ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 10 DEC 2020 4:57PM by PIB Bhubaneshwar

ଲୋକସଭାର ବାଚସ୍ପତି ଶ୍ରୀମାନ ଓମ୍‍ ବିରଲା ମହାଶୟ, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀମାନ ହରିବଂଶ ମହାଶୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦର ମୋର ସାଥୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ମହାଶୟ, ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଗଣ, ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିବା ଅନେକ ଦେଶର ସଂସଦଗୁଡ଼ିକର ବାଚସ୍ପତିବୃନ୍ଦ, ଏଠାରେ ଉପସ୍ଥିତ ଅନେକ ଦେଶର ରାଷ୍ଟ୍ରଦୂତ, ଆନ୍ତଃ- ସଂସଦୀୟ ସଂଘର ସଭ୍ୟଗଣ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଦେଶବାସୀଗଣ, ଆଜିକାର ଦିନ, ହେଉଛି ଐତିହାସିକ। ଆଜିକାର ଦିନ ଭାରତର ଗଣତାନ୍ତ୍ରିକ ଇତିହାସରେ ହେଉଛି ଏକ କିର୍ତ୍ତିସ୍ତମ୍ଭ ଭଳି। ଭାରତୀୟମାନଙ୍କ ସହ, ଭାରତୀୟତାର ବିଚାର ସହ ଓତଃପ୍ରୋତ ଭାବେ ଜଡ଼ିତ, ଭାରତର ସଂସଦ ଭବନ ନିର୍ମାଣର ଶୁଭାରମ୍ଭ ଆମର ଗଣତାନ୍ତ୍ରିକ ପରମ୍ପରାଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋପାନ ମଧ୍ୟରୁ ଗୋଟିଏ। ଆମେ ଭାରତୀୟ ମିଳିମିଶି ସଂସଦର ଏହି ନୂତନ ଭବନର ନିର୍ମାଣ କରିବା।

ସାଥୀଗଣ, ଏହାଠାରୁ ବଡ଼ ସୁନ୍ଦର କଥା ଆଉ କଣ ହେବ, ଏହାଠାରୁ ବଳି ପବିତ୍ର କଥା ଆଉ କଣ ହୋଇପାରିବ ଯେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବ, ସେତେବେଳେ ସେହି ପର୍ବର ସାକ୍ଷାତ ପ୍ରେରଣା, ଆମ ସଂସଦର ନୂତନ ଭବନ ହେବ। ଆଜି 130 କୋଟିରୁ ଅଧିକ ଭାରତୀୟମାନଙ୍କ ପାଇଁ ହେଉଛି ବଡ଼ ସୌଭାଗ୍ୟର ଦିନ, ଗର୍ବର ଦିନ ଯେତେବେଳେ ଆମେ ଏହି ଐତିହାସିକ କ୍ଷଣର ସାକ୍ଷୀ ହେବାକୁ ଯାଉଛୁ।

ସାଥୀଗଣ, ନୂତନ ସଂସଦ ଭବନର ନିର୍ମାଣ, ନୂତନ ଏବଂ ପୁରାତନ ସହିତ ସହ-ଅସ୍ତିତ୍ୱର ହେଉଛି ଉଦାହରଣ। ଏହା ସମୟ ଏବଂ ଆବଶ୍ୟକତା ଅନୁସାରେ ନିଜ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ହେଉଛି ଏକ ପ୍ରୟାସ। ମୁଁ ମୋ ଜୀବନର ସେହି କ୍ଷଣକୁ କେବେ ହେଲେ ଭୁଲି ପାରିବି ନାହିଁ ଯେତେବେଳେ 2014ରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭାବେ ମୋତେ ସଂସଦ ଭବନକୁ ଆସିବାର ସୁଯୋଗ ମିଳିଥିଲା। ସେତେବେଳେ ଗଣତନ୍ତ୍ରର ଏହି ମନ୍ଦିରରେ ପାଦ ରଖିବା ପୂର୍ବରୁ, ମୁଁ ମୁଣ୍ଡ ନୁଆଁଇ ଗଣତନ୍ତ୍ରର ଏହି ମନ୍ଦିରକୁ ପ୍ରଣାମ କରିଥିଲି। ଆମର ବର୍ତ୍ତମାନର ଏହି ସଂସଦ ଭବନ ସ୍ୱାଧୀନତାର ଆନ୍ଦୋଳନ ଆଉ ପୁଣି ସ୍ୱତନ୍ତ୍ର ଭାରତକୁ ଗଢ଼ିବାରେ ନିଜର ସ୍ୱତନ୍ତ୍ର ଭୂମିକା ତୁଲାଇଛି। ସ୍ୱାଧୀନ ଭାରତର ପ୍ରଥମ ସରକାରଙ୍କ ଗଠନ ମଧ୍ୟ ଏହିଠାରେ ହୋଇଥିଲା ଏବଂ ପ୍ରଥମ ସଂସଦ ଅଧିବେଶନ ମଧ୍ୟ ଏହିଠାରେ ବସିଥିଲା। ଏହି ସଂସଦ ଭବନରେ ଆମର ସମ୍ବିଧାନର ରଚନା ହୋଇଥିଲା, ଆମର ଗଣତନ୍ତ୍ରର ପୁନଃସ୍ଥାପନା ହୋଇଥିଲା। ବାବା ସାହେବ ଆମ୍ବେଦକର ଏବଂ ଅନ୍ୟାନ୍ୟ ବରିଷ୍ଠଗଣ କେନ୍ଦ୍ରୀୟ କକ୍ଷରେ ଗଭୀର ମନ୍ଥନ ପରେ ଆମକୁ ଆମର ସମ୍ବିଧାନ ପ୍ରଦାନ କରିଥିଲେ। ସଂସଦର ବର୍ତ୍ତମାନର ଭବନ, ସ୍ୱାଧୀନ ଭାରତର ପ୍ରତ୍ୟେକ ଉତଥାନ- ପତନ, ଆମର ପ୍ରତ୍ୟେକ ଆହ୍ୱାନ, ଆମର ସମାଧାନ, ଆମର ଆଶା, ଆକାଂକ୍ଷା, ଆମର ସଫଳତାର ପ୍ରତୀକ ହୋଇ ରହିଛି। ଏହି ଭବନରେ ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକ ଆଇନ, ଏହି ଆଇନ ଗୁଡ଼ିକର ପ୍ରସ୍ତୁତି ସମୟରେ ସଂସଦ ଭବନରେ କୁହାଯାଇଥିବା ଅନେକ ଗଭୀର କଥା, ଏ ସବୁ ହେଉଛି ଆମର ଗଣତନ୍ତ୍ରର ଐତିହ୍ୟ।

