ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନରେ ଭାରତର ପ୍ରଥମ ଚାଳକବିହୀନ ଟ୍ରେନ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାର ମଧ୍ୟ କଲେ ଶୁଭାରମ୍ଭ

ସହରୀକରଣକୁ ଏକ ଆହ୍ୱାନ ଭାବେ ନୁହେଁ ବରଂ ଦେଶରେ ଉନ୍ନତ ଭିତିଭୂମି ନିର୍ମାଣ କରିବା ଏବଂ ଜୀବନଧାରଣ ମାନକୁ ସୁଗମ କରିବାର ଏକ ସୁଯୋଗ ଭାବେ ଦେଖାଯିବା ଉଚିତ : ପ୍ରଧାନମନ୍ତ୍ରୀ

ଆରଆରଟିଏସ, ମେଟ୍ରୋ ଲାଇଟ, ମେଟ୍ରୋ ନିଓ ଏବଂ ୱାଟର ମେଟ୍ରୋ ଦିଗରେ କାର୍ଯ୍ୟ ଜାରି ରହିଛି : ପ୍ରଧାନମନ୍ତ୍ରୀ

ବିଭିନ୍ନ କ୍ଷେତ୍ରରେ ସେବାଗୁଡ଼ିକର ଏକୀକରଣ ସମ୍ପର୍କରେ ଦେଲେ ତାଲିକା

Posted On: 28 DEC 2020 12:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାରତର ପ୍ରଥମ ଚାଳକବିହୀନ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କରିଚନ୍ତି । ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନରେ ଏହି ରେଳ ଚଳାଚଳ ଆରମ୍ଭ ହୋଇଛି । ଆଜି ମଧ୍ୟ ଦିଲ୍ଲୀ ମେଟ୍ରୋର ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାର ଶୁଭାରମ୍ଭ କରାଯାଇଛି ଯାହାକି ଗତବର୍ଷ ଅହମ୍ମଦାବାଦରେ ଆରମ୍ଭ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ସହରାଂଚଳ ଭବିଷ୍ୟତର ବିକାଶ ଦିଗରେ ଏକ ପ୍ରୟାସ ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ ଭବିଷ୍ୟତର ଆବଶ୍ୟକତା ପାଇଁ ଦେଶକୁ ପ୍ରସ୍ତୁତ କରିବା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ସେ ଏହି ତଥ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ କିଛି ଦଶନ୍ଧି ପୂର୍ବେ ଯେତେବେଳେ ସହରୀକରଣର ଚାହିଦା ଅନୁଭୂତ ହୋଇଥିଲା, ଭବିଷ୍ୟତର ଆବଶ୍ୟକତା ପ୍ରତି ସେତେଟା ଧ୍ୟାନ ଦିଆଯାଇନଥିଲା, ଅଧାପନ୍ତରିଆ କାମ କରାଯାଇଥିଲା ଏବଂ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଆଜି ପରିସ୍ଥିତି ଭିନ୍ନ । ଆଧୁନିକ ଚିନ୍ତାଧାରା ହେଉଛି ସହରୀକରଣକୁ ଏକ ଆହ୍ୱାନ ଭାବେ ନୁହେଁ ବରଂ ଦେଶରେ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବାର ଏକ ସୁଯୋଗ ଭାବେ ଦେଖାଯିବା ଉଚିତ । ଏପରି ଏକ ସୁଯୋଗ ଯାହା ମାଧ୍ୟମରେ ଆମେ ଆମର ଜୀବନଧାରଣ ମାନକୁ ସୁଗମ କରିପାରିବା । ସେ କହିଥିଲେ ଏହି ଅଭିନବ ଚିନ୍ତାଧାରା ଏବେ ସହରୀକରଣର ପ୍ରତ୍ୟେକ ଦିଗରେ ଦେଖିବାକୁ ମିଳୁଛି । ସେ କହିଥିଲେ ଯେ ୨୦୧୪ରେ ମାତ୍ର ୫ଟି ସହରରେ ମେଟ୍ରୋ ରେଳ ସେବା ଥିଲା, ଆଜି ମେଟ୍ରୋ ରେଳ ୧୮ଟି ସହରରେ ରହିଛି । ୨୦୨୫ ସୁଦ୍ଧା, ଆମେ ଏହାକୁ ୨୫ଟି ସହରକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛୁ । ୨୦୧୪ରେ ମାତ୍ର ୨୪୮ କିମି ମେଟ୍ରୋ ଲାଇନ ଦେଶରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଆଜି ଏହାର ତିନି ଗୁଣା ଅର୍ଥାତ ୭୦୦ କିମିରୁ ଅଧିକ ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି । ୨୦୨୫ ସୁଦ୍ଧା ଆମେ ଏହାକୁ ୧୭୦୦ କିମିକୁ ସମ୍ପ୍ରସାରିତ କରିବା ଲାଗି   ପ୍ରୟାସ କରୁଛୁ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଗୁଡ଼ିକ କେବଳ ତଥ୍ୟ ନୁହେଁ ବରଂ କୋଟି କୋଟି ଭାରତବାସୀଙ୍କ ସହଜ ଜୀବନଧାରଣରେ ଆସିଥିବା ସୁଧାରର ପ୍ରମାଣ । ଏଗୁଡ଼ିକ କେବଳ ଇଟା ଓ ପଥର, କଂକ୍ରିଟ ଓ ଲୁହାରେ ନିର୍ମିତ ଭିତିଭୂମି ନୁହେଁ, ବରଂ ଦେଶର ନାଗରିକ, ମଧ୍ୟମବର୍ଗଙ୍କ ଆଶା ଆକାଂକ୍ଷା ପୂରଣ ହେବାର ପ୍ରମାଣ ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ ସରକାର ପ୍ରଥମ ଥର ଲାଗି ଏକ ମେଟ୍ରୋ ନୀତି ପ୍ରଣୟନ କରିଛନ୍ତି ଏବଂ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ରଣନୀତି ସହିତ କାର୍ଯ୍ୟକାରୀ କରୁଛନ୍ତି । ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା, ସ୍ଥାନୀୟ ମାନକକୁ ପ୍ରୋତ୍ସାହନ ଦେବା, ମେକ ଇନ ଇଣ୍ଡିଆକୁ ସମ୍ପ୍ରସାରିତ କରିବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଉପରେ ଜୋର ଦିଆଯାଉଛି । ସେ କହିଥିଲେ, ମେଟ୍ରୋ ରେଳ ସମ୍ପ୍ରସାରଣକୁ ସହରାଂଚଳର ଲୋକମାନଙ୍କର ଆବଶ୍ୟକତା ଏବଂ ସେଠାକାର ପେସାଦାର ଜୀବନ ଶୈଳୀ ଅନୁଯାୟୀ ଆଧୁନିକ ପରିବହନ ମାଧ୍ୟମର ଉପଯୋଗ କରାଯିବା ଉଚିତ । ଏହି କାରଣରୁ ବିଭିନ୍ନ ସହରରେ ବିଭିନ୍ନ ପ୍ରକାରର ମେଟ୍ରୋ ଉପରେ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାରର ମେଟ୍ରୋ ରେଳ ସେବାର ତାଲିକା ଦେଇଥିଲେ ଯାହା ଉପରେ ବର୍ତମାନ କାର୍ଯ୍ୟ ଜାରି ରହିଛି । ଦିଲ୍ଲୀ ଏବଂ ମିରଟ ମଧ୍ୟରେ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ(ଆରଆରଟିଏସ) ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଦୂରତାକୁ ମାତ୍ର ଏକ ଘଂଟା ମଧ୍ୟରେ ସୀମିତ କରିଦେବ । ସେ କହିଥିଲେ, ଯେଉଁ ସହରରେ ଯାତ୍ରୀଙ୍କ ସଂଖ୍ୟା କମ ରହିଛି ସେଠାରେ ମେଟ୍ରୋ ଲାଇଟ ଭର୍ସନ ଦିଗରେ କାର୍ଯ୍ୟ କରାଯାଉଛି । ସାଧାରଣ ମେଟ୍ରୋ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ମେଟ୍ରୋ ଲାଇଟ ଭର୍ସନରେ ମାତ୍ର ୪୦ ପ୍ରତିଶତ ଖର୍ଚ୍ଚ ହେବ । କମସଂଖ୍ୟକ ଯାତ୍ରୀ ଯାତାୟାତ କରୁଥିବା ସହରରେ ମେଟ୍ରୋ ନିଓ ପାଇଁ କାର୍ଯ୍ୟ କରାଯାଉଥିବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ସାଧାରଣ ମେଟ୍ରୋ ଏବଂ ଏହା ମାତ୍ର ୨୫ ପ୍ରତିଶତ ଖର୍ଚ୍ଚରେ ନିର୍ମାଣ କରାଯିବ । ସେହିପରି ୱାଟର ମେଟ୍ରୋ ମଧ୍ୟ ଏକ ଅଭିନବ ଚିନ୍ତାଧାରା । ଅଧିକ ସଂଖ୍ୟାରେ ବଡ଼ ଜଳାଶୟ ଥିବା ସହରରେ ୱାଟର ମେଟ୍ରୋ ପାଇଁ କାମ ଜାରି ରହିଛି । ଏହା ଦ୍ୱୀପାଂଚଳରେ ରହୁଥିବା ଲୋକମାନଙ୍କୁ ଶେଷ ମାଇଲ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଆଜି ମେଟ୍ରୋ ଆଉ ସାଧାରଣ ପରିବହନର ମାଧ୍ୟମ ହୋଇ ରହିନାହିଁ ବରଂ ପ୍ରଦୂଷଣ ହ୍ରାସ କରିବାର ଏକ ବଡ଼ ମାର୍ଗ ପାଲଟିଛି । ମେଟ୍ରୋ ନେଟୱର୍କ କାରଣରୁ ସଡ଼କରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ସଂଖ୍ୟା ହ୍ରାସ ପାଇଛି, ଯାହାକି ଟ୍ରାଫିକ ଜାମ ଓ ପ୍ରଦୂଷଣର କାରଣ ସାଜିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଳ ସମ୍ପ୍ରସାରଣ ଲାଗି ମେକ ଇନ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ । ମେକ ଇନ ଇଣ୍ଡିଆ ଖର୍ଚ୍ଚ କମାଇଥାଏ, ବିଦେଶୀ ମୁଦ୍ରା ସଂଚୟ କରିଥାଏ ଏବଂ ଦେଶର ଲୋକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଇଥାଏ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ରୋଲିଂ ଷ୍ଟକର ମାନକୀକରଣ କରାଯିବା ଫଳରେ ପ୍ରତ୍ୟେକ କୋଚର ମୂଲ୍ୟ ବର୍ତମାନ ୧୨ କୋଟି ଟଙ୍କାରୁ ୮ କୋଟି ଟଙ୍କାକୁ ହ୍ରାସ ପାଇଛି । ଆଜି ଚାରିଟି ବଡ଼ କମ୍ପାନୀ ଦେଶରେ ମେଟ୍ରୋ କୋଚ ନିର୍ମାଣ କରୁଛନ୍ତି ଏବଂ ଡଜନରୁ ଅଧିକ କମ୍ପାନୀ ମେଟ୍ରୋର ବିଭିନ୍ନ ଉପକରଣ ନିର୍ମାଣ କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ଏହା ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ସହାୟକ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିନା ଚାଳକରେ ମେଟ୍ରୋ ରେଳ ଚଳାଇବାର ଏହି ଉପଲବ୍ଧି ଫଳରେ ଆମ ଦେଶ ବିଶ୍ୱର ସେହି ହାତଗଣତି ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସୁବିଧା ରହିଛି । ସେ କହିଥିଲେ ଯେ ବ୍ରେକିଂ ସିଷ୍ଟମରେ ଯେତେବେଳେ ବ୍ରେକ ବ୍ୟବହାର କରାଯାଇଥାଏ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଗ୍ରୀଡକୁ ଚାଲିଯାଇଥାଏ । ଆଜି ମେଟ୍ରୋ ରେଳରେ ୧୩୦ ମେଗାୱାଟ ସୌର ଶକ୍ତି ଉପଯୋଗ କରାଯାଉଛି, ଯାହାକି ୬୦୦ ମେଗାୱାଟକୁ ବୃଦ୍ଧି କରାଯିବ ।

