ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଫିଟ୍ ଇଣ୍ଡିଆ କ୍ୱିଜ ପାଇଁ ୨ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ନିଃଶୁଳ୍କ ପଞ୍ଜିକରଣ ଘୋଷଣା କଲେ କ୍ରୀଡା ମନ୍ତ୍ରାଳୟ

Posted On: 14 SEP 2021 11:23AM by PIB Bhubaneshwar

ମୁଖ୍ୟ ତଥ୍ୟ  

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଓ ଉତ୍ତମ ସ୍ୱାସ୍ଥ୍ୟ (ଫିଟନେସ) ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରଥମ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା, ଫିଟ୍ ଇଣ୍ଡିଆ କ୍ୱିଜ ସେପ୍ଟେମ୍ବର ୧ରେ ଲଂଚ କରାଯାଇଥିଲା । 

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପିଲାଙ୍କ ଦେଶର ପ୍ରଥମ ଫିଟନେସ ଓ ଖେଳ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା, ଫିଟ୍ ଇଣ୍ଡିଆ କ୍ୱିଜକୁ ଅଂଶଗ୍ରହଣକାରୀଙ୍କ ପାଇଁ ଆହୁରି ଅଧିକ ଆକର୍ଷଣୀୟ କରାଯାଇଛି । ସାରା ଭାରତର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଉପହାର ସ୍ୱରୂପ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଘୋଷଣା କରିଛନ୍ତି, ଏକ ଲକ୍ଷ ସ୍କୁଲ ଦ୍ୱାରା ନାମାଙ୍କିତ ପ୍ରଥମ ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ନିଃଶୁଳ୍କ କରାଯିବ । ନିଃଶୁଳ୍କ ପଞ୍ଜିକରଣ ପାଇଁ ପ୍ରତ୍ୟେକ ସ୍କୁଲ ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ ନୀତି ଅନୁଯାୟୀ ସର୍ବାଧିକ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ନାମାଙ୍କିତ କରିପାରିବେ ।

ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫିଟନେସ ଓ ଖେଳ ପ୍ରତି ସଚେତନତା ବୃଦ୍ଧି ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପିତ ଫିଟ ଇଣ୍ଡିଆ ଅଭିଯାନର ଅଂଶବିଶେଷ ଭାବେ ଫିଟ୍ ଇଣ୍ଡିଆ କ୍ୱିଜ ଲଂଚ କରାଯାଇଛି, ଯାହା ସୁସ୍ଥ ଜୀବନ ଜୀଇଁବାର ମହତ୍ତ୍ୱ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅଧିକ ଛାତ୍ରଛାତ୍ରୀଙ୍କୁ ଫିଟ୍ ଇଣ୍ଡିଆ କ୍ୱିଜରେ ଯୋଗ ଦେବାକୁ ପ୍ରେରିତ କରିବା ପାଇଁ ଏକ ଲକ୍ଷ ସ୍କୁଲ ଦ୍ୱାରା ନାମାଙ୍କିତ ପ୍ରଥମ ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଶୁଳ୍କ ଛାଡ କରାଯାଇଛି ବୋଲି ଶ୍ରୀ ଠାକୁର କହିଛନ୍ତି । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ଠାକୁର ସେପ୍ଟେମ୍ବର ୧ରେ ଖେଳ ଓ ଫିଟନେସ ସମ୍ପର୍କିତ ପ୍ରଥମ ଜାତୀୟସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ଫିଟ୍ ଇଣ୍ଡିଆ କ୍ୱିଜ ଲଂଚ କରିଥିଲେ । ଏହି ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ପୁରସ୍କାର ରାଶି ୩.୨୫ କୋଟି ଟଙ୍କା ରହିଥିବା ବେଳେ ପ୍ରତିଯୋଗିତାର ଜାତୀୟ ପର୍ଯ୍ୟାୟ ଷ୍ଟାର ସ୍ପୋର୍ଟରେ ପ୍ରସାରିତ ହେବ । 

ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଏହି କ୍ୱିଜରେ ଭାଗ ନେବେ ଓ ପ୍ରତିଯୋଗିତାରେ ଅନଲାଇନ ତଥା ପ୍ରସାରଣ ପର୍ଯ୍ୟାୟ ମିଶ୍ରିତ ଭାବେ ରହିବ । ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀ ଯେପରି ନିଜ ନିଜ ଫିଟନେସ ଓ କ୍ରୀଡା ଜ୍ଞାନ ପରୀକ୍ଷଣ ସୁଯୋଗ ପାଇପାରିବେ ସେହିପରି ଭାବେ ଏହି ପ୍ରତିଯୋଗିତାର ବିନ୍ୟାସ ହୋଇଛି ।

ଫିଟ ଇଣ୍ଡିଆ କ୍ୱିଜରେ ଭାଗ ନେବାର ବିବରଣୀ ଫିଟ୍ ଇଣ୍ଡିଆ ଓ୍ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି ।  

SR



(Release ID: 1754863) Visitor Counter : 201