ସାଥୀଗଣ, ସଂସଦର ଶକ୍ତିଶାଳୀ ଇତିହାସ ସହିତ ହିଁ ଯଥାର୍ଥକୁ ମଧ୍ୟ ସ୍ୱୀକାର କରିବା ସେତିକି ହିଁ ଆବଶ୍ୟକ। ଏହି ଭବନ ଏବେ ପ୍ରାୟ ଶହେ ବର୍ଷର ହେବାକୁ ଯାଉଛି। ବିଗତ ଦଶକଗୁଡ଼ିକରେ ଏହାକୁ ତତ୍କାଳୀନ ଆବଶ୍ୟକତାଗୁଡ଼ିକୁ ପରିଲକ୍ଷିତ କରି ନିରନ୍ତର ଆଧୁନିକୀକରଣ କରାଗଲା। ଏହି ପ୍ରକ୍ରିୟାରେ କେତେ ଥର ହିଁ ପାଚେରୀ ଭଙ୍ଗା ଯାଇଛି। କେବେ ନୂଆ ସାଉଣ୍ଡଳ ବ୍ୟବସ୍ଥା, କେବେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, କେବେ ଆଇଟି ବ୍ୟବସ୍ଥା। ଲୋକସଭାରେ ବସିବା ସ୍ଥାନ ବୃଦ୍ଧି କରିବା ପାଇଁ ପାଚେରୀ ଗୁଡ଼ିକୁ ଭଙ୍ଗା ଯାଇଛି। ଏତେ କିଛି ହେବା ପରେ ସଂସଦର ଏହି ଭବନ ଏବେ ବିଶ୍ରାମ ମାଗୁଛି। ଏବେ ଲୋକସଭା ଅଧ୍ୟକ୍ଷ ମହାଶୟ ମଧ୍ୟ କହୁଥିଲେ ଯେ କିଭଳି ଭାବେ ବର୍ଷ ବର୍ଷ ଧରି ଅସୁବିଧା ଜନକ ପରିସ୍ଥିତ ରହିଛି, ବର୍ଷ-ବର୍ଷ ଧରି ନୂତନ ସଂସଦ ଭବନର ଆବଶ୍ୟକତାର ଅନୁଭବ କରାଯାଉଥିଲା। ଏଭଳି ସ୍ଥିତିରେ ଏହା ଆମ ସମସ୍ତଙ୍କର ଦାୟିତ୍ୱ ପାଲଟି ଯାଇଥିଲା ଯେ ଏକବିଂଶ ଶତାବ୍ଦୀର ଭାରତକୁ ଏକ ନୂତନ ସଂସଦ ଭବନ ମିଳୁ। ଏହି ଦିଗରେ ଆଜି ଏହାର ଶୁଭାରମ୍ଭ ହେଉଛି। ଆଉ ଏଥିପାଇଁ, ଆଜି ଆମେ ଯେତେବେଳେ ଏକ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛୁ, ସେତେବେଳେ ବର୍ତ୍ତମାନ ସଂସଦ ପରିସରର ଜୀବନରେ ନୂତନ ବର୍ଷ ମଧ୍ୟ ଯୋଡ଼ି ପାରୁଛେ।

ସାଥୀଗଣ, ନୂତନ ସଂସଦ ଭବନରେ ଏଭଳି ଅନେକ ନୂତନ ଜିନିଷ କରାଯାଉଛି ଯାହା ମାଧ୍ୟମରେ ସାଂସଦମାନଙ୍କର ଦକ୍ଷତା ବୃଦ୍ଧି ପାଇବ, ସେମାନଙ୍କର କାର୍ଯ୍ୟ ସଂସ୍କୃତିରେ ଅତ୍ୟାଧୁନିକ କୌଶଳ ଓ ପଦ୍ଦତି ଆସିବ। ଏବେ ଯେପରି ନିଜର ସାଂସଦମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସେମାନଙ୍କର ସଂସଦୀୟ କ୍ଷେତ୍ରରୁ ଲୋକମାନେ ଆସନ୍ତି ଆଉ ଏବେ ଯେଉଁ ସଂସଦ ଭବନ ଅଛି, ସେଥିରେ ଲୋକମାନଙ୍କୁ ବହୁତ ଅସୁବିଧା ହୋଇଥାଏ। ସାଧାରଣ ଲୋକଙ୍କୁ ଅସୁବିଧା ହୋଇଥାଏ, ନାଗରିକମାନଙ୍କୁ ଅସୁବିଧା ହୋଇଥାଏ, ସାଧାରଣ ଜନତାଙ୍କୁ ନିଜର କୌଣସି ଅସୁବିଧା ସମ୍ପର୍କରେ ନିଜର ସାଂସଦଙ୍କୁ କିଛି କହିବାର ଥାଏ, କୌଣସି ସୁଖ-ଦୁଃଖ ବାଣ୍ଟିବାର ଥାଏ, ତେବେ ଏଥିପାଇଁ ମଧ୍ୟ ସଂସଦ ଭବନରେ ସ୍ଥାନର ଖୁବ ଅଭାବ ପରିଲକ୍ଷିତ ହୋଇଥାଏ। ଭବିଷ୍ୟତରେ ପ୍ରତ୍ୟେକ ସାଂସଦଙ୍କ ପାଖରେ ଏହି ସୁବିଧା ରହିବ ଯେ ସେ ନିଜର ସଂସଦୀୟ କ୍ଷେତ୍ରର ଲୋକମାନଙ୍କ ସହିତ ଏହିଠାରେ ନିକଟରେ ହିଁ ଏହି ବିଶାଳ ପରିସର ମଧ୍ୟରେ ସେମାନଙ୍କୁ ଏକ ବ୍ୟବସ୍ଥା ମିଳିବ ଫଳରେ ସେମାନେ ନିଜର ସଂସଦୀୟ କ୍ଷେତ୍ରରୁ ଆସିଥିବା ଲୋକମାନଙ୍କ ସହିତ ସେମାନଙ୍କର ସୁଖ ଦୁଃଖ ବାଣ୍ଟି ପାରିବେ।

