ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟିକାକରଣକୁ ନେଇ ଦ୍ୱିଧା ଏବଂ ଭୁଲ୍ ତଥ୍ୟକୁ ପ୍ରତିହତ କରିବା ସକାଶେ ଡକ୍ଟର ହର୍ଷବର୍ଦ୍ଧନଙ୍କ ଦ୍ୱାରା ଆଇଇସି ଅଭିଯାନର ଶୁଭାରମ୍ଭ

“ଆସନ୍ତୁ ଏଭଳି ମିଥ୍ୟାକୁ ରୋକିବା”

“ସତ୍ୟ ହିଁ ଶକ୍ତିଶାଳି ଏବଂ ଏହାର ବିଜୟ ହେବ”

ସତ୍ୟର ଅନୁସରଣ କରିବା ଏବଂ ନିର୍ଭରଯୋଗ୍ୟ ସୂତ୍ରରୁ ସଠିକ୍ ସୂଚନା ଲାଭ କରିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

“ବିଡମ୍ବନାର ବିଷୟ ହେଉଛି ବିଶ୍ୱର ଅନେକ ଦେଶ ଆମକୁ ଟିକା ଉପଲବ୍‌ଧ କରାଇବା ପାଇଁ ଅନୁରୋଧ କରୁଥିବାବେଳେ ଆମର ଏକ ଗୋଷ୍ଠୀ ସଙ୍କୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ଭ୍ରମାତ୍ମକ ତଥ୍ୟ ଓ ସନ୍ଦେହର ବାତାବରଣ ସୃଷ୍ଟି କରୁଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 JAN 2021 2:10PM by PIB Bhubaneswar

ନୂଆଦିଲ୍ଲୀ ଟିକାକରଣକୁ ନେଇ କେତେକ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜୁଥିବା ଦ୍ୱିଧାକୁ ଦୂର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱ ନୀ କୁମାର ଚୌବେ ଏବଂ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ. ପଲ୍‌ଙ୍କ ଉପସ୍ଥିତିରେ ଆଇଇସି ପୋଷ୍ଟରଗୁଡିକ ଉନ୍ମୋଚନ କରିଛନ୍ତି

କୋଭିଡ୍ 19 ବିରୁଦ୍ଧରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନକୁ ଗତ 16 ଜାନୁଆରୀ 2021ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।

