ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ମତ ବିନିମୟ

ଦେଶର ବିଭିନ୍ନ ଭାଗରେ ନିଆଯାଉଥିବା ଶ୍ରେଷ୍ଠ ପଦକ୍ଷେପ ଗୁଡିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ ଅଧିକାରୀମାନଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

Posted On: 18 MAY 2021 2:26PM by PIB Bhubaneshwar

କୋଭିଡ-୧୯ ମହାମାରୀର ମୁକାବିଲା କରୁଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟସ୍ରାବ୍ୟ ସମ୍ମିଳନୀ ଜରିଆରେ ମତ ବିନିମୟ କରିଛନ୍ତି ।

ମତବିନିମୟ କାଳରେ ଅଧିକାରୀଗଣ କୋଭିଡ ମହାମାରୀର ଦ୍ୱିତୀୟ ଲହର ମୁକାବିଲାର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ମୁକାବିଲା ନିମନ୍ତେ  ନିଆଯାଉଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସାମର୍ଥ୍ୟ ବୃଦ୍ଧି ନେଇ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ସେମାନେ ସୂଚନା ଦେଇଥିଲେ । ନିଆଯାଉଥିବା ଅଭିନବ ପଦକ୍ଷେପଗୁଡିକୁ ସଂକଳନ କରି ରଖିଲେ ସେସବୁ ଦେଶର ଅନ୍ୟ ଜିଲ୍ଲାଗୁଡିକ ପାଇଁ କାମରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ ।

            ମତବିନିମୟ ପରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାସ୍ଥ୍ୟଯତ୍ନ କର୍ମୀ, ସମ୍ମୁଖ ଯୋଦ୍ଧା ଓ ପ୍ରଶାସକମାନଙ୍କ ଉତ୍ସର୍ଗୀକୃତ ଅଧ୍ୟବସାୟର ପ୍ରଶଂସା କରିବା ସହ ସେହିପରି ଅଦମ୍ୟ ସାହସର ସହ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଳା ଏକ ଅନ୍ୟଠାରୁ ଭିନ୍ନ ଓ ପ୍ରତ୍ୟେକ ଜିଲ୍ଲାର ଅନନ୍ୟ ସମସ୍ୟାମାନ ରହିଛି । ସେ ଜିଲ୍ଲା ଅଧିକାରୀମାନଙ୍କ କହିଥିଲେ ଯେ “ଆପଣମାନେ ନିଜ ନିଜ ଜିଲ୍ଲାର ସମସ୍ୟା ସମ୍ପର୍କରେ ବେଶ ଅବଗତ ଥିବେ । ଯେତେବେଳେ ଆପଣଙ୍କ ଜିଲ୍ଲା ବିଜୟୀ ହେବ, ଦେଶ ବିଜୟୀ ହେବ । ଯେତେବେଳେ ଆପଣଙ୍କ ଜିଲ୍ଲା କରୋନାକୁ ପରାସ୍ତ କରିବ ଦେଶ ମଧ୍ୟ କରୋନା ବିରୁଦ୍ଧରେ ବିଜୟୀ ହେବ ।” କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁଦ୍ଧା ଯେଉଁ ଅଧିକାରୀମାନେ ବିନା ଛୁଟିରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ତ୍ୟାଗକୁ ସେ ବୁଝିଛନ୍ତି ଓ ସେମାନେ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣାର ଉତ୍ସ ବୋଲି କହିଥିଲେ ।

            ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ପ୍ରତ୍ୟେକ ଅଧିକାରୀଙ୍କ ଭୂମିକା କରୋନା ସଂଗ୍ରାମରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ଯୁଦ୍ଧରେ ଦଳପତିଙ୍କ ଭଳି । ସ୍ଥାନୀୟ ସଙ୍ଗରୋଧ ଅଞ୍ଚଳ, ବ୍ୟାପକ ପରୀକ୍ଷଣ ଓ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବା ହେଉଛି କରୋନା ଭୂତାଣୁ ବିରୁଦ୍ଧରେ ବିଜୟ ଅସ୍ତ୍ର ।

