ଅର୍ଥ ମନ୍ତ୍ରଣାଳୟ

ସରକାରୀ କ୍ରୟ ଏବଂ ପ୍ରକଳ୍ପ ପରିଚାଳନାରେ ସଂସ୍କାର ପାଇଁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ଅର୍ଥ ସଚିବ ଡକ୍ଟର ଟି. ଭି. ସୋମନାଥନ


ସରକାରୀ କ୍ରୟ କ୍ଷେତ୍ର ଏବଂ ପ୍ରକଳ୍ପ କାର୍ଯ୍ୟକାରିତାକୁ ଦ୍ରୁତ, ଦକ୍ଷ ଓ ପାରଦର୍ଶୀ କରିବା ଲାଗି ମାର୍ଗଦର୍ଶିକାରେ କରାଯାଇଛି ପ୍ରୟାସ

Posted On: 29 OCT 2021 5:17PM by PIB Bhubaneshwar

କେନ୍ଦ୍ର ଅର୍ଥ ସଚିବ ଏବଂ ବ୍ୟୟ ସଚିବ ଡକ୍ଟର ଟି.ଭି. ସୋମନାଥନ ସରକାରୀ କ୍ରୟ ଏବଂ ପ୍ରକଳ୍ପ ପରିଚାଳନା କ୍ଷେତ୍ରରେ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିବା ଲାଗି ଆଜି ଭର୍ଚୁଆଲ ମାଧ୍ୟମରେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ସରକାରୀ କ୍ରୟ କ୍ଷେତ୍ରରେ ରହିଥିବା ବର୍ତ୍ତମାନର ନିୟମ ଓ ପ୍ରକ୍ରିୟାକୁ ସମୀକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଚାଲିଥିବା ଏକ ନିରନ୍ତର ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ଏସବୁ ମାର୍ଗଦର୍ଶିକା ପ୍ରସ୍ତୁତ ଏବଂ ଜାରି କରାଯାଇଛି। ୨ ଅକ୍ଟୋବର, ୨୦୨୧ରୁ ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ କ୍ୟାବିନେଟ ସଚିବଙ୍କ ଦ୍ୱାରା ଏହାକୁ ଅନୁଧ୍ୟାନ କରାଯାଉଛି।

ସରକାରୀ କ୍ରୟ ଏବଂ ପ୍ରକଳ୍ପ ପରିଚାଳନା କ୍ଷେତ୍ରର ବିଭିନ୍ନ ବିଶେଷଜ୍ଞମାନଙ୍କୁ ନେଇ ଏକ ବିସ୍ତୃତ ବିଚାରବିମର୍ଶ ପ୍ରକ୍ରିୟା କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି)ଙ୍କ ତତ୍ତ୍ୱାବଧାନରେ ଏହି ମାର୍ଗଦର୍ଶିକାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ବିଭାଗ/ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ମତାମତ ଏବଂ ଅନୁରୋଧକୁ ବିସ୍ତୃତ ଭାବେ ବିଚାରବିମର୍ଶ କରାଯିବା ପରେ ମାର୍ଗଦର୍ଶିକା ଜାରି କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗକୁ ନାମାଙ୍କନ କରାଯାଇଥିଲା।

ଭାରତରେ ସରକାରୀ କ୍ରୟ କ୍ଷେତ୍ରରେ ଏହି ମାର୍ଗଦର୍ଶିକାକୁ ବାସ୍ତବ ରୂପରେ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ କରାଯାଇଛି। ପ୍ରକଳ୍ପଗୁଡ଼ିକୁ ଦ୍ରୁତ, ଦକ୍ଷ ଏବଂ ପାରଦର୍ଶୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଅଭିନବ ନିୟମ ପ୍ରଣୟନ କରିବା ଏବଂ ଜନହିତରେ ଦ୍ରୁତ ଓ ଅଧିକ ଦକ୍ଷ ନିଷ୍ପତ୍ତି ଗ୍ରହଣ ଲାଗି କାର୍ଯ୍ୟକାରୀ ଏଜେନ୍ସିଗୁଡ଼ିକୁ ସଶକ୍ତ କରିବା ଉପରେ ମାର୍ଗଦର୍ଶିକାରେ ଗୁରୁତ୍ୱାରୋପ କରାଯାଇଛି। ନିର୍ଦ୍ଧାରିତ ଅବଧିରେ ଅର୍ଥ ପଇଠ କରିବା ଲାଗି କଠୋର ସମୟସୀମା ନିର୍ଦ୍ଧାରଣ କରିବା ଭଳି କେତେକ ସଂସ୍କାର ପାଇଁ ଏଥିରେ ସୁପାରିସ କରାଯାଇଛି। ବିଶେଷ ଆବଶ୍ୟକତା କ୍ଷେତ୍ରରେ ନିର୍ଦ୍ଧାରିତ ସମୟରେ ଅର୍ଥ ପଇଠ (୭୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ବିଲ ଉଠାଣ) ଫଳରେ ବିଶେଷ କରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଠିକାଦାରଙ୍କ ପାଖରେ ନଗଦ ଅର୍ଥ ଉପଲବ୍ଧତାରେ ସୁଧାର ଆସିପାରିବ।

