ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-୧୯ ଜନିତ ପରିସ୍ଥିତି ଏବଂ ଟିକାକରଣର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ


ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପ୍ରସାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ବିସ୍ତୃତ ସୂଚନା

ପ୍ରତ୍ୟେକ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଔଷଧ ମହଜୁଦ କରି ରଖିବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ଆସନ୍ତା କିଛି ମାସ ପାଇଁ ଟିକାର ଉତ୍ପାଦନ, ଯୋଗାଣର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆ ମ୍ୟୁଟାଣ୍ଟ ଉପରେ ନଜର ରଖିବା ଲାଗି ନିରନ୍ତର ଜିନୋମ ସିକୁଏନ୍ସିଂର ଆବଶ୍ୟକତା ଉପରେ ଗୁରୁତ୍ବ ଦେଲେ ପ୍ରଧାନମନ୍ତ୍ରୀ

Posted On: 10 SEP 2021 8:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶରେ କୋଭିଡ-୧୯ ଜନିତ ସ୍ଥିତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନର କୋଭିଡ-୧୯ ପରିସ୍ଥିତି, ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି, ମେଡ଼ିକାଲ ଅକ୍ସିଜେନର ଉପଲବ୍ଧତା ଏବଂ କୋଭିଡ-୧୯ ଟିକାର ଉତ୍ପାଦନ, ଯୋଗାଣ ଓ ବିତରଣ ସଂକ୍ରାନ୍ତ ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା।

ସମ୍ପ୍ରତି, ବିଶ୍ବବ୍ୟାପୀ କେତେକ ରାଷ୍ଟ୍ରରେ କୋଭିଡର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଭାରତରେ ମଧ୍ୟ ମହାରାଷ୍ଟ୍ର ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ପରିମାଣ ଅଧିକ ରହୁଛି। ତେଣୁ ବର୍ତ୍ତମାନର ସ୍ଥିତିକୁ ନେଇ ଆଶ୍ବସ୍ତ ହେବାର ବେଳ ଆସିନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେବେ କ୍ରମାଗତ ୧୦ ସପ୍ତାହ ଧରି ସାପ୍ତାହିକ ପଜିଟିଭିଟି ହାର ୩ ପ୍ରତିଶତରୁ କମ ରହିଛି ବୋଲି ସୂଚନା ଦିଆଯାଇଥିଲା।

ଦେଶର କେତେକ ଭୌଗଳିକ କ୍ଷେତ୍ର, ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେବା ଏବଂ ଟେଷ୍ଟ ପଜିଟିଭିଟି ହାର ଅଧିକ ରହିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ଏସବୁ ଅଞ୍ଚଳରେ ସାପ୍ତାହିକ ପଜିଟିଭିଟି ହାର ଅଧିକ ରହିଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା। ନୂଆ ମ୍ୟୁଟାଣ୍ଟ ଚିହ୍ନଟ ପାଇଁ ନିରନ୍ତର ଜିନୋମ ସିକୁଏନ୍ସିଂ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଅଧିକାରୀମାନେ ତାଙ୍କୁ କହିଥିଲେ ଯେ, ଦେଶବ୍ୟାପୀ ୨୮ଟି ସ୍ଥାନରେ ବର୍ତ୍ତମାନ INSACOG ଲ୍ୟାବ୍ରୋଟୋରୀ ରହିଛି। ଚିକିତ୍ସକୀୟ ସମ୍ପର୍କ ପାଇଁ ଏହି ଲ୍ୟାବ ନେଟଓ୍ବର୍କକୁ ହସ୍ପିଟାଲ ନେଟଓ୍ବର୍କ ସହିତ ଯୋଡ଼ାଯାଇଛି। ଜିନୋମ ସର୍ଭିଲେନ୍ସ ପାଇଁ ସିୱେଜ ନମୁନା ସଂଗ୍ରହ ମଧ୍ୟ କରାଯାଉଛି। ନିୟମିତ ଭାବେ INSACOG ସହିତ SARS COV2 ପଜିଟିଭ ନମୁନାର ତଥ୍ୟ ପ୍ରଦାନ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଶିଶୁରୋଗ ଚିକିତ୍ସା ପାଇଁ ଶଯ୍ୟା କ୍ଷମତା ବୃଦ୍ଧି ଏବଂ ‘କୋଭିଡ ଜରୁରିକାଳୀନ ମୁକାବିଲା ପ୍ୟାକେଜ 2’ ଅନ୍ତର୍ଗତ ସହାୟତା ସୁବିଧା ବୃଦ୍ଧିର ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଗ୍ରାମୀଣ କ୍ଷେତ୍ରରେ ପରିସ୍ଥିତିର ମୁକାବିଲା ପାଇଁ ଏସବୁ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଏବଂ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ପୁନଃନିର୍ମାଣ ଏବଂ ଡିଜାଇନ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାସ୍ତରରେ କୋଭିଡ-୧୯, ମ୍ୟୁକୋରମାଇକୋସିସ, ଏମଆଇଏସ-ସିର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ଗୁଡ଼ିକର ବଫର ଷ୍ଟକ ମହଜୁଦ କରି ରଖିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ସଙ୍ଗରୋଧ ଶଯ୍ୟା, ଅକ୍ସିଜେନ ଶଯ୍ୟା, ଆଇସିୟୁ ଶଯ୍ୟା ଏବଂ ଶିଶୁ ଆଇସିୟୁ ଏବଂ ଶିଶୁରୋଗ ଚିକିତ୍ସା ଭେଣ୍ଟିଲେଟର କ୍ଷମତା ବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଆଗାମୀ ମାସଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ଆଇସିୟୁ ଏବଂ ଅକ୍ସିଜେନ ଶଯ୍ୟା ବୃଦ୍ଧି କରାଯିବ।

