ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାସଗୃହ, ବିଜୁଳି, ଶୌଚାଳୟ, ରନ୍ଧନ ଗ୍ୟାସ୍‌, ସଡ଼କ, ହସ୍ପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସୁବିଧାର ଅଭାବ ଦେଶର ମହିଳା, ବିଶେଷ କରି ଗରିବ ମହିଳାମାନଙ୍କୁ ପ୍ରଭାବିତ କରିଛି: ପ୍ରଧାନମନ୍ତ୍ରୀ

● ଆମର କନ୍ୟାମାନଙ୍କୁ ଘରର ଚାରି କାନ୍ଥ ଏବଂ ରୋଷେଇଶାଳ ଡେଇଁ ବାହାରକୁ ବାହାରିବାକୁ ପଡ଼ିବ ଏବଂ ଯେତେବେଳେ ସେମାନଙ୍କର ଘରୋଇ ଏବଂ ରନ୍ଧନ ଜନିତ ସମସ୍ୟାର ସମାଧାନ ହୋଇପାରିବ ସେମାନେ ରାଷ୍ଟ୍ର ନିର୍ମାଣରେ ବ୍ୟାପକ ଭାବେ ଯୋଗଦାନ କରିବାକୁ ହେବ: ପ୍ରଧାନମନ୍ତ୍ରୀ
● ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ ଏବଂ ଯେତେବେଳେ ଆମେ ଗତ ସାତ ଦଶନ୍ଧିର ପ୍ରଗତିକୁ ଦେଖୁଛୁ, ଏଭଳି ଭାବନା ସ୍ୱତଃ ମନରେ ଜାଗ୍ରତ ହୁଏ ଯେ ଏହିସବୁ ସମସ୍ୟା ଦଶନ୍ଧି ଦଶନ୍ଧି ପୂର୍ବରୁ ସମାଧାନ ହୋଇଯିବା ଉଚିତ ଥିଲା: ପ୍ରଧାନମନ୍ତ୍ରୀ
● ଗତ ୬-୭ ବର୍ଷ ଭିତରେ ସରକାର ମହିଳା ସଶକ୍ତିକରଣର ବିଭିନ୍ନ ପ୍ରସଙ୍ଗର ସମାଧାନ ନିମନ୍ତେ ସରକାର ମିଶନ ମୋଡରେ କାର୍ଯ୍ୟ କରିଆସୁଛନ୍ତି: ପ୍ରଧାନମନ୍ତ୍ରୀ
● ସ୍ୱାସ୍ଥ୍ୟ, ସୁବିଧା ଏବଂ ଦେଶର ଭଉଣୀମାନଙ୍କ ସଶକ୍ତିକରଣ ପାଇଁ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ପ୍ରଚୁର ମାତ୍ରାରେ ପ୍ରୋତ୍ସାହନ ଲାଭ କରିଛି: ପ୍ରଧାନମନ୍ତ୍ରୀ

Posted On: 10 AUG 2021 9:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ମହିଳାମାନଙ୍କ ସଶକ୍ତିକରଣର ପରିକଳ୍ପନାକୁ ବ୍ୟାପକ ଭାବେ ବିସ୍ତାରିତ କରିବାର ଉଦ୍‌ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବାସଗୃହ, ବିଜୁଳି, ଶୌଚାଳୟ, ରନ୍ଧନ ଗ୍ୟାସ୍‌, ସଡ଼କ, ହସ୍ପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସୁବିଧାର ଅଭାବ ଦେଶର ମହିଳା, ବିଶେଷ କରି ଗରିବ ମହିଳାମାନଙ୍କୁ ବ୍ୟାପକ ମାତ୍ରାରେ ପ୍ରଭାବିତ କରିଛି । ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ ସେତେବେଳେ ଏହିସବୁ ସମସ୍ୟା ଦଶନ୍ଧି ଦଶନ୍ଧି ପୂର୍ବରୁ ସମାଧାନ ହୋଇଯିବା ଉଚିତ ଥିଲା ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ମତ ପୋଷଣ କରିଛନ୍ତି । ଆଜି ଉତ୍ତରପ୍ରଦେଶର ମହୋବାଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଛାତରୁ ପାଣି ଗଳିବା, ବିଜୁଳିଶକ୍ତିର ଅଭାବ, ପରିବାରର ସଦସ୍ୟମାନଙ୍କ ଅସୁସ୍ଥତା, ଶୌଚ କାର୍ଯ୍ୟ ନିମନ୍ତେ ରାତି ଅନ୍ଧାର ପର୍ଯ୍ୟନ୍ତ ଅପେକ୍ଷା କରିବା, ବିଦ୍ୟାଳୟମାନଙ୍କରେ ଶୌଚାଳୟର ଅଭାବ ଆମର ମାତା ଓ କନ୍ୟାମାନଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଆସୁଥିଲା ।