ସରକାର ଡିଜିଟାଲ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟର ପ୍ରଗତି ଅନୁଧ୍ୟାନ ନିମନ୍ତେ ଇଲେକ୍ଟ୍ରୋନିକ୍ସ ମେଜରମେଣ୍ଟ ବୁକ୍ସକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବା ଲାଗି ଏଥିରେ ସୁପାରିସ କରାଯାଇଛି। ଏହି ବ୍ୟବସ୍ଥା ସହିତ ଅନ୍ୟ ଆଇଟି ଆଧାରିତ ସମାଧାନ କାର୍ଯ୍ୟକାରୀ କରିବା ଲାଗି ମାର୍ଗଦର୍ଶିକାରେ ପ୍ରସ୍ତାବ ଦିଆଯାଇଛି। ଏହା ଦକ୍ଷ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ସହିତ ଠିକାଦାରମାନଙ୍କ ପାଇଁ ଦ୍ରୁତ ଅର୍ଥ ପଇଠର ସୁବିଧା ପ୍ରଦାନ କରିବ ଏବଂ ବିବାଦ ହ୍ରାସ କରିବ।

ଠିକାଦାରମାନଙ୍କ ଚୟନ ଲାଗି ବିକଳ୍ପ ପଦ୍ଧତି ଆପଣାଇବାକୁ ଅନୁମତି ଦିଆଯାଇଛି, ଯାହାକି ପ୍ରକଳ୍ପଗୁଡ଼ିକର ଦ୍ରୁତ ଏବଂ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବ। ଉପଯୁକ୍ତ କ୍ଷେତ୍ରରେ, ପାରମ୍ପରିକ ଏଲ ୱାନ ବ୍ୟବସ୍ଥାର ଏକ ବିକଳ୍ପ ଭାବେ ଗୁଣବତ୍ତା ତଥା ମୂଲ୍ୟ ଆଧାରିତ ଚୟନ (କ୍ୟୁସିବିଏସ) ବ୍ୟବସ୍ଥା ଜରିଆରେ ପ୍ରସ୍ତାବର ମୂଲ୍ୟାଙ୍କନ ସମୟରେ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ଗୁଣବତ୍ତା ମାନଦଣ୍ଡକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ।

ନିର୍ଦ୍ଧାରିତ ସମୟରେ, ଅନୁମୋଦିତ ଖର୍ଚ୍ଚ ସୀମା ମଧ୍ୟରେ ଏବଂ ଭଲ ଗୁଣବତ୍ତା ସହିତ ସର୍ବସାଧାରଣ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ସବୁବେଳେ ଏକ ଆହ୍ୱାନ ହୋଇଥାଏ। ଆର୍ଥିକ ବିକାଶର ଗତି ଦ୍ରୁତ ହେଉଥିବାରୁ, ଟିକସଦାତାଙ୍କ ଅର୍ଥର ମୂଲ୍ୟ ବୃଦ୍ଧି ନିମନ୍ତେ ଅବାଞ୍ଝିତ ବାଧା ଦୂର କରିବା ଓ ନୂଆ ପଦ୍ଧତିକୁ ଆପଣାଇବା ଲାଗି ପକ୍ରିୟା ଏବଂ ନିୟମକୁ ସାବଧାନତାପୂର୍ବକ ଯାଞ୍ଚ କରିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି।

କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି), ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସିଏଜି) ଏବଂ ନେସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗଙ୍କ ପକ୍ଷରୁ ସରକାରୀ କ୍ରୟ ଲାଗି ରହିଥିବା ପ୍ରକ୍ରିୟା ଓ ନିୟମକୁ ବିସ୍ତୃତ ଭାବେ ବିଶ୍ଳେଷଣ କରାଯାଇଥିଲା ଏବଂ ବର୍ତ୍ତମାନ ଓ ଭବିଷ୍ୟତର ସରକାରୀ କ୍ରୟ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ମୁକାବିଲା ପାଇଁ ରଣନୀତିରେ ପରିବର୍ତ୍ତନ ଆଣିବା ଲାଗି ପରାମର୍ଶ ଦିଆଯାଇଥିଲା।

https://doe.gov.in/sites/default/files/General%20Instructions%20on%20Procurement%20and%20Project%20Management.pdf

****

PS



(Release ID: 1767559) Visitor Counter : 223