 21 ଜାନୁଆରୀ 2021 ସକାଳ 7ଟା ସୁଦ୍ଧା 8ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କର ଟିକାକରଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶର ସଫଳତା ସମ୍ପର୍କରେ ସମସ୍ତଙ୍କୁ ସ୍ମରଣ କରାଇ ଦେଇଥିଲେ । ସେ କହିଛନ୍ତି, କୋଭିଡ୍ 19ର ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ପଦକ୍ଷେପ ନେଇଥିବା ଅଳ୍ପ କେତେକ ଦେଶ ମଧ୍ୟରୁ ଭାରତ ହେଉଛି ଅନ୍ୟତମ ଏବଂ ତାସହିତ ଏହା କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଟିକା ବିକାଶ କରିପାରିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଏଥିପାଇଁ ଧନ୍ୟବାଦ ଯିଏ ଏହି ମହାମାରୀରୁ ଦେଶକୁ ରକ୍ଷା କରିବା ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନକେନ୍ଦ୍ରୀତ କରିଛନ୍ତି ।  “ଆଜି, ଦେଶରେ ସକ୍ରିୟ ସଂକ୍ରମଣ ମାମଲା ଅବିରତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ଦେଶରେ ପ୍ରାୟ ୧୫ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରୋଗ ଦୂର କରିବା ପାଇଁ ଟିକାର ଭୂମିକା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି, ବୃହତ ଟିକାକରଣ ମାଧ୍ୟମରେ ପୋଲିଓ ଓ ବସନ୍ତ ଦୂରୀକରଣ କରାଯାଇପାରିଛି । ଥରେ ଟିକା ନେବା ପରେ ସେହି ବ୍ୟକ୍ତି କେବଳ ନିଜକୁ ରୋଗରୁ ରକ୍ଷା କରିନଥାଏ, ବରଂ ସେ ଅନ୍ୟକୁ ମଧ୍ୟ ଏହି ରୋଗ ସଂକ୍ରମଣ କରାଇବାରେ ଅକ୍ଷମ ହୋଇଥାଏ । ଏହାଦ୍ୱାରା ସେ ଯେଉଁ ସମାଜ ସଂସ୍ପର୍ଶରେ ଥାଏ ସେଠାରେ ସଂକ୍ରମଣ ନକରାଇ ସାମାଜିକ ସୁଫଳ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ମିଶନ୍ ଇନ୍ଦ୍ରଧନୁଷ ଅଧିନରେ 12ଟି ରୋଗରୁ ମହିଳା ଓ ଶିଶୁଙ୍କୁ ରକ୍ଷା କରିବା ପାଇଁ ସମୂହ ଟିକାକରଣ ଅଭିଯାନ ଆରମ୍ଭ କରାଯିବା ପଛରେ ଏହି ତର୍କ ଥିଲା । ସେହିପରି କୋଭିଡ୍ ବିରୋଧରେ ଟିକାକରଣ ଏହି ରୋଗ ସଂକ୍ରମଣ କରିବାରେ ଅସମର୍ଥ ବ୍ୟକ୍ତି ସୃଷ୍ଟି କରିବ ଏବଂ କିଛି ଦିନ ମଧ୍ୟରେ ଏହି ରୋଗକୁ ସମୂଳେ ବିନାଶ କରାଯାଇପାରିବ ।

ଅସତ୍ୟ ଏବଂ ଅପପ୍ରଚାରର ଏହି ସ୍ୱାର୍ଥନ୍ୱେଷୀ ଅଭିଯାନକୁ ପ୍ରତିହତ କରିବା ପାଇଁ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ସେ ଜୋର୍‌ଦେଇ କହିଛନ୍ତି ଯେ “ଆସନ୍ତୁ ଏହି ମିଥ୍ୟାକୁ ରୋକିବା” । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପିଆଇବି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ମାଇ ଗଭ୍ ୱେବସାଇଟ୍ ଭଳି ବିଶ୍ୱସନୀୟ ଓ ନିର୍ଭରଯୋଗ୍ୟ ସୂତ୍ରରୁ ସଠିକ୍ ସୂଚନା ହାସଲ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । “ସତ୍ୟ ହିଁ ଶକ୍ତିଶାଳୀ ଏବଂ ଏହା ସର୍ବଦା ବିଜୟୀ ହେବ” ବୋଲି ସେ ପୁଣିଥରେ କହିଛନ୍ତି । ସତ୍ୟର ଏହି ସାତ୍ୱିକ ଚକ୍ରକୁ ବହୁଗୁଣିତ କରିବା ପାଇଁ ସମସ୍ତେ ଆଇଇସି ପୋଷ୍ଟରଗୁଡିକ ବାଣ୍ଟିବା ପାଇଁ ସେ ପ୍ରୋତ୍ସାହିତ କରିଛନ୍ତି ।

