ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସତର୍କତା ଓ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
प्रविष्टि तिथि:
27 OCT 2020 6:41PM by PIB Bhubaneshwar
ନମସ୍କାର!
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ମୁଖ୍ୟ ଭିଜିଲାନ୍ସ କମିଶନର, ଭାରତୀୟ ରିଜର୍ଭ ବ୍ୟାଙ୍କର ସଦସ୍ୟଗଣ, ଭାରତ ସରକାରଙ୍କ ସଚିବଗଣ, ସିବିଆଇର ଅଧିକାରୀଗଣ, ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବଗଣ, ରାଜ୍ୟ ସିଆଇଡ଼ି ଟିମର ମୁଖ୍ୟବୃନ୍ଦ, ବିଭିନ୍ନ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକଗଣ ଏବଂ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ମହାନୁଭବଗଣ । ସତର୍କତା ଓ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀର ଆୟୋଜନ ସକାଶେ ସିବିଆଇ ଟିମକୁ ମୁଁ ଅଭିନନ୍ଦନ ଜଣାଉଛି ।
ଆଜିଠାରୁ ଦୁର୍ନୀତି ସଚେତନତା ସପ୍ତାହ ମଧ୍ୟ ଆରମ୍ଭ ହେବାକୁ ଯାଉଛି । କିଛି ଦିନ ମଧ୍ୟରେ ଦେଶ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି କରୁଛି । ସର୍ଦ୍ଦାର ସାହେବ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସହିତ ହିଁ ଦେଶର ପ୍ରଶାସନିକ ବ୍ୟବସ୍ଥାର ମଧ୍ୟ ସ୍ଥପତି ଥିଲେ । ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ସେ ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାର ପ୍ରୟାସ କରିଥିଲେ ଯାହା ଦେଶର ସାଧାରଣ ନାଗରିକଙ୍କ ପାଇଁ ହୋଇଥିବ, ଯାହାର ନୀତିରେ ନୈତିକତା ଭରି ରହିଥିବ । କିନ୍ତୁ ପରବର୍ତ୍ତୀ କିଛି ଦଶକରେ ଆମେମାନେ ଦେଖିଛୁ କିଛି ଭିନ୍ନ ପରିସ୍ଥିତି ହିଁ ସୃଷ୍ଟି ହୋଇଥିଲା । ଆପଣମାନଙ୍କର ସମସ୍ତଙ୍କର ସ୍ମରଣ ଥିବ, ହଜାର ହଜାର କୋଟି ଟଙ୍କାର ଦୁର୍ନୀତି, ସେଲ୍ କମ୍ପାନୀମାନଙ୍କ ମାୟାଜାଲ, ଟିକସ କ୍ଷେତ୍ରରେ ହଇରାଣ ହରକତ, ଟିକସ ଚୋରୀ, ଏହିସବୁ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହି ଆସିଥିଲା ।
