍କାରକୁ ସୁଦୃଢ଼ କରୁଥିଲା। ବିଭିନ୍ନ ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ପ୍ରଗତିର ସେ ତାଲିକା ଦେଇଥିଲେ। ୬ ଲକ୍ଷ ଗ୍ରାମରେ ଅପ୍ଟିକାଲ ଫାଇଭର ପହଞ୍ଚାଇବା, ଯୋଗାଯୋଗ ସଂକ୍ରାନ୍ତ ଭିତ୍ତିଭୂମିରେ ୧.୩ ଟ୍ରିଲିୟନ ଡଲାର ନିବେଶ, ସମ୍ପତ୍ତି ମୂଦ୍ରୀକରଣ ଜରିଆରେ ୮୦ ବିଲିୟନ ଡଲାର ଆୟ ଏବଂ ଗତିଶକ୍ତି ମାଷ୍ଟର ପ୍ଲାନ ଭଳି ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମି ବିକାଶ ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପର ସେ ତାଲିକା ଦେଇଥିଲେ। ଗତି ଶକ୍ତି ମାଷ୍ଟର ପ୍ଲାନ ସମସ୍ତ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ସହିତ ସାମଗ୍ରୀ, ମାନବ ସମ୍ବଳ ଏବଂ ସେବାର ବାଧାମୁକ୍ତ ଯୋଗାଣକୁ ସୁଗମ କରିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଏହି ମଞ୍ଚକୁ କହିଥିଲେ ଯେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ନେଇ ଭାରତ କେବଳ ପ୍ରକ୍ରିୟାଗୁଡ଼ିକୁ ସହଜ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହିଁ, ବରଂ ନିବେଶ ଓ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି। ସେ କହିଥିଲେ ଯେ ଏହାର ସବୁଠୁ ସ୍ପଷ୍ଟ ଉଦାହରଣ ହେଉଛି ୧୪ଟି କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିବା। ସେ ଜୋର ଦେଇ କହିଥିଲେ ଯେ, ଆସନ୍ତା ୨୫ ବର୍ଷର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଭାରତ ନୀତି ନିର୍ମାଣ କରୁଛି। ଏହି ସମୟ ମଧ୍ୟରେ, ଭାରତ ଉଚ୍ଚ ଅଭିବୃଦ୍ଧି ଏବଂ କଲ୍ୟାଣ ଓ ଆରୋଗ୍ୟର ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ କରିବା ଲାଗି କାମ କରୁଛି। ଅଭିବୃଦ୍ଧିର ଏହି ସମୟ, ସବୁଜ, ସ୍ଵଚ୍ଛ, ଦୀର୍ଘସ୍ଥାୟୀ ତଥା ଭରସାଯୋଗ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଆଜିର ଜୀବନଶୈଳୀ ଏବଂ ନୀତିଗୁଡ଼ିକର ପରିବେଶଗତ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଆମର ଜୀବନଶୈଳୀ କାରଣରୁ ଜଳବାୟୁ ଉପରେ ପଡ଼ୁଥିବା ପ୍ରଭାବର କାରଣ ଉପରେ ସେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଫିଙ୍ଗାଫୋପଡ଼ା ସଂସ୍କୃତି (ଥ୍ରୋ ଆୱେ କଲଚର୍‌) ଓ ଉପଭୋକ୍ତାବାଦ ଜଳବାୟୁ ସମସ୍ୟାକୁ ଅଧିକ ଗମ୍ଭୀର କରିଛି। ଆଜିର ‘ସଂଗ୍ରହ-ନିର୍ମାଣ-ଉପଯୋଗ-ନିଷ୍ପାଦନ’’ (ଟେକ୍‌ – ମେକ୍‌ – ୟୁଜ – ଡିସ୍ପୋଜ)  ଅର୍ଥବ୍ୟବସ୍ଥା ଠାରୁ ଆମକୁ ‘ଚକ୍ରାକାର ଅର୍ଥବ୍ୟବସ୍ଥା’ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେବାର ଆବଶ୍ୟକତା ରହିଛି। ସିଓପି - ୨୬ ସମ୍ମିଳନୀରେ ସେ ଉଲ୍ଲେଖ କରିଥିବା ‘ମିଶନ ଏଲ.ଆଇ.ଏଫ.ଆଇ’ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଏଲ.ଆଇ.ଏଫ.ଆଇ.କୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ‘ପୃଥିବୀ ଅନୁକୂଳ ମନୁଷ୍ୟ’ ବା ପି-3 ପାଇଁ ଏକ ଦୃଢ଼ ମୂଳଦୁଆ ହୋଇପାରିବ।’’ ଏଲ.ଆଇ.ଏଫ.ଆଇ. ହେଉଛି ପରିବେଶ ଅନୁକୂଳ ଜୀବନଶୈଳୀ ବା ‘ଲାଇଫଷ୍ଟାଇଲ୍‌ ଫର ଏନଭାଇରନମେଣ୍ଟ’। ଏହା ଏପରି ଏକ ସହନଶୀଳ ତଥା ଦୀର୍ଘସ୍ଥାୟୀ ଜୀବନଶୈଳୀ ଯାହା ଭବିଷ୍ୟତର ଯେକୌଣସି ପ୍ରକାରର ଜଳବାୟୁ ସଙ୍କଟ କିମ୍ବା ଅନ୍ୟ ଅପ୍ରତ୍ୟାଶିତ ବିପଦ ମୁକାବିଲା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ। ଏହି ଅବସରରେ ଶ୍ରୀ ମୋଦୀ ମଞ୍ଚକୁ ସୂଚନା ଦେଇଥିଲେ ଯେ, ଜଳବାୟୁ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭାରତର ରେକର୍ଡ ବେଶ ଭଲ ରହିଛି ଏବଂ ଏହା ଧାର୍ଯ୍ୟ ତାରିଖ ପୂର୍ବରୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି।

