ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ସଂକ୍ରାନ୍ତ ମନ୍ତ୍ରୀଗୋଷ୍ଠୀର ୨୯ତମ ବୈଠକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ରାଜ୍ୟ ସମୂହ ପର୍ଯ୍ୟାୟକ୍ରମେ କଟକଣା କୋହଳ କରୁଥିବାରୁ କୋଭିଡ ନିୟମ ପାଳନ ଉପରେ ମନ୍ତ୍ରୀଗୋଷ୍ଠୀର ଗୁରତ୍ୱ

ଦ୍ୱିତୀୟ କରୋନା ଲହରର ଅବସାନ ଏଯାଏ ଘଟିନାହିଁ; କେତେକ ଅଞ୍ଚଳରେ କରୋନା ପ୍ରକୋପ ବୃଦ୍ଧି ଘେନି ଚିନ୍ତା ପ୍ରକଟ

Posted On: 28 JUN 2021 2:48PM by PIB Bhubaneshwar

କୋଭିଡ-୧୯ ପାଇଁ ଗଠିତ କେନ୍ଦ୍ରର ମନ୍ତ୍ରୀଗୋଷ୍ଠୀର ୨୯ତମ ବୈଠକ ସୋମବାର  ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ଗୋଷ୍ଠୀର ସଦସ୍ୟ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଶ୍ରୀ ହରଦୀପ ସିଂହ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଭାଗ ନେଇଥିଲେ । ଏହାଛଡା ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡକ୍ଟର ବିନୋଦ କୁମାର ପାଲ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଦେଶରେ କୋଭିଡ ପରିଚାଳନା କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରଖିଥିବା ଏବଂ ଦେଶରେ ଟିକାକରଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଥିବା ସମ୍ପୃକ୍ତ ସମସ୍ତ ପକ୍ଷ, ବ୍ୟକ୍ତିବିଶେଷ, ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ବୈଠକରେ ମନ୍ତ୍ରୀଗଣ ଉଚ୍ଚପ୍ରଶଂସା କରିବା ସହ ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।

ପ୍ରାରମ୍ଭରେ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକରେ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ଉପଲବ୍ଧି ସମ୍ପର୍କରେ ଏକ ବିବରଣୀ ଓ ତଥ୍ୟାବଳୀ ଉପସ୍ଥାପନ କରିଥିଲେ । ମନ୍ତ୍ରୀ କହିଥିଲେ ଯେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୪୬,୧୪୮ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫, ୭୨, ୯୯୪କୁ ହ୍ରାସ ପାଇଛି । ସଂକ୍ରମଣର ଧାରା କମୁଛି ଏବଂ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଛି ଏବଂ ଆଜି (ସୋମବାର) ସୁଦ୍ଧା ଏହି ହାର ୯୬.୮୦% ପହଞ୍ଚିଛି । ଗତ ୨୪ଘଣ୍ଟାରେ ମୋଟ ୫୮,୫୭୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିକୁ ମିଶାଇ କ୍ରମାଗତ ୪୬ଦିନ ପାଇଁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତଙ୍କଠାରୁ ଅଧିକ ରହିଛି । ସେ କହିଛନ୍ତି ଯେ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ୧.୩୦ଶତାଂଶ । ଦୈନିକ  ସଂକ୍ରମଣଙ୍କ ହାର ୨.୯୪% ଥିବାବେଳେ ସାପ୍ତାହିକ ସଂକ୍ରମଣହାର ମଧ୍ୟ ସେହି ୨. ୯୪ଶତାଂଶ । କ୍ରମାଗତ ୨୧ନିନ ଯାଏ ଏହି ହାର ୫ଶତାଂଶରୁ କମ୍ ରହିଛି ।

