ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡ଼ୁର କୋଏମ୍ବାଟୁର ଠାରେ ବିବିଧ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

Posted On: 25 FEB 2021 6:56PM by PIB Bhubaneshwar

ତାମିଲ ନାଡ଼ୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଜୀ, ତାମିଲ ନାଡ଼ୁର ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନିସ୍ୱାମୀ ଜୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଓ ପି ଏସ ଜୀ, ମୋର ସହଯୋଗୀ ପ୍ରହଲ୍ଲାଦ ଯୋଶୀଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଶ୍ରୀ ଭେଲୁମଣି ଜୀ, ଅନ୍ୟ ପ୍ରତିନିଧିବୃନ୍ଦ ଓ ସଜ୍ଜନମଣ୍ଡଳୀ ।

ୱଣକ୍କମ୍‍ ।

          ମୁଁ ଆଜି କୋଏମ୍ବାଟୁର ଆସି ବେଶ୍‍ ଖୁସି ଅନୁଭବ କରୁଛି । ଏହା ଏକ ଶିଳ୍ପ ତଥା ଅଭିନବତ୍ୱର ନଗରୀ। ଆଜି ଆମେ ଏଠାରେ ଅନେକ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛୁ ଯାହା କୋଏମ୍ବାଟୁର ତଥା ସମଗ୍ର ତାମିଲ ନାଡ଼ୁବାସୀଙ୍କ ପାଇଁ ଉପକାରସିଦ୍ଧ ହେବ ।

ବନ୍ଧୁଗଣ,

          ଆଜି ଭବାନୀସାଗର ବନ୍ଧର ଆଧୁନିକୀକରଣ ନିମନ୍ତେ ଆଧାରଶିଳା ସ୍ଥାପନ କରାଯାଇଛି । ଏହା ଦୁଇ ଲକ୍ଷ ଏକରରୁ ଅଧିକ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ପାରିବ । ଏହି ପ୍ରକଳ୍ପ ଦ୍ୱାରା ଇରୋଡ଼, ଥିରୁପୁର ଓ କାରୁର ବିଶେଷ ଭାବେ ଉପକୃତ ହେବେ । ଏହି ପ୍ରକଳ୍ପ ଆମର କୃଷକ ଭାଇମାନଙ୍କୁ ସବୁଠାରୁ ଅଧିକ ଲାଭବାନ କରିବ । ଏହି ଅବସରରେ ମୋର ଥିରୁଭଲ୍ଲୁଭରଙ୍କର କେତୋଟି ଶବ୍ଦ ପଙକ୍ତି ମନେ ପଡ଼ୁଛି । ସେ କହିଥିଲେ:

உழுதுண்டு வாழ்வாரே வாழ்வார்மற் றெல்லாம்

தொழுதுண்டு பின்செல் பவர்.

 

          ଏହାର ଅର୍ଥ ହେଲା: କୃଷକମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବାସ୍ତବ ଜୀବନ ବଞ୍ôଚଥାନ୍ତି ଏବଂ ସେମାନଙ୍କ ପାଇଁ  ହିଁ ଅନ୍ୟମାନେ ଜୀବନ ବଞ୍ଚନ୍ତି, ତେଣୁ ସେମାନେ ଉପାସ୍ୟ ।

