ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
08 DEC 2020 11:42AM by PIB Bhubaneshwar
କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସହକର୍ମୀ ଶ୍ରୀ ରବିଶଙ୍କର ପ୍ରସାଦ, ଟେଲିକମ୍ ଉଦ୍ୟୋଗର ନେତୃମଣ୍ଡଳୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ।
ଇଣ୍ଡିଆ ମୋବାଇଲ କଂଗ୍ରେସ 2020ରେ ଆପଣମାନଙ୍କୁ ଉଦ୍ବୋଧନ ଦେବାର ଅବକାଶ ମୋତେ ବିଶେଷ ଆହ୍ଲାଦିତ କରିଛି । ଏଠାରେ ଟେଲିକମ୍ କ୍ଷେତ୍ରର ଶ୍ରେଷ୍ଠ ପ୍ରତିଭାଶାଳୀ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି । ଏହି ଗୋଷ୍ଠୀରେ ଟେଲିକମ୍ ଉଦ୍ୟୋଗର ସମସ୍ତ ପ୍ରମୁଖ ବ୍ୟକ୍ତିବିଶେଷ ରହିଛନ୍ତି; ଯେଉଁମାନେ ନିକଟ ଅତୀତରେ ଏହି କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସେମାନେ ଭାରତକୁ ଅଧିକ ସମୃଦ୍ଧିଶାଳୀ ଭବିଷ୍ୟତ ଆଡକୁ ଆଗେଇ ନେବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଏ ।
ବନ୍ଧୁଗଣ,
ଏବେ ଦେଶରେ ଟେଲି ସଂଯୋଗ ବ୍ୟବସ୍ଥା ଯେଉଁ ଦ୍ରୁତଗତିରେ ଆଗେଇ ଚାଲିଛି ତାହାର ଅନୁଭବ ଆମର ରହିଛି । ଆମେ ମଧ୍ୟ ଏକଥା ଜାଣୁ ଯେ ଏ କ୍ଷେତ୍ରରେ ପ୍ରଗତିର ତ୍ୱରାନ୍ୱୟନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ପ୍ରଥମ ଟେଲିଫୋନ କଲ୍ କରାଯିବାଠାରୁ ଏ ଯାଏଁ ଆମେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିଛୁ । ବାସ୍ତବରେ, ଏପରିକି 10 ବର୍ଷ ତଳେ ଆମ ଦେଶରେ, ସମାଜରେ ଏବଂ ବିଶ୍ୱରେ ମୋବାଇଲ ବିପ୍ଳବର ଭବିଷ୍ୟତ ଏବଂ ଏହାର ପ୍ରଭାବ କ’ଣ ହେବ ତାହା ଆମ ପରିକଳ୍ପନାର ବାହାରେ ଥିଲା । ଆମ ଆଗରେ ଯେଉଁ ଭବିଷ୍ୟତ ପଡିଛି ତାହାକୁ ଅନୁମାନ କଲେ ବର୍ତ୍ତମାନର ମୋବାଇଲ ବ୍ୟବସ୍ଥା ସେତେବେଳେ ଏକ ଆଦିମ ପ୍ରକ୍ରିୟାଭାବେ ବିବେଚିତ ହେବ । ଏହି ପରିପ୍ରେକ୍ଷୀରେ ଆମକୁ ବିଚାର କରିବାକୁ ପଡିବ ଯେ ଏ କ୍ଷେତ୍ରରେ କିପରି ଆମର ଉନ୍ନତି ବିଧାନ ସମ୍ଭବ ହେବ । ସେ ବିଷୟରେ ଚିନ୍ତାକରି ଯୋଜନା ପ୍ରସ୍ତୁତ କରିବା ଏବେ ଗୁରୁତ୍ୱପୂର୍ଣ୍ଣ ଏବଂ ଅପରିହାର୍ଯ୍ୟ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ନୂଆ ଟେକ୍ନୋଲଜି ବିପ୍ଳବ ଆସୁଛି ତାହା ଲୋକଙ୍କ ଜୀବନ ଧାରଣରେ କିପରି ଉନ୍ନତି ଆଣିପାରିବ ସେ ବିଷୟରେ ଭାବିବା ଓ ଯୋଜନା କରିବାର ଗୁରୁତ୍ୱପୂର୍ଣ୍ଣ । ଉତ୍ତମ ସ୍ୱାସ୍ଥ୍ୟସେବା, ଉତ୍ତମ ଶିକ୍ଷା, ଉପଯୁକ୍ତ ସୂଚନା ଏବଂ ଆମ ଚାଷୀମାନଙ୍କ ପାଇଁ ଭଲ ସୁବିଧା ସୁଯୋଗ ସୃଷ୍ଟି, କ୍ଷୁଦ୍ର ବ୍ୟାପାର ଓ ଉଦ୍ୟୋଗ ପାଇଁ ଉତ୍ତମ ବଜାର ସୁବିଧା ଆଦି କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲଜି ବିପ୍ଳବ କିପରି ସହାୟକ ହୋଇପାରିବ ସେଥିପାଇଁ ଆମକୁ ଲକ୍ଷ୍ୟ ନିର୍ଦ୍ଧାରଣ କରି କାର୍ଯ୍ୟ କରିବାକୁ ହେବ ।
ବନ୍ଧୁଗଣ,
କରୋନା ମହାମାରୀ ସତ୍ତ୍ୱେ ଆପଣମାନଙ୍କର ନବସୃଜନ ଓ ଉଦ୍ୟମ ଫଳରେ ବିଶ୍ୱ କାର୍ଯ୍ୟକ୍ଷମ ରହିଥିଲା । ଆପଣମାନଙ୍କ ଉଦ୍ୟମ ଫଳରେ ଅନ୍ୟ ଏକ ସହରରେ ରହୁଥିବା ପୁଅଟିଏ ତାର ମା’ ସହିତ ସଂପର୍କ ରକ୍ଷା କରିପାରୁଥିଲା । ଜଣେ ଛାତ୍ର ସ୍କୁଲକୁ ନ ଯାଇ ମଧ୍ୟ ନିଜର ଶିକ୍ଷକଙ୍କଠାରୁ ପାଠ ପଢିବାର ସୁଯୋଗ ପାଉଥିଲା । ହସ୍ପିଟାଲକୁ ନ ଯାଇ ମଧ୍ୟ ଜଣେ ରୋଗୀ ନିଜ ଘରୁ ଡାକ୍ତରଙ୍କ ପରାମର୍ଶ ଲୋଡିପାରୁଥିଲା ଏବଂ ଏକ ଭିନ୍ନ ଭୌଗୋଳିକ ଅଞ୍ଚଳରେ ରହି ମଧ୍ୟ ଜଣେ ବ୍ୟବସାୟୀ ଖାଉଟି ସହିତ ଯୋଡି ହେବାର ସୁବିଧା ପାଇଥିଲା ।
ଆପଣମାନଙ୍କ ଉଦ୍ୟମ ଯୋଗୁଁ ଆମେ ଏକ ସରକାର ହିସାବରେ ଆଇଟି ଏବଂ ଟେଲିକମ୍ କ୍ଷେତ୍ରର ସମସ୍ତ ସମ୍ଭାବନାର ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉଦ୍ୟମ କରୁଛୁ । ନୂଆ ଅନ୍ୟାନ୍ୟ ସେବା ପ୍ରଦାନକାରୀ (ଅଦର ସର୍ଭିସେସ ପ୍ରୋଭାଇଡର) ନିର୍ଦ୍ଦେଶାବଳୀ ଭାରତୀୟ ଆଇଟି ସେବା ଉଦ୍ୟୋଗକୁ ନୂତନ ଉଚ୍ଚତାରେ ପହଞ୍ଚାଇବାରେ ସହାୟକ ହେବ । ଏହା ଏହି କ୍ଷେତ୍ରର ଅଭିବୃଦ୍ଧିକୁ ବଢାଇବ ଏବଂ ମହାମାରୀର ଅବସାନ ପରେ ବହୁତ ଦିନ ଧରି ଟେଲିକମ୍ କ୍ଷେତ୍ରର ଗୁରୁତ୍ୱ ଉପଲବ୍ଧି ହେବ । ଏହି ପ୍ରୟାସ ଆଇଟି ସେବା ଉଦ୍ୟୋଗକୁ ଗଣତାନ୍ତ୍ରିକ କରିବା ସହ ଦେଶର ଦୂରଦୂରାନ୍ତ ଓ କୋଣ ଅନୁକୋଣରେ ଥିବା ଅଞ୍ଚଳକୁ ପହଞ୍ଚାଇବାରେ ସହାୟକ ହେବ ।