ସାଥୀଗଣ, ପୁରୁଣା ସଂସଦ ଭବନ ସ୍ୱାଧୀନତା ପରେ ଭାରତକୁ ଦିଗଦର୍ଶନ ଦେଇଥିଲା, ତେବେ ନୂତନ ଭବନ ଆତ୍ମନିର୍ଭର ଭାରତର ନିର୍ମାଣର ସାକ୍ଷୀ ହେବ। ପୁରୁଣା ସଂସଦ ଭବନରେ ଦେଶର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ କାର୍ଯ୍ୟ ହେଲା, ପୁଣି ଏବେ ନୂତନ ଭବନରେ ଏକବିଂଶ ଶତାବ୍ଦୀରେ ଭାରତର ଆକାଂକ୍ଷାଗୁଡ଼ିକୁ ପୂରଣ କରାଯିବ। ଯେଭଳି ଆଜି ଇଣ୍ଡିଆ ଗେଟ୍‍ ଆଗରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀ ନିଜର ରାଷ୍ଟ୍ରୀୟ ପରିଚୟ ସୃଷ୍ଟି କରି ପାରିଛି, ସେହିଭଳି ହିଁ ସଂସଦର ନୂତନ ଭବନ ନିଜର ପରିଚୟ ସ୍ଥାପିତ କରିବ। ଦେଶର ଲୋକ, ଆଗାମୀ ପିଢି ନୂତନ ଭବନକୁ ଦେଖି ଗର୍ବ କରିବେ ଯେ ଏହା ସ୍ୱାଧୀନ ଭାରତରେ ନିର୍ମାଣ ହୋଇଛି, ସ୍ୱାଧୀନତାର 75 ବର୍ଷକୁ ସ୍ମରଣ କରି ଏହାର ନିର୍ମାଣ ହୋଇଛି।

ସାଥୀଗଣ, ସଂସଦ ଭବନର ଶକ୍ତିର ସ୍ରୋତ, ତାହାର ଉର୍ଜ୍ଜାର ସ୍ରୋତ, ହେଉଛି ଆମର ଗଣତନ୍ତ୍ର। ସ୍ୱାଧୀନତା ସମୟରେ କେଉଁଭଳି ଭାବେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତର ଅସ୍ତିତ୍ୱ ଉପରେ ସନ୍ଦେହ ଏବଂ ଆଶଙ୍କା ସୃଷ୍ଟି କରାଯାଉଥିଲା,ଏହା ହେଉଛି ଇତିହାସର ଏକ ଅଂଶ। ଅଶିକ୍ଷା, ଗରିବୀ, ସାମାଜିକ ବିବିଧତା ଏବଂ ଅନୁଭବହୀନତା ଯେଭଳି ଅନେକ ଅନେକ ତର୍କଗୁଡ଼ିକ ସହିତ ଏହି ଭବିଷ୍ୟବାଣୀ ମଧ୍ୟ କରି ଦିଆ ଯାଇଥିଲା ଯେ ଭାରତରେ ଗଣତନ୍ତ୍ର ଅସଫଳ ହୋଇଯିବ। ଆଜି ଆମେ ଗର୍ବର ସହିତ କହିପାରିବା କି ଆମ ଦେଶ ନା କେବଳ ସେହି ଆଶଙ୍କାଗୁଡିକୁ ଭୁଲ ସାବ୍ୟସ୍ତ କରିଛି ବରଂ ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ଏକ ପ୍ରମୁଖ ଗଣତାନ୍ତ୍ରିକ ଶକ୍ତି ଭାବେ ଆଗକୁ ବଢ଼ୁଥିବା ମଧ୍ୟ ଦେଖିପାରୁଛି।

ସାଥୀଗଣ, ଗଣତନ୍ତ୍ର ଭାରତରେ କାହିଁକି ସଫଳ ହୋଇଛି, କ’ଣ ପାଇଁ ସଫଳ ହୋଇଛି ଆଉ କାହିଁକି କେବେ ହେଲେ ମଧ୍ୟ ଗଣତନ୍ତ୍ର ଉପରେ ଆଞ୍ଚ ଆସିପାରି ନାହିଁ, ଏହି କଥା ଆମର ପ୍ରତ୍ୟେକ ପିଢିକୁ ମଧ୍ୟ ଜାଣିବା-ବୁଝିବା ହେଉଛି ବହୁତ ଆବଶ୍ୟକ। ଆମେ ଦେଖୁଛୁ-ଶୁଣୁଛୁ, ବିଶ୍ୱରେ ତ୍ରୟୋଦଶ ଶତାବ୍ଦୀରେ ରଚିତ ମ୍ୟାଗ୍ନା କାର୍ଟାର ବହୁତ ଚର୍ଚ୍ଚା ହେଉଛି, କିଛି ବିଦ୍ୱାନ ଏହାକୁ ଗଣତନ୍ତ୍ରର ମୂଳଦୁଆ ବୋଲି ମଧ୍ୟ କହୁକଛନ୍ତି। କିନ୍ତୁ ଏହି କଥା ମଧ୍ୟ ସେତିକି ସଠିକ ଯେ ମ୍ୟାଗ୍ନା କାର୍ଟା ପୂର୍ବରୁ ହିଁ ଦ୍ୱାଦଶ ଶତାବ୍ଦୀରେ ଭାରତରେ ଭଗବାନ ବସବେଶ୍ୱରଙ୍କ ‘ଅନୁଭବ ମଣ୍ଟପମ୍‍’ ଅସ୍ତିତ୍ୱକୁ ଆସି ଯାଇଥିଲା। ‘ଅନୁଭବ ମଣ୍ଟପମ୍‍’ ଭାବେ ସେ ଲୋକ ସଂସଦର ନା କେବଳ ନିର୍ମାଣ କରିଥିଲେ, ବରଂ ତାହାର ସଞ୍ଚାଳନ ମଧ୍ୟ ସୁନିଶ୍ଚିତ କରିଥିଲେ। ଆଉ ଭଗବାନ ବସେଶ୍ୱର ଜୀ କହିଥିଲେ- ୟି ଅନୁଭବା ମଣ୍ଟପ ଜନ ସଭା, ନାଦିନା ମଟ୍‍ଠୁ ରାଷ୍ଟ୍ରଧା ଉନ୍ନତିଗେ ହାଗୁ, ଅଭିବୃଦ୍ଧିଗେ ପୁରକାବଗୀ କେଲସା ମାଦୁତ୍‍ଥ୍ୟାଦେ! ଅର୍ଥାତ ଏହି ଅନୁଭବ ମଣ୍ଟପମ୍‍, ହେଉଛି ଏକ ଏଭଳି ଜନସଭା, ଯାହା ରାଜ୍ୟ ଏବଂ ରାଷ୍ଟ୍ରର ହିତରେ ଏବଂ ତାହାର ଉନ୍ନତି ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥାଏ। ଅନୁଭବ ମଣ୍ଟପମ୍‍, ଗଣତନ୍ତ୍ରର ହିଁ ଏକ ସ୍ୱରୂପ ଭାବେ ରହିଥିଲା।

ସାଥୀଗଣ, ଏହି କାଳଖଣ୍ଡରେ ମଧ୍ୟରେ ଏବଂ ପୂର୍ବକୁ ଯିବା ତେବେ ତାମିଲନାଡ଼ୁରେ ଚେନ୍ନାଇ ଠାରୁ 80-85 କିଲୋମିଟର ଦୂର ଉତରାମେରୁର ନାମକ ଏକ ଗାଁରେ ଏକ ବହୁତ ହିଁ ଐତିହାସିକ ସାକ୍ଷୀ ଦେଖିବାକୁ ମିଳିଥାଏ। ଏହି ଗାଁରେ ଚୋଳ ସାମ୍ରାଜ୍ୟ ସମୟରେ ଦଶମ ଶତାବ୍ଦୀରେ ପଥରରେ ତାମିଲ ଭାଷାରେ ପଞ୍ଚାୟତ ବ୍ୟବସ୍ଥାର ବର୍ଣ୍ଣନା କରାଯାଇଛି। ଆଉ ଏଥିରେ କୁହାଯାଇଛି କି କିପରି ପ୍ରତ୍ୟେକ ଗାଁକୁ କୁଡୁମ୍ବୁ ବିଭାଜିତ କରାଯାଉଥିଲା, ଯାହାକୁ ଆଜି ଆମେ ୱାର୍ଡ ବୋଲି କହୁଛୁ। ଏହି କୁଡୁମ୍ବୁଗୁଡ଼ିକ ମଧ୍ୟରୁ ଜଣ-ଜଣଙ୍କୁ ପ୍ରତିନିଧି ସଭାକୁ ପଠାଯାଉଥିଲା, ଆଉ ଯେଭଳି ଆଜି ମଧ୍ୟ ହେଉଛି। ଏହି ଗାଁରେ ହଜାରେ ବର୍ଷ ପୂର୍ବରୁ ଯେଉଁ ମହାସଭା ବସୁଥିଲା, ତାହା ଆଜି ମଧ୍ୟ ଏଠାରେ ଚାଲୁ ରହିଛି।

ସାଥୀଗଣ, ଏକ ହଜାର ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଉ ଏକ କଥା ବହୁତ ମହତ୍ୱପୂର୍ଣ୍ଣ ଥିଲା, ସେହି ପଥର ଉପରେ ଲେଖା ଯାଇଥିବା ସେହି ଆଲେଖ୍ୟରେ ବର୍ଣ୍ଣନା କରାଯାଇଛି ଆଉ ସେଥିରେ କୁହାଯାଇଛି ଯେ ଜନପ୍ରତିନିଧିଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷିତ କରିବା ପାଇଁ ସେହି ସମୟରେ ମଧ୍ୟ ବ୍ୟବସ୍ଥା ଥିଲା। ଆଉ ନିୟମ କ’ଣ ଥିଲା - ନିୟମ ଏହାଥିଲା ଯେ ଯେଉଁ ଜନପ୍ରତିନିଧି ନିଜର ସମ୍ପତିର ବିବରଣୀ ଦେବେ ନାହିଁ, ସେ ଏବଂ ତାଙ୍କର ନିକଟ ସମ୍ପର୍କିୟ ନିର୍ବାଚନ ଲଢ଼ି ପାରିବେ ନାହିଁ। କେତେ ବର୍ଷ ପୂର୍ବେ ଚିନ୍ତା କରନ୍ତୁ, କେତେ ସୂକ୍ଷ୍ମ ଭାବରେ ସେହି ସମୟରେ ପ୍ରତ୍ୟେକ ଦିଗକୁ ଚିନ୍ତା କରାଯାଇଥିଲା, ବୁଝା ଯାଇଥିଲା, ନିଜ ଗଣତାନ୍ତ୍ରିକ ପରମ୍ପରାର ଅଂଶ କରାଯାଇଥିଲା।

ସାଥୀଗଣ, ଗଣତନ୍ତ୍ରର ଆମର ଏହି ଇତିହାସ ଦେଶର ପ୍ରତ୍ୟେକ କୋଣରେ ଦୃଷ୍ଟିଗୋଚର ହେଉଛି, କୋଣ-ଅନୁକୋଣରେ ଦୃଷ୍ଟିଗୋଚର ହେଉଛି। କିଛି ଶବ୍ଦ ସହିତ ଆମେ ବାରମ୍ବାର ପରିଚିତ ଅଛୁ-ସଭା ସମିତି, ଗଣପତି, ଗଣାଧିପତି, ଏହି ଶବ୍ଦାବଳୀ ଆମର ମନ ମସ୍ତିଷ୍କରେ ଶତାବ୍ଦୀ-ଶତାବ୍ଦୀ ଧରି ପ୍ରବାହିତ ହେଉଛି। ଶତାବ୍ଦୀ-ଶତାବ୍ଦୀ ପୂର୍ବରୁ ଶାକ୍ୟ, ମଲ୍ଲମ ଏବଂ ବେଜ୍ଜୀ ଭଳି ଗଣତନ୍ତ୍ର ହେଉ, ଲିଚ୍ଛବୀ, ମଲ୍ଲକ, ମରକ ଏବଂ କମ୍ବୋଜ ଭଳି ଗଣରାଜ୍ୟ ହେଉ ଅବା ପୁଣି ମୌର୍ଯ୍ୟ କାଳରେ କଳିଙ୍ଗ, ସମସ୍ତେ ଗଣତନ୍ତ୍ରକୁ ହିଁ ଶାସନର ଆଧାର କରିଥିଲେ। ହଜାର-ହଜାର ବର୍ଷ ପୂର୍ବେ ରଚିତ ଆମର ବେଦରେ, ଋକ୍‍ବେଦରେ ଗଣତନ୍ତ୍ରର ବିଚାରକୁ ସମଜ୍ଞାନ ଅର୍ଥାତ ସମୂହ ଚେତନା, ସାମଗ୍ରିକ ଚେତନା ଭାବେ ଦେଖା ଯାଇଛି।

