ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ

• ବୈଶିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ କାଶୀ ଓ ଉତ୍ତରପ୍ରଦେଶବାସୀଙ୍କ ଉଦ୍ୟମର କଲେ ପ୍ରଶଂସା
• ପୂର୍ବାଞ୍ଚଳର ଚିକିତ୍ସା କେନ୍ଦ୍ର ହେବ କାଶୀ: ପ୍ରଧାନମନ୍ତ୍ରୀ
• ମା’ ଗଙ୍ଗାନଦୀ ଓ କାଶୀର ସୌନ୍ଦର୍ଯ୍ୟ ଓ ପରିମଳ ଏକ ଆକାଂକ୍ଷିତ ବିଷୟ ଓ ଏହାକୁ ଦିଆଯାଉଛି ଅଗ୍ରାଧିକାର: ପ୍ରଧାନମନ୍ତ୍ରୀ
• ଯୋଜନା ନିମନ୍ତେ ୮୦୦୦କୋଟିର ବ୍ୟୟ ଅଟକଳ: ପ୍ରଧାନମନ୍ତ୍ରୀ
• ଉତ୍ତରପ୍ରଦେଶ ଦେଶର ଅଗ୍ରଣୀ ପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳ ଭାବେ ଉଭା ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
• ଆଇନର ଶାସନ ଓ ବିକାଶ ଉପରେ ଗୁରୁତ୍ୱ ଯୋଗୁଁ ଉତ୍ତରପ୍ରଦେଶ ଜନସାଧାରଣ ଯୋଜନାରୁ ସୁଫଳ ପାଉଛନ୍ତି: ପ୍ରଧାନମନ୍ତ୍ରୀ
• ଭୂତାଣୁ ବିରୁଦ୍ଧରେ ସତର୍କ ରହିବାକୁ ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ସ୍ମରଣ କରାଇଲେ ପ୍ରଧାନମନ୍ତ୍ରୀ

Posted On: 15 JUL 2021 1:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି  ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍‌.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହାଛଡା ଶ୍ରୀ ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ  କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ ।

ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଜଟିଳ ପରିସ୍ଥିତିର ଦମ୍ଭର ସାମ୍ନା କରିଥିବାରୁ କାଶୀ ଓ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । କାଶୀର ପ୍ରଶାସନ ଓ ସମସ୍ତ କରୋନା ଯୋଦ୍ଧା ଯେପରି କାଶୀରେ ସମସ୍ତ ଆୟୋଜନ କରିଛନ୍ତି ତାର ପ୍ରଶଂସା କରିଥିଲେ ।  ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ କାଶୀ ଚୁପ ବସିଯାଇନାହିଁ କି କେବେ କ୍ଲାନ୍ତ ହୋଇନାହିଁବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ସେ କରୋନାର ଦ୍ୱିତୀୟ ଲହର ମୁକାବିଲା ସହ ପୂର୍ବରୁ ଜାପାନୀ ମସ୍ତିଷ୍କ ଜ୍ୱର ଯୋଗୁଁ ସୃଷ୍ଟି ହୋଇଥିବା ଆତଙ୍କର ତୁଳନା କରିଥିଲେ । ଏପରିକି ଚିକିତ୍ସା ସୁବିଧା ଓ ରାଜନୈତିକ ଇଚ୍ଛାଶକ୍ତି ବିନା ଅନେକ ଛୋଟ ଛୋଟ ସମସ୍ୟା ମଧ୍ୟ ବିଶାଳ ରୂପ ନେଇଥାଏ । ଆଜି ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ପରୀକ୍ଷା ଓ ଟିକାକରଣ ହୋଇଛି  ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ଚିକିତ୍ସା ଭିତ୍ତିଭୂମିର ଦୃତ ଉନ୍ନତି ନେଇ ବର୍ଣ୍ଣନା କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ଘଟିଛି । ରାଜ୍ୟରେ କେତେକ ମେଡିକାଲ କଲେଜ ନିର୍ମାଣ ଶେଷ ଅବସ୍ଥାରେ ପହଂଚିଛି ।  ଶ୍ରୀ ମୋଦି ରାଜ୍ୟରେ ସ୍ଥାପିତ ହୋଇଥିବା ୫୫୦ଟି ଅମ୍ଳଜାନ କାରଖାନାରୁ ଆଜି (15-07-2021) ରେ ହିଁ ୧୪ଟିର ଉଦ୍‌ଘାଟନ ହେଉଥିବା ବିଷୟ କହିଥିଲେ । ରାଜ୍ୟ ସରକାର ଶିଶୁମାନଙ୍କ ସ୍ୱତନ୍ତ୍ର ଯତ୍ନ ପ୍ରକୋଷ୍ଠ(ଆଇସିୟୁ) ଓ ଅମ୍ଳଜାନ ବ୍ୟବସ୍ଥାରେ ଯେଉଁ ସୁଧାର ଆଣିଛନ୍ତି ଶ୍ରୀ ମୋଦୀ ତାହାର ପ୍ରଶଂସା କରିଥିଲେ । ନିକଟରେ ଘୋଷଣା କରାଯାଇଥିବା ୨୩ହଜାର କୋଟି ଟଙ୍କାର ପ୍ୟାକେଜ ଉତ୍ତରପ୍ରଦେଶ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ । କାଶୀନଗରୀ ପୂର୍ବାଂଚଳରେ ଚିକିତ୍ସାର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । କେତେକ ରୋଗର ଚିକିତ୍ସା ନିମନ୍ତେ   ଜନସାଧାରଣଙ୍କୁ ଦିଲ୍ଲୀ ଓ ମୁମ୍ବାଇ ଯିବାକୁ ପଡିଥିବାବେଳେ, ବର୍ତ୍ତମାନ ତାହା କାଶୀରେ ଉପଲବ୍ଧ ହେବ । ଉଦ୍‌ଘାଟିତ କେତେକ ପ୍ରକଳ୍ପ ଯୋଗୁଁ ଚିକିତ୍ସା ଭିତ୍ତିଭୂମିରେ କାଶୀ ପାଇଁ ଅଧିକ ସୁବିଧା ମିଳିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପ୍ରକଳ୍ପ ଯୋଗୁଁ ପ୍ରାଚୀନ କାଶୀ ମହାନଗରୀ ବିକାଶ ରାସ୍ତାରେ ଅଗ୍ରସର ହେଲେ ମଧ୍ୟ ଏହାର ବିଶେଷତ୍ୱ ବଜାୟ ରହିବ । ରାଜରାସ୍ତା, ଫ୍ଲାଇଓଭର, ରେଳ ଓଭରବ୍ରିଜ, ଭୂତଳ ୱେରିଂ, ଆବର୍ଜନା ନିଷ୍କାସନ, ପାନୀୟଜଳ ସୁବିଧା, ପର୍ଯ୍ୟଟନ ବିକାଶ ପ୍ରତି ସରକାର ବେଶ ଧ୍ୟାନ ଦେଉଛନ୍ତି । ଏବେ ମଧ୍ୟ ୮ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ବାବଦ କାର୍ଯ୍ୟ ଚାଲିଛିବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ପରିସ୍କାର ପରିଚ୍ଛନ୍ନତା, ଗଙ୍ଗା ଓ କାଶୀର ସୌନ୍ଦର୍ଯ୍ୟ ବିକାଶ ସବୁବେଳେ ଅଗ୍ରାଧିକାର ପାଇବ । ସେ ଦୃଷ୍ଟିରୁ ରାସ୍ତା, ବର୍ଜ୍ୟବସ୍ତୁ, ପରିଚାଳନା, ଉଦ୍ୟାନ ଓ ଘାଟର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ପଞ୍ଚକୋଶୀ  ମାର୍ଗକୁ ଚଉଡା କରିବା ସହ ବାରଣାସୀ-ଗାଜିପୁର ରାସ୍ତାରେ ପୋଲ ଅନେକ ଗ୍ରାମ ଓ ସହରବାସୀଙ୍କ ପାଇଁ ସୁବିଧା ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ସ୍ଥାନିତ ବୃହତ୍ ଏଲଇଡି ସ୍କ୍ରିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଘାଟରେ ଲଗାଯାଇଥିବା ସୂଚନା ଫଳକ କାଶୀର ପର୍ଯ୍ୟଟକଙ୍କ ନିମନ୍ତେ ସହାୟତା ହେବ । ଏଲଇଡି ସ୍କ୍ରିନ ଜରିଆରେ କାଶୀର ଇତିହାସ, କଳା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ସୂଚନା ଭକ୍ତମାନଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ଘାଟରେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଆରତି ମହାନଗରର ବିଭିନ୍ନ ସ୍ଥାନରେ ଥିବା ଏଲଇଡି ସ୍କ୍ରିନରେ ଜନସାଧାରଣ ଦର୍ଶନ କରିବାର ଅନୁଭୂତି ପାଇବେ । ଉଦ୍‌ଘାଟିତ ହୋଇଥିବା  ରୋ ରୋ ସେବା ଓ ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ବେଶ୍ ଉପକାରୀ ହେବ ।

ପ୍ରଧାନମନ୍ତ୍ରୀ କାଶୀକୁ ଆଧୁନିକ ଯୁଗରେ ଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ କରାଯାଉଥିବା ପ୍ରକାଶ କରିଛନ୍ତି । ଆଜି କାଶୀରେ ଆଦର୍ଶ ବିଦ୍ୟାଳୟ, ଆଇଟିଆଇ ଓ ସେହିପରି ଅନେକ ଅନୁଷ୍ଠାନ ମାନ ରହିଛି । ଜ୍ଞାନକୌଶଳ ଓ ବୈଷୟିକ ସହଯୋଗ ସିପେଟ୍ କେନ୍ଦ୍ରକୁ ମିଳିବା ଫଳରେ  ସେ ଅଞ୍ଚଳରେ ଶିଳ୍ପକ୍ଷେତ୍ରରେ ବିକାଶ ଘଟିବ । ଉତ୍ତର ପ୍ରଦେଶ ଖୁବ୍ ଶୀଘ୍ର ଏକ ଅଗ୍ରଣୀ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶ ଯାହା କି କିଛି ବର୍ଷ ପୂର୍ବରୁ ବ୍ୟବସାୟ ପାଇଁ ଅନୁପଯୁକ୍ତ ମନେ ହେଉଥିଲା, ଆଜି ମେକ୍‌ଇନ ଇଣ୍ଡିଆର ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି । ଭିତ୍ତିଭୂମି ବିକାଶ ଦିଗରେ ଅସାଧାରଣ ନୈପୁଣ୍ୟ ଯୋଗୁଁ ସେ ଯୋଗୀ ସରକାରଙ୍କୁ ତାହାର ଶ୍ରେୟ ଦେଇଥିଲେ । ଶ୍ରୀ ମୋଦୀ ପ୍ରତିରକ୍ଷା କରିଡର, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ ଓ ଗଙ୍ଗା ଏକ୍ସପ୍ରେସ ୱେ ଭଳି କେତେକ ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କୃଷି ଭିତ୍ତିଭୂମି ବିକାଶ ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଛି ଯାହାକି କୃଷି ଭିତ୍ତିଭୂମିକୁ ଅତ୍ୟାଧୁନିକ କରିବା ସହ କୃଷି ବଜାର ନିମନ୍ତେ ମଧ୍ୟ ଉପକାରୀ ହେବ । ଉତ୍ତରପ୍ରଦେଶର ସଦ୍ୟ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆଗରୁ ମଧ୍ୟ ଯୋଜନା କରାଯାଇ ଅର୍ଥ ଆବଣ୍ଟନ କରାଯିବା ସତ୍ୱେ ତାହା ଲକ୍ଷ୍ନୌରେ ଅଟକି ଯାଉଥିଲା ବୋଲି କହିଛନ୍ତି । ଯେପରି ବିକାଶର ସୁଫଳ ସମସ୍ତଙ୍କ ନିକଟରେ ପହଂଚିବ, ସେଥିପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କରୁଥିବା ଉଦ୍ୟମରେ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଚାଲିଛି । ଆଗରୁ ଯେପରି ମାଫିଆରାଜ ଓ ଆତଙ୍କବାଦ ଅନିୟନ୍ତ୍ରିତ ରହିଥିଲା ତାହା ହେବ ଆଇନର ପରିଧି ମଧ୍ୟରେ ରହିଛି । ଆଗରୁ ଯେପରି ମାତାପିତା ସେମାନଙ୍କ ଝିଅ ଉଭଣୀମାନଙ୍କ ନିରାପତା ନେଇ ଚିନ୍ତିତ ରହୁଥିଲେ ସେ ପରିସ୍ଥିତିର ଏବେ ପରିବର୍ତନ ଘଟିଛି । ବର୍ତ୍ତମାନ ଉତ୍ତରପ୍ରଦେଶରେ ଲୋକମାନେ ବିଭିନ୍ନ ଯୋଜନାର ସୁବିଧା ହାସଲ କରିପାରୁଛନ୍ତି । ୟୁପିରେ ନୂତନ ଶିଳ୍ପସଂସ୍ଥା ସେମାନଙ୍କ ପୁଞ୍ଜିନିବେଶ କରୁଛନ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ କରୋନା ଯେପରି ପୁଣି ନିଜର କାୟାବିସ୍ତାର ନ କରେ ସେଥିପ୍ରତି ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶବାସୀଙ୍କୁ ଚେତାଇ ଦେଇଥିଲେ । ଯେକୌଣସି ଅବହେଳା ଏକ ବଡ ଲହର ଆଣିପାରେ । ପ୍ରତ୍ୟେକ ବ୍ୟକ୍ତି କରୋନା ମାର୍ଗଦର୍ଶିକା ପାଳନ କରିବା ସହ ଟିକା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ମାଗଣା ଅଭିଯାନରେ ଟିକା ନେବାକୁ ନିବେଦନ କରିଥିଲେ । 

 

*****

SM / SLP



(Release ID: 1735996) Visitor Counter : 223