ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଜାନୁୟାରୀ 7ରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ସେଦିନ ମଧ୍ୟ 1.5 କିମି ଲମ୍ବ ଡବଲ ଷ୍ଟାକ୍‍ ଲଙ୍ଗହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ

Posted On: 05 JAN 2021 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ 7 ତାରିଖ (2021 ଜାନୁୟାରୀ)ରେ  ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର (ଡବ୍ଳୁଡିଏଫ୍‍ସି)ର 306 କିମି ଲମ୍ବ ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ । ସେଦିନ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପନ୍ନ ହେବ । ସେଦିନ ମଧ୍ୟ ବିଶ୍ୱର ପ୍ରଥମ ଡବଲ ଷ୍ଟାକ୍‍ (ଦୁଇ ଥାକିଆ) 1.5 କିମି ଲମ୍ବର ଲଙ୍ଗ ହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ । ଏହି ଟ୍ରେନକୁ ଅତି ଶକ୍ତିଶାଳୀ ବିଜୁଳି ଇଂଜିନ ଟାଣିବ । ଯେଉଁ ମାଲଗାଡିରେ 59ରୁ ଅଧିକ ୱାଗନ ଥାଏ ତାହା ଲଙ୍ଗହାଉଲ ଟ୍ରେନଭାବେ ପରିଗଣିତ ହୋଇଥାଏ । ଏହି ଟ୍ରେନ ସେଦିନ ନିଉ ଅଟେଲି ଓ ନିଉ କିଷନଗଡ ଷ୍ଟେସନ ମଧ୍ୟରେ ଯାତ୍ରା କରିବ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିଆନାର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଉପସ୍ଥିତ ରହିବେ ।

ନିଉ ରେୱାରି-ନିଉ ମଦାର ସେକ୍ସନ

ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି ଓ ନିଉ ମଦାର ସେକ୍ସନ ହରିଆନାରେ ଅବସ୍ଥିତ । ଏହି ରେଳପଥର ଲମ୍ବ ପ୍ରାୟ 79 କିମି । ଏହା ମହେନ୍ଦ୍ରଗଡ ଓ ରେୱାରି ଜିଲାରେ ରହିଛି । ଏହାର ଅବଶିଷ୍ଟ 227 କିମି ପଥ ରାଜସ୍ଥାନର ଜୟପୁର, ଆଜମେର, ସିକର, ନାଗାଉର ଏବଂ ଅଲୱାର ଜିଲାରେ ଅଛି । ଏହି ପଥରେ 9ଟି ନବନିର୍ମିତ ଡିଏଫ୍‍ସି ଷ୍ଟେସନ ଓ 6ଟି କ୍ରସିଂ ଷ୍ଟେସନ ରହିଛି । ଏହି କ୍ରସିଂ ଷ୍ଟେସନଗୁଡିକ ହେଲା ନିଉ ଡବ୍‍ଲା, ନିଉ ଭଗେଗା, ନିଉ ଶ୍ରୀମାଧପୁର, ନିଉ ପଚାର ମାଲିକପୁର, ନିଉ ସକୁନ ଓ ନିଉ କିଷନଗଡ । ଏହାଛଡା ଏହି ପଥରେ ନିଉ ରେୱାରି, ନିଉ ଅଟେଲି ଓ ନିଉ ଫୁଲେରାରେ ଜଙ୍କସନ ଷ୍ଟେସନମାନ ତିଆରି କରାଯାଇଛି ।

ୱେଷ୍ଟର୍ଣ୍ଣ ଫ୍ରେଟ କରିଡରର ଏହି ଖଣ୍ଡଟି ଟ୍ରେନ ଚଳାଚଳ ପାଇଁ ଖୋଲାଯିବା ପରେ ରାଜସ୍ଥାନ ଓ ହରିଆନାର ରେୱାରି, ମାନେସର, ନରନାଉଲ, ଫୁଲେରା ଏବଂ କିଷନଗଡ ଭଳି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ବିଶେଷ ଉପକୃତ ହେବେ । କଠୁଆଠାରେ ଯେଉଁ କଣ୍ଟେନର ଡିପୋ ତିଆରି ହୋଇଛି ତାହାର ସୁଯୋଗ ମଧ୍ୟ ଅଧିକ ନିଆଯାଇପାରିବ । ଏହି ସେକ୍ସନ ଆହୁରି ମଧ୍ୟ ପଶ୍ଚିମ ଉପକୂଳର କାଣ୍ଡଲା, ପିପାବାବ, ମୁନ୍ଦ୍ରା ଏବଂ ଦହେଜ ବନ୍ଦର ସହିତ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇଦେବ । ଏ ସବୁ ବନ୍ଦର ଗୁଜରାଟରେ ଅବସ୍ଥିତ ।