ସାଥୀଗଣ, ସାଧାରଣ ଭାବେ ଅନ୍ୟ ସ୍ଥାନମାନଙ୍କରେ ଯେତେବେଳେ ଗଣତନ୍ତ୍ରର ଚର୍ଚ୍ଚା ହୋଇଥାଏ, ସେତେବେଳେ କଅଧିକାଂଶ ନିର୍ବାଚନ, ନିର୍ବାଚନର ପ୍ରକ୍ରିୟା, ନିର୍ବାଚିତ ସଭ୍ୟ, ସେମାନଙ୍କର ଗଠନର ପ୍ରକ୍ରିୟା, ଶାସନ-ପ୍ରଶାସନ, ଗଣତନ୍ତ୍ରର ପରିଭାଷା ଏହି କଥାର ଆଖପାଖରେ ରହିଥାଏ। ଏହି ପ୍ରକାରର ବ୍ୟବସ୍ଥାରେ ଅଧିକ ଗୁରୁତ୍ୱ ଦେବା ହିଁ ଅଧିକାଂଶ ସ୍ଥାନରେ ତାହାକୁ ଗଣତନ୍ତ୍ର କୁହନ୍ତି। କିନ୍ତୁ ଭାରତରେ ଗଣତନ୍ତ୍ର ହେଉଛି ଏକ ସଂସ୍କାର। ଭାରତ ପାଇଁ ଗଣତନ୍ତ୍ର ହେଉଛି ଜୀବନର ମୂଲ୍ୟବୋଧ, ହେଉଛି ଜୀବନର ପଦ୍ଧତି, ରାଷ୍ଟ୍ର ଜୀବନର ହେଉଛି ଆତ୍ମା। ଭାରତର ଗଣତନ୍ତ୍ର ହେଉଛି ଶତାବ୍ଦୀ-ଶତାବ୍ଦୀର ଧରି ଅନୁଭବ ଦ୍ୱାରା ବିକଶିତ ହୋଇଥିବା ବ୍ୟବସ୍ଥା। ଭାରତ ପାଇଁ ଗଣତନ୍ତ୍ରରେ ଜୀବନ ମନ୍ତ୍ର ମଧ୍ୟ ଅଛି, ଜୀବନ ତତ୍ୱ ମଧ୍ୟ ଅଛି ଆଉ ଏହା ସହିତ ବ୍ୟବସ୍ଥାର ତନ୍ତ୍ର ମଧ୍ୟ ଅଛି। ସମୟ-ସମୟରେ ଏଥିରେ ବ୍ୟବସ୍ଥାଗୁଡ଼ିକ ବଦଳି ଚାଲିଛି, ପ୍ରକ୍ରିୟାଗୁଡ଼ିକ ବଦଳି ଚାଲିଛି କିନ୍ତୁ ଆତ୍ମା ଗଣତନ୍ତ୍ର ହୋଇ ରହିଛି। ଆଉ ବିଡମ୍ବନା ଦେଖନ୍ତୁ, ଆଜି ଭାରତର ଗଣତନ୍ତ୍ର ଆମକୁ ପାଶ୍ଚାତ୍ୟ ଦେଶରୁ ବୁଝାଯାଉଛି। ଯେତେବେଳେ କି ଆମେ ବିଶ୍ୱାସର ସହିତ ନିଜର ଗଣତାନ୍ତ୍ରିକ ଇତିହାସର ଗୌରବ ଗାନ କରିବା, ସେତେବେଳେ ସେହି ଦିନ ଦୂର ନୁହେଁ, ଯେତେବେଳେ ବିଶ୍ୱ ମଧ୍ୟ କହିବ, ଭାରତ ହେଉଛି ଗଣତନ୍ତ୍ରର ମାତା।

ସାଥୀଗଣ, ଭାରତର ଗଣତନ୍ତ୍ରରେ ସମାହିତ ଶକ୍ତି ହିଁ ଦେଶର ବିକାଶକୁ ନୂତନ ଉର୍ଜ୍ଜା ଦେଉଛି, ଦେଶବାସୀଙ୍କୁ ନୂତନ ବିଶ୍ୱାସ ଦେଉଛି। ବିଶ୍ୱର ଅନେକ ଦେଶରେ ଯେଉଁଠାରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନେଇ ଭିନ୍ନ ସ୍ଥିତି ସୃଷ୍ଟି ହେଉଛି, ସେତିକିବେଳେ ଭାରତରେ ଗଣତନ୍ତ୍ର ନିତ୍ୟ ନୂତନ ହେଉଛି। ନିକଟରେ କିଛି ବର୍ଷରେ ଆମେ ଦେଖିଛୁ କି ଅନେକ ଗଣତାନ୍ତ୍ରିକ ଦେଶରେ ଏବେ ମତଦାନ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏହାର ବିପରୀତ ଭାରତରେ ଆମେ ପ୍ରତ୍ୟେକ ନିର୍ବାଚନ ସହିତ ମତଦାନ ହାର ବୃଦ୍ଧି ପାଉଥିବା ଦେଖୁଛୁ। ଏଥିରେ ମଧ୍ୟ ମହିଳାମାନଙ୍କର ଏବଂ ଯୁବକମାନଙ୍କର ଅଂଶଗ୍ରହଣ ନିରନ୍ତର ବଢ଼ି ଚାଲିଛି।

