ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ-୧୯ ସ୍ଥିତି ସମୀକ୍ଷା

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ନୀତି ଆପଣାଇବାକୁ ଅଧିକାରୀମାନଙ୍କୁ ଅପିଲ

Posted On: 20 MAY 2021 1:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ଆଲୋଚନା କରି କୋଭିଡ-୧୯ ସ୍ଥିତି ସମୀକ୍ଷା କରିଛନ୍ତି ।

ଆଲୋଚନା ବେଳେ ଅଧିକାରୀମାନେ କୋଭିଡ-୧୯ ବିରୋଧୀ ଲଢେଇରେ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରିଅଲ ଟାଇମ ମନିଟରିଂ ଓ ଦକ୍ଷତା ବୃଦ୍ଧିରେ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହ ଲୋକଙ୍କ ଭାଗିଦାରୀ ଓ ସଚେତନତା ବୃଦ୍ଧି ପାଇଁ ଜିଲ୍ଲାଗୁଡିକରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ମହାମାରୀ ସହ ଲଢିବା ପାଇଁ ପୂର୍ଣ୍ଣ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । କରୋନା ଭୂତାଣୁ ଏହି କାମକୁ ଅଧିକ କଷ୍ଟସାଧ୍ୟ ଓ ଆହ୍ୱାନମୂଳକ କରିଦେଇଛି । ନୂଆ ଆହ୍ୱାନ ପାଇଁ ନୂଆ କୌଶଳ ଓ ନୂଆ ସମାଧାନର ଆବଶ୍ୟକତା ରହିଛି । ଗତ କିଛିଦିନ ଧରି ଦେଶରେ ସକ୍ରିୟ ମାମଲା ସଂଖ୍ୟା କମିବାରେ ଲାଗିଛି । ତେବେ ସଂକ୍ରମଣ ଥିବା ଯାଏଁ ଆହ୍ୱାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।

ମହାମାରୀ ସହ ଲଢେଇ ପାଇଁ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଅଭିଜ୍ଞତା ଓ କ୍ଷେତ୍ରାନୁଭୂତି ବ୍ୟାବହାରିକ ଓ ପ୍ରଭାବୀ ନୀତି ପ୍ରଣୟନରେ ସାହାଯ୍ୟ କରୁଛି ବୋଲି କହିଥିଲେ । ପ୍ରତି କ୍ଷେତ୍ରରେ ରାଜ୍ୟ ଓ ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶକୁ ସାମିଲ କରି ଟିକାକରଣ ରଣନୀତି ଆପଣା ଯାଉଛି ।

ସ୍ଥାନୀୟ ଅଭିଜ୍ଞତାର ଉପଯୋଗ ତଥା ସାମଗ୍ରିକ ଭାବେ ଦେଶ ପାଇଁ କାମ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗାଁଗୁଡିକୁ କରୋନା ମୁକ୍ତ ରଖିବା ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ବାର୍ତ୍ତା ପ୍ରସାର ସହ ମାମଲା କମୁଥିବା କ୍ଷେତ୍ରରେ ମଧ୍ୟ ଏହାର ପାଳନ ପାଇଁ ନିବେଦନ କରିଥିଲେ । ଗାଁ ଓ ସହର ପାଇଁ ବିଶେଷ ରଣନୀତି ସହ ଗ୍ରାମୀଣ ଭାରତକୁ କୋଭିଡ ମୁକ୍ତ ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ମହାମାରୀ ଆମକୁ ନିରନ୍ତର ନବାଚାର ଓ ମହାମାରୀ ସହ ଲଢିବା ପାଇଁ ନିଜ କୌଶଳ ପରିବର୍ତ୍ତନ କରିବାକୁ ଶିଖାଇଥାଏ । ଭାଇରସ ମ୍ୟୁଟେସନ ଓ ରୂପ ବଦଳୁଥିବାରୁ ମହାମାରୀ ସହ ଲଢିବାର କୌଶଳ ଓ ରଣନୀତି ଗତିଶୀଳ ହେବା ଦରକାର । ଭାଇରସ ମ୍ୟୁଟେସନ ଯୁବପୀଢି ଓ ପିଲାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଟିକା ନଷ୍ଟ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ବ୍ୟକ୍ତିଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ଅକ୍ଷମତା । ତେଣୁ ଟିକା ନଷ୍ଟ ରୋକିବାକୁ ହେବ । ନାଗରିକଙ୍କ ଜୀବନ ବଞ୍ଚାଇବା ସହ ଜୀବନ ସୁଗମ କରିବାକୁ ପ୍ରାଥମିକତା ଦିଆଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗରିବ ଲୋକଙ୍କୁ ନିଃଶୁଳ୍ପ ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହ କଳାବଜାରୀ ବନ୍ଦ ହେବା ଦରକାର । ଲଢେଇ ଜିତିବା ସହ ଆଗେଇବା ପାଇଁ ଏସବୁ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

SR



(Release ID: 1720443) Visitor Counter : 214