ବନ୍ଧୁଗଣ,

          ତାମିଲନାଡ଼ୁର ଭାରତର ଶିଳ୍ପ ବିକାଶ କ୍ଷେତ୍ରକୁ ପ୍ରମୁଖ ଅବଦାନ ରହିଛି । ଶିଳ୍ପସଂସ୍ଥାମାନଙ୍କ ବିକାଶ ନିମନ୍ତେ ଯେଉଁ ମୌଳିକ ଆବଶ୍ୟକତାଟି ରହିଛି ତାହା ହେଲା ନିରନ୍ତର ବିଜୁଳି ଶକ୍ତି ଯୋଗାଣ । ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଦୁଇଟି ପ୍ରମୁଖ ଶକ୍ତି ପ୍ରକଳ୍ପକୁ ସମର୍ପିତ କରିବା ଅବସରରେ ମୁଁ ବିଶେଷ ଖୁସି ଅନୁଭବ କରୁଛି ଏବଂ ଏହି ଅବସରରେ ଆଉ ଗୋଟିଏ ଶକ୍ତି ପ୍ରକଳ୍ପର ଆଧାରଶିଳା ମଧ୍ୟ ସ୍ଥାପନ କରାଯାଇଛି । ତିରୁନେଲଭେଲି, ଥୁଥୁକୁଡ଼ି, ରାମନାଥପୁରମ୍‍ ଏବଂ ଭିରୁଧୁନଗର ଜିଲ୍ଲାରେ ନେଭେଲି ଲିଗନାଇଟ୍‍ କର୍ପୋରେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ୭୦୯ ମେଗାୱାଟ କ୍ଷମତାସମ୍ପନ୍ନ ସୌର ଶକ୍ତି ପ୍ରକଳ୍ପର ବିକାଶ ଘଟାଯାଉଛି । ଏହି ପ୍ରକଳ୍ପଗୁଡ଼ିକର ସାମଗ୍ରିକ ମୂଲ୍ୟ ତିନି ହଜାର କୋଟି ଟଙ୍କାରୁ ଅଧିକ । ସେହିଭଳି ଏନଏଲସି ପକ୍ଷରୁ ୧୦୦୦ ମେଗାୱାଟ କ୍ଷମତାସମ୍ପନ୍ନ ଆଉ ଗୋଟିଏ ଥର୍ମାଲ ଶକ୍ତି ପ୍ରକଳ୍ପର ମଧ୍ୟ ବିକାଶ ଘଟାଯାଉଛି । ଯାହାର ମୋଟ ମୂଲ୍ୟ ପ୍ରାୟ ସାତ ହଜାର ଆଠଶହ କୋଟି ଟଙ୍କାରୁ ଅଧିକ ଏବଂ ସେସବୁ ତାମିଲ ନାଡ଼ୁ ପାଇଁ ବ୍ୟାପକ ମାତ୍ରାରେ ଉପକାରସିଦ୍ଧ ହେବାକୁ ଯାଉଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ଉତ୍ପାଦିତ ମୋଟ ବିଜୁଳି ଶକ୍ତିର ପଞ୍ଚଷଠି ପ୍ରତିଶତ କେବଳ ତାମିଲ ନାଡ଼ୁକୁ ହିଁ ପ୍ରଦାନ କରାଯିବ ।

ବନ୍ଧୁଗଣ,

          ତାମିଲ ନାଡ଼ୁର ସାମୁଦ୍ରିକ ବାଣିଜ୍ୟର ଏକ ଗୌରବୋଜ୍ଜ୍ୱଳ ଇତିହାସ ରହିଛି ଏବଂ ବନ୍ଦରଭିତ୍ତିକ ବିକାଶର ମଧ୍ୟ ବିପୁଳ ସମ୍ଭାର ରହିଛି । ତେଣୁ ଥୁଥୁକୁଡ଼ିର ଭି ଓ ଚିଦାମ୍ବରମ୍‍ ବନ୍ଦର ସଂପର୍କୀତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୋତେ ବେଶ୍‍ ଖୁସି ଅନୁଭୂତ ହେଉଛି । ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଭି ଓ ସିଙ୍କର ଅବଦାନକୁ ଆମେ ଏହି ଅବସରରେ ସ୍ମରଣ କରିପାରିବା ।  ଦେଶରେ ଏକ ସକ୍ରିୟ ଜାହାଜ ଚଳାଚଳ ଶିଳ୍ୱର ବିକାଶ ଏବଂ ସାମୁଦ୍ରିକ ବିକାଶକୁ ସେ ସଦାବେଳେ ଗୁରୁତ୍ୱ ଆରୋପ କରୁଥିଲେ । ଆଜି ଯେଉଁସବୁ ପ୍ରକଳ୍ପ ଉଦ୍ଘାଟିତ ହେଉଛି ତାହା ଏହି ବନ୍ଦରର ମାଲ ପରିବହନ ଓ କାରବାର କ୍ଷମତାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ । ଏହା ମଧ୍ୟ ସବୁଜ ବନ୍ଦର ପ୍ରୟାସକୁ ସହାୟତା ପ୍ରଦାନ କରିବ । ଏହା ବ୍ୟତୀତ, ଆମେ ମଧ୍ୟ ପୂର୍ବ ତଟର ଟ୍ରାନ୍ସ ସିପ୍‍ମେଣ୍ଟ୍‍ ବନ୍ଦର ଭାବେ ଏହାକୁ ଏକ ବିରାଟ ବନ୍ଦରରେ ପରିଣତ କରିବା ନିମନ୍ତେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବୁ । ଯେତେବେଳେ ଆମର ବନ୍ଦରଗୁଡ଼ିକ ଅଧିକ ସକ୍ରିୟ ହେବେ ତାହା ଭାରତକୁ ଆତ୍ମନିର୍ଭର ହେବା ଦିଗରେ ଏବଂ ବିଶ୍ୱର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ତଥା ଲଜିଷ୍ଟିକ୍ସ କ୍ଷେତ୍ରରେ ପରିଣତ ହେବା ପ୍ରୟାସଯେ ସହାୟକ ହୋଇପାରିବ ।