ସାଥୀଗଣ, ଏହି ବିଶ୍ୱାସର, ଏହି ଆସ୍ଥାର କାରଣ ହେଉଛି। ଭାରତରେ ଗଣତନ୍ତ୍ର ସର୍ବଦା ହିଁ ପ୍ରଶାସନ ସହିତ ମତଭେଦ ଏବଂ ବିରୋଧାଭାଷକୁ ସମାଧାନର ମହତ୍ୱପୂର୍ଣ୍ଣ ମାଧ୍ୟମ ରହିଛି। ଭିନ୍ନ ଭିନ୍ନ ବିଚାର, ଭିନ୍ନ ଭିନ୍ନ ଦୃଷ୍ଟିକୋଣ, ଏହିସବୁ କଥା ଏକ ଜୀବନ୍ତ ଗଣତନ୍ତ୍ରକୁ ସଶକ୍ତ କରିଥାଏ। ମତଭେଦ ପାଇଁ ସଦା ସର୍ବଦା ସ୍ଥାନ ଥାଉ କିନ୍ତୁ କେବେ ବିଛିନ୍ନ ନ ହେଉ, ଏହି ଲକ୍ଷ୍ୟକୁ ନେଇ ଆମର ଗଣତନ୍ତ୍ର ଆଗକୁ ବଢ଼ିଛି। ଗୁରୁ ନାନାକ ଦେବଜୀ ମଧ୍ୟ କହିଛନ୍ତି- ଜବ୍‍ ଲଗୁ ଦୁନିଆ ରହିଏ ନାନକ। କିଛୁ ଶୁଣିଏ, କିଛୁ କହିଏ। ଅର୍ଥାତ ଯେ ପର୍ଯ୍ୟନ୍ତ ସଂସାରରେ ରହିବା, ସେ ପର୍ଯ୍ୟନ୍ତ ଆଲୋଚନା ଚାଲୁ ରହିବା ଦରକାର। କିଛି କହିବା ଏବଂ କିଛି ଶୁଣିବା, ଏହା ତ ହେଉଛି ଆଲୋଚନାର ପ୍ରାଣ। ଏହା ହେଉଛି ଗଣତନ୍ତ୍ରର ଆତ୍ମା। ନୀତିରେ ପ୍ରଭେଦ ରହିଥାଇ ପାରେ, ରାଜନୀତିରେ ଭିନ୍ନତା ହୋଇଥାଇ ପାରେ, କିନ୍ତୁ ଆମେ ଜନତାଙ୍କର ସେବା ପାଇଁ ଅଛୁ, ଏହି ଅନ୍ତିମ ଲକ୍ଷ୍ୟରେ କୌଣସି ମତଭେଦ ନ ରହିବା ଆବଶ୍ୟକ। ବାଦ-ବିବାଦ ସଂସଦ ଭିତରେ ହେଉ ଅବା ସଂସଦ ବାହାରେ, ରାଷ୍ଟ୍ରସେବାର ସଂକଳ୍ପ, ରାଷ୍ଟ୍ରହିତ ପ୍ରତି ସମର୍ପଣ କ୍ରମାଗତ ଭାବେ ପ୍ରତିଫଳିତ ହେବା ଉଚିତ। ଆଉ ଏଥିପାଇଁ, ଆଜି ଯେତେବେଳେ ନୂତନ ସଂସଦ ଭବନର ନିର୍ମାଣ ଆରମ୍ଭ ହେଉଛି, ସେତେବେଳେ ଆମକୁ ମନେ ରଖିବାକୁ ଅଛି ଯେ ସେହି ଗଣତନ୍ତ୍ର ଯାହା ସଂସଦ ଭବନର ଅସ୍ତିତ୍ୱର ହେଉଛି ଆଧାର, ତାହା ପ୍ରତି ଆଶାବାଦକୁ ଜାଗ୍ରତ କରି ରଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଆମକୁ ଏହା ସଦା ସର୍ବଦା ମନେ ରଖିବାର ଅଛି ଯେ ସଂସଦରେ ପହଞ୍ଚିଥିବା ପ୍ରତ୍ୟେକ ପ୍ରତିନିଧି ହେଉଛନ୍ତି ଉତରଦାୟୀ। ଏହି ଉତ୍ତରଦାୟୀ ହେଉଛି ଜନତାଙ୍କ ପ୍ରତି ମଧ୍ୟ ଏବଂ ସମ୍ବିଧାନ ପ୍ରତି ମଧ୍ୟ। ଆମର ପ୍ରତ୍ୟେକ ନିଷ୍ପତି ରାଷ୍ଟ୍ର ପ୍ରଥମ ଭାବନା ସହିତ ହେବା ଦରକାର, ଆମର ପ୍ରତ୍ୟେକ ନିଷ୍ପତିରେ ରାଷ୍ଟ୍ରହିତ ସର୍ବୋପରି ରହିବା ଆବଶ୍ୟକ। ରାଷ୍ଟ୍ରୀୟ ସଂକଳ୍ପକୁ ସିଦ୍ଧି କରିବା ପାଇଁ ଆମେ ଏକସ୍ୱରରେ ଏକ କଣ୍ଠରେ ଠିଆ ହେବା, ଏହା ହେଉଛି ବହୁତ ଜରୁରୀ।

ସାଥୀଗଣ, ଆମର ଏଠାରେ ଯେତେବେଳେ ମନ୍ଦିରର ଭବନର ନିର୍ମାଣ ହୋଇଥାଏ, ତେବେ ଆରମ୍ଭରେ ତାହାର ଆଧାର କେବଳ ଇଟା-ପଥର ହିଁ ହୋଇଥାଏ। କାରିଗର, ଶିଳ୍ପକାର, ସମସ୍ତଙ୍କର ପରିଶ୍ରମରେ ସେହି ଭବନର ନିର୍ମାଣ ସଂପୂର୍ଣ୍ଣ ହୋଇଥାଏ, କିନ୍ତୁ ସେହି ଭବନ, ଏକ ମନ୍ଦିର ସେତେବେଳେ ପାଲଟିଥାଏ, ସେଥିରେ ପୂର୍ଣ୍ଣତା ସେତେବେଳେ ଆସିଥାଏ, ଯେତେବେଳେ ସେଥିରେ ପ୍ରାଣ ପ୍ରତିଷ୍ଠା ହୋଇଥାଏ। ପ୍ରାଣ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ତାହା କେବଳ ଏକ ଭବନ ଭାବେ ରହିଥାଏ।

