ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ


ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ଏହାର ଇତିହାସ ମାନବାଧିକାର ପାଇଁ ଏକ ଶ୍ରେଷ୍ଠ ପ୍ରେରଣାର ଉତ୍ସ : ପ୍ରଧାନମନ୍ତ୍ରୀ

ଆମ ବାପୁଙ୍କୁ ସାରା ବିଶ୍ୱ ମାନବ ଅଧିକାର ଏବଂ ମାନବୀୟ ମୂଲ୍ୟବୋଧର ପ୍ରତୀକ ଭାବେ ଦେଖିଥାଏ : ପ୍ରଧାନମନ୍ତ୍ରୀ

ମାନବାଧିକାର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଛି : ପ୍ରଧାନମନ୍ତ୍ରୀ

ତିନି ତଲାକ୍ ବିରୋଧରେ ଆଇନ ପ୍ରଣୟନ କରି ଆମେ ମୁସଲିମ ମହିଳାମାନଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ : ପ୍ରଧାନମନ୍ତ୍ରୀ

କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି, ଏହି ଉପଲବ୍ଧି ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି : ପ୍ରଧାନମନ୍ତ୍ରୀ

ମାନବାଧିକାରର ପକ୍ଷପାତପୂର୍ଣ୍ଣ ବ୍ୟାଖ୍ୟା ପ୍ରତି ସତର୍କ ରହିବା ଲାଗି ଚେତାଇ ଦେଲେ ପ୍ରଧାନମନ୍ତ୍ରୀ

ରାଜନୀତି ଏବଂ ରାଜନୈତିକ ଲାଭ କ୍ଷତିର ଦୃଷ୍ଟିରେ ଦେଖାଗଲେ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହୋଇଥାଏ : ପ୍ରଧାନମନ୍ତ୍ରୀ

ଅଧିକାର ଏବଂ କର୍ତ୍ତବ୍ୟ ହେଉଛି ଦୁଇଟି ମାର୍ଗ ଯାହା ଉପରେ ଅଗ୍ରସର ହୋଇ ମାନବୀୟ ବିକାଶ ଏବଂ ମାନବୀୟ ସମ୍ମାନ ରକ୍ଷା ସମ୍ଭବ ହୋଇଥାଏ : ପ୍ରଧାନମନ୍ତ୍ରୀ

