ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଦାୟିତ୍ୱ ଗ୍ରହଣ ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 20 JAN 2021 10:42PM by PIB Bhubaneshwar

ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଦାୟିତ୍ୱ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜୋ ବାଇଡେନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛନ୍ତି । ତାଙ୍କ ସହିତ କାର୍ଯ୍ୟ କରିବା ଅବସରରେ ଭାରତ- ଆମେରିକା ରଣନୀତିକ ସହଯୋଗ ଅଧିକ ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶ ବ୍ୟକ୍ତ କରିଛନ୍ତି ।

ତାଙ୍କର ରାଷ୍ଟ୍ରପତିତ୍ୱ ସବୁଦୃଷ୍ଟିରୁ ଆମେରିକାକୁ ନେତୃତ୍ୱ ଦେବାରେ ସଫଳ ହେଉ ବୋଲି ଆଶା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତିଯେ ସକଳ ପ୍ରକାର ସାର୍ବଜନୀନ ସମସ୍ୟାର ମୁକାବିଲା କରିବା ଏବଂ ବିଶ୍ୱ ଶାନ୍ତି ଓ ନିରାପତ୍ତାକୁ ଆଗେଇ ନେବା ଦିଗରେ ଆମେ ତାଙ୍କ ସହ ଏକତ୍ର ଓ ସୁଦୃଢ଼ ଭାବେ ସହଯୋଗ କରିବୁ ।

ଭାରତ- ଆମେରିକା ସହଭାଗୀତା ସମଭାବାପନ୍ନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଆମ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଓ ବିବିଧ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ, କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ସହଭାଗୀତା ତଥା ଦୁଇ ଦେଶର ଉତ୍ସାହୀ ଜନସାଧାରଣଙ୍କ ଭିତରେ ପ୍ରତ୍ୟକ୍ଷ ଘନିଷ୍ଠ ସହଯୋଗ ରହିଛି । ତେଣୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକତ୍ର କାର୍ଯ୍ୟକରି ଭାରତ- ଆମେରିକା ସହଭାଗୀତାକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବା ନିମନ୍ତେ ଆମେ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**************

SR



(Release ID: 1690811) Visitor Counter : 153