ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମନ୍ୱିତ ସଂସ୍ଥାପନା ପାଠ୍ୟକ୍ରମ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣରେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

• ଦେଶର ହିତ ପରିପ୍ରେକ୍ଷୀରେ ଉଯଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଯୁବ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ ‘ଆରମ୍ଭ’ କେବଳ ଏକ ଅୟମାରମ୍ଭ ନୁହେଁ, ଏହା ଏକ ନୂଆ ପରମ୍ପରାର ପ୍ରତୀକ: ପ୍ରଧାନମନ୍ତ୍ରୀ
• ଦେଶକୁ ଆତ୍ମନିର୍ଭର କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ମନ୍ତ୍ରକୁ କାର୍ଯ୍ୟରେ ଲଗାଇବାକୁ ସିଭିଲ ସେବା ଅଧିକାରୀଙ୍କୁ ପରାମର୍ଶ

Posted On: 31 OCT 2020 1:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମଟି 2019ରେ ପ୍ରଥମଥର ଆରମ୍ଭ ହୋଇଥିବା ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ (ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ) ଆରମ୍ଭର ଦ୍ୱିତୀୟ ସଂସ୍କରଣ ।

ତାଲିମ ନେଉଥିବା ଅଧିକାରୀମାନଙ୍କ ଉପସ୍ଥାପନ ଦେଖିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିବା ଉଚିତ । ସର୍ଦ୍ଦାର ପଟେଲ କହିଥିଲେ ଯେ ଦେଶର ନାଗରିକଙ୍କ ସେବା କରିବା ସିଭିଲ ସେବା ଅଧିକାରୀଙ୍କ ସର୍ବୋତ୍ତମ କର୍ତ୍ତବ୍ୟ । ସେହି ମନ୍ତ୍ରରେ ଦୀକ୍ଷିତ ହୋଇ ସବୁ ପ୍ରଶାସନିକ ଅଧିକାରୀମାନେ ଦେଶର ସେବାରେ ବ୍ରତୀ ହେବା ଆବଶ୍ୟକ ।

ଦେଶର ସ୍ୱାର୍ଥ ପରିପ୍ରେକ୍ଷୀରେ ଯୁବ ଅଧିକାରୀମାନେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ସହିତ ଦେଶର ଏକତା ଓ ସଂହତିକୁ ଅଧିକ ଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସିଭିଲ ସେବା ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରିବାବେଳେ ସାଧାରଣ ଜନତାଙ୍କ ସ୍ୱାର୍ଥ ଯେପରି ସୁରକ୍ଷିତ ରହେ ସେଥିପ୍ରତି ଯତ୍ନବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ସଂପୃକ୍ତ ଅଧିକାରୀମାନେ ଯେଉଁ ବିଭାଗ ବା ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ସର୍ବତ୍ର ଏହି ନୀତି ଓ ଆଦର୍ଶରେ କରିବା ଉଚିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତୀୟ ସିଭିଲ ସେବା ଯାହା ଦେଶର ଇସ୍ପାତ ଢାଞ୍ଚା ବା ଷ୍ଟିଲ୍‌ ଫ୍ରେମଭାବେ ପରିଚିତ ତାହା କେବଳ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ସୀମିତ ରହିବା ଅନୁଚିତ । ସିଭିଲ ସେବା ସର୍ବଦା ରାଷ୍ଟ୍ରର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ । ବିଶେଷକରି ସଂକଟ ସମୟରେ ଏହି ସେବାର ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ସେ ସ୍ମରଣ କରାଇଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ତାଲିମର ଗୁରୁତ୍ୱ ସଂପର୍କରେ ଉଲ୍ଲେଖ କରିବା ସହ ନୂଆ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବିକାଶ ଏବଂ ଦେଶର ପ୍ରଗତିରେ ନୂଆ ଆଭିମୁଖ୍ୟ ଓ ନୂତନ ପଥ ବାହାର କରିବାରେ ତାଲିମ କିପରି ସହାୟକ ହୁଏ ତାହା ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଅଧିକାରୀମାନଙ୍କ ତାଲିମ ବ୍ୟବସ୍ଥା ଆଉ ପୁରୁଣାକାଳିଆ ଢାଞ୍ଚାରେ ହେଉନାହିଁ । ମାନବ ସମ୍ବଳ ବିକାଶ ପାଇଁ ଆଧୁନିକ ତାଲିମରେ ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସିଭିଲ ସେବା ଅଧିକାରୀଙ୍କ ତାଲିମ ପ୍ରଦାନ ଢାଞ୍ଚାରେ ପରିବର୍ତ୍ତନ ଗତ 2-3 ବର୍ଷ ହେଲା କାର୍ଯ୍ୟକାରୀ ହୋଇଆସୁଛି । ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ ଆରମ୍ଭକେବଳ ଏକ ଅୟମାରମ୍ଭ ନୁହେଁ, ଏହା ଏକ ନୂଆ ପରମ୍ପରାର ପ୍ରତୀକ ।