ବନ୍ଧୁଗଣ,
ଆମେ ଏବେ ଯେଉଁ ଯୁଗରେ ଅଛୁ ସେଥିରେ ଅଳ୍ପ କିଛି ବର୍ଷର ପୁରୁଣା ମୋବାଇଲ ଆପ୍ ପ୍ରଚଳିତ ହେଉଛି । ଦଶନ୍ଧି ଦଶନ୍ଧି ଧରି ଏହି ଉଦ୍ୟୋଗରେ ଥିବା କଂପାନୀମାନେ ସେହି ପୁରୁଣା ଆପ୍କୁ ବିଦାୟ ଦେଇ ନୂଆ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ନୂଆ ମୂଲ୍ୟ ମିଶ୍ରିତ ଆପ୍ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି । ଏହା ଉଭୟ ଭାରତ ଏବଂ ଆମର ଯୁବ ଇନୋଭେଟରମାନଙ୍କ ପାଇଁ ଏକ ଶୁଭ ସୂଚନା । ଆମ ଯୁବ ଇଂଜିନିୟରମାନେ ଏମିତି ଅନେକ କିଛି ଉତ୍ପାଦ ଉପରେ କାର୍ଯ୍ୟ କରୁଛନ୍ତି; ଯାହା ବିଶ୍ୱସ୍ତରର ମର୍ଯ୍ୟାଦା ହାସଲ କରିବାର ସାମର୍ଥ୍ୟ ରଖିଛି ।
ମୋତେ କିଛି ଯୁବ ଇଂଜିନିୟର କହିଥିଲେ ଯେ ଏକ ଉତ୍ପାଦକୁ ସ୍ୱତନ୍ତ୍ର କରିବାରେ କୋଡ୍ର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । କେତେକ ଉଦ୍ୟୋଗୀ ମଧ୍ୟ ମୋତେ କହିଥିଲେ ଯେ ଏହା ପରିକଳ୍ପନା (କନ୍ସେପ୍ଟ) ଯାହା ଗୁରୁତ୍ୱ ବହନ କରେ । ନିବେଶକଙ୍କ କଥା ହେଲା କୌଣସି ଏକ ଉତ୍ତମ ସାମଗ୍ରୀର ବହୁଳ ଉତ୍ପାଦନ ପାଇଁ ପୁଞ୍ଜିର ଭୂମିକା ଅଧିକ ଗୁରୁତ୍ୱ ରଖେ । ତେବେ ସବୁବେଳେ ସାମଗ୍ରୀ ବା ଉତ୍ପାଦର ମହତ୍ୱ ଅଧିକ ରହିଥାଏ ଏବଂ ଆମ ଯୁବ ଇଂଜିନିୟର ଓ ନିର୍ମାତାମାନେ ଅଭିନବ ତଥା ସମୟ ଉପଯୋଗୀ ସାମଗ୍ରୀ ନିର୍ମାଣରେ ଯେଉଁ ବିଶ୍ୱାସ ରଖିଛନ୍ତି ତାହା ମୋ ମତରେ ବିଶେଷ ମହତ୍ୱପୂର୍ଣ୍ଣ । ବେଳେ ବେଳେ ବିଚାର ଲାଭ ସର୍ବସ୍ୱ ଚିନ୍ତା ଓ ଅଭିନବ ସାମଗ୍ରୀ ତିଆରିର ଅସଲ ଲକ୍ଷ୍ୟ ମଧ୍ୟରେ ଠିଆ ହୋଇଥାଏ । ସୁତରାଂ ଯୁବ ବନ୍ଧୁମାନଙ୍କୁ ମୋର ବାର୍ତ୍ତା ହେଲା ନିଜର ଓ ନିଜ ସାମଗ୍ରୀର ଦକ୍ଷତା ଏବଂ ସାମର୍ଥ୍ୟ ଉପରେ ଭରସା ରଖିବା ।
ବନ୍ଧୁଗଣ,