            କରୋନା ସଂକ୍ରମଣ କେତେକ ରାଜ୍ୟରେ ହ୍ରାସ ପାଉଥିବାବେଳେ, କେତେକ ରାଜ୍ୟରେ ବୃଦ୍ଧି ମଧ୍ୟ ପାଉଛି । ଯେଉଁସବୁ ସ୍ଥାନରେ ସଂକ୍ରମଣ ହ୍ରାସ ପାଉଛି ସେଠାରେ ସତର୍କ ରହିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ସବୁଠାରୁ ବଡ କଥା ହେଲା ପ୍ରତ୍ୟେକଟି ଜୀବନ ବଞ୍ଚାଇବା  ଓ ଗ୍ରାମାଞ୍ଚଳ ଓ ଅଗମ୍ୟ ଅଞ୍ଚଳ ପ୍ରତି ବେଶୀ ଧ୍ୟାନ ଦେବା ସହ ରିଲିଫ ସାମଗ୍ରୀ ଯେପରି ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବ ତାହା ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।

            ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଜନସାଧାରଣଙ୍କ ଜୀବନଧାରଣମାନ ଯେପରି ଭଲ ହେବ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ ।  ସଂକ୍ରମଣ ହ୍ରାସ ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଦେଶର ପ୍ରତ୍ୟେକ ଜିଲ୍ଲା ସଦର ହସ୍‌ପିଟାଲରେ ଅମ୍ଳଜାନ ପ୍ଲାଣ୍ଟ ବସାଯାଉଛି । ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ସ୍ଥାପନ କରାଯାଉଥିବା ଏହି ପ୍ଲାଣ୍ଟ କେତେକ ହସ୍‌ପିଟାଲରେ କାର୍ଯ୍ୟକ୍ଷମ ମଧ୍ୟ ହେଲାଣି ବୋଲି ସେ କହିଥିଲେ ।

            ହସ୍‌ପିଟାଲରେ ଭର୍ତ୍ତି ହେବା ତଥା ମୃତ୍ୟୁହାର ହାସ କରିବାରେ ଟିକାକରଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ସଂକ୍ରମଣର ଭୟାବହତାକୁ ମଧ୍ୟ ଏହା ଅନେକାଂଶରେ ପ୍ରତିହତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଟିକାର ବିପୁଳ ଯୋଗାଣ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଚାଲିଛି ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପଦ୍ଧତିକୁ ସୁନିୟନ୍ତ୍ରିତ କରୁଛନ୍ତି । ରାଜ୍ୟଗୁଡିକ ପରବର୍ତ୍ତୀ ୧୫ଦିନ ନିମନ୍ତେ ସୂଚୀ ଦେବାକୁ ପ୍ରୟାସ ହେଉଛି ଓ ଏଥିସହ ଟିକା ନଷ୍ଟ ଯେପରି ରୋକାଯାଇପାରିବ ତା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ । ଯେତେବେଳେ ରୋଗୀକୁ ଶଯ୍ୟା ଓ ଟିକାର ଉପଲବ୍ଧତା ସମ୍ପର୍କୀୟ ତଥ୍ୟ ସହଜରେ ଉପଲବ୍ଧ ହେବ ସେତେବେଳେ ଏହା ହିତାଧିକାରୀମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ । ସେହିପରି କଳାବଜାରୀ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଥିଲେ ।  ।

            ବିଲବାଡିରେ ଗ୍ରାମାଞ୍ଚଳ ଲୋକେ ଯେପରି ସାମାଜିକ ଦୂରତା ରକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଗ୍ରାମବାସୀମାନେ ଏହାର ମହତ୍ୱ ଉପଲବ୍ଧ କରି ଏହାକୁ କାମରେ ଲଗାଉଛନ୍ତି । ଏହା ହେଉଛି ଗ୍ରାମ୍ୟଶକ୍ତି  । କରୋନା ମାମଲା ହ୍ରାସ ପାଇଲେ  ମଧ୍ୟ ସତର୍କ ରହିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ନିବେଦନ କରିଛନ୍ତି ।

            ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର, ପ୍ରତିରକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ), ସ୍ୱାସ୍ଥ୍ୟ ସଚିବ, ଫର୍ମାସ୍ୟୁଟିକାଲ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ , ମନ୍ତ୍ରଣାଳୟ  ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ ।

 

*****

 

SM /SLP



(Release ID: 1719669) Visitor Counter : 210