କରୋନା ଟିକା ଅଭିଯାନ ସମ୍ପର୍କରେ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ଆମେରିକାରରେ ଯେତେ କୋଭିଡ ଟିକାର ଡୋଜ୍ ଦିଆଯାଇଛି, ଭାରତ ତାହାକୁ ଅତିକ୍ରମ କରିଛି । ସେ କହିଛନ୍ତି ଯେ ଆମେରିକାରେ କୋଭିଡ ଟିକା ପ୍ରଦାନ କାର୍ଯ୍ୟକ୍ରମ ୨୦୨୦ ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା । ଭାରତରେ ଏହାର ଆରମ୍ଭ ହୋଇଥିଲା ୨୦୨୧ ଜାନୁୟାରୀ ୧୬ତାରିଖରେ । କୋଭିଡ ଟିକାଦାନର ନୂଆ ନୀତି ଅନୁସାରେ କେନ୍ଦ୍ର ସରକାର ଦେଶରେ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କ ଠାରୁ ଟିକା କିଣି ତାହାର ୭୫ଶତାଂଶ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନାମୂଲ୍ୟରେ ଯୋଗାଇ ଦେଉଛନ୍ତି । ଆଜି (ସୋମବାର)ସକାଳ ଆଠଟା ସୁଦ୍ଧା ଆମ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କୁ ମୋଟ ୩୨, ୩୬,୬୩,୨୯୭ ଡୋଜ ଟିକା ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ୧,୦୧, ୯୮, ୨୫୭ ସ୍ୱାସ୍ଥ୍ୟସେବା କର୍ମୀ ପ୍ରଥମ ଡୋଜ ଏବଂ ୭୨, ୦୭,୬୧୭ ଦୁଇଟି ଯାକ ଡୋଜ ଟିକା ନେଇଛନ୍ତି । ଏହାଛଡା ସମ୍ମୁଖଭାଗର ୧, ୭୪,୪୨,୭୬୭କର୍ମୀ ପ୍ରଥମ ଡୋଜ୍ ଏବଂ ସେମାନଙ୍କ ମଧ୍ୟରୁ ୯୩, ୯୯, ୩୧୯ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିଭଳି  ୧୮ରୁ ୪୪ବର୍ଷ ବୟସ ବର୍ଗର ୮,୪୬, ୫୧, ୬୯୬ଜଣଙ୍କୁ ପ୍ରଥମ ଡୋଜ ଓ ୧୯,୦୧,୧୯୦କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ମନ୍ତ୍ରୀ ଆହୁରି କହିଥିଲେ ଯେ ୪୫ବର୍ଷ ବୟସରୁ ୬୦ବର୍ଷ ବୟସ ବର୍ଗର ନାଗରିକମାନଙ୍କ ମଧ୍ୟରୁ  ୮, ୭୧, ୧୧, ୪୪୫ଜଣ ପ୍ରଥମ ଡୋଜ ଓ ୧, ୪୮, ୧୨, ୩୪୯ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଏହା ବ୍ୟତୀତ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ମୋଟ ୬, ୭୫,୩୯, ୭୧୩ଜଣଙ୍କୁ ପ୍ରଥମ ଡୋଜ ଓ ୨,୩୪,୦୮, ୯୯୪ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି ।

କରୋନାର ଦ୍ୱିତୀୟ ସଂକ୍ରମଣ କାଳରେ ଦେଶରେ ବ୍ୟାପିଥିବା ମ୍ୟୁକର ମାଇକୋସିସ୍‌ର ସଂକ୍ରମଣ ଗତିବିଧି / ସ୍ଥିତି ସମ୍ପର୍କରେ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମନ୍ତ୍ରୀଗୋଷ୍ଠୀର ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଦେଶରେ ଏହି ମ୍ୟୁକରମାଇକୋସିସ୍ ବା କବକ ଦ୍ୱାରା ୪୦, ୮୪୫ଜଣ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ସେଥିମଧ୍ୟରୁ ୩୧, ୩୩୪ଜଣଙ୍କଠାରେ ରାଇନୋସେରେବ୍ରାଲ ଲକ୍ଷଣ ପ୍ରକାଶ ପାଇଥିଲା । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମୋଟ ୩୧୨୯ । ମୋଟ ସଂଖ୍ୟାରୁ ୩୪,୯୦୦କୋଭିଡରେ(୮୫.୫%) ଓ ୨୬,୧୮୭(ପ୍ରାୟ ୬୪.୧୧%) ଡାଇବେଟିସ୍ ଜନିତ କୋ -ମର୍କିଡିଟିରେ ଆକ୍ରାନ୍ତ ଥିଲେ । ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରୁ ୨୧, ୫୨୩ଜଣଙ୍କୁ (୫୨.୬୮%)ଷ୍ଟିରଏଡ୍ ପ୍ରଦାନ କରାଯାଇଥିଲା ।

ବୟସବର୍ଗରେ ୧୮ରୁ ୪୫ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୩, ୦୮୩ (୩୨%),୪୫ରୁ ୬୦ବଷ ର୍ବର୍ଗରେ ୧୭, ୪୬୪(୪୨%) ଓ ତଦ୍ଦୁର୍ଦ୍ଧ ବର୍ଗର ୧୦, ୦୮୨(୨୪%) ।

