ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ

ଯକ୍ଷ୍ମା ବିରୁଦ୍ଧାରେ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ରାଜ୍ୟଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ

ଯକ୍ଷ୍ମା ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଲୋକମାନଙ୍କ ପ୍ରୟାସ ଓ ଜନ ଆନ୍ଦୋଳନକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ: ଶ୍ରୀ ମନସୁଖ ମାଣ୍ଡବୀୟ

“ସମନ୍ୱିତ ଓ ସହଯୋଗଭିତ୍ତିକ ପ୍ରୟାସ ଏହି ଲକ୍ଷ୍ୟକୁ ଯଥାଶୀଘ୍ର ହାସଲ କରିବା ଦିଗରେ ସହାୟକ ହେବ ।’

Posted On: 02 SEP 2021 2:47PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ ଆଜି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରବୁଖ ସଚିବ/ ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ସହ ୨୦୨୫ ମସିହା ସୁଦ୍ଧା ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହଯୋଗ ଓ ସମନ୍ୱୟରେ କିଭଳି ଭାବେ ଯକ୍ଷ୍ମାମୁକ୍ତ ଭାରତ ଗଠନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ଶ୍ରୀ ଟି ଏସ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ (ଛତିଶଗଡ଼), ଶ୍ରୀ ମଙ୍ଗଳ ପାଣ୍ଡେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ବିହାର), ଶ୍ରୀ ଅନୀଲ ଭୀଜ, ସ୍ୱାସ୍ଥ୍ୟ ମନ୍ତ୍ରୀ ( ହରିଆଣା), ଶ୍ରୀ ସତ୍ୟେନ୍ଦ୍ର କୁମାର ଜୈନ, ସ୍ୱାସ୍‍ଥ୍ୟ ମନ୍ତ୍ରୀ ( ଦିଲ୍ଲୀ), ଶ୍ରୀ ରାଜେଶ ଟୋପେ, ସ୍ୱାସ୍ଥ୍ୟ ମନ୍ତ୍ରୀ ( ମହାରାଷ୍ଟ୍ର), ଶ୍ରୀ ରାଜୀବ ସୈଜଲ, ସ୍ୱାସ୍ଥ୍ୟମନ୍ତ୍ରୀ (ହିମାଚଳ ପ୍ରଦେଶ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ଓ ମେଡ଼ିକାଲ ଶିକ୍ଷା ମନ୍ତ୍ରୀ (ଝାଡ଼ଖଣ୍ଡ), ଡକ୍ଟର କେ ସୁଧାକର, ମେଡ଼ିକାଲ ଶିକ୍ଷାମନ୍ତ୍ରୀ (କର୍ଣ୍ଣାଟକ), ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟମନ୍ତ୍ରୀ (କେରଳ), ଶ୍ରୀ ରଘୁ ଶର୍ମା, ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଜସ୍ଥାନ) ପ୍ରମୁଖ ନିଜ ନିଜ ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ତାଙ୍କର ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଯକ୍ଷ୍ମା ରୋଗର ଉନ୍ମୁଳନ ନିମନ୍ତେ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ଏବଂ ଏହି କ୍ରମରେ ସେ ପରାମର୍ଶ ଦେଇ କହିଥିଲେ ଯେ ନିୟମିତ ଭାବେ ଏଭଳି ସମୀକ୍ଷା ଆଲୋଚନା ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଗ୍ରହଣ କରାଯାଉଥିବା ଶ୍ରେଷ୍ଠ କାର୍ଯ୍ୟକ୍ରମ ସମ୍ପର୍କରେ ସଭିଏଁ ଅବଗତ ହୋଇପାରିବେ । ଏହା ଯକ୍ଷ୍ମା ବିରୋଧରେ ସବୁଠାରୁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେବ । ଏହା ଦ୍ୱାରା ସବୁ ରାଜ୍ୟରେ ସାଧାରଣ ଭାବେ ସରକାର ଗ୍ରହଣ କରୁଥିବା କାର୍ଯ୍ୟକ୍ରମ ବେଶ୍‍ ଫଳପ୍ରସୂ ହୋଇପାରିବ । ସଭିଏଁ ମିଳିତ ଭାବେ ଏହି ଲକ୍ଷ୍ୟକୁ ହାସଲ କରିବା ଉଚିତ । ସମନ୍ୱିତ ତଥା ସହଯୋଗଭିତ୍ତିକ ପ୍ରୟାସ ଜରିଆରେ ଯକ୍ଷ୍ମା ବିଲୋପ ଲକ୍ଷ୍ୟ ହାସଲ ଆହୁରି ତ୍ୱରାନ୍ୱିତ ହୋଇପାରିବବୋଲି ସେ ମତ ପୋଷଣ କରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବୀୟ କହିଲେ ଯେ ଦେଶର ସାଧାରଣ ଜନତାଙ୍କୁ ଆମେ ଏହି ଲକ୍ଷ୍ୟ ହାସଲ ନିମନ୍ତେ ଆମ ସହ ସାମିଲ ହେବାକୁ ପ୍ରୋତ୍ସାହିତ କରିବା ଉଚିତ । ତେଣୁ ଏହାକୁ ଏକ ଜନ ପ୍ରୟାସରେ କରିବାକୁ ପଡ଼ିବଶ୍ରୀ ମାଣ୍ଡବୀୟ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରି କହିଲେ ଯେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଠାରୁ ଏ ଦିଗରେ ସକଳ ପ୍ରକାର ପରାମର୍ଶ ଓ ପ୍ରସ୍ତାବ ଶୁଣିବାକୁ ସଦାବେଳେ ପ୍ରସ୍ତୁତ ରହିଛନ୍ତି । ୨୦୨୫ ମସିହା ସୁଦ୍ଧା ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତଙ୍କୁ ଠାରୁ ପରାମର୍ଶ ଗ୍ରହଣ କରାଯିବ ।  ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପ୍ରୋତ୍ସାହିତ କରି ସେ କହିଲେ ଯେ କୋଭିଡ଼ ସଂପର୍କରେ ଜନ ସ୍ୱାସ୍ଥ୍ୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଓ ପ୍ରୟାସ ଯାହକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଛି ସେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଉଚିତ ।

