ଅର୍ଥ ମନ୍ତ୍ରଣାଳୟ

ସାମଗ୍ରୀ ଏବଂ ଅଣ-ପରାମର୍ଶ ସେବା କ୍ରୟ ନିମନ୍ତେ ମଡେଲ ଟେଣ୍ଡର ଦସ୍ତାବିଜ (ଏମଟିଡି) ଜାରି କଲେ କେନ୍ଦ୍ର ଅର୍ଥ ସଚିବ ଏବଂ ବ୍ୟୟ ସଚିବ ଡକ୍ଟର ଟି.ଭି. ସୋମନାଥନ


ବିଶେଷ କରି ଇ-କ୍ରୟ ଆବଶ୍ୟକତା ପୂରଣ, ସରକାରୀ କ୍ରୟରେ ଡିଜିଟାଇଜେସନ ପ୍ରକ୍ରିୟାକୁ ସରଳ କରିବା ଏବଂ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ହାସଲରେ ସହାୟକ ହେବ ଏମଟିଡି

Posted On: 29 OCT 2021 4:27PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ବର୍ତ୍ତମାନର ନିୟମ ଓ ପ୍ରକ୍ରିୟାକୁ ସମୀକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜାରି ରହିଥିବା ଏକ ନିରନ୍ତର ପ୍ରକ୍ରିୟାର  ଅଂଶବିଶେଷ ଭାବେ କେନ୍ଦ୍ର ଅର୍ଥ ସଚିବ ଏବଂ ବ୍ୟୟ ସଚିବ ଡକ୍ଟର ଟି.ଭି. ସୋମନାଥନ ସାମଗ୍ରୀ ଏବଂ ଅଣ-ପରାମର୍ଶ ସେବା କ୍ରୟ ନିମନ୍ତେ ମଡେଲ ଟେଣ୍ଡର ଦସ୍ତାବିଜ (ଏମଟିଡି) ଉନ୍ମୋଚନ କରିଛନ୍ତି।

ଇ-କ୍ରୟ ସଂକ୍ରାନ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ଏମଟିଡିକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି। ଏହା ଇ-କ୍ରୟ ପ୍ରକ୍ରିୟାକୁ ସହଜ କରିବ ଏବଂ ଇ-ପ୍ରଶାସନକୁ ସହଜ ଓ ଦକ୍ଷ କରିବା ଲାଗି ସରକାରଙ୍କ ଆକାଂକ୍ଷାକୁ ପୂରଣ କରିବ । ସରକାରୀ କ୍ରୟରେ ଡିଜିଟାଲ ପ୍ରକ୍ରିୟାକୁ ସରଳ ଏବଂ ମାନକୀକୃତ କରିବା ମାଧ୍ୟମରେ ଏପରି ପ୍ରୟାସ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସହାୟକ ହୋଇପାରିବ।

ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ ପାଇଁ ସରକାରଙ୍କ ଲାଗି ଟେଣ୍ଡର ଦସ୍ତାବିଜ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଏବଂ ଏହି କାରଣରୁ ଭୂମିଗତ ସ୍ତରରେ ନୀତିଗତ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଏହା ଅତ୍ୟନ୍ତ ଜରୁରି। ସରକାରୀ ନୀତିକୁ ପ୍ରଭାବୀ, ସ୍ଥିର ଓ ସମରୂପୀ ଢଙ୍ଗରେ ଉପସ୍ଥାପନ କରିବାରେ ଟେଣ୍ଡର ଦସ୍ତାବିଜର ବ୍ୟବସ୍ଥିତ ସେଟ ସହାୟକ ହୋଇଥାଥାଏ। ସରକାରୀ କ୍ରୟ ନୀତି ଓ ଯୋଜନାର ବ୍ୟାଖ୍ୟା ଏବଂ ଆବେଦନରେ ସମରୂପତା ଆବେଦନର ସ୍ପଷ୍ଟତାକୁ ଦର୍ଶାଇଥାଏ, ଯାହାଫଳରେ ଅନୁପାଳନ ବୃଦ୍ଧି ହୋଇଥାଏ ଏବଂ କ୍ରୟ ପ୍ରକ୍ରିୟାରେ ଜନସାଧାରଣଙ୍କର ବିଶ୍ୱାସ ବୃଦ୍ଧି ପାଇଥାଏ। ଆହୁରି, ସର୍ବୋତ୍ତମ କ୍ରୟ ବ୍ୟବସ୍ଥାକୁ ପ୍ରସାରିତ କରିବା ବ୍ୟତୀତ, ସମାନ ଟେଣ୍ଡର ଦସ୍ତାବିଜ ନୀତିଗତ ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ବଢ଼ାଇଥାଏ, ଅର୍ଥବ୍ୟବସ୍ଥାରେ ବ୍ୟାପକତା ଆଣିଥାଏ ଏବଂ ପ୍ରତିଯୋଗିତାକୁ ବଢ଼ାଇଥାଏ। ଟିକସଦାତାଙ୍କ ଅର୍ଥର ଉଚିତ ମୂଲ୍ୟ ଦେବା ଲାଗି ଏହା ଅଧିକ ଦକ୍ଷ ବଜାର ସ୍ଥିତି ସୃଷ୍ଟି କରିଥାଏ। ବିଡରମାନେ ମଧ୍ୟ ସେମାନଙ୍କର ଉତ୍ପାଦ ପାଇଁ ବଡ଼ ବଜାର ସୁବିଧା ପାଇଥାନ୍ତି।

ତଦନୁଯାୟୀ, ବର୍ତ୍ତମାନ ସାମଗ୍ରୀ ଓ ଅଣ-ପରାମର୍ଶ ସେବାର କ୍ରୟ ପାଇଁ ମଡେଲ ଟେଣ୍ଡର ଦସ୍ତାବିଜ (ଏମଟିଡି) ବିକଶିତ କରାଯାଇଛି। ଏହି ଏମଟିଡି ଟେଣ୍ଡର ଦସ୍ତାବିଜର ଢାଞ୍ଚାକୁ ଯୁକ୍ତିଯୁକ୍ତ ଏବଂ ସରଳ କରିବ । ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ନୀତି ଭଳି ବିଭିନ୍ନ ସରକାରୀ କ୍ରୟ ନୀତି ସହ ବ୍ୟବସ୍ଥାକୁ ଯୋଡ଼ିବା ସହିତ ଏହା ମେକ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦେବ ଏବଂ ଷ୍ଟାର୍ଟ-ଅପ୍ସକୁ ଲାଭ ପହଞ୍ଚାଇବ। ସେହିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ଏମଟିଡି ସହାୟକ ହୋଇପାରିବ। ମନ୍ତ୍ରଣାଳୟ/ବିଭାଗ/କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ, ଅନ୍ୟ ସଂଗଠନ ଓ ବ୍ୟକ୍ତିଗତ ବିଶେଷଷଜ୍ଞମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ କରିବା ପରେ ଦୁଇଟି ପର୍ଯ୍ୟାୟରେ ଏମଟିଡିକୁ ବିକଶିତ କରାଯାଇଛି।

ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ଏମଟିଡି ମାର୍ଗଦର୍ଶୀ ଟେମ୍ପଲେଟ୍ ଭାବେ କାର୍ଯ୍ୟ କରିବ। ଭାରତ ସରକାର ଡିଜିଟାଲ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଉଛନ୍ତି, ଏହାକୁ ଦୃଷ୍ଟିରେ ରଖି ଏମଟିଡିକୁ ସଫ୍ଟ ଟେମ୍ପଲେଟ୍ ଆକାରରେ ଜାରି କରାଯାଇଛି। ଫଳରେ ଏହା ବ୍ୟବହାରକାରୀ ବିଭାଗଗୁଡ଼ିକ ପାଇଁ କଷ୍ଟମାଇଜେସନ ବା ନିଜ ସୁବିଧା ଅନୁଯାୟୀ ଆବଶ୍ୟକ ପରିବର୍ତ୍ତନକୁ ସହଜ କରିବ । ସ୍ଥାନୀୟ/ବିଶେଷ ଆବଶ୍ୟକତା ଅନୁଯାୟୀ ଏହି ଦସ୍ତାବିଜକୁ ସହଜରେ ପରିବର୍ତ୍ତନ କରିବା ଲାଗି ମନ୍ତ୍ରଣାଳୟ/ବିଭାଗ ଗୁଡ଼ିକୁ କ୍ଷମତା ଦିଆଯାଇଛି। ସମସ୍ତ ଏମଟିଡିକୁ କାର୍ଯ୍ୟକାରୀ କରିବା ଲାଗି କ୍ରୟ ଅଧିକାରୀମାନଙ୍କୁ ସହାୟତା ନିମନ୍ତେ ପ୍ରତ୍ୟେକ ଏମଟିଡିର ଉପଯୁକ୍ତ ବ୍ୟବହାର ପାଇଁ ଭିନ୍ନ ବିସ୍ତୃତ ମାର୍ଗଦର୍ଶିକା ନୋଟ୍ ପ୍ରସ୍ତୁତ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଏମଟିଡି ଜାରି କରାଯାଇଥିବା ବେଳେ ଏହା ମାର୍ଗଦର୍ଶୀ ଟେମ୍ପଲେଟ୍ ଭାବେ କାର୍ଯ୍ୟ କରିବ।

ସରକାରୀ ସଂଗଠନଗୁଡ଼ିକ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଅନୁପାଳନ କରିବା ଲାଗି ବିଭିନ୍ନ ସାମଗ୍ରୀ ଏବଂ ଅଣ-ପରାମର୍ଶ ସେବା କ୍ରୟ କରିଥାନ୍ତି। ଉତ୍ତମ ପ୍ରଶାସନ, ପାରଦର୍ଶିତା, ସ୍ୱଚ୍ଛତା, ପ୍ରତିଯୋଗିତା ଏବଂ ସରକାରୀ କ୍ରୟରେ ଟଙ୍କାର ମୂଲ୍ୟରେ ସୁଧାର ଆଣିବା ଲାଗି ଭାରତ ସରକାର ନିକଟ ଅତୀତରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୦୧୭ରେ ବିସ୍ତୃତ ସମୀକ୍ଷା ପରେ ସାଧାରଣ ଆର୍ଥିକ ନିୟମାବଳୀ ଜାରି କରାଯାଇଥିଲା। ଏହା ବ୍ୟତୀତ ସାମଗ୍ରୀ କ୍ରୟ ମାନୁଆଲ ୨୦୧୭, ପରାମର୍ଶ ଓ ଅନ୍ୟ ସେବା କ୍ରୟ ପାଇଁ ମାନୁଆଲ ୨୦୧୭ ଏବଂ କାର୍ଯ୍ୟ କ୍ରୟ ନିମନ୍ତେ ମାନୁଆଲ ୨୦୧୯ ଆଦି ତିନୋଟି କ୍ରୟ ମାନୁଆଲ ବିକଶିତ କରାଯାଇଛି।

ବର୍ତ୍ତମାନର ନିୟମାବଳୀ ଓ ପ୍ରକ୍ରିୟାକୁ ସମୀକ୍ଷା କରିବାର ଅଂଶବିଶେଷ ଭାବେ ଏହି ମଡେଲ ଟେଣ୍ଡର ଦସ୍ତାବିଜ ପ୍ରସ୍ତୁତ ତଥା ଉନ୍ମୋଚନ କରାଯାଇଛି ଏବଂ ଏହାକୁ ୨ ଅକ୍ଟୋବର, ୨୦୨୧ରୁ ୩୧ ଅକ୍ଟୋବର, ୨୦୨୧ ସମୟରେ ଜାରି ରହିଥିବା ଏକ ବିଶେଷ ଅଭିଯାନ ଅନ୍ତର୍ଗତ କ୍ୟାବିନେଟ ସଚିବଙ୍କ ଦ୍ୱାରା ଏହାର ଅନୁଧ୍ୟାନ କରାଯାଉଛି।

 

****

RM/KMN



(Release ID: 1767522) Visitor Counter : 158