ସାଥୀଗଣ, ନୂତନ ସଂସଦ ଭବନ ମଧ୍ୟ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ କିନ୍ତୁ ତାହା ସେ ପର୍ଯ୍ୟନ୍ତ ଏକ ଭବନ ହୋଇ ରହିବ, ଯେତେବେଳ ପର୍ଯ୍ୟନ୍ତ ତାହାର ପ୍ରାଣ ପ୍ରତିଷ୍ଠା ନ ହେବ। କିନ୍ତୁ ଏହି ପ୍ରାଣ ପ୍ରତିଷ୍ଠା କୌଣସି ଏକ ମୂର୍ତିର ହେବ ନାହିଁ, ଗଣତନ୍ତ୍ରର ଏହି ମନ୍ଦିରରେ ଏହାର କୌଣସି ବିଧି-ବିଧାନ ମଧ୍ୟ ନାହିଁ। ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବେ, ଏଠାକୁ ନିର୍ବାଚିତ ହୋଇ ଆସୁଥିବା ଜନ ପ୍ରତିନିଧି। ସେମାନଙ୍କର ସମର୍ପଣ, ସେମାନଙ୍କର ସେବାଭାବ ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବ। ସେମାନଙ୍କର ଆଚାର-ବିଚାର-ବ୍ୟବହାର, ଏହି ଗଣତନ୍ତ୍ରର ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିବ। ଭାରତର ଏକତା-ଅଖଣ୍ଡତାକୁ ନେଇ କରାଯାଇଥିବା ଅନେକ ପ୍ରୟାସ, ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠାର ଉର୍ଜ୍ଜା ପାଲଟିବ। ଯେତେବେଳେ ଜଣେ-ଜଣେ ଜନ-ପ୍ରତିନିଧି, ନିଜର ଜ୍ଞାନ, ନିଜର କୌଶଳ, ନିଜର ବୁଦ୍ଧି, ନିଜର ଶିକ୍ଷା, ନିଜର ଅନୁଭବ ପୂର୍ଣ୍ଣ ରୂପରେ ଏଠାରେ ଅଜାଡ଼ି ଦେବେ, ରାଷ୍ଟ୍ରହିତରେ ଅଜାଡ଼ି ଦେବେ, ତାହାର ଅଭିଷେକ କରିବେ, ସେତେବେଳେ ଏହି ନୂତନ ସଂସଦ ଭବନର ପ୍ରାଣ ପ୍ରତିଷ୍ଠା ହେବ। ଏଠାରେ ରାଜ୍ୟସଭା, ରାଜ୍ୟପରିଷଦ ରହିଛି। ଏହା ହେଉଛି ଏପରି ଏକ ବ୍ୟବସ୍ଥା ଯାହା ଭାରତର ସଂଘୀୟ ଢ଼ାଞ୍ଚାକୁ ଶକ୍ତି ଦେଇଥାଏ। ରାଷ୍ଟ୍ରର ବିକାଶ ପାଇଁ ରାଜ୍ୟର ବିକାଶ, ରାଷ୍ଟ୍ରର ଦୃଢ଼ତା ପାଇଁ ରାଜ୍ୟର ଦୃଢ଼ତା, ରାଷ୍ଟ୍ରର କଲ୍ୟାଣ ପାଇଁ ରାଜ୍ୟର କଲ୍ୟାଣ, ଏହି ମୌଳିକ ସିଦ୍ଧାନ୍ତ ସହିତ କାର୍ଯ୍ୟ କରିବା ପାଇଁ ଆମକୁ ପ୍ରଣ ନେବାର ଅଛି। ପିଢି ପରେ ପିଢି, ଆଗାମୀ ସମୟରେ ଯେଉଁ ଜନପ୍ରତିନିଧୀମାନେ ଏଠାକୁ ଆସିବେ, ଅନେକ ଶପଥ ନେବା ସହିତ ହିଁ ପ୍ରାଣ ପ୍ରତିଷ୍ଠାର ଏହି ମହା ଯଜ୍ଞରେ ସେମାନଙ୍କର ଯୋଗଦାନ ଆରମ୍ଭ ହେବ। ଏହାର ଲାଭ ଦେଶର କୋଟି-କୋଟି  ଲୋକଙ୍କୁ ହେବ। ସଂସଦର ନୂତନ ଭବନ ଏକ ଏଭଳି ତପୋସ୍ଥଳି  ପାଲଟିବ  ଯାହା ଦେଶବାସୀଙ୍କ ଜୀବନରେ ସମୃଦ୍ଧି ଆଣିବାରେ ସାହାଯ୍ୟ କରିବ, ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ।

ସାଥୀଗଣ, ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେଉ, ଏହା ଆମ ଦେଶର ମହାପୁରୁଷ ଏବଂ ମହାନ ନାରୀମାନଙ୍କର ସ୍ୱପ୍ନ ରହିଛି। ଆମେ ଦୀର୍ଘ ଦିନ ଧରି ଏହି ଆଲୋଚନା ଶୁଣି ଅସୁଛୁ। ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ସେତେବେଳେ ହେବ, ଯେତେବେଳେ ଭାରତର ପ୍ରତ୍ୟେକ ନାଗରିକ ନିଜ ଭାରତକୁ ସର୍ବଶ୍ରେଷ୍ଠ କରିବା ପାଇଁ ନିଜର ଯୋଗଦାନ ଦେବେ। ପରିବର୍ତ୍ତିତ ବିଶ୍ବରେ ଭାରତ ପାଇଁ ସୁଯୋଗ ବୃଦ୍ଧି ପାଉଛି। କେବେ-କେବେ ଏହା ଅନୁଭବ ହେଉଛି ଯେ ସୁଯୋଗର ବନ୍ୟା ଆସୁଛି। ଏହି ସୁଯୋଗକୁ କୌଣସି ମଧ୍ୟ ପରିସ୍ଥିତିରେ, କୌଣସି ପ୍ରକାରରେ  ଆମକୁ ହାତ ଛଡା କରିବା ଉଚିତ୍ ନୁହେଁ। ବିଗତ ଶତାବ୍ଦୀର ଅନୁଭବ ଆମକୁ ଅନେକ କିଛି ଶିକ୍ଷା ଦେଇଛି । ସେହି ଅନୁଭବ ଗୁଡିକର ଶିକ୍ଷା, ଆମକୁ ବାରମ୍ବାର ମନେ ପକାଇ ଦେଉଛି ଯେ ଏବେ ସମୟ ନଷ୍ଟ କରିବାକୁ ଦେବା ନାହିଁ, ସମୟର ସଦୁପଯୋଗ କରିବାକୁ ପଡିବ।

ସାଥୀଗଣ, ଏକ ପୁରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ଯାହା ଯାହା ମୁଁ ଆଜି ଉଲ୍ଲେଖ କରିବାକୁ ଚାହୁଁଛି । 1897ରେ  ସ୍ୱାମୀ ବିବେକାନନ୍ଦ ମହାଶୟ ଦେଶର ଜନତାଙ୍କ ସାମ୍ନାରେ,  ଆଗାମୀ 50 ବର୍ଷ ପାଇଁ ଏକ ଆହ୍ଵାନ କରିଥିଲେ । ଆଉ ସ୍ଵାମିଜୀ କହିଥିଲେ ଯେ ଆସନ୍ତା 50 ବର୍ଷ ପର୍ଯ୍ୟନ୍ତ ଭାରତମାତାର ଆରାଧନା ହିଁ ସର୍ବୋପରି ହେବା ଉଚିତ୍। ଦେଶବାସୀଙ୍କ ପାଇଁ ତାଙ୍କର ଏହା ଏକମାତ୍ର କାମନା ଥିଲା ଭାରତ ମାତାକୁ ପୂଜା କରିବା। ଆଉ ଆମେ ସେହି ମହାପୁରୁଷଙ୍କ  ବାଣୀର ଶକ୍ତି ଦେଖିଲୁ, ଏହାର ଠିକ୍ 50 ବର୍ଷ ପରେ, 1947ରେ ଭାରତକୁ ସ୍ୱାଧୀନତା ମିଳି ଯାଇଥିଲା। ଆଜି ଯେତେବେଳେ ସଂସଦର ନୂତନ ଭବନର ଶିଳାନ୍ୟାସ ହେଉଛି, ସେତେବେଳେ ଦେଶକୁ ମଧ୍ୟ ଏକ ନୂତନ ସଂକଳ୍ପର ମୂଳଦୁଆ ପକାଇବାକୁ ପଡିବ। ସ୍ଵାମୀ ବିବେକାନନ୍ଦ ମହାଶୟଙ୍କ ସେହି ଆହ୍ଵାନକୁ ମନେ ପକାଇ ଆମକୁ ଏହି ସଂକଳ୍ପ ନେବାକୁ ପଡିବ। ଏହି ସଂକଳ୍ପ ହେଉ ଭାରତ ପ୍ରଥମ, ଭାରତ ସର୍ବୋପରି।  ଆମେ କେବଳ ଭାରତର ଉନ୍ନତି, ଭାରତର ବିକାଶକୁ ହିଁ ଆମର ଆରାଧନା କରି ନେବା।  ଆମର ପ୍ରତ୍ୟେକ ନିଷ୍ପତ୍ତି ଦେଶର ଶକ୍ତି ବୃଦ୍ଧି କରୁ।  ଆମର ପ୍ରତ୍ୟେକ ନିର୍ଣ୍ଣୟ, ପ୍ରତ୍ୟେକ ନିଷ୍ପତ୍ତି, ଗୋଟିଏ ତରାଜୁରେ ମପା ଯିବା ଉଚିତ୍। ଆଉ ସେହି ମାପକାଠି ହେଉଛି - ଦେଶର ହିତ ସର୍ବାଧିକ, ଦେଶର ହିତ ସର୍ବ ପ୍ରଥମେ। ଆମର ପ୍ରତ୍ୟେକ ନିଷ୍ପତ୍ତି ବର୍ତ୍ତମାନ ଏବଂ ଭବିଷ୍ୟତ ପିଢିର ହିତ ପାଇଁ ହେଉ।

