ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗ୍ଲାସଗୋରେ କପ୍‌-୨୦ ଶିଖର ସମ୍ମିଳନୀରେ ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ପଦକ୍ଷେପର ଶୁଭାରମ୍ଭକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 02 NOV 2021 8:11PM by PIB Bhubaneshwar

ମହାମାନ୍ୟଗଣ,
-    ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ଆଇଆରଆଇଏସର  ଶୁଭାରମ୍ଭ ଏକ ନୂତନ ଆଶା ଜାଗ୍ରତ କରୁଛି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହା ସବୁଠାରୁ ସହଜଭେଦ୍ୟ ଦେଶଗୁଡିକ ପାଇଁ କିଛି କରିବାର ସନ୍ତୋଷ ଦେଉଛି ।
-    ମୁଁ ଏଥିପାଇଁ ବିପର୍ଯ୍ୟୟ ସହନଶୀଳ ମୌଳିକ ଢାଂଚା ପାଇଁ ମେଂଟ (ସିଡିଆରଆଇ)କୁ ଅଭିନନ୍ଦନ ଜଣାଉଛି । 
-    ଏହି ମହତ୍ୱପୂର୍ଣ୍ଣ ମଂଚ ଉପରେ, ମୁଁ ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ସମସ୍ତ ସହଯୋଗୀ ଦେଶ ଏବଂ ବିଶେଷକରି ମରିସସ୍ ଓ ଜାମାଇକା ସହ ଛୋଟ ଛୋଟ ଦ୍ୱୀପସମୁହର ନେତାମାନଙ୍କର ସ୍ୱାଗତ କରୁଛି, ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।
-    ମୁଁ ଜାତିସଂଘ ମହାସଚିବଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ଯେ ସେ ଏହି ଶୁଭାରମ୍ଭ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛନ୍ତି ।
ମହାମାନ୍ୟଗଣ,
-    ଗତ କିଛି ଦଶନ୍ଧି ସାବ୍ୟସ୍ତ କରିଛି ଯେ ଜଳବାୟୁ ପରିବର୍ତନର ପ୍ରକୋପରୁ କେହି ବି ବର୍ତି ନାହାନ୍ତି । ହୁଏତ ସେସବୁ ବିକଶିତ ଦେଶ ହୁଅନ୍ତୁ ବା ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଦେଶ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏହା ବହୁତ ବଡ ବିପଦ ଅଟେ ।
-    କିନ୍ତୁ ଏଥିରେ ମଧ୍ୟ ଜଳବାୟୁ ପରିବର୍ତନ ଦ୍ୱାରା ସବୁଠାରୁ ଅଧିକ ବିପଦ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡିକ (ଏସଆଇଡିଏସ୍‌) ପ୍ରତି ରହିଛି । ଏହା ସେହିସବୁ ରାଷ୍ଟ୍ର ପାଇଁ ଜୀବନ-ମରଣର କଥା, ଏହା ସେମାନଙ୍କ ଅସ୍ତିତ୍ୱ ପାଇଁ ଆହ୍ୱାନ ଅଟେ । ଜଳବାୟୁ ପରିବର୍ତନ କାରଣରୁ ଦେଖା ଦେଉଥିବା ବିପଦସବୁ, ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ମହାପ୍ରଳୟର ରୂପ ନେଇପାରେ । 
