ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ୍ ଟିକା ପ୍ରଦାନରେ ଭାରତର ଆଉ ଏକ ଐତିହାସିକ ସଫଳତା
ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି
ଟିକା ନେଇଥିବା ଲୋକଙ୍କ ମୋଟ ସଂଖ୍ୟା ୨.୩ କୋଟିରୁ ଅଧିକ
ପୋଷ୍ଟ କରାଯିବା ଦିନାଙ୍କ:
09 MAR 2021 11:27AM by PIB Bhubaneshwar
କୋଭିଡ୍ ଟିକାଦାନ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗତ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଚଳିତବର୍ଷ ଜାନୁୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଏହି ଟିକାଦାନ ଅଭିଯାନର ୫୨ତମ ଦିବସ ବା ମାର୍ଚ୍ଚ ୮ ତାରିଖରେ ୨୦,୧୯,୭୨୩ ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୧୭,୧୫,୩୮୦ ହିତାଧିକାରୀଙ୍କୁ ୨୮,୮୮୪ ସେସନରେ ପ୍ରଥମ ଡୋଜ ଏବଂ ଅବଶିଷ୍ଟ ୩,୦୪,୩୪୩ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି ।
ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଅସ୍ଥାୟୀଭାବେ ମିଳିଥିବା ରିପୋର୍ଟ ଅନୁସାରେ ୨.୩ କୋଟିରୁ ଅଧିକ (୨,୩୦,୦୮,୭୩୩) ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ସରକାରୀ ନିର୍ଦେଶାବଳୀ ଅନୁସାରେ ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ନିର୍ଦ୍ଦିଷ୍ଟ କୋ-ମରବିଡିଟି (ଅନ୍ୟାନ୍ୟ ଗୁରୁତର ବ୍ୟାଧି) ଥିବା ଲୋକଙ୍କୁ ଏହି ଟିକା ଦିଆଯାଉଛି ।
ମହାରାଷ୍ଟ୍ର, କେରଳ, ପଞ୍ଜାବ, ତାମିଲନାଡୁ, ଗୁଜରାଟ ଏବଂ କର୍ଣ୍ଣାଟକରେ ଏବେ ମଧ୍ୟ ନୂଆ ନୂଆ କୋଭିଡ୍ ସଂକ୍ରମଣ ଘଟଣା ଦୈନିକ ଦୃଷ୍ଟିଗୋଚର ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହିସବୁ ରାଜ୍ୟରେ ନବସଂକ୍ରମିତଙ୍କ ସଂଖ୍ୟା ଦେଶର ମୋଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୪.୦୪ ଭାଗ ।
ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୮ ନୂଆ ସଂକ୍ରମଣ ଘଟଣା ପଞ୍ଜୀକୃତ ହୋଇଛି । ଦୈନିକ ନୂଆ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ଏହି ସଂଖ୍ୟା ୮୭୪୪ । ଏହା ପଛକୁ ୧୪୧୨ ସହିତ କେରଳ ଦ୍ୱିତୀୟରେ ଏବଂ ୧୨୨୯ ସହିତ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି । ଦୈନିକ ନୂଆ ସଂକ୍ରମଣ ମାମଲାରେ ୮ଟି ରାଜ୍ୟର ଧାରା ଊର୍ଦ୍ଧ୍ୱମୁଖୀ ଅଛି । ଆଜି ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୮୭,୪୬୨ରେ ପହଞ୍ଚିଛି । ଏହା ଦେଶର ମୋଟ ସଂକ୍ରମିତ ରୋଗୀଙ୍କର ୧.୬୭ ଶତାଂଶ । ଗତ ୨୪ ଘଣ୍ଟା ମଧ୍ୟରେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ ୧ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

******
TKM
(ରିଲିଜ ଆଡି: 1703712)
ପରିଦର୍ଶକ କାଉଣ୍ଟର : 304