ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


୧୫-୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା। ଶିକ୍ଷା ପାଇଁ ହେବ ସହାୟକ

ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ପୂର୍ବବ୍ୟାଧି ପୀଡ଼ିତ ବରିଷ୍ଠ ନାଗରିକମାନଙ୍କ ପାଇଁ ସତର୍କତା ଡୋଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କର ଆତ୍ମବିଶ୍ଵାସ ସୁଦୃଢ଼ କରିବ

ଭୟଭୀତ ନହୋଇ ଓମିକ୍ରନ ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ କଲେ ନିବେଦନ

ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ କଲେ ଆଲୋକପାତ

‘‘ଭୂତାଣୁ ରୂପ ବଦଳାଉ ଥିବା ବେଳେ ସମସ୍ୟାର ମୁକାବିଲା ପାଇଁ ଆମର ସାମର୍ଥ୍ୟ ଓ ଆତ୍ମବିଶ୍ଵାସ, ଆମର ଅଭିନବ ଭାବନା ସହିତ ବହୁଗୁଣିତ ହେଉଛି’’

Posted On: 25 DEC 2021 10:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଜାନୁଆରୀ ୩ ୨୦୨୨, ସୋମବାର ଠାରୁ ୧୫-୧୮ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ଏହା ବିଦ୍ୟାଳୟରେ ଶିକ୍ଷାଦାନକୁ ସ୍ୱାଭାବିକ କରିବା ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମାତାପିତାଙ୍କ ଚିନ୍ତା ଦୂର କରିବ। ସେ ମଧ୍ୟ ୧୦ ଜାନୁଆରୀ ୨୦୨୨, ସୋମବାର ଠାରୁ ଠାରୁ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ସତର୍କତା (ପ୍ରିକସନ) ଡୋଜ୍‌ ଦିଆଯିବାକୁ ଘୋଷଣା କରିଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ସମ୍ମୁଖ ଯୋଦ୍ଧାମାନେ ଖୁବ ଅଧିକ ସମୟ ବିତାଇଥିବା ଦୃଷ୍ଟିରୁ ସେମାନଙ୍କ କଲ୍ୟାଣ ଲାଗି ଏହି ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରାଯାଇଛି। ଭାରତରେ ଏହାକୁ ‘ବୁଷ୍ଟର ଡୋଜ’ କୁହାନଯାଇ ‘ପ୍ରିକସନ ଡୋଜ’ କୁହାଯାଉଛି।  ପ୍ରିକସନ ଡୋଜ୍‌ ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ଫଳରେ ସ୍ୱାସ୍ଥ୍ୟସେବା କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ, ପୂର୍ବରୁ କୌଣସି ବ୍ୟାଧିରେ ପୀଡ଼ିତ 60 ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରିକସନ ଡୋଜ ନେବାର ବିକଳ୍ପ ଉପଲବ୍ଧ ରହିବ। ସେମାନେ ନିଜ ଡାକ୍ତରଙ୍କ ପରାମର୍ଶକ୍ରମେ ୧୦ ଜାନୁଆରୀ, ୨୦୨୨ ଠାରୁ ଏହି ପ୍ରତିଷେଧକ ଟିକା ନେଇପାରିବେ।