ସାରା ଦେଶରେ ଯଥେଷ୍ଟ ନମୁନା ପରୀକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ। ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ ଯେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆରଟି-ପିସିଆର ପରୀକ୍ଷାଗାର ସ୍ଥାପନ ନିମନ୍ତେ ୪୩୩ଟି ଜିଲ୍ଲାକୁ ସହାୟତା ଯୋଗାଇ ଦିଆଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ସିଜେନ କନସେଣ୍ଟ୍ରେଟର, ସିଲିଣ୍ଡର ଏବଂ ପିଏସଏ ପ୍ଲାଣ୍ଟ ସମେତ ଅକ୍ସିଜେନ ଉପଲବ୍ଧତାର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଦ୍ରୁତ ଗତିରେ ବଢ଼ାଇବାର ଆବଶ୍ୟକତା ରହିଛି। ୯୬୧ଟି ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଟାଙ୍କି ଏବଂ ୧୪୫୦ ମେଡ଼ିକାଲ ଗ୍ୟାସ ପାଇପଲାଇନ ବ୍ୟବସ୍ଥା ସଂଯୋଗ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତି ଜିଲ୍ଲାରେ‍ ଏପରି ଗୋଟିଏ ୟୁନିଟ୍ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଆମ୍ବୁଲାନ୍ସ ମହଜୁଦ କରି ରଖିବା ଲାଗି ଆମ୍ବୁଲାନ୍ସ ନେଟଓ୍ବର୍କକୁ ବୃଦ୍ଧି କରାଯାଉଛି। ସାରା ଦେଶରେ ନିର୍ମାଣ ହେଉଥିବା ପିଏସଏ ଅକ୍ସିଜେନ ପ୍ଲାଣ୍ଟର ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ସୂଚନା ଦିଆଯାଇଥିଲା ଯେ ପାଖାପାଖି ୧ ଲକ୍ଷ ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ୩ ଲକ୍ଷ ଅକ୍ସିଜେନ ସିଲିଣ୍ଡର ରାଜ୍ୟଗୁଡ଼ିକୁ ବିତରଣ କରାଯାଇଛି।

ଟିକା ସମ୍ପର୍କରେ, ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ଯେ, ଭାରତର ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଅତିକମରେ ୫୮ ପ୍ରତିଶତ ଜନସଂଖ୍ୟା ପ୍ରଥମ ଡୋଜ ଟିକା ନେଇସାରିଛନ୍ତି। ସେହିପରି ପ୍ରାୟ ୧୮ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି। ପାଇପଲାଇନ ବା ଯୋଗାଣ ହେବାକୁ ଥିବା ଟିକା ଏବଂ ଟିକାର ଯୋଗାଣ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ସ୍ବାସ୍ଥ୍ୟ ସଚିବ, ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

 

*******

P.S.



(Release ID: 1754024) Visitor Counter : 187