ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ସେଶେଲ୍ସ ଉଚ୍ଚ ସ୍ତରୀୟ ଭର୍ଚ୍ୟୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (ଏପ୍ରିଲ ୮, ୨୦୨୧)

Posted On: 08 APR 2021 6:53PM by PIB Bhubaneshwar

ସେଶେଲ୍ସ ଗଣରାଜ୍ୟର ରାଷ୍ଟ୍ରପତି

ମହାମହିମ ଓ୍ୱାଭେଲ ରାମକଲାଓ୍ୱନ ଜୀ,

ବିଶିଷ୍ଟ ଅତିଥିବୃନ୍ଦ,

ନମସ୍କାର,

ସେଶେଲ୍ସ ରାଷ୍ଟ୍ରପତି ରାମକଲାଓ୍ୱନ ଜୀଙ୍କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ଆରମ୍ଭ କରୁଛି । ସେ ଭାରତୀୟ ବଂଶଜ, ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ତାଙ୍କ ଭିଟାମାଟି । ତାଙ୍କ ସଫଳତାରେ କେବଳ ତାଙ୍କ ଗାଁ ପରସୌନି ବାସିନ୍ଦା ନୁହନ୍ତି ସମସ୍ତ ଭାରତୀୟ ଗର୍ବିତ । ଜନସେବା ପ୍ରତି ଉତ୍ସର୍ଗୀକୃତ ଭାବନା ଉପରେ ଆସ୍ଥା ରଖି ସେଶେଲ୍ସବାସୀ ତାଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି ।

ବନ୍ଧୁଗଣ,

୨୦୧୫ର ସେଶେଲ୍ସ ଗସ୍ତ ମୋର ମନେ ଅଛି । ଭାରତ ମହାସାଗର ଅଞ୍ଚଳର ପଡୋଶୀ ଦେଶଗୁଡିକୁ ଗସ୍ତର ଏହା ପ୍ରଥମ ଗନ୍ତବ୍ୟ ଥିଲା । ଭାରତ ଓ ସେଶେଲ୍ସ ଭାରତ ମହାସାଗର ଅଞ୍ଚଳରେ ମଜବୁତ ଓ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ତୁଲାଇଥାନ୍ତି । 

ସେଶେଲ୍ସ ଭାରତର ସାଗର- ସମସ୍ତ ଆଞ୍ଚଳିକ ଦେଶର ସୁରକ୍ଷା ଓ ବିକାଶ ଭିଜନର କେନ୍ଦ୍ରରେ ରହିଛି । ସେଶେଲ୍ସର ସୁରକ୍ଷା କ୍ଷମତା ଓ ଭିତ୍ତିଭୂମିର ବିକାଶ ଆବଶ୍ୟକତା ପୂରଣ ପାଇଁ ଭାରତ ଭାଗିଦାର ହେବାର ସମ୍ମାନ ହାସଲ କରିପାରିଛି । ଆଜି ଆମ ବନ୍ଧୁତ୍ୱରେ ଆଉ ଏକ ମାଇଲ ଖୁଣ୍ଟ ସାମିଲ ହୋଇଛି । ବିକାଶ ଭାଗିଦାରୀରେ ସମାପ୍ତ କିଛି ନୂତନ ପ୍ରକଳ୍ପ ଉନ୍ମୋଚନ କରିବାକୁ ଆମେ ଏକାଠି ହୋଇଛୁ ।

ବନ୍ଧୁଗଣ,

ସମସ୍ତ ଗଣତନ୍ତ୍ର ପାଇଁ ମୁକ୍ତ, ସ୍ୱାଧୀନ ଓ ଦକ୍ଷ ନ୍ୟାୟିକ ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଶେଲ୍ସରେ ନୂଆ ମାଜିଷ୍ଟ୍ରେଟ କୋର୍ଟ ବିଲ୍ଡିଂ ନିର୍ମାଣରେ ଭାଗିଦାର ହୋଇ ପାରିଥିବାରୁ ଆମେ ବେଶ ଖୁସି । ଏହି ଅତ୍ୟାଧୁନିକ କୋଠାର ନିର୍ମାଣ କୋଭିଡ-୧୯ ମହାମାରୀ କାଳରେ ଶେଷ ହୋଇଥିଲା । ଦୁଇ ଦେଶର ଗଭୀର ଓ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ ଭାବେ ଏହା ଦୀର୍ଘଦିନ ଯାଏଁ ସ୍ମରଣୀୟ ରହିବ ବୋଲି ମୋର ବିଶ୍ୱାସ ରହିଛି ।