ଏହି ବୈଠକରେ ଗୋଷ୍ଠୀର ସଦସ୍ୟମାନେ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱପ୍ରଦାନ କରିଥିଲେ । ସଂକ୍ରମଣ ଅବ୍ୟାହତ ଥିବାରୁ ଲୋକଙ୍କୁ କରୋନା ନିୟମ ମାନିବା ଓ ସତର୍କ ରହିବାକୁ ପ୍ରଚାର ଅଭିଯାନକୁ ବ୍ୟାପକ କରିବାକୁ ସଦସ୍ୟମାନେ ମତପ୍ରକାଶ କରିଥିଲେ । ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ପାଲ ହାତ ଧୋଇବା ଓ ମାସ୍କ ପରିଧାନର ସୁଫଳ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଆଇସିଏମଆଇର ମହାନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ଡକ୍ଟର ବଳରାମ ଭାର୍ଗବ କହିଥିଲେ ଯେ ଦେଶରେ ଏବେ ମଧ୍ୟ କରୋନାର ଦ୍ୱିତୀୟ ଲହର ଜାରି କରିଛି । ଦେଶରେ ୮୦ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଅଛି । ଏଭଳି ସ୍ଥିତିରେ କୌଣସି ପ୍ରକାର କୋହଳତା ଅବଲମ୍ବନ ନ କରିବାକୁ ସେ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ, କୋଭିଡର ରୂପାନ୍ତରିତ ଆଲଫା, ବିଟା, ଗାମା ଓ ଡେଲଟା ଭୂତାଣୁ ବିରୋଧରେ ଟିକା ସଫଳ ହେଉଥିବା ପ୍ରମାଣିତ ହୋଇଛି ।

ଏନସିଡିସି ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର କରୋନା ସଂକ୍ରମଣର ଏକ ସବିଶେଷ ରିପୋର୍ଟ ବୈଠକରେ ଉପସ୍ଥାପନା କରିଥିଲେ ।  ରୋଗର ସଂକ୍ରମଣ ବୃଦ୍ଧି, ସଂକ୍ରମଣ ଓ ମୃତ୍ୟୁହାର, ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ମାନଦଣ୍ଡ, ମହାମାରୀ ଜନିତ ତଥ୍ୟାବଳୀ,  ନିର୍ଦ୍ଦିଷ୍ଟ ଜିଲ୍ଲାର ତଥ୍ୟାବଳୀ ଓ ସ୍ଥିତି ତଥା ଅନ୍ୟାନ୍ୟ ତଥ୍ୟ ସେ ରାଜ୍ୟୱାରୀ ରଖିଥିଲେ ।

ବୈଠକର ତଥ୍ୟ ଅନୁସାରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଓଡିଶାରେ କରୋନା ସଂକ୍ରମଣର ବୃଦ୍ଧିହାର ଜାତୀୟହାର ତୁଳନାରେ ଅଧିକ ରହୁଛି । ଏ ଯାଏଁ ଦେଶର ୧୯ଟି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୦ରୁ କମ୍ ଥିବାବେଳେ ଚାରିଟି ରାଜ୍ୟ-କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକରେ ଏହି ସଂଖ୍ୟା ଦୈନିକ ଏକ ଶହରୁ ଅଧିକ ରହୁଛି । ରାଜ୍ୟ ସମୂହ ପର୍ଯ୍ୟାୟକ୍ରମେ କଟକଣା କୋହଳ କରୁଥିବାରୁ କୋଭିଡ ନିୟମ ପାଳନ ଉପରେ ମନ୍ତ୍ରୀଗୋଷ୍ଠୀ ଗୁରୁତ୍ୱାରୋପ କରିଛି । ଦ୍ୱିତୀୟ କରୋନା ଲହରର ଅବସାନ ଏଯାଏଁ ଘଟିନାହିଁ, ଏଭଳି ସ୍ଥିତିରେ ଦେଶରେ କେତେକ ଜିଲ୍ଳାରେ କରୋନାର ପ୍ରକୋପ ବୃଦ୍ଧି ଚିନ୍ତାଜନକ ବୋଲି  ବୈଠକରେ ମତପ୍ରକାଶ ପାଇଛି ।

ଟିକା ନେବାକୁ ଲୋକଙ୍କ ମଧ୍ୟରେ ଯେଉଁ କୁଣ୍ଠାଭାବ ଦେଖାଯାଉଛି ଏହାକୁ ଦୂର କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ କିପରି ପ୍ରଚାର ଅଭିଯାନ ଚାଲିଛି ସେ ସମ୍ପର୍କରେର ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ସୁଶ୍ରୀ ନିରାଜ ଶେଖର ତଥ୍ୟ ରଖିଥିଲେ ।

ବୈଠକରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ବୈଦେଶିକ ସଚିବ ଶ୍ରୀ ହର୍ଷବର୍ଦ୍ଧନ ସ୍ରିଙ୍ଗଲା, ଫାର୍ମା ସଚିବ ସୁଶ୍ରୀ ଏସ୍ ଅପର୍ଣ୍ଣା, ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଶ୍ରୀ ବିକାଶ ଶିଲ୍‌, ନୀତି ଆୟୋଗର ଅତିରିକ୍ତ ସଚିବ ଶ୍ରୀ ରାକେଶ ସନୱାଲ ପ୍ରମୁଖ ଭାଗ ନେଇଥିଲେ ।

*****

TKM



(Release ID: 1731041) Visitor Counter : 237