ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୁପାରିସ : 2021 ଜାନୁଆରୀ 7 ପର୍ଯ୍ୟନ୍ତ ବ୍ରିଟେନରୁ ଭାରତକୁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ନୂଆ ବର୍ଷ ସମାରୋହକୁ ଦୃଷ୍ଟିରେ ରଖି “ସୁପର ସ୍ପ୍ରେଡର” ମାମଲା ନିୟନ୍ତ୍ରଣ କରିବା ଲାଗି ସତର୍କ ରହିବା ନିମନ୍ତେ ସମସ୍ତ ରାଜ୍ୟକୁ ପତ୍ର ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

Posted On: 30 DEC 2020 11:39AM by PIB Bhubaneshwar

ବ୍ରିଟେନରୁ ଭାରତକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ ରହିତାଦେଶକୁ 7 ଜାନୁଆରୀ (ଗୁରୁବାର), 2021 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି।

ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ)ଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀ (ଜେଏମଜି) ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ଏବଂ ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ)ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଗଠିତ ଜାତୀୟ ଟାସ୍କଫୋର୍ସ ଠାରୁ ମିଳିଥିବା ପରାମର୍ଶ ଆଧାରରେ ଏହି ସୁପାରିସ କରାଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହି ପରାମର୍ଶ ମଧ୍ୟ ଦିଆଯାଇଛି ଯେ 7 ଜାନୁଆରୀ, 2021 ପରେ କଠୋର କଟକଣା ମଧ୍ୟରେ ବ୍ରିଟେନରୁ ଭାରତକୁ ସୀମିତ ସଂଖ୍ୟକ ବିମାନ ଚଳାଚଳ ପୁନଃ ଆରମ୍ଭ କରାଯିବା ସମ୍ପର୍କରେ ବିଚାର କରାଯାଇପାରେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆବଶ୍ୟକ ପରାମର୍ଶ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏପରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବ।

ଅନ୍ୟପକ୍ଷରେସୁପର ସ୍ପ୍ରେଡରଭଳି ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି। ନୂଆବର୍ଷ ପାଳନ ସମାରୋହ ଏବଂ ଶୀତ ଋତୁ ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଜନଗହଳି ଉପରେ କଟକଣା ଲାଗୁ କରିବା ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକ ପାଇଁ ଜାରି କରାଯାଇଥିବା ସଦ୍ୟ ପରାମର୍ଶ ଏବଂ ମାର୍ଗଦର୍ଶିକାକୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୋହରାଇଛି। ପରିସ୍ଥିତିର ଆକଳନ କରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ରାତ୍ରିକାଳୀନ କର୍ଫ୍ୟୁ ଭଳି ସ୍ଥାନୀୟ କଟକଣା ଜାରି କରିପାରନ୍ତି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆନ୍ତଃରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ଜନସାଧାରଣ ଓ ସାମଗ୍ରୀ ପରିବହନ ଉପରେ କୌଣସି ପ୍ରକାର କଟକଣା ରହିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି, ସ୍ଥାନୀୟ ପରିସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ କରି 30 31 ଡିସେମ୍ବର, 2020 ଏବଂ 1 ଜାନୁଆରୀ, 2021ରେ ଉପଯୁକ୍ତ କଟକଣା ଲାଗୁ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

**********

MV/SJ/PS

 



(Release ID: 1684588) Visitor Counter : 243