ଭାରତରେ ଓମିକ୍ରନ ସଂକ୍ରମଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଭୟଭୀତ ନହେବାକୁ ନିବେଦନ କରିବା ସହିତ ମାସ୍କ ପିନ୍ଧିବା ଓ ଭଲ ଭାବେ ହାତ ସଫା କରିବା ଭଳି ସତର୍କତା ପାଳନ କରିବା ଲାଗି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାମାରୀ ମୁକାବିଲାରେ ବିଶ୍ୱସ୍ତରରୁ ପ୍ରାପ୍ତ ଅଭିଜ୍ଞତା ଆମକୁ ଏକ ଶିକ୍ଷା ଦେଇଛି, ତାହା ହେଉଛି ସମସ୍ତ ମାର୍ଗଦର୍ଶିକା ଅନୁସରଣ କରିବା କରୋନା ବିରୋଧରେ ଲଢ଼େଇର ସବୁଠୁ ବଡ଼ ଅସ୍ତ୍ର। ଦ୍ୱିତୀୟ ଅସ୍ତ୍ର ହେଉଛି ଟିକାକରଣ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରେ ଆରମ୍ଭ କରାଯାଇଥିବା ଟିକାକରଣ ଅଭିଯାନ ୧୪୧ କୋଟି ଡୋଜ୍‌ ଅତିକ୍ରମ କରିଛି। ଏହି ସଫଳତା ପାଇଁ ନାଗରିକ, ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କର ମିଳିତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, ଖୁବଶୀଘ୍ର ଟିକାର ଜରୁରି ଆବଶ୍ୟକତାକୁ ଚିହ୍ନଟ କରାଯାଇଥିଲା ଏବଂ ଟିକା ସମ୍ପର୍କରେ ଗବେଷଣା ସହିତ ଅନୁମୋଦନ ପ୍ରକ୍ରିୟା, ଯୋଗାଣ ଶୃଙ୍ଖଳା, ବିତରଣ, ପ୍ରଶିକ୍ଷଣ, ଆଇଟି ସହାୟକ ବ୍ୟବସ୍ଥା ଓ ପ୍ରାମାଣିକରଣ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ଏସବୁ ପଦକ୍ଷେପ କାରଣରୁ ଦେଶର 61 ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟାଙ୍କୁ ଉଭୟ ଡୋଜ ଟିକା ଦିଆଯାଇସାରିଛି। ସେହିପରି 91 ପ୍ରତିଶତ ପ୍ରାପ୍ତବୟସ୍କ ହିତାଧିକାରୀ ଗୋଟିଏ ଡୋଜ ଟିକା ନେଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭୂତାଣୁ ରୂପ ବଦଳାଉଥିବା ସମୟରେ ସମସ୍ୟାର ମୁକାବିଲା ପାଇଁ ଆମର ସାମର୍ଥ୍ୟ ଓ ଆତ୍ମବିଶ୍ଵାସ, ଆମର ଅଭିନବ ଭାବନା ସହିତ ବହୁଗୁଣିତ ହେଉଛି। ସେ ସୂଚନା ଦେଇଥିଲେ ଯେ ଆଜି ଦେଶରେ ୧୮ ଲକ୍ଷ ସଙ୍ଗରୋଧ (ଆଇସୋଲେସନ) ଶଯ୍ୟା, ୫ ଲକ୍ଷ ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ୧ ଲକ୍ଷ ୪୦ ହଜାର ଆଇସିୟୁ ଶଯ୍ୟା, ପିଲାମାନଙ୍କ ପାଇଁ ୯୦ ହଜାର ସ୍ୱତନ୍ତ୍ର ଆଇସିୟୁ ଏବଂ ଅଣଆଇସିୟୁ ଶଯ୍ୟା, ୩ ହଜାରରୁ ଅଧିକ ପିଏସଏ ଅମ୍ଳଜାନ ପ୍ଲାଣ୍ଟ, ୪ ଲକ୍ଷ ଅମ୍ଳଜାନ ସିଲିଣ୍ଡର ରହିଛି ଏବଂ ରାଜ୍ୟମାନଙ୍କୁ ବହୁ ପରିମାଣରେ ଟିକା ଓ ପରୀକ୍ଷଣ କିଟ୍‌ ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇ କହିଥିଲେ ଯେ ଖୁବଶୀଘ୍ର ଦେଶରେ ନାକ ବାଟେ ଦିଆଯାଉଥିବା ଟିକା ବା ନାଜାଲ ଭାକ୍ସିନ ଏବଂ ବିଶ୍ୱର ପ୍ରଥମ ଡିଏନଏ ଟିକା ବିକଶିତ କରାଯିବ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଆରମ୍ଭରୁ ଭାରତର କରୋନା ମୁକାବିଲା ବୈଜ୍ଞାନିକ ନୀତି, ବୈଜ୍ଞାନିକ ବିଚାରବିମର୍ଶ ଏବଂ ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହୋଇ ରହିଆସିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ 11 ମାସର ଟିକା ଅଭିଯାନ ଅଧିକାଂଶ ଦେଶବାସୀଙ୍କ ଜୀବନରେ ଆଶ୍ଵସ୍ତି ଏବଂ ସ୍ୱାଭାବିକତା ଆଣିଛି। ବିଶ୍ଵର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମ ଦେଶର ଆର୍ଥିକ ଗତିବିଧି ଉତ୍ସାହଜନକ ରହିଆସିଛି। ତେବେ ପ୍ରଧାନମନ୍ତ୍ରୀ ସଚେତନ କରାଇ ଦେଇଥିଲେ ଯେ ଏବେ ସୁଦ୍ଧା କରୋନା ଯାଇନାହିଁ, ତେଣୁ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ଗୁଜବ, ଦ୍ୱନ୍ଦ୍ୱ ଓ ଭୟ ସୃଷ୍ଟି କରିବା ଲାଗି ହେଉଥିବା ଉଦ୍ୟମ ପ୍ରତି ସତର୍କ ରହିବା ଲାଗି ଶ୍ରୀ ମୋଦୀ ସତର୍କ କରାଇ ଦେଇଥିଲେ। ଆଗାମୀ ଦିନରେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାର ପ୍ରୟାସକୁ ସୁଦୃଢ଼ କରିବା ଲାଗି ସେ ନିବେଦନ କରିଥିଲେ।

 

********

P.S.



(Release ID: 1785279) Visitor Counter : 166