ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଦ୍ୱାରା ସଘନ ମିସନ ଇନ୍ଦ୍ରଧନୁଷ (ଆଇଏମ୍‍ଆଇ) ୩.୦ ଆରମ୍ଭ

କୋଭିଡ୍‍ ୧୯ ମହାମାରୀ ସମୟରେ ଯେଉଁ ଶିଶୁ ଓ ଗର୍ଭଗତୀ ମହିଳା ଟିକା ନେଇପାରି ନ ଥିଲେ ସେମାନଙ୍କୁ ଚିହ୍ନଟ କରି ଟିକା ଦିଆଯିବ

୨୯୦୦୦ରୁ ଅଧିକ ଶିଶୁ ଓ ୫୦୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀଙ୍କୁ ପ୍ରଥମ ଦିନରେ ଦିଆଗଲା ଟିକା

Posted On: 23 FEB 2021 1:43PM by PIB Bhubaneshwar

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଆଜିଠାରୁ ସଘନ ମିସନ ଇନ୍ଦ୍ରଧନୁଷ ୩.୦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ନିୟମିତ ଟିକାକରଣରୁ ବାଦ ପଡିଥିବା ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଚିହ୍ନଟ କରି ଏହି ପର୍ଯ୍ୟାୟରେ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଫଳରେ ମିସନ ଇନ୍ଦ୍ରଧନୁଷର ଅଭିଯାନ ପୁନର୍ବାର ପୂରାଦମରେ ଚାଲିବ । ଏହି ପର୍ଯ୍ୟାୟରେ ପ୍ରଥମ ଦଫାରେ ଫେବୃୟାରୀ ୨୨ରୁ ୧୫ ଦିନ ପାଇଁ ସଂପୃକ୍ତ ମହିଳା ଓ ଶିଶୁମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଗତ ୧୯ ତାରିଖରେ ଆନୁଷ୍ଠାନିକଭାବେ କରିଥିଲେ । ନିୟମିତଭାବେ ଟିକା ନେଇ ପାରି ନଥିବା ମହିଳା ଓ ଶିଶୁମାନଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ଟିକା ଦେବା ପାଇଁ ସବୁମନ୍ତେ ଉଦ୍ୟମ କରିବାକୁ ସେ ରାଜ୍ୟ ଏବଂ ଜିଲା କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ । 

 ଏହି କାର୍ଯ୍ୟକ୍ରମ ପ୍ରତି ପ୍ରାଦେଶିକସ୍ତରରେ ତୁଙ୍ଗ ନେତୃମଣ୍ଡଳୀ ମଧ୍ୟ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫେବୃୟାରୀ ୨୧ ତାରିଖରେ ତାଙ୍କ ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେହିଭଳି ରାଜସ୍ଥାନରେ ମଧ୍ୟ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ରଘୁ ଶର୍ମାଙ୍କ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ ୨୨ ତାରିଖରେ କରାଯାଇଛି । ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ପ୍ରଭୁରାମ ଚୌଧୁରୀ ଫେବୃୟାରୀ ୨୨ରେ ଭୋପାଳରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ ।

(କ୍ୟାପସନ: କାମରୂପ ଜିଲାର ଏକ ଇଟାଭାଟିରେ ଟିକାଦାନ ଅଭିଯାନ ଚାଲିଛି । ଜୋରହାଟ ଜିଲାରେ ଟିକାଦାନ କାର୍ଯ୍ୟକ୍ରମର ଏକ ଚିତ୍ର)