କୋଭିଡ଼ ୧୯ ମହାମାରୀ ଯୋଗୁ ଯକ୍ଷ୍ମା ନିରାକରଣ ଦିଗରେ ହାସଲ କରାଯାଇଥିବା ସଫଳତା ପ୍ରତି ଉତ୍ପନ୍ନ ବିପଦ ସଂପର୍କରେ ଶ୍ରୀ ମାଣ୍ଡବୀୟ କହିଲେ ଯେ କୋଭିଡ଼ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଆମକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଗତ କିଛି ଦିନ ମଧ୍ୟରେ ଏହା ତ୍ୱରାନ୍ୱିତ ହୋଇି । ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ ଅତିରିକ୍ତ ଟିକା ଡୋଜ୍‍ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ, ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ଯେ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଟିକାକରଣ କରାଯିବା ଆବଶ୍ୟକ । ତାହା ଫଳରେ ଯେଉଁସବୁ ଲୋକମାନେ ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଛନ୍ତି, ଯେପରିକି ବଜାରର ପନିପରିବା ବିକାଳୀ ଓ କେତେକ ଅଞ୍ଚଳରେ ରିକ୍ସାବାଲା, ସେମାନଙ୍କ ଟିକାକରଣ ଅଗ୍ରାଧିକାର ଭିତ୍ତିରେ କରାଯିବା ଉଚିତ । ସେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଟିକା ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହିତ କେନ୍ଦ୍ର ସରକାର ନିୟମିତ ଭାବେ ସଂପର୍କରେ ଅଛନ୍ତି ଯାହାକି ଟିକା ଉତ୍ପାଦନ ଭଳି ସମ୍ଭାବ୍ୟ ସକଳ ପ୍ରକାର ସମସ୍ୟାକୁ ଦୂର କରିପାରିବ । ଏହା ବ୍ୟତୀତ ଆଗାମୀ ମାସମାନଙ୍କରେ ଟିକା ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ । ସେ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରି କହିଲେ ଯେ କୋଭିଡ଼ ପ୍ରୋଟୋକଲକୁ ନିୟମିତ ଭାବେ ଅନୁପାଳନ କରାଯିବା ଉଚିତ ଏବଂ ସାରା ଦେଶରେ କୌଣସି ସ୍ଥାନରେ ସୁଦ୍ଧା ପରିସ୍ଥିତିରେ ଉନ୍ନତି ଘଟିବା ସତ୍ତ୍ୱେ ଏଥିରେ ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ ।

ସହଭାଗୀ ସଂଘୀୟ ବ୍ୟବସ୍ଥାର ଉଦାହରଣ ଦେଇ ଡକ୍ଟର ପାୱାର କହିଲେ ଯେ ମିଳିମିଶି କାର୍ଯ୍ୟ କରିବା ଦ୍ୱାରା ଆଗାମୀ ତିନି ବର୍ଷ ମଧ୍ୟରେ ଯକ୍ଷ୍ମା ଉନ୍ମୁଳନ ପ୍ରୟାସକୁ ତ୍ୱରାନ୍ୱିତ କରିବ । କୋଭିଡ଼ ମହାମାରୀ ସମୟରେ ଯକ୍ଷ୍ମା ଏବଂ କୋଭିଡ଼ ମହି ଦୋହରା ସ୍କ୍ରିନିଂ କାର୍ଯ୍ୟ ତଥା ହିତାଧିକାରୀମାନଙ୍କ ଦ୍ୱାରଦେଶରେ ଔଷଧ ପହଞ୍ଚାଯିବା କାର୍ଯ୍ୟ ବେଶ୍‍ ପ୍ରଶଂସନୀୟ । ସେ ସ୍ୱାସ୍ଥ୍ୟ ପ୍ରଶାସନ ବ୍ୟବସ୍ଥାର ସମସ୍ତ ଟିମକୁ ଯକ୍ଷ୍ମା ଚିହ୍ନଟ କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଜନ ଜନ କୋ ଜଗାନା ହୈ, ଟିବି କୋ ଭଗାନା ହୈ ।

ଯକ୍ଷ୍ମା ଉନ୍ମୁଳନ କାର୍ଯ୍ୟକ୍ରମରେ ସାମିଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ପ୍ରତିନିଧିମାନେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ଏବଂ ବିଗତ ବର୍ଷମାନଙ୍କରେ ନିଜ ନିଜ ରାଜ୍ୟରେ ଯେଉଁସବୁ କାର୍ଯ୍ୟ ସଂପାଦନ କରାଯାଇଛି ତାହାର ରିପୋର୍ଟ ଉପସ୍ଥାପନ କରିଥିଲେ ଯାହାକି ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ କରିବ ଏବଂ ୨୦୨୫ ମସିହା ସୁଦ୍ଧା ଏହି ରୋଗକୁ ଦେଶରୁ ସମୂଳେ ବିନାଶ ଘଟାଇବ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ସୁଶ୍ରୀ ଆରତୀ ଆହୂଜା, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡକ୍ଟର ମନୋହର ଅଗନାନୀ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

                                                                         ****               

SS

 



(Release ID: 1751771) Visitor Counter : 209