-    ଏଭଳି ଦେଶଗୁଡିକରେ, ଜଳବାୟୁ ପରିବର୍ତନ କେବଳ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ନୁହେଁ ବରଂ ସେମାନଙ୍କ ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ବିରାଟ ଆହ୍ୱାନ ଅଟେ । 
-    ଏହିଭଳି ଦେଶସବୁ ପର୍ଯ୍ୟଟନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପର୍ଯ୍ୟଟକମାନେ ସେମାନଙ୍କ ନିକଟକୁ ଆସିବା ପାଇଁ ଭୟ କରିଥାଆନ୍ତି ।
ବନ୍ଧୁଗଣ,
-    ଏମିତି ତ ଏସଆଇଡିଏସ୍ ଦେଶଗୁଡିକ ଯୁଗଯୁଗରୁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ତିଷ୍ଠି ରହିଛନ୍ତି, ସେମାନେ ପ୍ରକୃତିର ସ୍ୱାଭାବିକ ଚକ୍ର ସହିତ ନିଜକୁ ଖାପଖୁଆଇବା ମଧ୍ୟ ଜାଣିଛନ୍ତି ।
-    କିନ୍ତୁ ଗତ କିିଛି ଦଶନ୍ଧିରେ ହୋଇଥିବା ସ୍ୱାର୍ଥନ୍ୱେଷୀ ବ୍ୟବହାର କାରଣରୁ ପ୍ରକୃତିର ଯେଉଁ ଅସ୍ୱାଭାବିକ ରୂପ ସମ୍ମୁଖକୁ ଆସିଛି, ତାହାର ପରିଣାମ ଆଜି ନିର୍ଦ୍ଦୋଷ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡିକ ଭୋଗୁଛନ୍ତି ।
-    ଏବଂ ଏହି କାରଣରୁ, ମୋ ପାଇଁ ସିଡିଆରଆଇ ତଥା ଆଇଆରଆଇଏସ୍ କେବଳ ଏକ ମୌଳିକ ଢାଂଚାର କଥା ନୁହେଁ ବରଂ ଏହା ମାନବ କଲ୍ୟାଣର ଅତ୍ୟନ୍ତ ସମ୍ବେଦନଶୀଳ ଦାୟିତ୍ୱର ଅଂଶ ଅଟେ । 
-    ଏହା ମାନବଜାତି ପ୍ରତି ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ ।
-    ଏହା ଏକପ୍ରକାର ଆମମାନଙ୍କ ପାପର ସମ୍ମିଳିତ ପ୍ରାୟଶ୍ଚିତ ମଧ୍ୟ ଅଟେ ।
ବନ୍ଧୁଗଣ,
-    ସିଡିଆରଆଇ କୌଣସି ଆଲୋଚନାଚକ୍ରରୁ ବାହାରିଥିବା କଳ୍ପନା ନୁହେଁ ବରଂ ସିଡିଆରଆଇର ଜନ୍ମ  ବର୍ଷ ବର୍ଷର ମନ୍ଥନ ଏବଂ ଅନୁଭବର ଫଳ ଅଟେ ।
-    କ୍ଷୁଦ୍ର ଦ୍ୱୀପ ଦେଶଗୁଡିକ ଉପରେ ଘୋଟି ରହିଥିବା ଜଳବାୟୁ ପରିବର୍ତନର ବିପଦର ଆକଳନ ପୂର୍ବକ ଭାରତ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଏବଂ କାରିକମ ରାଷ୍ଟ୍ରସମୂହ ସହିତ ସହଯୋଗ ପାଇଁ ବିଶେଷ ବ୍ୟବସ୍ଥାମାନ ପ୍ରସ୍ତୁତ କରିଛି ।
-    ଆମେ ସେହିସବୁ ଦେଶର ନାଗରିକମାନଙ୍କୁ ସୌର ପ୍ରଯୁକ୍ତି କ୍ଷେତ୍ରରେ ତାଲିମ ପ୍ରଦାନ କରିଛୁ, ସେଠାରେ ଭିତିଭୂମୀ ବିକାଶ ପାଇଁ ନିରନ୍ତର ଯୋଗଦାନ କରିଛୁ ।