Posted On: 12 OCT 2021 12:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଏହାର ଇତିହାସ ଭାରତ ପାଇଁ ମାନବାଧିକାର ଏବଂ ମାନବାଧିକାର ମୂଲ୍ୟବୋଧର ସର୍ବଶ୍ରେଷ୍ଠ ପ୍ରେରଣା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ରାଷ୍ଟ୍ର, ଏକ ସମାଜ ଭାବେ ଆମେ ଅନ୍ୟାୟପୂର୍ଣ୍ଣ ଅତ୍ୟାଚାରକୁ ପ୍ରତିରୋଧ କରି ଆସିଛୁ, ବହୁ ଦଶନ୍ଧି ଧରି ଆମର ଅଧିକାର ପାଇଁ ସଂଘର୍ଷ କରିଛୁ । ଏମିତି ଏକ ସମୟ ଥିଲା ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧର ହିଂସାରେ ସାରା ବିଶ୍ୱ ଜଳୁଥିଲା । ଏହି ସମୟରେ ଭାରତ ସାରା ବିଶ୍ୱକୁ ଅଧିକାର ଏବଂ ଅହିଂସାର ମାର୍ଗ ପ୍ରଦର୍ଶିତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେବଳ ଭାରତ ନୁହେଁ, ସାରା ବିଶ୍ୱ ଆମ ବାପୁଙ୍କୁ ମାନବାଧିକାର ଏବଂ ମାନବୀୟ ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଦେଖିଥାଏ । ଏପରିକି ଅଧିକାଂଶ ସମୟରେ ସାରା ବିଶ୍ୱ ଭ୍ରମ ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ପଡ଼ିଥିବା ବେଳେ ମାନବାଧିକାର ପାଇଁ ଭାରତ ସ୍ଥିର ଏବଂ ସମ୍ବେଦନଶୀଳ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାନବାଧିକାରର ବିଚାର ଗରିବଙ୍କ ସମ୍ମାନ ସହିତ ନିବିଡ଼ ଭାବେ ଜଡ଼ିତ । ସେ କହିଥିଲେ ଯେ, ଯେତେବେଳେ ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ସରକାରୀ ଯୋଜନାର ସମାନ ହକ୍ ପାଇବାରୁ ବଞ୍ଚିତ ହୋଇଥାନ୍ତି, ସେତେବେଳେ ମାନବାଧିକାରର ପ୍ରଶ୍ନ ଉଠିଥାଏ । ଗରିବଙ୍କ ସମ୍ମାନ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଜଣେ ଗରିବ ବ୍ୟକ୍ତି ଶୌଚାଳୟ ସୁବିଧା ପାଇଲେ ଖୋଲାରେ ମଳତ୍ୟାଗ କରିବାରୁ ମୁକ୍ତ ହୋଇଥାଏ, ତାକୁ ସମ୍ମାନ ମିଳିଥାଏ । ଅନୁରୂପ ଭାବେ ବ୍ୟାଙ୍କକୁ ଯିବା ଲାଗି କୁଣ୍ଠାବୋଧ କରୁଥିବା ଜଣେ ଗରିବ ବ୍ୟକ୍ତି ଜନ ଧନ ଆକାଉଣ୍ଟ ପାଇଲେ ତାର ସମ୍ମାନ ସୁନିଶ୍ଚିତ ହୋଇଥାଏ ବୋଲି ସେ କହିଥିଲେ । ସେହିପରି ରୁପେ କାର୍ଡ, ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଏବଂ ମହିଳାମାନଙ୍କୁ ପକ୍କା ଘରର ମାଲିକାନା ଆଦି ଏ ଦିଗରେ କେତେକ ପ୍ରମୁଖ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଗତ କିଛି ବର୍ଷ ହେବ, ବିଭିନ୍ନ ସ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଅନ୍ୟାୟ ଦୂର କରିବା ଲାଗି ସରକାର ପ୍ରୟାସ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁ ଦଶନ୍ଧି ଧରି ମୁସଲିମ ମହିଳାମାନେ ତିନି ତଲାକ୍ ବିରୋଧରେ ଆଇନ ଆଣିବା ଲାଗି ଦାବି କରି ଆସୁଥିଲେ । ତିନି ତଲାକ୍ ବିରୋଧରେ ଆଇନ ଆଣି ଆମେ ମୁସଲିମ ମହିଳାମାନଙ୍କୁ ନୂଆ ଅଧିକାର ପ୍ରଦାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ, ମହିଳାମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ର ଖୋଲାଯାଇଛି ଏବଂ ଦିନରାତି ସେମାନଙ୍କୁ ସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ଦିଆଯିବା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ସେ କହିଥିଲେ ଯେ, କର୍ମଜୀବୀ ମହିଳାମାନଙ୍କ ପାଇଁ ଭାରତ ୨୬ ସପ୍ତାହର ମାତୃତ୍ୱ ଅବକାଶ ସୁନିଶ୍ଚିତ କରିଛି, ଏହି ଉପଲବ୍ଧି ବହୁ ବିକଶିତ ଦେଶ ସୁଦ୍ଧା ହାସଲ କରିପାରିନାହାନ୍ତି । ଅନୁରୂପ ଭାବେ ତୃତୀୟ ଲିଙ୍ଗୀ, ଶିଶୁ, ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମୁଦାୟଙ୍କ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ତାଲିକା ପ୍ରଧାନମନ୍ତ୍ରୀ ଦେଇଥିଲେ ।

ସଦ୍ୟସମାପ୍ତ ପାରା ଅଲିମ୍ପିକ୍ସରେ ପାରା ଆଥଲେଟ ମାନଙ୍କର ପ୍ରେରଣାଦାୟୀ ପ୍ରଦର୍ଶନ ବିଷୟରେ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ଦିବ୍ୟାଙ୍ଗ ଜନଙ୍କ କଲ୍ୟାଣ ପାଇଁ ଆଇନ ପ୍ରଣୟନ କରାଯାଇଛି । ସେମାନଙ୍କୁ ନୂଆ ସୁବିଧା ସହିତ ଯୋଡ଼ାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ଅଟ୍ଟାଳିକା ନିର୍ମାଣ କରାଯାଉଛି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭାଷାକୁ ମାନକୀକୃତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ମହାମାରୀ ସମୟରେ, ଗରିବ, ଅସହାୟ ଏବଂ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ପ୍ରବାସୀ ଶ୍ରମିକମାନେ ବାଧାମୁକ୍ତ ଭାବେ ଖାଦ୍ୟଶସ୍ୟ ପାଇପାରୁଛନ୍ତି ।

