ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

100ତମ କିଷାନ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ସହ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଦିଆଯିବ ପ୍ରାଧାନ୍ୟ : ପ୍ରଧାନମନ୍ତ୍ରୀ

କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ କୃଷକମାନଙ୍କୁ ସହାୟକ ହେବ : ପ୍ରଧାନମନ୍ତ୍ରୀ

Posted On: 28 DEC 2020 5:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 100ତମ କିଷାନ ରେଳକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରେଳ ମହାରାଷ୍ଟ୍ରର ସଙ୍ଗୋଲା ଠାରୁ ପଶ୍ଚିମ ବଙ୍ଗର ସାଲିମାର ମଧ୍ୟରେ ଯାତାୟାତ କରିବ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ ।

କିଷାନ ରେଳ ଶୁଭାରମ୍ଭ ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ରେଳ ସେବାକୁ ଦେଶର କୃଷକମାନଙ୍କ ଉପାର୍ଜନ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । କିଷାନ ରେଳ ସେବା ପ୍ରସଙ୍ଗରେ ସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ କରୋନା ମହାମାରୀ କାଳରେ ମାତ୍ର 4 ମାସ ଭିତରେ ଦେଶରେ 100ତମ କିଷାନ ରେଳର ଶୁଭାରମ୍ଭ ହେବା ଅତ୍ୟନ୍ତ ଆନନ୍ଦର କଥା । ଏହି ସେବା ଦେଶର କୃଷି ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ଦେଶର କୋଲ୍ଡ ସପ୍ଲାଏ ଚେନକୁ ସୁଦୃଢ଼ କରିବ । ସେ କହିଲେ ଯେ କିଷାନ ରେଳରେ ସର୍ବନିମ୍ନ କେତେ ସାମଗ୍ରୀ ପଠାଯାଇପାରିବ ସେଥିପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ତେଣୁ ଏପରିକି ସ୍ୱଳ୍ପ ପରିମାଣର କୃଷି ଉତ୍ପାଦନକୁ ମଧ୍ୟ ଏହି ରେଳ ଜରିଆରେ ଦେଶର ବଡ଼ ବଡ଼ ବଜାରରେ ପହଞ୍ଚାଯାଇପାରିବ ଏବଂ ଏଥିପାଇଁ ମାତ୍ର ସ୍ୱଳ୍ପ ମୂଲ୍ୟ ଦେବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କିଷାନ ରେଳ ପ୍ରକଳ୍ପ କୃଷକମାନଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ କେବଳ ଦର୍ଶାଉନାହିଁ ଅପରନ୍ତୁ ଏଭଳି ନୂତନ ସମ୍ଭାବନାକୁ ଆମର କୃଷକମାନେ କେତେ ଶୀଘ୍ର ଗ୍ରହଣ କରୁଛନ୍ତି ତାହା ମଧ୍ୟ ପ୍ରମାଣିତ କରୁଛି । ସେ କହିଲେ ଯେ କୃଷକମାନେ ସେମାନଙ୍କର ଉତ୍ପାଦକୁ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରିପାରିବେ । ଏଥିରେ କିଷାନ ରେଳ ଏବଂ କୃଷି ଉଡାନର ବିରାଟ ଭୂମିକା ରହିଛି । ସେ କହିଲେ ଯେ କିଷାନ ରେଳ ହେଉଛି ଏକ ଚଳମାନ ଶୀତଳ ଭଣ୍ଡାର ଯାହାକି ପଚନଯୋଗ୍ୟ ସାମଗ୍ରୀ ଯଥା, ଫଳ, ପନିପରିବା, କ୍ଷୀର, ମାଛ ଇତ୍ୟାଦିକୁ ସଂପୂର୍ଣ୍ଣ ନିରାପଦ ଭାବେ ପରିବହନ କରିନେବ । “ଭାରତର ସଦାବେଳେ ଏକ ବିଶାଳ ରେଳ ନେଟୱାର୍କ ରହିଆସିଛି । ଏପରିକି ସ୍ୱାଧୀନତା ପୂର୍ବରୁ ମଧ୍ୟ ଏହି ନେଟୱାର୍କ ବ୍ୟାପକ ଥିଲା । କୋଲ୍ଡ ଷ୍ଟୋରୋଜ୍‍ ପ୍ରଯୁକ୍ତି ଏବେ ସେଥି ସହ ଯୋଡ଼ାଯାଇ କୃଷକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । କିଷାନ ରେଳ ମାଧ୍ୟମରେ ଏହାର ସଂପୂର୍ଣ୍ଣ ସାମର୍ଥ୍ୟକୁ ଏବେ ଉପଯୋଗ କରାଯାଇପାରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କିଷାନ ରେଳ ଭଳି ସୁବିଧା ପଶ୍ଚିମ ବଙ୍ଗର ନିୟୁତ ନିୟୁତ କ୍ଷୁଦ୍ର ଚାଷୀମାନଙ୍କୁ ବ୍ୟାପକ ସୁବିଧା ସୁଯୋଗ ଯୋଗାଇଛି । ଏହି ସୁବିଧା ଅନ୍ୟ କୃଷକ ଓ ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ପ୍ରାପ୍ତ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଲେ ଯେ କୃଷି କ୍ଷେତ୍ରର ବିଶେଷଜ୍ଞଗଣଙ୍କ ପରାମର୍ଶ ଏବଂ ଅନ୍ୟ ଦେଶର ଅନୁଭୂତି ଆଧାରରେ ଏଭଳି ନୂତନ ପ୍ରଯୁକ୍ତି ଏବଂ ସୁବିଧା ଭାରତୀୟ କୃଷି କ୍ଷେତ୍ରରେ ସାମିଲ କରାଯାଇଛି ।