ଏବେ ଆମ ଦେଶରେ ଏକ ଶହ କୋଟିରୁ ଅଧିକ ଲୋକ ଫୋନ ବ୍ୟବହାର କରୁଛନ୍ତି । ଏବେ ଶହେ କୋଟିରୁ ଅଧିକ ଲୋକଙ୍କର ୟୁନିକ୍ ଡିଜିଟାଲ ଆଇଡିଣ୍ଟିଟି ରହିଛି । ଏବେ ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା 75 କୋଟିରୁ ଅଧିକ । ଯେଉଁ ବେଗ ଓ ସଂଖ୍ୟାରେ ଦେଶରେ ଇଣ୍ଟରନେଟର ପ୍ରବେଶ ହେଉଛି, ତାହା ନିମ୍ନ ତଥ୍ୟାବଳୀରୁ ଜାଣିହୁଏ । ଭାରତରେ ଏବେ ଯେତେ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି ତାହାର ଅର୍ଦ୍ଧେକ ବ୍ୟବହାରକାରୀ ଗତ 4 ବର୍ଷ ମଧ୍ୟରେ ଏହି ବ୍ୟବସ୍ଥାରେ ଯୋଡି ହୋଇଛନ୍ତି । ଦେଶର ମୋଟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ଅର୍ଦ୍ଧେକ ଆମ ଗ୍ରାମଞ୍ଚଳର । ଆମର ଡିଜିଟାଲ ଆକାର ଓ ଡିଜିଟାଲ କ୍ଷୁଧା ଅଭୂତପୂର୍ବ । ଭାରତରେ ମଧ୍ୟ ଟେଲିଫୋନ ଓ ଇଣ୍ଟରନେଟ ଟାରିଫ (ସେବା ଯୋଗାଣ ଦେୟ) ବିଶ୍ୱରେ ସର୍ବନିମ୍ନ । ଆମେ ମଧ୍ୟ ବିଶ୍ୱର ସର୍ବାଧିକ ଅଭିବୃଦ୍ଧିଶାଳୀ ମୋବାଇଲ ଆପ୍ ମାର୍କେଟର ମର୍ଯ୍ୟାଦା ହାସଲ କରିଛୁ । ଆମ ଦେଶର ଡିଜିଟାଲ କ୍ଷମତାର ପଟ୍ଟାନ୍ତର ନାହିଁ । ମାନବ ଇତିହାସରେ ଏହା ମଧ୍ୟ ଏକ ବିରଳ ଘଟଣା ।
ଆମେ ଯେଉଁ ଶହ ଶହ କୋଟି ଡଲାର ମୂଲ୍ୟର ମୋବାଇଲ ଟେକ୍ନୋଲଜି ଯୋଗାଇ ଦେଉଛୁ ତାହାଦ୍ୱାରା ନିୟୁତ ନିୟୁତ ଲୋକ ଉପକୃତ ହେଉଛନ୍ତି । ମୋବାଇଲ ଟେକ୍ନୋଲଜି କାରଣରୁ ଆମେ କରୋନା ମହାମାରୀ ସମୟରେ ଗରିବ, ଦୁର୍ବଳ ଓ ବଞ୍ଚିତ ବର୍ଗର ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାରେ ସମର୍ଥ ହୋଇଛୁ । ମୋବାଇଲ ଟେକ୍ନୋଲଜି ଦ୍ୱାରା ଶହ ଶହ କୋଟି ଟଙ୍କାର କ୍ୟାଶଲେସ୍ ଟ୍ରାଞ୍ଜେକ୍ସନ ସଫଳତାର ସହ ସଂପନ୍ନ ହୋଇଛି । ଏହା ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ଯୋଡିବା ଏବଂ ସେମାନଙ୍କୁ ଆର୍ଥିକ ଲାଭ ପ୍ରଦାନରେ ସ୍ୱଚ୍ଛତା ରକ୍ଷା କରିବାରେ କେବଳ ସହାୟକ ହୋଇନାହିଁ, ଏହି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଛି । ସବୁ ଟୋଲବୁଥ୍ରେ କଣ୍ଟାକ୍ଟଲେସ୍ ଇଣ୍ଟରଫେସ୍ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିଛି । ମୋବାଇଲ ଟେକ୍ନୋଲଜି ଯୋଗୁଁ ଏହା ସମ୍ଭବ ହୋଇଛି । ଏହି ମୋବାଇଲ ଟେକ୍ନୋଲଜି ଫଳରେ ଆମେ ବିଶ୍ୱର ସର୍ବବୃହତ୍ କରୋନା ଟିକାଦାନ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ ।
ବନ୍ଧୁଗଣ,
ଭାରତରେ ମୋବାଇଲ ତିଆରି କରିବାରେ ଆମେ ବେଶ୍ ସଫଳତା ହାସଲ କରିଛୁ । ଭାରତ ମୋବାଇଲ ଉତ୍ପାଦନର ଏକ ସୁବଠୁ ଅଗ୍ରାଧିକାର ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । ଭାରତରେ ଟେଲିକମ୍ ଯନ୍ତ୍ରାଂଶ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍ଆଇ ସ୍କିମ୍ କାର୍ଯ୍ୟକାରୀ କରିଛୁ । ଭାରତକୁ ବିଶ୍ୱର ଟେଲିକମ୍ ଯନ୍ତ୍ରପାତି, ଉପକରଣ, ଡିଜାଇନ, ବିକାଶ ଓ ମାନୁଫ୍ୟାକଚରିଂ ହବ୍ କରିବାକୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା ।
ଆସନ୍ତା 3 ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଗ୍ରାମକୁ ହାଇସ୍ପିଡ୍ ଫାଇବର ଅପ୍ଟିକ୍ କନେକ୍ଟଭିଟି ସୁବିଧା ଯୋଗାଇ ଦେବାକୁ ଆମେ ଏକ ଯୋଜନା ପ୍ରସ୍ତୁତ କରି ସେ ଦିଗରେ କାମ କରିବାକୁ ଯାଉଛୁ । ଇତିମଧ୍ୟରେ ଆମେ ଦେଶର ମୁଖ୍ୟ ଭୂଖଣ୍ଡ ସହ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଫାଇବର ଅପ୍ଟିକ୍ କେବୁଲ ବ୍ୟବସ୍ଥାରେ ସଂଯୋଗ ସ୍ଥାପନ କରିପାରିଛୁ । ଯେଉଁସବୁ ଅଞ୍ଚଳରେ ଏଭଳି ଦୂରସଞ୍ଚାର ବ୍ୟବସ୍ଥା ବିଶେଷ ଜରୁରୀ ରହିଛି ସେଥିପାଇଁ ଆମେ ସ୍ୱତନ୍ତ୍ରଭାବେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ । ଏହି କାର୍ଯ୍ୟକ୍ରମରେ ଦେଶର ଆକାଂକ୍ଷୀ ଜିଲା ସମୂହ, ମାଓ ଉପଦ୍ରୁତ ଜିଲା ସମୂହ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଲାକ୍ଷାଦ୍ୱୀପ ଆଦିକୁ ଅଗ୍ରାଧିକାର ଦିଆଯାଇଛି । ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ କନେକ୍ଟଭିଟି ଏବଂ ପବ୍ଳିକ ୱାଇଫାଇ ହଟ୍ସ୍ପଟ କ୍ଷେତ୍ରରେ ଆମେ ବିଶେଷ ଆଗ୍ରହର ସହ କାର୍ଯ୍ୟ କରିଛୁ ଏବଂ ଏହି ବ୍ୟବସ୍ଥାର ପ୍ରସାର ଉପରେ ଗୁରୁତ୍ୱ ଦେଉଛୁ ।
