ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ

Posted On: 05 JAN 2022 3:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବଠିଣ୍ଡା ବିମାନ ବନ୍ଦର ଠାରେ ବିମାନରୁ ଅବତରଣ କରିଥିଲେ। ସେଠାରୁ ସେ ହୁସୈନୀୱାଲାସ୍ଥିତ ଜାତୀୟ ସହିଦ ସ୍ମାରକୀକୁ ହେଲିକପ୍ଟର ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ଷା ଏବଂ କମ୍‌ ଆଲୋକ ଥିବାରୁ, ପ୍ରଧାନମନ୍ତ୍ରୀ ପାଗ ସଫା ହେବା ପାଇଁ 20 ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ମାତ୍ର ପାଗରେ କୌଣସି ପରିବର୍ତ୍ତନ ନଆସିବା କାରଣରୁ, ସଡ଼କ ପଥରେ ଜାତୀୟ ସହିଦ ସ୍ମାରକୀ ଗସ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା, ଏଥିପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥାନ୍ତା। ପଞ୍ଜାବ ପୁଲିସ ଡିଜିଙ୍କ ପକ୍ଷରୁ ଜରୁରି ସୁରକ୍ଷା ବ୍ୟବସ୍ଥା କରାଯିବା ନେଇ ଆବଶ୍ୟକ ଆଶ୍ବାସନା ଦିଆଯିବା ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲେ।

ହୁସୈନୀୱାଲାସ୍ଥିତ ଜାତୀୟ ସହିଦ ସ୍ମାରକୀ ଠାରୁ ପାଖାପାଖି 30 କିଲୋମିଟର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦଳ ଏକ ଫ୍ଲାଏଓଭରରେ ପହଞ୍ଚିବା ପରେ କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବା ଦେଖାଯାଇଥିଲା।

ସେହି ଫ୍ଲାଏଓଭରରେ ପ୍ରଧାନମନ୍ତ୍ରୀ ପ୍ରାୟ 15-20 ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ଏକ ଗମ୍ଭୀର ବିଫଳତା ଥିଲା।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ଏବଂ ଯାତ୍ରା ଯୋଜନା ସମ୍ପର୍କରେ ପଞ୍ଜାବ ସରକାରଙ୍କୁ ଖୁବ ସ୍ପଷ୍ଟ ଭାବେ ଆଗୁଆ ସୂଚନା ଦିଆଯାଇଥିଲା। ନିର୍ଦ୍ଧାରିତ ପ୍ରକ୍ରିୟାକୁ ଅନୁସରଣ କରି, ସେମାନଙ୍କ ପକ୍ଷରୁ ଆବଶ୍ୟକ ଯାତାୟାତ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାର ଥିଲା।

ଆକସ୍ମିକ ଯୋଜନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାରଙ୍କୁ ସଡ଼କ ପଥରେ ନିରାପଦ ଯାତ୍ରା ପାଇଁ ଅତିରିକ୍ତ ସୁରକ୍ଷାବଳଙ୍କୁ ନିୟୋଜିତ କରିବାର ଥିଲା। ହେଲେ କୌଣସି ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇନଥିବା ଏଠାରେ ସ୍ପଷ୍ଟ ହୋଇଛି।

ସୁରକ୍ଷାରେ ଏହି ଗମ୍ଭୀର ତ୍ରୁଟି ପରେ, ପ୍ରଧାନମନ୍ତ୍ରୀ ବଠିଣ୍ଡା ବିମାନ ବନ୍ଦରକୁ ଫେରି ଆସିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଏକ ଗୁରୁତର ସୁରକ୍ଷା ବିଫଳତା ଭାବେ ଗ୍ରହଣ କରାଯାଇଛି ଏବଂ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ତଲବ କରାଯାଇଛି।  ସୁରକ୍ଷାରେ ଏହି ତ୍ରୁଟି ପାଇଁ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ରାଜ୍ୟ ସରକାରଙ୍କୁ କୁହାଯାଇଛି।

 

***********

P.S.

 



(Release ID: 1787688) Visitor Counter : 336