ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଧିକ କୋଭିଡ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ

ଆମେ ମିଳିତଭାବେ କାମ କଲେ ସମ୍ବଳର ଅଭାବ ରହିବ ନାହିଁ : ପ୍ରଧାନମନ୍ତ୍ରୀ

ଅକ୍ସିଜେନ ଟ୍ୟାଙ୍କର ଯାତ୍ରା ସମୟ ହ୍ରାସ ପାଇଁ ରେଳବାଇ ଓ ବାୟୁସେନାକୁ ନିୟୋଜିତ କରାଯାଇଛି: ଶ୍ରୀ ମୋଦୀ

ଅତ୍ୟାବଶ୍ୟକ ଔଷଧ ଓ ଇଞ୍ଜେକସନର ବେଆଇନ ମହଜୁଦ୍ ଏବଂ କଳାବଜାରୀ ରୋକିବାକୁ ରାଜ୍ୟସମୂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୧୫କୋଟି ଡୋଜରୁ ଅଧିକ ଟିକା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି: ପ୍ରଧାନମନ୍ତ୍ରୀ

ହସ୍‌ପିଟାଲଗୁଡିକର ନିରାପତ୍ତାକୁ ଅବହେଳା ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଲୋକେ ଛାନିଆରେ ଯେପରି ଅଧିକ କିଣାକିଣି ନ କରନ୍ତି ସେଥିପାଇଁ ସଚେତନତା ବୃଦ୍ଧି କରାଯିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

Posted On: 23 APR 2021 2:42PM by PIB Bhubaneshwar

କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅଧ୍ୟକ୍ଷତା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିଛି ।

            ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର  ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତଭାବେ ଆବଶ୍ୟକ ପରାମର୍ଶ ଯୋଗାଇଦେଇଛି ।

ଅକ୍ସିଜେନ ଯୋଗାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ଦ୍ୱାରା ଉତ୍‌ଥାପିତ ପ୍ରସଙ୍ଗଗୁଡିକୁ ଶୁଣିବା ସହିତ ଏ କ୍ଷେତ୍ରରେ ଥିବା ଅସୁବିଧା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ବଢାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ସବୁ ମନ୍ତ୍ରଣାଳୟ ଓ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତତ୍କାଳ ଆବଶ୍ୟକତା ପୂରଣ ପାଇଁ ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଛି ।

ଏଭଳି ପରିସ୍ଥିତିରେ ସବୁ ରାଜ୍ୟ ମିଳିତଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ଔଷଧପତ୍ର ଓ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ରାଜ୍ୟମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସେ କହିଛନ୍ତି । ଆହୁରି ମଧ୍ୟ  ଅକ୍ସିଜେନ ଓ ଅତ୍ୟାବଶ୍ୟକ ଔଷଧକୁ ଅସାଧୁବ୍ୟକ୍ତି ମହଜୁଦ୍ କରି ଏହାର କଳାବଜାରୀ ଯେପରି ନ କରନ୍ତି ସେଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରଦେଶକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର ଯେପରି ବାଟରେ ଅଟକି ନ ରହେ ବା ଏଥିରେ ବାଧା ସୃଷ୍ଟି ନ ହୁଏ ତାହା ପ୍ରତ୍ୟେକ ରାଜ୍ୟ ସୁନିଶ୍ଚିତ କରିବା ଉଚିତ । ରାଜ୍ୟର ବିଭିନ୍ନ ହସ୍‌ପିଟାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ତୁରନ୍ତ ଗଠନ  କରାଯିବା ଆବଶ୍ୟକ । କେନ୍ଦ୍ରରୁ ଅକ୍ସିଜେନ ରାଜ୍ୟରେ ପହଂଚିବା ମାତ୍ରେ ଏହା ଯେପରି ଅବିଳମ୍ବେ ବିଭିନ୍ନ ହସ୍‌ପିଟାଲରେ ଆବଶ୍ୟକତା ଅନୁସାରେ ପହଁଂଚେ ତାହା କମିଟି ସୁନିଶ୍ଚିତ କରିବା ଉଚିତ ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଇଥିଲେ ଯେ ସେ ଗୁରୁବାର ଅକ୍ସିଜେନ ଯୋଗାଣ ସଂକ୍ରାନ୍ତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆଜି ଅନୁରୂପ ଆଉ ଏକ ବୈଠକରେ ଯୋଗଦେବେ । ଏଥିରେ ଅକ୍ସିଜେନ ଯୋଗାଣ ବୃଦ୍ଧି ଘେନି ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରାଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅକ୍ସିଜେନ ଟ୍ୟାଙ୍କର ଯାତ୍ରା ଓ ଫେରିବା ସମୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରି କାର୍ଯ୍ୟ କରୁଛନ୍ତି । ତଦନୁସାରେ ରେଳବାଇ ପକ୍ଷରୁ ‘ଅକ୍ସିଜେନ ଏକ୍ସପ୍ରେସ’ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଖାଲି ଅକ୍ସିଜେନ ଟ୍ୟାଙ୍କର ସବୁକୁ ବାୟୁସେନା ଦ୍ୱାରା ପରିବହନ କରାଯାଇ ଗୋଟି ପଟର ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳର ସୁବନ୍ଦୋବସ୍ତ ସହିତ ଆମକୁ କୋଭିଡ ଟେଷ୍ଟିଂ ଉପରେ ଅଧିକ ଗୁୁରୁତ୍ୱ ଦେବାକୁ ପଡିବ । ଟେଷ୍ଟିଂ ସୁବିଧାକୁ ବ୍ୟାପକ କରି ଲୋକଙ୍କୁ ସୁବିଧାରେ ଏହି ସେବା ଯୋଗାଇବାକୁ ସେ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମ  ଟିକାକରଣ କାର୍ଯ୍ୟକ୍ରମ ଏଭଳି ପରିସ୍ଥିତିରେ ଧିମେଇ ଯିବା ଅନୁଚିତ । ଭାରତ ବିଶ୍ୱର  ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଯାଏ ରାଜ୍ୟ ସମୂହକୁ ୧୫କୋଟିରୁ ଅଧିକ ଡୋଜ ଟିକା ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଏହି ଟିକାଦାନ କାର୍ଯ୍ୟକ୍ରମରେ ୪୫ବର୍ଷରୁ ଅଧିକ ବୟସର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ବିନା ମୂଲ୍ୟରେ ଟିକା ଦେବାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ଦେଶରେ ସ୍ୱାସ୍ଥ୍ୟ ସେବା ଓ ସମ୍ମୁଖ ଭାଗର କର୍ମୀମାନେ ଅନ୍ତର୍ଭୁକ୍ତ । ଏହି ଅଭିଯାନ ପୂର୍ବବତ୍ ଜାରି ରହିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେ ପହିଲାରୁ ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ  ଦେଶର ସବୁ ନାଗରିକଙ୍କୁ ଟିକା ନେବାର ସୁଯୋଗ ମିଳିବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଆମକୁ ମିଶନ ମୋଡରେ କାମ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଗୀମାନଙ୍କ ଚିକିତ୍ସା ସହିତ ହସ୍‌ପିଟାଲର ନିରାପତା ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ । ନିକଟରେ କେତେକ ହସ୍‌ପିଟାଲରେ ଅକ୍ସିଜେନ ନିର୍ଗତ ଓ ଅଗ୍ନିକାଣ୍ଡ ଘଟଣାରେ ଦୁଃଖପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ହସ୍‌ପିଟାଲ ର ପ୍ରଶାସନିକ କର୍ମଚାରୀ ନିରାପତା ନିୟମ ବାବଦରେ ଅଧିକ ସଚେତନ ହେବା ଆବଶ୍ୟକ ।