ସାଥୀଗଣ, 2014ରେ ଦେଶ ଯେତେବେଳେ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ଗ୍ରହଣ କଲା, ଯେତେବେଳେ ଦେଶ ଏକ ନୂତନ ଦିଗରେ ଆଗକୁ ବଢ଼ିବା ଲାଗି ଫଇସଲା କଲା, ବହୁତ ବଡ଼ ଚାଲେଞ୍ଜ ଥିଲା ଏଭଳି ପରିବେଶକୁ ପରିବର୍ତ୍ତନ ଘଟାଇବା । କ’ଣ ଦେଶରେ ଏଭଳି ବ୍ୟବସ୍ଥା ସବୁବେଳେ ଚାଲିଥିବ, ଦେଶରେ ଏମିତି ଘଟଣା ଘଟି ଚାଲିଥିବ, ଏହି ଚିନ୍ତାଧାରାକୁ ବଦଳାଇବା ଥିଲା ବଡ଼ ପଦକ୍ଷେପ । ଶପଥ ଗ୍ରହଣ ପରେ, ଏ ସରକାରଙ୍କର ପ୍ରଥମ 2-3 ଆଦେଶରେ କଳାଧନ ବିରୁଦ୍ଧରେ କମିଟି ଗଠନର ନିଷ୍ପତ୍ତି ସାମିଲ ଥିଲା । ସୁପ୍ରିମ୍ କୋର୍ଟଙ୍କ କହିବା ସତ୍ତ୍ୱେ ଏହି କମିଟି ଗଠନ ଢ଼େର୍ ଦିନ ଧରି ଲଟକି ରହିଥିଲା । ଏହି ନିଷ୍ପତ୍ତି ଦ୍ୱାର ଭ୍ରଷ୍ଟାଚାର ବିରୋଧରେ ସରକାର ନିଜର ପ୍ରତିବଦ୍ଧତା ପ୍ରକଟ କରିଥିଲେ । ବିଗତ ବର୍ଷମାନଙ୍କରେ ଦେଶ ଏହିଭଳି ଭାବେ ଦୁର୍ନୀତି ଉପରେ ଜିରୋ ଟଲରାନ୍ସ ଆଭିମୁଖ୍ୟର ସହିତ ଆଗକୁ ଅଗ୍ରସର ହୋଇଚାଲିଛି । 2014 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ପ୍ରଶାସନିକ ବ୍ୟବସ୍ଥାମାନଙ୍କରେ, ବ୍ୟାଙ୍କିଙ୍ଗ୍ ପ୍ରଣାଳୀରେ, ସ୍ୱାସ୍ଥ୍ୟ ସେକ୍ଟରରେ, ଶିକ୍ଷା କ୍ଷେତ୍ରରେ, ଶ୍ରମ, କୃଷି ଭଳି ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ସମଗ୍ର ସମୟ ସଂସ୍କାର ଓ ପରିବର୍ତ୍ତନର ସମୟ ଭାବେ ରହିଆସିଛି । ଏହିସବୁ ସୁଧାରଗୁଡ଼ିକୁ ଆଧାର ରୂପେ ଗ୍ରହଣ କରି ଆଜି ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ସଫଳ କରିବା ନିମନ୍ତେ ନିଜର ସଂପୂର୍ଣ୍ଣ ଶକ୍ତି ଉପଯୋଗ କରୁଛି ।
ଏହା ଆମର ଧେୟ ରହିଆସିଛି ଯେ ଆମେ ଭାରତକୁ ବିଶ୍ୱର ଅଗ୍ରୀମ ପଂକ୍ତିର ଦେଶମାନଙ୍କ ପର୍ଯ୍ୟାୟକୁ ନେଇଯିବୁ । କିନ୍ତୁ ସାଥୀଗଣ, ବିକାଶ ପାଇଁ ଏକଥା ମଧ୍ୟ ଜରୁରି ଯେ ଆମର ଯେଉଁ ପ୍ରଶାସନିକ ବ୍ୟବସ୍ଥାମାନ ରହିଛି ସେଥିରେ ସ୍ୱଚ୍ଛତା ଆସିବ, ସେମାନେ ଅଧିକ ଦାୟିତ୍ୱସମ୍ପନ୍ନ ହେବେ, ଉତ୍ତରଦାୟୀ ହେବେ । ଜନତାଙ୍କ ପ୍ରତି ସେମାନେ ଉତ୍ତରଦାୟୀ ରହିବେ । ଏହି ସବୁ ବ୍ୟବସ୍ଥାମାନଙ୍କର ସବୁଠାରୁ ବଡ଼ ଶତ୍ରୁ ହେଲା ଭ୍ରଷ୍ଟାଚାର । ଭ୍ରଷ୍ଟାଚାର କେବଳ କିଛି ଟଙ୍କାର କଥା ନୁହେଁ । ଗୋଟିଏ ପଟେ ଭ୍ରଷ୍ଟାଚାର ଦ୍ୱାରା ଦେଶକୁ କେବଳ ଧକ୍କା ପହଞ୍ଚେନାହିଁ, ଏଥି ସହିତ ଭ୍ରଷ୍ଟାଚାର ଦ୍ୱାରା ସାମାଜିକ ସନ୍ତୁଳନ ମଧ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥାଏ । ସବୁଠାରୁ ବଡ଼ କଥାଟି ହେଲା, ଦେଶର ବ୍ୟବସ୍ଥା ଉପରେ ଲୋକମାନଙ୍କର ଯେଉଁ ଆସ୍ଥା ଓ ଭରସା ରହିବା