ବନ୍ଧୁଗଣ,
ଟେକ୍ନୋଲଜିର ଅପ୍ଗ୍ରେଡେସନ ଯୋଗୁଁ ଏକ ନୂଆ ସଂସ୍କୃତି ଗଢି ଉଠିଛି ଏବଂ ଏଥିପାଇଁ ଆମକୁ ମୋବାଇଲ ହ୍ୟାଣ୍ଡସେଟ ଓ ଗ୍ୟାଜେଟଗୁଡିକୁ ବାରମ୍ବାର ବଦଳାଇବାକୁ ପଡୁଛି । ଏଠି ମୋର କହିବାର କଥା ହେଉଛି ଯେ ଏହି ଅପ୍ଗ୍ରେଡେସନ ପ୍ରକ୍ରିୟାରେ ଯେଉଁ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି ତାହାର ସୁପରିଚାଳନା ଏବଂ ଏହାର ପୁନଃପ୍ରକ୍ରିୟାକରଣ ମାଧ୍ୟମରେ ଏକ ସର୍କୁଲା (ପୁନଃ ବ୍ୟବହାର) ଅର୍ଥନୀତି ପସ୍ତୁତ କରିବା ପାଇଁ ଟେଲିକମ୍ ଇଣ୍ଡଷ୍ଟ୍ରି ଏକ ଟାସ୍କଫୋର୍ସ ଗଠନ କରିପାରିବ କି? ଆଶା କରୁଛି ଏହି କଂଗ୍ରେସରେ ଏ ଦିଗରେ ଆବଶ୍ୟକ ବିଚାର ବିମର୍ଶ କରାଯିବ ।
ବନ୍ଧୁଗଣ,
ପୂର୍ବରୁ କହିଥିଲି ଯେ ଏହା ଏକ ଆରମ୍ଭ ମାତ୍ର । ଟେକ୍ନୋଲଜିର ଦ୍ରୁତ ବିକାଶ ଫଳରେ ଭବିଷ୍ୟତ ଆମ ପାଇଁ ଅନେକ ସୁଯୋଗ ଓ ସୁବିଧା ସୃଷ୍ଟି କରିବ । ତେଣୁ ଉପଯୁକ୍ତ ସମୟରେ ଦେଶରେ 5ଜି ଟେଲିକମ୍ ସେବା ଆରମ୍ଭ କରିବା ସହିତ ଭବିଷ୍ୟତକୁ ଲମ୍ଫ ପ୍ରଦାନ କରି କୋଟି କୋଟି ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ଆମକୁ ମିଳିତଭାବେ କାର୍ଯ୍ୟ କରିବାକୁ ପଡିବ । ମୁଁ ଆଶା କରୁଛି ଏହି ସମାବେଶରେ ମୁଁ ଉପସ୍ଥାପିତ କରିଥିବା ପ୍ରସଙ୍ଗଗୁଡିକ ଉପରେ ମାନସ ମନ୍ଥନ କରାଯାଇ ସମାଧାନ ସୂତ୍ର ବାହାରିବ ଏବଂ ଏହି ଅତି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ତଦନୁସାରେ କାର୍ଯ୍ୟକରି ଏହାକୁ ଆଗେଇ ନେବାରେ ସହାୟକ ହେବ ।
ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ଧନ୍ୟବାଦ ।
**********
(Release ID: 1679206)
Visitor Counter : 324
Read this release in:
Assamese
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam