ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ୍‍ ଟିକା ପ୍ରଦାନରେ ଭାରତର ଆଉ ଏକ ଐତିହାସିକ ସଫଳତା

ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି

ଟିକା ନେଇଥିବା ଲୋକଙ୍କ ମୋଟ ସଂଖ୍ୟା ୨.୩ କୋଟିରୁ ଅଧିକ

Posted On: 09 MAR 2021 11:27AM by PIB Bhubaneshwar

କୋଭିଡ୍‍ ଟିକାଦାନ  କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି ଗତ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଚଳିତବର୍ଷ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଏହି ଟିକାଦାନ ଅଭିଯାନର ୫୨ତମ ଦିବସ ବା ମାର୍ଚ୍ଚ ୮ ତାରିଖରେ ୨୦,୧୯,୭୨୩ ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୧୭,୧୫,୩୮୦ ହିତାଧିକାରୀଙ୍କୁ ୨୮,୮୮୪ ସେସନରେ ପ୍ରଥମ ଡୋଜ ଏବଂ ଅବଶିଷ୍ଟ ୩,୦୪,୩୪୩ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି ।

 

ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଅସ୍ଥାୟୀଭାବେ ମିଳିଥିବା ରିପୋର୍ଟ ଅନୁସାରେ ୨.୩ କୋଟିରୁ ଅଧିକ (୨,୩୦,୦୮,୭୩୩) ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ସରକାରୀ ନିର୍ଦେଶାବଳୀ ଅନୁସାରେ ଏହି ପର୍ଯ୍ୟାୟରେ ୬୦ ବର୍ଷରୁ  ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ନିର୍ଦ୍ଦିଷ୍ଟ କୋ-ମରବିଡିଟି (ଅନ୍ୟାନ୍ୟ ଗୁରୁତର ବ୍ୟାଧି) ଥିବା ଲୋକଙ୍କୁ ଏହି ଟିକା ଦିଆଯାଉଛି ।

ମହାରାଷ୍ଟ୍ର, କେରଳ, ପଞ୍ଜାବ, ତାମିଲନାଡୁ, ଗୁଜରାଟ ଏବଂ କର୍ଣ୍ଣାଟକରେ ଏବେ ମଧ୍ୟ ନୂଆ ନୂଆ କୋଭିଡ୍‍ ସଂକ୍ରମଣ ଘଟଣା ଦୈନିକ ଦୃଷ୍ଟିଗୋଚର ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହିସବୁ ରାଜ୍ୟରେ ନବସଂକ୍ରମିତଙ୍କ ସଂଖ୍ୟା ଦେଶର ମୋଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୪.୦୪ ଭାଗ ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୮ ନୂଆ ସଂକ୍ରମଣ ଘଟଣା ପଞ୍ଜୀକୃତ ହୋଇଛି । ଦୈନିକ ନୂଆ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ଏହି ସଂଖ୍ୟା ୮୭୪୪ । ଏହା ପଛକୁ ୧୪୧୨ ସହିତ କେରଳ ଦ୍ୱିତୀୟରେ ଏବଂ ୧୨୨୯ ସହିତ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି । ଦୈନିକ ନୂଆ ସଂକ୍ରମଣ ମାମଲାରେ ୮ଟି ରାଜ୍ୟର ଧାରା ଊର୍ଦ୍ଧ୍ୱମୁଖୀ ଅଛି । ଆଜି ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୮୭,୪୬୨ରେ ପହଞ୍ଚିଛି । ଏହା ଦେଶର ମୋଟ ସଂକ୍ରମିତ ରୋଗୀଙ୍କର ୧.୬୭ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ ୧ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

******

TKM



(Release ID: 1703712) Visitor Counter : 214