 ସେ କହିଛନ୍ତି ଏଭଳି ସଙ୍କଟ ସମୟରେ ଲୋକମାନେ ଛାନିଆ ହୋଇ ଅତ୍ୟାବଶ୍ୟକ ଜିନିଷପତ୍ର କିଣିଥାନ୍ତି । ଅତଏବ ଲୋକଙ୍କୁ ନିରନ୍ତର ଏ ବିଷୟରେ ସଚେତନ କରି ଏଭଳି କାର୍ଯ୍ୟରୁ ନିବୃତ କରିବାକୁ ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ  । ମିଳିତ ଉଦ୍ୟମ ଦ୍ୱରା କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆମେ ଦେଶରେ ଅଟକାଇ ପାରିବା ବୋଲି ସେ କହିଛନ୍ତି ।

ଏହି ବୈଠକରେ ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡକ୍ଟର ଭି.କେ ପାଲ୍ ନୂଆ ସଂକ୍ରମଣର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣନୀତି ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରିଥିଲେ । ସେ ମଧ୍‌ୟଦେଶରେ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଣ ବୁଦ୍ଧି ଏବଂ ରୋଗୀମାନଙ୍କର ‘ଟାର୍ଗେଟେଡ୍ ଟ୍ରିଟମେଣ୍ଟ’  ସମ୍ପର୍କରେ ତଥ୍ୟ ରଖିଥିଲେ । ଏଥିରେ ମେଡିକାଲ ଭିତ୍ତିଭୂମି ବୃଦ୍ଧି, କ୍ଲିନିକାଲ ମ୍ୟାନେଜମେଣ୍ଟ, କଂଟେନମେଣ୍ଟ, ଟିକାଦାନ ଗୋଷ୍ଠୀ ସହଯୋଗ ଆଦି ସ୍ଥାନ ପାଇଥିଲା ।

ଏହି ଆଲୋଚନା କାଳରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୀତି ଆୟୋଗର କାର୍ଯ୍ୟସୂଚୀ ଦ୍ୱାରା ସାଂପ୍ରତିକ ସଂକ୍ରମଣକୁ ରୋକିବାକୁ ସେମାନେ ନିଜ ନିଜ ରାଜ୍ୟରେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀମାନେ କହିଥିଲେ ।

*******

TKM

 



(Release ID: 1713668) Visitor Counter : 300