  ଏହି ଅଭିଯାନରେ ଆଉ ଦୁଇ ପର୍ଯ୍ୟାୟରେ ସଂପୃକ୍ତ ମହିଳା ଓ ଶିଶୁମାନଙ୍କୁ ଟିକା ଦିଆଯିବ । ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଏହାବାଦ ନିୟମିତ ପର୍ଯ୍ୟାୟରେ ଟିକାଦାନ ଏବଂ ଛୁଟିଦିନରେ ମଧ୍ୟ ଟିକା ପ୍ରଦାନ ପ୍ରକ୍ରିୟା ଚାଲିବ । ଏହି ଟିକାଦାନ କାର୍ଯ୍ୟକ୍ରମ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୂର୍ବରୁ ଚିହ୍ନଟ ହୋଇଥିବା ୨୫୦ଟି ଜିଲା ଓ ସହରାଞ୍ଚଳରେ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମଧ୍ୟ ପ୍ରବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଗମନାଗମନ ଦୃଷ୍ଟିରୁ ଅତ୍ୟନ୍ତ ପ୍ରତିକୂଳ ଅଞ୍ଚଳରେ ଥିବା ମହିଳା ଓ ଶିଶୁମାନଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହିସବୁ ବର୍ଗ ଓ ଅଞ୍ଚଳର ଲୋକେ କରୋନା ମହାମାରୀବେଳେ ଏହି ଟିକା ନେଇପାରି ନ ଥିଲେ । ଆଇଏମ୍‍ଆଇ ୩.୦ର ନିର୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ଜିଲା ମଧ୍ୟରୁ ୩୧୩ଟିରେ ଲୋରିସ୍କ, ୧୫୨ଟିରେ ମିଡିୟମ ରିସ୍କ ଏବଂ ୨୫୦ଟିରେ ହାଇରିସ୍କ ବର୍ଗର ଶିଶୁ ଓ ଗର୍ଭବତୀ ଅଛନ୍ତି; ଯେଉଁମାନଙ୍କୁ ଟିକାଦେବା ନିହାତି ଆବଶ୍ୟକ । 

 ଏହି ଟିକା ପ୍ରଦାନ ବେଳେ କରୋନା ନିୟମକୁ ମଧ୍ୟ ପାଳନ କରାଯିବ । ଯେଉଁଠି ଟିକା ଦିଆଯିବ ସେସବୁ କେନ୍ଦ୍ରରେ ଭିଡ ଯେପରି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ଭିଡ ଏଡାଇବା ଯଦି ସମ୍ଭବ ନ ହୁଏ, ଆବଶ୍ୟକ ପଡିଲେ ଅଳ୍ପ ଲୋକଙ୍କୁ ନେଇ ସ୍ୱଳ୍ପ ସମୟରେ ଏକାଧିକ ଥର ଟିକାଦାନ ବ୍ୟବସ୍ଥା କରାଯିବ । କୌଣସି ସମୟରେ ଗୋଟିଏ ଟିକାଦାନ କେନ୍ଦ୍ରରେ ୧୦ରୁ ଅଧିକ ହିତାଧିକାରୀ ଯେପରି ଭିଡ ନ କରନ୍ତି ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯିବ । 

 ଆଇଏମ୍‍ଆଇ ୩.୦ର ପ୍ରଥମ ପର୍ଯ୍ୟାୟ ଟିକାଦାନ ସମୟରେ ଯେଉଁ ଗର୍ଭବତୀ ମହିଳା ଓ ଶିଶୁମାନେ କରୋନା ମହାମାରୀ ଯୋଗୁଁ ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଏହି ମିଳିମିଳା ଟିକା ଦିଆଯିବ । ଫେବୃୟାରୀ ୨୨ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୨୯୦୦୦ ଶିଶୁ ଓ ୫୦୦୦ରୁ ଅଧିକ ମହିଳାଙ୍କୁ ଏହି ଟିକା ପ୍ରଦାନ କରାଯାଇଥିଲା ।

  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନେତୃତ୍ୱରେ ଏହି ଆଇଏମ୍‍ଆଇ ୩.୦ ଅଭିଯାନ ଚାଲିଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସହାୟତରେ ଏହି ଅଭିଯାନ ମିସନ ମୋଡ୍‍ରେ ସଂପୂର୍ଣ୍ଣ ହେବ । ଏଥିରେ ନାଗରିକ ସମାଜ, ଯୁବଗୋଷ୍ଠୀ, ବିଭିନ୍ନ ସଂପ୍ରଦାୟର ସଦସ୍ୟ, ଅଂଶୀଦାର ଓ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି ।

 

******

 

TKM



(Release ID: 1700275) Visitor Counter : 236