କଥା, ଯେଉଁ ଆପଣାପଣର ଭାବନା ସଦାବେଳେ ରହିବା ଦରକାର, ଭ୍ରଷ୍ଟାଚାର ସେହି ଭରସା ଉପରେ ହିଁ ଆକ୍ରମଣ କରିଥାଏ । ସେଇଥିପାଇଁ ଭ୍ରଷ୍ଟାଚାର ବିରୋଧରେ ଦୃଢ଼ ଲଢ଼େଇ କରିବା କେବଳ ଗୋଟିଏ ଏଜେନ୍ସି କିମ୍ବା ସଂସ୍ଥାର ଦାୟିତ୍ୱ ନୁହେଁ, ବରଂ ଏହାର ମୁକାବିଲା ପାଇଁ ଏକ ସମୂହ ଦାୟିତ୍ୱବୋଧ ଲୋଡ଼ା ।
ସାଥୀଗଣ, ଏହି ସମ୍ମିଳନୀରେ ସିବିଆଇ ସହିତ ଅନ୍ୟ ଏଜେନ୍ସିମାନେ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଏହି ତିନିଦିନରେ ପାଖାପାଖି ସେହିସବୁ ଏଜେନ୍ସିମାନେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ ହେବେ । ସେମାନଙ୍କର ‘ସତର୍କ ଭାରତ, ସମୃଦ୍ଧ ଭାରତ’ର ଏକ ବିଶେଷ ଭୂମିକା ରହିଛି । ତେଣୁ ଏହି ତିନି ଦିନ ଆମମାନଙ୍କ ପାଇଁ ଏକ ଅପୂର୍ବ ଅବସର ସଦୃଶ । କାରଣ, ଦୁର୍ନୀତି ମଧ୍ୟ ନିଜେ ଏକ ବିଚିତ୍ର ଚାଲେଞ୍ଜ । ଯେତେବେଳେ ଦେଶର ସୁରକ୍ଷା ପ୍ରଶ୍ନ ଆସେ, ଦେଶର ମର୍ଯ୍ୟାଦା ପ୍ରଶ୍ନ ଆସେ, ସେତେବେଳେ ଦୁର୍ନୀତି ବିରୋଧରେ ଆମର ଦାୟିତ୍ୱ ଆହୁରି ବ୍ୟାପକ ହୋଇଥାଏ ଓ ବୃଦ୍ଧି ପାଇଥାଏ । ଦୁର୍ନୀତି ହେଉ, ଆର୍ଥିକ ଅପରାଧ ହୋଇଥାଉ, ବେଆଇନ ନିଶା କାରବାରର ନେଟୱାର୍କ ହୋଇଥାଏ, ଅର୍ଥ ହେରଫେର ଘଟଣା ହୋଇଥାଉ, କିମ୍ବା ଆତଙ୍କବାଦ, ଆତଙ୍କବାଦୀ ଗୋଷ୍ଠୀଙ୍କୁ ଅର୍ଥ ଯୋଗାଣ ଭଳି କାର୍ଯ୍ୟ ହୋଇଥାଉ, ଅନେକ ସମୟରେ ଦେଖାଯାଇଛି ଯେ ଏହି ସବୁ କଥା ପରସ୍ପର ସହିତ ଜଡ଼ିତ । ସେଥିପାଇଁ, ଆମେ ଦୁର୍ନୀତି ବିରୋଧରେ ଅତି ଶୃଙ୍ଖଳିତ ଭାବେ ପ୍ରତିରୋଧ, ସଫଳ ଅଡ଼ିଟ ଏବଂ ଦକ୍ଷତା ବିକାଶ ଓ ତାଲିମ ପ୍ରଦାନ ଭଳି କାର୍ଯ୍ୟମାନଙ୍କୁ ଏକତ୍ରିତ କରି ଏକ ସାମଗ୍ରିକ ଅଥବା ହୋଲିଷ୍ଟିକ୍ ଆପ୍ରୋଚ୍ ସହିତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଉଚିତ । ସମସ୍ତ ଏଜେନ୍ସିଙ୍କୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି, ଏକ ସହଯୋଗର ମନୋଭାବ ନେଇ କାର୍ଯ୍ୟ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ସମ୍ମିଳନୀ ସେଥିପାଇଁ ଏକ ସଫଳ ଓ ସକ୍ରିୟ ପ୍ଲାଟଫର୍ମ ରୂପେ ଉଭା ହେବ ଏବଂ ‘ସତର୍କ ଭାରତ, ସମୃଦ୍ଧ ଭାରତ’କୁ ନୂତନ ମାର୍ଗ ପ୍ରଦର୍ଶନ କରିବ ।