ମାନବାଧିକାରର ପକ୍ଷପାତପୂର୍ଣ୍ଣ ବ୍ୟାଖ୍ୟା ଏବଂ ମାନବାଧିକାରକୁ ବ୍ୟବହାର କରି ଦେଶର ଛବିକୁ ଖରାପ କରିବା ଲାଗି ହେଉଥିବା ଉଦ୍ୟମ ପ୍ରତି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ, କିଛି ଲୋକ ନିଜର ସ୍ୱାର୍ଥ ଅନୁଯାୟୀ, ନିଜସ୍ୱ ଦୃଷ୍ଟି କୋଣରେ ମାନବାଧିକାରର ବ୍ୟାଖ୍ୟା କରିବା ଆରମ୍ଭ କରିଛନ୍ତି । ଗୋଟିଏ ପରିସ୍ଥିତିକୁ ମାନବାଧିକାର ଉଲ୍ଲଙ୍ଘନ ଭାବେ ଦେଖିବା ଏବଂ ଅନ୍ୟ ଏକ ସମାନ ପରିସ୍ଥିତିକୁ ଗ୍ରହଣ ନକରିବାର ମନୋବୃତି ଯୋଗୁ ମାନବଧିକାର ସୁରକ୍ଷା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ ବୋଲି ସେ କହିଥିଲେ । ସେ ମଧ୍ୟ କହିଥିଲେ ଯେ, ରାଜନୀତି ଏବଂ ରାଜନୈତିକ ଲାଭ କ୍ଷତିର ଦୃଷ୍ଟିରେ ଦେଖାଗଲେ ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ ହୋଇଥାଏ । ଏପରି ପକ୍ଷପାତପୂର୍ଣ୍ଣ ବ୍ୟବହାର ଗଣତନ୍ତ୍ରକୁ ମଧ୍ୟ ସମାନ ଭାବେ କ୍ଷତିଗ୍ରସ୍ତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାନବାଧିକାର କେବଳ ଆମର ଅଧିକାର ସହ ଜଡ଼ିତ ନୁହେଁ ବରଂ ଆମ କର୍ତ୍ତବ୍ୟ ସହ ମଧ୍ୟ ଜଡ଼ିତ । ଅଧିକାର ଏବଂ କର୍ତ୍ତବ୍ୟ ସେହି ଦୁଇଟି ମାର୍ଗ ଯାହା ଉପରେ ମାନବୀୟ ବିକାଶ ଏବଂ ମାନବୀୟ ସମ୍ମାନ ରକ୍ଷା ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧିକାର ଭଳି କର୍ତ୍ତବ୍ୟ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜୋର ଦେଇ କହିଥିଲେ । କର୍ତ୍ତବ୍ୟ ଏବଂ ଅଧିକାରକୁ ପୃଥକ ଭାବେ ଦେଖାଯିବା ଉଚିତ୍ ନୁହେଁ କାରଣ ଉଭୟ ପରସ୍ପରର ଅନୁପୂରକ ।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷରେ ଭବିଷ୍ୟତ ପିଢ଼ିର ମାନବାଧିକାର ବିଷୟରେ ଉଲ୍ଲେଖ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଅନ୍ତର୍ଜାତୀୟ ସୌର ମେଣ୍ଟ, ଅକ୍ଷୟ ଶକ୍ତି ଲକ୍ଷ୍ୟ ଏବଂ ହାଇଡ୍ରୋଜେନ ମିଶନ ଭଳି ପଦକ୍ଷେପ ଜରିଆରେ ଭାରତ ଦ୍ରୁତ ଗତିରେ ଦୀର୍ଘସ୍ଥାୟୀ ଜୀବନ ଏବଂ ପରିବେଶ ଅନୁକୂଳ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ।

 




*******

P.S.



(Release ID: 1763222) Visitor Counter : 217