ପ୍ରଧାନମନ୍ତ୍ରୀ ଏକ ବ୍ୟକ୍ତିଗତ ମନ୍ତବ୍ୟ ଦେଇ କହିଥିଲେ ଯେ ଆମ ପିଢ଼ି ଏଭଳି ପିଢ଼ି ଯେଉଁମାନେ ମାଆମାନଙ୍କ ଧୂଆଁ ଓ ଖରାର କଷ୍ଟକୁ ସହ୍ୟ କରିବା ଦେଖିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଯଦି ଆମର ସାମର୍ଥ୍ୟକୁ ଏହିସବୁ ମୌଳିକ ଆବଶ୍ୟକତା ସମାଧାନ ଦିଗରେ ଉଚିତ ଭାବେ ଉପଯୋଗ କରାନଯିବ, ତେବେ ଆମେ ସ୍ୱାଧୀନତାର ୧୦୦ ବର୍ଷ ଦିଗକୁ କିପରି ଅଗ୍ରସର ହୋଇପାରିବା ? ଯଦି ଆମେ ସଦାବେଳେ ଏଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା ତେବେ ଏକ ପରିବାର ହେଉ କି ଏକ ସମାଜ କିପରି ଭାବେ ଏହା ବଡ଼ କଥା ଚିନ୍ତା କରିପାରିବ ଓ ସେସବୁକୁ ହାସଲ କରିପାରିବ ? ଏକ ସ୍ୱପ୍ନକୁ ସାକାର କରିବାର ଅନୁଭବ ହିଁ ଏକ ସମାଜକୁ ତାର ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ ଯୋଗାଇଥାଏ । “ମନରେ ଆତ୍ମବିଶ୍ୱାସ ନରହିଲେ ଏକ ରାଷ୍ଟ୍ର କିପରି ଭାବେ ଆତ୍ମନିର୍ଭର ହୋଇପାରିବ ? ବୋଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପ୍ରଶ୍ନ କରିଥିଲେ ।

ଶ୍ରୀ ମୋଦୀ କହିଲେ ଯ ୨୦୧୪ ମମସିହାରେ ଆମେ ଆମ ନିଜକୁ ଏହି ପ୍ରଶ୍ନ ପଚାରିଥିଲୁ । ସେତେବେଳେ ଏହା ଖୁବ୍‌ ସ୍ପଷ୍ଟ ଥିଲା ଯେ ଏହିସବୁ ସମସ୍ୟାଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମାଧାନ କରାଯିବା ଆବଶ୍ୟକ । ସେ କହିଲେ ଯେ ଆମର କନ୍ୟାମାନଙ୍କୁ ଘରର ଚାରିକାନ୍ଥ ଡେଇଁ ଏବଂ ରୋଷେଇଶାଳରୁ ବାହାରିବାକୁ ପଡ଼ିବ ଏବଂ ସେମାନଙ୍କୁ ଘର ତଥା ରୋଷେଇଶାଳର ସମସ୍ୟାର ପ୍ରଥମେ ସମାଧାନ କରିବା ସହିତ ରାଷ୍ଟ୍ର ନିର୍ମାଣରେ ମଧ୍ୟ ନିଜର ଯୋଗଦାନ ଦେବାକୁ ହେବ । ତେଣୁ, ଗତ ୬–୭ ବର୍ଷ ମଧ୍ୟରେ ସରକାର ଏହି ଭଳି ଅନେକ ମୌଳିକ ସମସ୍ୟାର ସମାଧାନ ମିଶନ ମୋଡ଼ରେ କରିବା ସକାଶେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସଂପର୍କରେ ତାଲିକା ପ୍ରଦାନ କରିଥିଲେ । ସେଗୁଡ଼ିକ ହେଲା-

  • ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଦେଶରେ କୋଟି କୋଟି ଶୌଚାଳୟ ନିର୍ମାଣ କରାଯାଇଛି ।
  • ଗରିବ ଲୋକମାନଙ୍କୁ ୨ କୋଟିରୁ ଅଧିକ ବାସଗୃହ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରେ ଅଧିକତର ଗ୍ରାମାଞ୍ଚଳ ମହିଳାମାନଙ୍କ ନାମ ରହିଛି ।
  • ୩ କୋଟି ପରିବାରଙ୍କୁ ସୌଭାଗ୍ୟ ଯୋଜନା ଅଧୀନରେ ବିଜୁଳି ଶକ୍ତି ଯୋଗାଇ ଦିଆଯାଇଛି ।
  • ଆୟୁଷ୍ମାନ ଭାରତ ଜରିଆରେ ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମେଡ଼ିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
  • ମାତୃ ବନ୍ଦନା ଯୋଜନା ଅଧୀନରେ ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ଏବଂ ପୌଷ୍ଟିକ ଆହାର ନିମନ୍ତେ ପ୍ରତ୍ୟକ୍ଷ ଭାବେ ଟଙ୍କା ଯୋଗାଇ ଦିଆଯାଉଛି ।
  • କରୋନା ମହାମାରୀ କାଳରେ ଦେଶର ମହିଳାମାନଙ୍କ ଜମାଖାତାରେ ସରକାରଙ୍କ ପକ୍ଷରୁ ୩୦ ହଜାର କୋଟି ଟଙ୍କା ପୈଠ କରାଯାଇଛି ।
  • ଆମର ଭଉଣୀମାନେ ଏବେ ଜଳ ଜୀବନ ମିଶନ ଅଧୀନରେ ପାଇପ ଯୋଗେ ପାନୀୟ ଜଳ ପାଇପାରୁଛନ୍ତି ।

ସେ କହିଲେ ଯେ ଏହିସବୁ ଯୋଜନା ଦେଶର ମହିଳାମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟ, ସୁବିଧା ଓ ଦେଶର ଭଉଣୀମାନଙ୍କୁ ସଶକ୍ତ କରାଯିବା ନିମନ୍ତେ ସରକାର ନେଇଥିବା ପ୍ରତିବଦ୍ଧତାକୁ ଉଜ୍ଜ୍ୱଳା ଯୋଜନାରୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମିଳିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗରିବ, ଦାଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରର ୮ କୋଟି ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା । ସେ କହିଲେ ଯେ ଏଭଳି ମାଗଣା ଗ୍ୟାସ ସଂଯୋଗର ଉପକାର ବିଶେଷ ଭାବେ କରୋନା ମହାମାରୀ କାଳରେ ଅନୁଭୂତ ହୋଇଛି । କୋଟି କୋଟି ଗରିବ ପରିବାର ମାଗଣାରେ ଗ୍ୟାସ ସିଲିଣ୍ଡର ମାସ ମାସ ଧରି ପାଇପାରିଛନ୍ତି ଯେତେବେଳେ କି ସାରା ଦେଶରେ ବ୍ୟବସାୟ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଥିଲା ଏବଂ ଗମନାଗମନ ଉପରେ କଟକଣା ଜାରି ହୋଇଥିଲା । “କଳ୍ପନା କରନ୍ତୁ, ଯଦି ଉଜ୍ଜ୍ୱଳା ସେତେବେଳେ ନଥାନ୍ତା, ତେବେ ଗରିବ ପରିବାରର ସେହିସବୁ ଭଉଣୀମାନଙ୍କ ଅବସ୍ଥା କ’ଣ ହୋଇଥାନ୍ତା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

******************

SS



(Release ID: 1745438) Visitor Counter : 176