ଭାରତୀୟ ସିଭିଲ ସେବାରେ ନୂଆକରି ଆରମ୍ଭ ହୋଇଥିବା ଏକ ସଂସ୍କାରବାଦୀ କାର୍ଯ୍ୟକ୍ରମ ମିଶନ କର୍ମଯୋଗୀସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂପୃକ୍ତ ସିଭିଲ ସେବା ଅଧିକାରୀମାନଙ୍କ ଦକ୍ଷତା ନିର୍ମାଣ ଦିଗରେ ଏହା ଏକ ପ୍ରୟାସ । ସେମାନଙ୍କୁ ଅଧିକ ରଚନାତ୍ମକ ଓ ଆତ୍ମବିଶ୍ୱାସୀ କରିବା ପାଇଁ ଏହି ସଂସ୍କାର କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଉପରୁ ତଳକୁ ନୀତିରେ ଶାସନ କରିବା ବ୍ୟବସ୍ଥାରେ ବିଶ୍ୱାସ କରନ୍ତି ନାହିଁ । ଯେଉଁମାନଙ୍କ ପାଇଁ ନୀତି ଓ ଯୋଜନାମାନ ପ୍ରସ୍ତୁତ କରାଯାଉଛି ସେମାନଙ୍କୁ ସେଥିରେ ସାମିଲ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ପଛରେ ଜନତା ହିଁ ବାସ୍ତବ ଚାଳକ ଶକ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଦେଶର ବର୍ତ୍ତମାନର ଶାସନ ବ୍ୟବସ୍ଥାରେ  ସବୁ ବ୍ୟୁରୋକ୍ରାଟଙ୍କ ଭୂମିକା ହେଲା ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତିକୁ ସୁନିଶ୍ଚିତ କରି କାର୍ଯ୍ୟ କରିବା । ନାଗରିକଙ୍କ ଜୀବନରେ ଯେପରି ସରକାର ବା ପ୍ରଶାସନ ବିଶେଷ ହସ୍ତକ୍ଷେପ ନ କରେ ତାହାକୁ ସିଭିଲ ସେବା ଅଧିକାରୀମାନେ ସୁନିଶ୍ଚିତ କରିବା ସହ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ଆବଶ୍ୟକ ।

ଭାରତକୁ ଆତ୍ମନିର୍ଭର କରିବା ପାଇଁ ଚାଲିଥିବା ଉଦ୍ୟମରେ ସିଭିଲି ସେବାର ଶିକ୍ଷାନବୀଶ ଅଧିକାରୀମାନେ ଭୋକାଲ ଫର୍‌ ଲୋକାଲମନ୍ତ୍ରକୁ କାର୍ଯ୍ୟରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

 

**********



(Release ID: 1669184) Visitor Counter : 229