ବିଶ୍ୱ ବ୍ୟବସ୍ଥାର ପରିବର୍ତ୍ତନଶୀଳ ବାସ୍ତବତା ଅନୁଯାୟୀ ପରିସ୍ଥିତିକୁ ଗ୍ରହଣ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ, ପରିବର୍ତ୍ତିତ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ବିଶ୍ୱବାସୀ ନୂଆ ନୂଆ ଆହ୍ୱାନର ସମ୍ମୁଖିନ ହେଉଛନ୍ତି। ପ୍ରତ୍ୟେକ ରାଷ୍ଟ୍ର ଏବଂ ବିଶ୍ୱସ୍ତରୀୟ ସଂସ୍ଥା ଏଥିପାଇଁ ମିଳିତ ଏବଂ ସହଭାଗୀ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ଆହ୍ୱାନ କରିଥିଲେ। ଯୋଗାଣ ଶୃଙ୍ଖଳାରେ ରହିଥିବା ବାଧା, ମୂଦ୍ରାସ୍ଫୀତି ଏବଂ ଜଳବାୟୁ ପରିବର୍ତ୍ତନ ଆଦି ପ୍ରମୁଖ ଉଦାହରଣ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ମଧ୍ୟ କ୍ରିପ୍ଟୋକରେନ୍ସିର ଉଦାହରଣ ଦେଇଥିଲେ ଯେଉଁଠି ସମ୍ବନ୍ଧୀୟ ପ୍ରଯୁକ୍ତି ଏବଂ ସେଗୁଡ଼ିକ ସହ ଜଡ଼ିତ ଆହ୍ୱାନ କୌଣସି ଗୋଟିଏ ଦେଶର ନିଷ୍ପତ୍ତି ଉପରେ ନିର୍ଭରଶୀଳ ହୋଇନଥାଏ। ଏ କ୍ଷେତ୍ରରେ ସମସ୍ତେ ମିଳିତ ଭାବେ ସହମତ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବିଶ୍ୱସ୍ତରରେ ରହିଥିବା ବହୁପକ୍ଷୀୟ ସଂସ୍ଥାଗୁଡ଼ିକ ବିଶ୍ୱରେ ଦେଖା ଦେଇଥିବା ଏସବୁ ନୂଆ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ସକ୍ଷମ କି ନୁହେଁ ବୋଲି ସେ ପ୍ରଶ୍ନ କରିଥିଲେ । କାରଣ ଏସବୁ ସଂସ୍ଥା ଯେଉଁ ସମୟରେ ଗଠନ କରାଯାଇଥିଲା ସେବେଠାରୁ ବର୍ତ୍ତମାନ ସମୟ ମଧ୍ୟରେ ବିଶ୍ୱ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବହୁପକ୍ଷୀୟ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବା ଲାଗି ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରୟାସ କରିବାର ଆବଶ୍ୟକତା ରହିଛି ଯାହାଫଳରେ ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତର ସମସ୍ୟାକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

 





*********

P.S.

 



(Release ID: 1790711) Visitor Counter : 195