ଭାରତ ସବୁବେଳେ ବିକାଶ ସହଯୋଗର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ବିଶ୍ୱାସ କରେ । ୧୦ଟି ଖୁବ ପ୍ରଭାବଶାଳୀ ସାର୍ବଜନୀନ ବିକାଶ ପ୍ରକଳ୍ପ ଉନ୍ମୋଚନରେ ଆଜି ଏହି ଦର୍ଶନ ପରିଲକ୍ଷିତ ହେଉଛି । ଏହି ପ୍ରକଳ୍ପଗୁଡିକ ସେଶେଲ୍ସବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ । 

ବନ୍ଧୁଗଣ,

ସେଶେଲ୍ସର ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ଭାରତ ସଂକଳ୍ପବଦ୍ଧ । ଆଜି ଆମେ ସେଶେଲ୍ସ ତଟରକ୍ଷା ବାହିନୀକୁ ଏକ ନୂତନ, ଅତ୍ୟାଧୁନିକ, ଭାରତରେ ନିର୍ମିତ ଫାଷ୍ଟ ପାଟ୍ରୋଲ ଭେସେଲ ପ୍ରଦାନ କରୁଛୁ । ସାମୁଦ୍ରିକ ସମ୍ପଦ ସୁରକ୍ଷିତ ରଖିବାରେ ଏହି ଭେସେଲ ସେଶେଲ୍ସକୁ ସାହାଯ୍ୟ କରିବ । ଜଳବାୟୁ ପରିବର୍ତ୍ତନ ଦ୍ୱୀପ ଦେଶଗୁଡିକ ପାଇଁ ବିପଦ ସୃଷ୍ଟି କରୁଛି । ଭାରତ ସହାୟତାରେ ସେଶେଲ୍ସକୁ ଏକ ମେଗାଓ୍ୱାଟ ସୌର ଶକ୍ତି ପ୍ରକଳ୍ପ ମିଳି ପାରିଥିବାରୁ ମୁଁ ଖୁସି । ଏସବୁ ପ୍ରକଳ୍ପଗୁଡିକ ଦ୍ୱାରା ସେଶେଲ୍ସର ବିକାଶ ପ୍ରାଥମିକତା ପ୍ରତିଫଳିତ ହୋଇଛି, ଯେଉଁଥିରେ ପ୍ରକୃତିର ଯତ୍ନ ସାଙ୍ଗକୁ ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଉଛି ।

ବନ୍ଧୁଗଣ,

କରୋନା ମହାମାରୀ ବିରୋଧୀ ଲଢେଇରେ ସେଶେଲ୍ସର ପ୍ରମୁଖ ଭାଗିଦାର ଭୂମିକା ନିର୍ବାହ କରିବା ଭାରତ ପାଇଁ ସମ୍ମାନର କଥା । ଏହି ସମୟରେ ଆମେ ସେଶେଲ୍ସକୁ ଦରକାରୀ ଔଷଧ ଓ ଟୀକାର ୫୦ ହଜାର ମେଡ ଇନ ଇଣ୍ଡିଆ ଡୋଜ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । ମେଡ ଇନ ଇଣ୍ଡିଆ  କୋଭିଡ-୧୯ ଟୀକା ପାଇବାରେ ସେଶେଲ୍ସ ପ୍ରଥମ ଆଫ୍ରିକୀୟ ଦେଶ ଥିଲା । ମୁଁ ରାଷ୍ଟ୍ରପତି ରାମକଲାଓ୍ୱନ ଜୀଙ୍କୁ ଭରସା ଦେବାକୁ ଚାହୁଁଛି କି କୋଭିଡ ପରବର୍ତ୍ତୀ ଆର୍ଥିକ ସୁଧାର ପାଇଁ ଭାରତ ସେଶେଲ୍ସକୁ ଦୃଢ ସମର୍ଥନ ଯୋଗାଇଦେବ ।

 

ବନ୍ଧୁଗଣ,

ଭାରତ- ସେଶେଲ୍ସ ବନ୍ଧୁତା ପ୍ରକୃତରେ ବେଶ ଗୁରୁତ୍ୱପୂର୍ଣ୍ଣ । ଏବଂ ଭାରତ ଏହି ସମ୍ପର୍କକୁ ନେଇ ଗର୍ବିତ । ମୁଁ ପୁଣି ଥରେ ରାଷ୍ଟ୍ରପତି ରାମକଲାଓ୍ୱନ ଜୀ ଓ ସେଶେଲ୍ସର ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ

ଆପଣମାନଙ୍କ ବହୁତ ବହୁତ ଧନ୍ୟବାଦ

ନମସ୍କାର ।

***

SR



(Release ID: 1710614) Visitor Counter : 200