କମନ ମୋବିଲିଟି କାର୍ଡ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକୀକରଣର ସମାନ ମାନକ ଏବଂ ସୁବିଧା ପ୍ରଦାନ କରିବା ଅତି ଗୁରୁତ୍ୱପୂର୍ଣ୍ଣ । ଜାତୀୟସ୍ତରରେ ଏହି କମନ ମୋବିଲିଟି କାର୍ଡର ପ୍ରଚଳନ କରାଯିବା ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଏହି ଗୋଟିଏ କାର୍ଡ ଯାତ୍ରୀମାନଙ୍କୁ ଯେକୌଣସି ସ୍ଥାନକୁ, ଯେକୌଣସି ସାଧାରଣ ପରିବହନ ବ୍ୟବସ୍ଥାରେ ଯିବା ଲାଗି ସକ୍ଷମ କରିବ ।

କମନ ମୋବିଲିଟି କାର୍ଡର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ଏକୀକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ୟବସ୍ଥାର ଏଭଳି ଏକୀକରଣ ଦ୍ୱାରା ଦେଶର ଦେଶର ସାମର୍ଥ୍ୟ ଅଧିକ ସମନ୍ୱିତ ଓ ଦକ୍ଷତାପୂର୍ଣ୍ଣ ଭାବେ ବୃଦ୍ଧି କରାଯାଇପାରିବ । ଏକ ରାଷ୍ଟ୍ର ଏକ ମୋବିଲିଟି କାର୍ଡ ଭଳି ଆମ ସରକାର ବ୍ୟବସ୍ଥାଗୁଡ଼ିକର ଏକୀକରଣ ଲାଗି ବିଗତ ବର୍ଷଗୁଡ଼ିକରେ ଅନେକ ପଦକ୍ଷେପ ନେଇଛି”, ଶ୍ରୀ ମୋଦୀ କହିଥିଲେ ।

ଏକ ରାଷ୍ଟ୍ର, ଏକ ଫାସଟ୍ୟାଗ ସୁବିଧା ଦେଶର ସମସ୍ତ ରାଜପଥରେ ଯାତ୍ରାକୁ ବାଧାମୁକ୍ତ କରିଛି । ଏହା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ ଏବଂ ବିଳମ୍ବରୁ ମୁକ୍ତି ଦେଇଛି । ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ରୂପରେ ଜିଏସଟି ଟିକସ ବ୍ୟବସ୍ଥାରେ ରହିଥିବା ଜଟିଳତାକୁ ଦୂର କରିଛି ଏବଂ ପରୋକ୍ଷ ଟିକସ ବ୍ୟବସ୍ଥାରେ ସମାନତା ଆଣିଛି । ଏକ ରାଷ୍ଟ୍ର ଏକ ପାୱାର ଗ୍ରୀଡ ଦେଶର ପ୍ରତ୍ୟେକ ଭାଗରେ ଯଥେଷ୍ଟ ଓ ନିରନ୍ତର ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିଛି । ବିଦ୍ୟୁତ ଅପଚୟ ହ୍ରାସ ପାଇଛି ।

ଏକ ରାଷ୍ଟ୍ର, ଏକ ଗ୍ରୀଡ ସହିତ ଦେଶର ସେହିସବୁ ଭାଗକୁ ବାଧାମୁକ୍ତ ଗ୍ୟାସ ସଂଯୋଗ ଯୋଗାଣ ସୁନିଶ୍ଚିତ କରାଯାଉଛି ଯେଉଁଠି ପୂର୍ବରୁ ଗ୍ୟାସ ଆଧାରିତ ଜୀବନ ଏବଂ ଅର୍ଥବ୍ୟବସ୍ଥା ଏକ ସ୍ୱପ୍ନ ଥିଲା । ଏକ ରାଷ୍ଟ୍ର ଏକ ସ୍ୱାସ୍ଥ୍ୟ ବୀମା ରୂପରେ ଆୟୁଷ୍ମାନ ଭାରତ ଜରିଆରେ କୋଟି କୋଟି ଭାରତବାସୀ ଦେଶର ଯେକୌଣସି ସ୍ଥାନରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକମାନେ ନୂଆ ରାସନ କାର୍ଡ କରିବାର ସମସ୍ୟାରୁ ମୁକ୍ତି ପାଇଛନ୍ତି । ଅନୁରୂପ ଭାବେ ନୂଆ କୃଷି ସଂସ୍କାର ଏବଂ ଇ-ନାମ ଭଳି ବ୍ୟବସ୍ଥା କାରଣରୁ ଦେଶ ଏକ ରାଷ୍ଟ୍ର, ଏକ କୃଷି ବଜାର ଦିଗରେ ଅଗ୍ରସର ହେଉଛି ।

DS/AK/PS

 

****



(Release ID: 1684101) Visitor Counter : 187