ସାଥୀଗଣ, ସ୍ୱାମୀ ବିବେକାନନ୍ଦ ମହାଶୟ 50 ବର୍ଷର କଥା କହିଥିଲେ। ଆମ ସାମ୍ନାରେ 25-26 ବର୍ଷ ପରେ ଆସୁଥିବା ଭାରତର ସ୍ୱାଧୀନତାର ହେଉଛି ଶହେ ତମ ବର୍ଷ। ଯେତେବେଳେ ଦେଶ 2047ରେ ନିଜ ସ୍ୱାଧୀନତାର ଶହେ ବର୍ଷରେ ପ୍ରବେଶ କରିବ, ସେତେବେଳେ ଆମର ଦେଶ କିଭଳି ହେବ, ଆମକୁ ଦେଶକୁ କେଉଁ ପର୍ଯ୍ୟନ୍ତ ନେଇଯିବାର ଅଛି, ଏହି 25-26 ବର୍ଷ କିଭଳି ଭାବରେ ଆମକୁ ଲାଗି ରହିବାର ଅଛି, ଏଥିପାଇଁ ଆମକୁ ଆଜିଠାରୁ ସଂକଳ୍ପ ନେଇ କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିବାର ଅଛି। ଯଦି ଆମେ ଆଜି ଠାରୁ ସଂକଳ୍ପ ନେଇ ଦେଶ ହିତକୁ ସର୍ବୋପରି ରଖି କାର୍ଯ୍ୟ କରିବା ତେବେ ଦେଶର ବର୍ତ୍ତମାନ ହିଁ ନୁହେଁ ବରଂ ଦେଶର ଭିଷ୍ୟତକୁ ମଧ୍ୟ ଉନ୍ନତ କରିପାରିବା। ଆତ୍ମନିର୍ଭର ଭାରତର ନିର୍ମାଣ, ସମୃଦ୍ଧ ଭାରତର ନିର୍ମାଣ, ଏବେ ଆଉ ଅଟକିବ ନାହିଁ, କେହି ରୋକି ପାରିବେ ନାହିଁ।

ସାଥୀଗଣ, ଆମେ ଭାରତର ଲୋକ ଏହି ପ୍ରଣ କରିବା- ଆମ ପାଇଁ ଦେଶ ହିତଠାରୁ ବଡ଼ ଅନ୍ୟ କୌଣସି ହିତକର କାର୍ଯ୍ୟ ହେବ ନାହିଁ। ଆମେ ଭାରତର ଲୋକ ଏହି ପ୍ରଣ କରିବା-ଆମ ପାଇଁ ଦେଶର ଚିନ୍ତା, ନିଜର ଚିନ୍ତାଠାରୁ ବଡ଼ ହେବ ନାହିଁ। ଆମେ ଭାରତର ଲୋକ ଏହି ପ୍ରଣ କରିବା-ଆମ ପାଇଁ ଦେଶର ଏକତା, ଅଖଣ୍ଡତାଠାରୁ ବଡ଼ କିଛି ହେବ ନାହିଁ। ଆମେ ଭାରତର ଲୋକ ଏହି ପ୍ରଣ କରିବା- ଆମ ପାଇଁ ଦେଶର ସମ୍ବିଧାନର ମାନ-ମର୍ଯ୍ୟାଦା ଏବଂ ତାହାର ଆଶା ଆକାଂକ୍ଷାର ପୂରଣ, ଜୀବନର ସବୁଠାରୁ ବଡ଼ ଧେୟ ହେବ। ଆମକୁ ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଏହି ଭାବନାକୁ ମନେ ରଖିବାକୁ ହେବ। ଆଉ ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଭାବନା କଣ ଥିଲା, ଗୁରୁଦେବ କହୁଥିଲେ- ଏକୋତା ଉତ୍ସାହୋ ଧାରୋଁ, ଜାତିୟୋ ଉନ୍ନଁତି କାଁରୋ, ଘୁଶୁକ ଭୁବାଁନେ ଶାବେ ଭାରୋତେର ଜାଁୟ! ଅର୍ଥାତ ଏକତାରର ଉତ୍ସାହ ଧରି ରହିବାର ଅଛି। ପ୍ରତ୍ୟେକ ନାଗରିକ ଉନ୍ନତି କରନ୍ତୁ, ସମଗ୍ର ବିଶ୍ୱରେ ଭାରତର ଜୟ ଜୟ କାର ହେଉ !

ମୋର ବିଶ୍ୱାସ ରହିଛି, ଆମର ସଂସଦର ନୂତନ ଭବନ, ଆମ ସମସ୍ତଙ୍କୁ ଏକ ନୂତନ ଆଦର୍ଶ ପ୍ରସ୍ତୁତ କରିବାର ପ୍ରେରଣା ଦେବ। ଆମର ଗଣତାନ୍ତ୍ରୀକ ସଂସ୍ଥାଗୁଡିକ ବିଶାସନୀୟତା ସର୍ବଦା ଆହୁରି ସୁଦୃଢ ହେଉଥାଏ। ଏହି କାମନା ସହିତ ମୁଁ ମୋ ବାଣୀକୁ ବିରାମ ଦେଉଛି। ଆଉ 2047ର ସଂକଳ୍ପର ସହିତ ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଆଗେଇ ଚାଲିବାକୁ ନିମନ୍ତ୍ରର ଦେଉଛି।

ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!!

 

**********


(Release ID: 1680063) Visitor Counter : 368