ଏବେ ରେଳ ଷ୍ଟେସନ ଆଖପାଖ ଇଲାକାରେ ପଚନୀୟ ରେଳ କାର୍ଗୋ କେନ୍ଦ୍ରମାନ ନିର୍ମାଣ କରାଯାଉଛି ଯେଉଁଠାରେ କୃଷକମାନେ ସେମାନଙ୍କର ଉତ୍ପାଦର ଭଣ୍ଡାରଣ କରିପାରିବେ । ଏହା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ତଟକା ଫଳ ଓ ପନିପରିବା ଲୋକମାନଙ୍କ ପରିବାର ନିକଟରେ ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି । ଉଦବୃତ୍ତ ଉତ୍ପାଦକୁ ଉଦ୍ଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଯିବ ଯେଉଁମାନେ ସେଥିରୁ ଜୁସ୍‍, ଆଚାର, ସସ୍‍, ଚିପ୍ସ ଇତ୍ୟାଦି ପ୍ରସ୍ତୁତ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସରକାରଙ୍କ ଅଗ୍ରାଧିକାର ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭଣ୍ଡାରଣ-ସଂଯୋଗୀ ଭିତ୍ତିଭୂମି ଏବଂ ପ୍ରକ୍ରିୟାକରଣ ଶିଳ୍ପ ଯାହାକି କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ କରିବାରେ ସହାୟକ ହେଉଥିବ ତାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି । ସେ କହିଲେ ଯେ ଏଭଳି 6500ଟି ପ୍ରକଳ୍ପକୁ ମେଗା ଫୁଡ଼ ପାର୍କ, କୋଲ୍ଡ ଚେନ୍‍ ଭିତ୍ତିଭୂମି ଏବଂ ଆଗ୍ରୋ ପ୍ରୋସେସିଂ କ୍ଲଷ୍ଟର ଯାହାକି ପିଏମ କିଷାନ ସମ୍ପଦା ଯୋଜନା ଅଧୀନରେ ରହିଛି ସେସବୁକୁ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ସେହିଭଳି ଆତ୍ମନିର୍ଭର ଅଭିଯାନ ପ୍ୟାକେଜ୍‍ ଅଧୀନରେ ମାଇକ୍ରୋ ଫୁଡ଼୍‍ ପ୍ରୋସେସିଂ ଶିଳ୍ପସଂସ୍ଥାମାନଙ୍କ ସକାଶେ ସରକାର 10,000 କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଶ୍ରୀ ମୋଦୀ କହିଲେ ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ, କୃଷକ ଏବଂ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ଯୋଗୁ ହିଁ ସରକାରଙ୍କ ଏଭଳି ପ୍ରୟାସ ସଫଳ ହୋଇପାରିଛି । କୃଷି ଉତ୍ପାଦନକାରୀ ସଂଗଠନ (ଏଫପିଓ) ଏବଂ ସମବାୟ ଗୋଷ୍ଠୀ ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃଷି ବ୍ୟବସାୟ ଏବଂ କୃଷି ଭିତ୍ତିଭୂମି କାର୍ଯ୍ୟକ୍ରମରେ ସର୍ବାଧିକ ଗୁରୁତ୍ୱ ଲାଭ କରିଛି । ନିକଟରେ ସରକାର ଆଣିଥିବା କୃଷି ସଂସ୍କାର ଦ୍ୱାରା କୃଷି ବ୍ୟବସାୟ ଅଧିକ ସମ୍ପ୍ରସାରିତ ହେବ ଏବଂ ସେହିସବୁ ଗୋଷ୍ଠୀ ଏଥିରୁ ସର୍ବାଧିକ ଫାଇଦା ପାଇପାରିବେ । କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ଦ୍ୱାରା ସରକାରଙ୍କ ଏଭଳି ପ୍ରୟାସକୁ ସହାୟତା ମିଳିବ ଏବଂ ଏହାର ସୁଫଳ କୃଷକମାନଙ୍କ ନିକଟକୁ ହିଁ ଯିବ । “ଆମେ ଭାରତୀୟ କୃଷି ଓ କୃଷକମାନଙ୍କୁ ସୁଦୃଢ଼ କରିବା ଦିଗରେ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଆଗକୁ ଅଗ୍ରସର ହେବୁ” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ମତ ପୋଷଣ କରିଥିଲେ ।

**********

DS/AK/SS



(Release ID: 1684243) Visitor Counter : 256