          ବନ୍ଦର ଭିତ୍ତିକ ବିକାଶ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ସାଗରମାଳା ପରିଯୋଜନା ମାଧ୍ୟମରେ ଯେକେହି ଲକ୍ଷ୍ୟ କରିପାରିବେ । ଏହି ପ୍ରକଳ୍ପ ଅଧୀନରେ ମୋଟ ୫୭୫ଟି ପ୍ରକଳ୍ପ ଯାହାର ମୋଟ ମୂଲ୍ୟ ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା ତାହାକୁ ୨୦୧୫-୨୦୨୫ ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ଚିହ୍ନଟ କରାଯାଇଛି ।  ଏହିସବୁ କାର୍ଯ୍ୟ ମଧ୍ୟରେ : ବନ୍ଦରମାନଙ୍କର ଆଧୁନିକୀକରଣ, ନୂତନ ବନ୍ଦରର ବିକାଶ, ବନ୍ଦର ସଂଯୋଗୀକରଣର ସମ୍ପ୍ରସାରଣ, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ତଟୀୟ ଗୋଷ୍ଠୀଙ୍କ ବିକାଶ ଆସି ସାମିଲ ।

          ମୁଁ ଅତ୍ୟନ୍ତ ଆନନ୍ଦର ସହିତ ସୂଚୀତ କରିବାକୁ ଚାହେଁ ଯେ ନୂତନ ବିବିଧ ମଡେଲର ଲଜିଷ୍ଟିକ୍ସ ପାର୍କ ଚେନ୍ନାଇ ନିକଟବର୍ତ୍ତୀ ଶ୍ରୀପେରୁମ୍ବୁଦୁରର ମାପ୍ପେଡୁ ଠାରେ ଖୁବ୍‍ ଶୀଘ୍ର ଶୁଭାରମ୍ଭ ହେବାକୁ ଯାଉଛି । କୋରମପାଲ୍ଲି ବ୍ରିଜ୍‍ର ଆଠ ଲେନିଂ ଏବଂ ରେଳ ଓଭରବ୍ରିଜ୍‍କୁ ମଧ୍ୟ ସାଗରମାଳା ପ୍ରକଳ୍ପଭିତରେ ସାମିଲ କରାଯାଇଛି । ଏହି ପ୍ରକଳ୍ପ ବନ୍ଦରକୁ ଓ ବନ୍ଦର ଠାରୁ ଅନ୍ୟ ସ୍ଥାନକୁ ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସୁବିଧାକରଣ ଏବଂ ଟ୍ରାଫିକ୍‍ ଜାମ ସମସ୍ୟାର ସମାଧାନ କରିପାରିବ । ଏହା ମଧ୍ୟ ଟର୍ଣ୍ଣ ଆରାଉଣ୍ଡ ସମୟ ତଥା ମାଲ ପରିବହନକାରୀ ଟ୍ରକମାନଙ୍କ ଯାତାୟାତ ସମୟକୁ ଆହୁରି କମାଇବ ।

ବନ୍ଧୁଗଣ,

          ବିକାଶ ଏବଂ ପରିବେଶର ସୁରକ୍ଷା ପରସ୍ପର ସହ ଘନିଷ୍ଠ ଭାବେ ସଂପର୍କୀତ । ଭି ଓ ସି  ବନ୍ଦର ଏବେସୁଦ୍ଧା ୫୦୦ କିଲୋୱାଟ ରୁଫ୍‍ ଟପ୍‍ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିସାରିଛି । ଆଉ ୧୪୦ କିଲୋୱାଟ ରୁଫ ଟପ୍‍ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଏବେ ପ୍ରଗତି ପଥରେ ରହିଛି । ଏହା ଜାଣି ମୁଁ ଅତ୍ୟନ୍ତ ଖୁସି ଯେ ଭି ଓ ସି ବନ୍ଦର ୫ ମେଗାୱାଟ କ୍ଷମତାସମ୍ପନ୍ନ ଭୂପୃଷ୍ଠ ଆଧାରିତ ସୌର ଶକ୍ତି କେନ୍ଦ୍ରର ଗ୍ରୀଡ଼ ସଂଯୋଗ କାର୍ଯ୍ୟ ହାତକୁ ନେଇଛି ଯାହାର ମୂଲ୍ୟ ପ୍ରାୟ କୋଡ଼ିଏ କୋଟି ଟଙ୍କା । ଏହି ପ୍ରକଳ୍ପ ବନ୍ଦରର ମୋଟ ଶକ୍ତି ଚାହିଦାର ପ୍ରାୟ ୬୦ ପ୍ରତିଶତ ପୂରଣ କରିପାରିବ । ଏହା ବାସ୍ତବ ପକ୍ଷେ ଉର୍ଜ୍ଜା ଆତ୍ମନିର୍ଭରର ଏକ ଉଦାହରଣ ।

ପ୍ରିୟ ବନ୍ଧୁଗଣ,

          ପ୍ରତ୍ୟେକ ବ୍ୟକ୍ତିର ଗାରିମାର ସୁରକ୍ଷା ହେଉଛି ବିକାଶର ମୂଳ ଆଧାର । ଏହି ଗାରିମାର ସୁନିଶ୍ଚିତକରଣର ଗୋଟିଏ ଉପାୟ ହେଉଛି ପ୍ରତ୍ୟେକଙ୍କ ପାଇଁ ବାସଗୃହ ଯୋଗାଣ । ଲୋକମାନଙ୍କ ଆଶା ଆକାାକୁ ପକ୍ଷ ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି ।

ବନ୍ଧୁଗଣ,

          ଏହା ମୋର ପରମ ସୌଭାଗ୍ୟ ଯେ ମୁଁ ଆଜି ଚାରି ହଜାର ଏକ ଶହ ଚଉରାଳିଶ ବାସଗୃହର ଶୁଭ ଉଦ୍ଘାଟନ କରୁଛି । ସେସବୁ ଥିରୁପୁର, ମଦୁରାଇ ଏବଂ ତିରୁଚିରାପାଲ୍ଲୀ ଜିଲାରେ ନିର୍ମିତ ହୋଇଛି । ସେଥିପାଇଁ ମୋଟ ୩୩୨ କୋଟି ଟଙ୍କା ବ୍ୟୟ କରାଯାଇଛି । ସେହିସବୁ ବାସଗୃହ ସେଇମାନଙ୍କୁ ହସ୍ତାନ୍ତର କରାଯାଇଛି ଯେଉଁମାନଙ୍କର କୌଣସି ନିଜସ୍ୱ ବାସଗୃହ ନଥିଲା ଯାହାକି ସ୍ୱାଧୀନତାର ୭୦ ବର୍ଷ ପରେ ସୁଦ୍ଧା ଏକ ସ୍ୱପ୍ନ ଥିଲା। 

ବନ୍ଧୁଗଣ,

          ତାମିଲନାଡ଼ୁ ଏକ ସହରାଞ୍ଚଳ ରାଜ୍ୟ । ଭାରତ ସରକାର ଏବଂ ତାମିଲ ନାଡ଼ୁ ସରକାର ରାଜ୍ୟର ସମସ୍ତ ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ମୁଁ ଆଜି ତାମିଲନାଡ଼ୁର ବିଭିନ୍ନ ସହର ପାଇଁ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ତାହା ଇଣ୍ଟେଲିଜେଣ୍ଟ ଏବଂ ସମନ୍ୱିତ ଆଇଟି ସଲ୍ୟୁସନ ଯୋଗାଣ ଏବଂ ଅନ୍ୟାନ୍ୟ ବିଭିନ୍ନ ସେବା ଯୋଗାଣ ନିମନ୍ତେ ସହାୟକ ହେବ ।

 

ବନ୍ଧୁଗଣ,

          ମୁଁ ସୁନିଶ୍ଚିତ ଯେ ଏହିସବୁ ପ୍ରକଳ୍ପ ଯାହାକି ଆଜି ଉଦ୍ଘାଟିତ ହେଲା ତାହା ତାମିଲନାଡ଼ୁର ଲୋକମାନଙ୍କ ଜୀବନ ଓ ଜୀବନଜୀବିକାରେ ସହାୟକ ହେବ । ତେଣୁ ଯେଉଁମାନେ ସେମାନଙ୍କର ନୂତନ ଗୃହ ଆଜି ପାଇଛନ୍ତି ସେମାନଙ୍କୁ ମୁଁ ବଧେଇ ଜଣାଉଛି । ଆମେ ଲୋକମାନଙ୍କ ଆତ୍ମନିଭର ଭାରତ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏହିଭଳି ପ୍ରୟାସ ଜାରି ରଖିବୁ ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

ୱଣକ୍କମ୍‍!!

 

****

SS



 

 

 

 



(Release ID: 1701066) Visitor Counter : 163