          ଟିକାଗୁଡିକର ନିରାପତ୍ତା ଓ ପାରଦର୍ଶୀତା ଉପରେ ସୂଚନା ଦେଇ ସେ କହିଛନ୍ତି, “ଜଣାଶୁଣା ହସପିଟାଲ୍‌ଗୁଡିକର ପ୍ରତିଷ୍ଠିତ ଡାକ୍ତରମାନେ ଏହି ଟିକା ନେଇସାରିଛନ୍ତି ଏବଂ ଏହାର କାର୍ଯ୍ୟକାରିତାର ପ୍ରଶଂସା କରିଛନ୍ତି । କେବଳ କେତେକ ରାଜନୈତିକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଯେଉଁମାନେ ଗୁଜବ ପ୍ରଚାର କରିବା ପାଇଁ ଆଗ୍ରହୀ ଏବଂ ଟିକାକୁ ନେଇ ସେହିମାନଙ୍କ ମଧ୍ୟରେ ଦ୍ୱିଧା ସୃଷ୍ଟି କରୁଛନ୍ତି ଯେଉଁମାନେ ଅପପ୍ରଚାର ଦ୍ୱାରା ସହଜଭେଦ୍ୟ । ବିଡମ୍ବନାର ବିଷୟ ଏହା ଯେ ସାରା ବିଶ୍ୱର ବହୁଦେଶ ଆମକୁ ଟିକା ହାସଲ କରିବା ପାଇଁ ଅନୁରୋଧ କରୁଥିବାବେଳେ ଆମ ନିଜର ଏକ ଗୋଷ୍ଠୀ ସଂଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅପପ୍ରଚାର କରୁଛନ୍ତି ।” ସେ କହିଛନ୍ତି, ସରକାରୀ ତଥା ବେସରକାରୀ କ୍ଷେତ୍ରର ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବିଶିଷ୍ଟ ଡାକ୍ତରମାନେ କୋଭିଡ୍ 19 ଟିକା ନେଇ ସାରିଛନ୍ତି ଏବଂ କୌଣସି ପାଶ୍ୱ ପ୍ରତିକ୍ରିୟା ବିନା ନିଜ ନିଜ କର୍ମକ୍ଷେତ୍ରକୁ ପୁଣି ଫେରିଛନ୍ତି । ଏହି ଟିକାକରଣ ଅଭିଯାନକୁ କୋଭିଡ୍ ଉପରେ 'ଅନ୍ତିମ ପ୍ରହାର' ବୋଲି ଅଭିହିତ କରି ଶ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି, “16 ଜାନୁଆରୀ ହେଉଛି ଏକ ସ୍ମରଣୀୟ ଦିନ କାରଣ ଏହିଦିନ ମହାମାରୀ ଲୋପ ପାଇବାର ଅବଗଣନା ଆରମ୍ଭ ହୋଇଥିଲା । ଅତିଶୀଘ୍ର ଟିକା ଯୋଗାଇଦେବା ପାଇଁ ଭାରତ ଏକ ବୈପ୍ଳବିକ ନିଷ୍ପତି ନେଇଥିଲା ।” ଏଥିସହ ଅସତ୍ୟର ଅଭିଯାନକୁ ଅନୁସରଣ ନକରି ସଠିକ୍ ସୂଚନା ବିତରଣ କରି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ବନ୍ଦନା ଗୁରନାନି, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ), ଶ୍ରୀ ମନୋହର ଅଗ୍ନାନି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ, ଡକ୍ଟର ସୁନୀଲ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଏମ୍‌ସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଏଲ୍‌ଏଚ୍‌ଏମ୍‌ସି ନିର୍ଦ୍ଦେଶକ ଡକ୍ଟର ଏନ୍‌.ଏନ୍‌. ମାଥୁର, ସଫଦରଜଙ୍ଗ ହସପିଟାଲ୍‌ର ମୁଖ୍ୟ ଡକ୍ଟର ଏସ୍‌.ଭି. ଆର୍ଯ୍ୟ, ଆରଏମ୍‌ଏଲ୍ ହସପିଟାଲର ମୁଖ୍ୟ ଡକ୍ଟର ରାଣା ଏ. କେ. ସିଂହ ଏବଂ ବିଏମ୍‌ଜିଏଫ୍‌, ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ଭାଗିଦାରୀ ସଂସ୍ଥାର ପ୍ରତିନିଧୀମାନେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

*******

 JPM / SLP

 


(ରିଲିଜ ଆଡି: 1691114) ପରିଦର୍ଶକ କାଉଣ୍ଟର : 345