-    ଏହି କ୍ରମରେ, ଆଜି ଏହି ମଂଚରେ ମୁଁ ଭାରତ ପକ୍ଷରୁ ଆଉ ଏକ ନୂଆ ପଦକ୍ଷେପର ଘୋଷଣା କରୁଛି ।
-    ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଏସଆଇଡିଏସ ପାଇଁ ଏକ ସ୍ୱତନ୍ତ୍ର ଡାଟା ୱିଣ୍ଡୋର ନିର୍ମାଣ କରିବ ।
-    ଏହା ଦ୍ୱାରା ଏସଆଇଡିଏସକୁ ଉପଗ୍ରହ ମାଧ୍ୟମରେ ବାତ୍ୟା, ପ୍ରବାଳ ଦ୍ୱାରା ସୃଷ୍ଟ ପ୍ରସ୍ତରର ଅନୁଧ୍ୟାନ, ତଟୀୟ-ରେଖା ତଦାରଖ ଆଦି ବିଷୟରେ ସମୟାନୁବର୍ତୀ  ସୂଚନା ମିଳିପାରିବ ।
ବନ୍ଧୁଗଣ,
-    ଆଇଆରଆଇଏସକୁ ସଫଳ କରିବା ଦିଗରେ ସିଡିଆରଆଇ ଏବଂ ଏସଆଇଡିଏସ୍ ଉଭୟ ମିଳିତ ଭାବେ କାର୍ଯ୍ୟ କରିଛନ୍ତି – ଏହା ସହ-ନିର୍ମାଣ ଏବଂ ସହ-ସୁଫଳର ସୁନ୍ଦର ଉଦାହରଣ ଅଟେ ।
-    ଏଥିପାଇଁ ମୁଁ ଆଜି ଆଇଆରଆଇଏସର ଶୁଭାରମ୍ଭକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । 
-    ଆଇଆରଆଇଏସ ମାଧ୍ୟମରେ, ଏସଆଇଡିଏସକୁ ପ୍ରଯୁକ୍ତି, ଅର୍ଥ, ଜରୁରୀ ସୂଚନା ଦୃତଭାବେ ଗତିଶୀଳ କରାଇବାରେ ସହଜ ହେବ । କ୍ଷୁଦ୍ର ଦ୍ୱୀପଦେଶଗୁଡିକରେ ଉତ୍କୃଷ୍ଟ ଭିତିୂମୀକୁ ପ୍ରୋତ୍ସାହନ ମିଳିବା ଦ୍ୱାରା ସେଠାରେ ଜୀବନ ଏବଂ ଜୀବିକା ଉଭୟକୁ ଲାଭ ମିଳିବ ।
-    ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ବିଶ୍ୱ ଏହିସବୁ ଦେଶକୁ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ଦ୍ୱୀପ ଭାବରେ ବିବେଚନା କରିଥାଏ, କିନ୍ତୁ ମୁଁ ଏହିସବୁ ଦେଶକୁ ବେଶ ସାମର୍ଥ୍ୟବାନ୍ ବୃହତ ସାମୁଦ୍ରିକ ରାଷ୍ଟ୍ର ରୂପରେ ଦେଖୁଛି । ଯେମିତି ସମୁଦ୍ରରୁ ବାହାରୁଥିବା ମୋତିର ମାଳା ସମସ୍ତଙ୍କ ଶୋଭା ବର୍ଦ୍ଧନ କରିଥାଏ, ସେମିତି ହିଁ ସମୁଦ୍ର ଘେରି ରହିଥିବା ଏସଆଇଡିଏସ ବିଶ୍ୱକୁ ଶୋଭାମଣ୍ଡିତ କରିଥାଏ ।
-    ମୁଁ ଆପଣଙ୍କୁ ଭରସା ଦେଉଛି ଯେ ଭାରତ ଏହି ନୂଆ ପ୍ରକଳ୍ପକୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ, ଏବଂ ଏହାର ସଫଳତା ପାଇଁ ସିଡିଆରଆଇ, ଅନ୍ୟ ଅଂଶୀଦାର ଦେଶ ଏବଂ ଜାତିସଂଘ ସହ ମିଶି କାର୍ଯ୍ୟ କରିବ ।
-    ସିଡିଆରଆଇ ଏବଂ ସମସ୍ତ କ୍ଷୁଦ୍ର ଦ୍ୱୀପ ସମୂହକୁ ଏହି ନୂଆ ପଦକ୍ଷେପ ନିମନ୍ତେ ପୁଣି ଥରେ ଅଭିନନ୍ଦନ ଓ ଶୁଭକାମନା ।
ଅନେକ ଅନେକ ଧନ୍ୟବାଦ ।
 

JP



(Release ID: 1769117) Visitor Counter : 215