ଏହି ସେକ୍ସନର ଉଦ୍‍ଘାଟନ ଫଳରେ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ମଧ୍ୟରେ ବାଧାହୀନ ସଂଯୋଗ ସ୍ଥାପନ ହୋଇପାରିବ । ଏହା ପୂର୍ବରୁ ଇଷ୍ଟର୍ଣ୍ଣ ଫ୍ରେଟ କରିଡରର 351 କିମି ଲମ୍ବ ନିଉ ଭାଉପୁର-ନିଉ ଖୁର୍ଜା ସେକ୍ସନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2020 ଡିସେମ୍ବର 29 ତାରିଖରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ।

ଡବ୍‍ଲ ଷ୍ଟାକ ଲଙ୍ଗହାଉଲ କଣ୍ଟେନର ସେବା

ଡବ୍‍ଲ ଷ୍ଟାକ୍‍ ଲଙ୍ଗହାଉଲ କଣ୍ଟେନର ସେବା ଆରମ୍ଭ ଫଳରେ ପ୍ରତ୍ୟେକ ୱାଗନର ସର୍ବାଧିକ ବୋଝେଇ ପରିମାଣ 25 ଟନକୁ ବୃଦ୍ଧି ପାଇବ । ଏହି ଟ୍ରେନର ଡିଜାଇନ ଆରଡିଏସ୍‍ଓ ୱାଗନ ବିଭାଗ କରିଛି । ଏହା କେବଳ ଉତ୍ସର୍ଗୀକୃତ ଫ୍ରେଟ କରିଡରରେ ଚାଲିବାକୁ ଉଦ୍ଦିଷ୍ଟ । ଏହା ପୂର୍ବରୁ ଏହି ଟ୍ରେନର ବିଏଲ୍‍ସିଏସ୍‍-ଏ ଏବଂ ବିଏଲ୍‍ସିଏସ୍‍-ବି ୱାଗନର ମଡେଲକୁ ପରୀକ୍ଷାମୂଳକଭାବେ ପ୍ରଚଳନ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଛି । ଏ  ଧରଣର ଟ୍ରେନରେ ଅଧିକ ମାଲ ପରିବହନ ସହିତ ସବୁ ୱାଗନରେ ସମାନ ପରିମାଣର ବୋଝେଇ ସୁବିଧା ରହିଛି । ଏହାର ସ୍ଥାନ ଦକ୍ଷତାର ସର୍ବାଧିକ ଉପଯୋଗ ମଧ୍ୟ କରାଯାଇପାରିବ । ଏହି ଦୀର୍ଘକାୟ ଡବ୍‍ଲ ଷ୍ଟାକ୍‍ ଟ୍ରେନ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରରେ ବର୍ତ୍ତମାନ ଚଳାଚଳ କରୁଥିବା ମାଲ ଗାଡିଠାରୁ ଚାରିଗୁଣ ଅଧିକ ସାମଗ୍ରୀ ପରିବହନ କରିବାକୁ ସକ୍ଷମ । ଏହି କରିଡରରେ ମାଲଗାଡିଗୁଡିକ ଘଣ୍ଟାପିଛା 100 କିମି ବେଗରେ ଗତି କରିବ । ଏବେ ଭାରତୀୟ ରେଳର ମାଲଗାଡିଗୁଡିକର ସର୍ବାଧିକ ଘଣ୍ଟା ପ୍ରତି ବେଗ 75 କିମରେ ସୀମିତ । ତେବେ ରେଳପଥଗୁଡିକର ସ୍ଥିତି ଦୃଷ୍ଟିରୁ  ଦେଶରେ ଏବେ ମାଲଗାଡିଗୁଡିକ ଘଣ୍ଟା ପିଛା ପ୍ରାୟ 26 କିମି ବେଗରେ ଗତି କରୁଛି । ଡେଡିକେଟେଡ ଫ୍ରେଟ କରିଡରରେ ଚଳାଚଳ କରିବାକୁ ଥିବା ସବୁ ଟ୍ରେନ ଅତିକମ୍‍ରେ 70 କିମି ବେଗରେ ଗତି କରିବ ଏବଂ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ରେଳବାଇ ପକ୍ଷରୁ ଗ୍ରହଣ କରାଯାଉଛି ।

 

**********

DS /AKJ/TM(SM)



(Release ID: 1686384) Visitor Counter : 245