ସାଥୀଗଣ, 2016 ମସିହାରେ ଭିଜିଲାନ୍ସ ସଚେତନତାର କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ମୁଁ କହିଥିଲି ଯେ ଦାରିଦ୍ର୍ୟ ବିରୋଧରେ ଲଢ଼ୁଥିବା ଆମ ଦେଶରେ ଦୁର୍ନୀତିର ରତିଏ ହେଲେ ସ୍ଥାନ ନାହିଁ । ଦୁର୍ନୀତିର ସବୁଠାରୁ ଯଦି ବଡ଼ ବୋଝ କିଏ ଉଠାଉଥାଏ ତା’ହେଲେ ସେମାନେ ହେଉଛନ୍ତି ଦେଶର ଗରିବ ଜନତା । ସଚ୍ଚୋଟ ଲୋକମାନେ ଦୁର୍ନୀତି ଦ୍ୱାର ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆପଣମାନେ ଦେଖିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ଆମର ଏଠାରେ ଯେଉଁ ସ୍ଥିତି ରହି ଆସିଥିଲା, ସେଥିରେ ଗରିବ ଲୋକମାନଙ୍କୁ ସେମାନଙ୍କର ହକ୍ ମିଳୁନଥିଲା । ପୂର୍ବରୁ ପରିସ୍ଥିତି କିଛି ଭିନ୍ନ ଥିଲା, କିନ୍ତୁ ଏବେ ଆପଣମାନେ ଲକ୍ଷ୍ୟ କରିପାରୁଥିବେ ଯେ ଡିବିଟି ମାଧ୍ୟମରେ ଗରିବ ଲୋକମାନଙ୍କୁ ମିଳୁଥିବା ଲାଭ ଶତ ପ୍ରତିଶତ ସେମାନଙ୍କ ଜମାଖାତାରେ ପୈଠ ହୋଇପାରୁଛି । ଆଉ ବାଟମାରଣା ହେଉନାହିଁ । ସେମାନଙ୍କ ଜମାଖାତାରେ ଏହି ଅର୍ଥ ପହଞ୍ଚିବା ଯୋଗୁ ତାହା ହେରଫେର ହେଉନାହିଁ । କେବଳ ଡିବିଟି ବ୍ୟବସ୍ତା ଯୋଗୁ 1 ଲକ୍ଷ 70 ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିଗ୍ରସ୍ତଙ୍କ ହାତକୁ ଯିବା ବନ୍ଦ୍ ହୋଇଯାଇଛି । ତାହା ସଞ୍ଚୟ ହୋଇପାରିଛି । ଆଜି ଏକଥା ଗର୍ବର ସହ କୁହାଯାଇପାରେ ଯେ ହଜାର ହଜାର କୋଟି ଟଙ୍କାର ଦୁର୍ନତି ବାଲା ଏହି ପଥକୁ ଦେଶ ପଛରେ ପକାଇ ସାରିଛି । ଆଜି ଆମେ ସନ୍ତୋଷ ବ୍ୟକ୍ତ କରିପାରୁଛେ ଯେ ଦେଶର ବିଭିନ୍ନ ଅନୁଷ୍ଠାନମାନଙ୍କ ଉପରେ ସାଧାରଣ ଜନତା ଭରସା କରିପାରୁଛନ୍ତି, ସେଗୁଡ଼ିକ ଉପରେ ସେମାନଙ୍କର ଭରସା ପୁଣି ଥରେ ବୃଦ୍ଧି ପାଇଛି, ଦେଶରେ ଏକ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରିଛି ।
ସାଥୀଗଣ, ସରକାର ଏହି କଥା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଆରୋପ କରିଆସୁଛନ୍ତି ଯେ ସରକାର କେଉଁଠାରେ ଅଧିକ ଚାପ ପକାଇବେ ନାହିଁ କିମ୍ବା ସରକାରଙ୍କ ଅଭାବ କେହି ଅନୁଭବ କରିବେନାହିଁ । ଯେଉଁଠି ଯେତିକି ଆବଶ୍ୟକ ସେଠାରେ ସରକାର ସେତିକି ହସ୍ତକ୍ଷେପ କରିବେ । କିନ୍ତୁ କେହି କେବେ ସରକାରଙ୍କ ଅଭାବ ଅନୁଭବ କରିବେନାହିଁ । ଲୋକମାନେ ଯେଭଳି ସରକାରଙ୍କ ଚାପ ଅନୁଭବ କରିବେନାହିଁ ସେଥିପାଇଁ ଏବଂ ସେମାନଙ୍କୁ ସରକାରଙ୍କ ଅଭାବ ଅନୁଭୂତ ନହେଉ, ସେଥିପାଇଁ ବିଗତ ବର୍ଷମାନଙ୍କରେ ଦେଢ଼ ହଜାରରୁ ଅଧିକ ପୁରୁଣା ଓ ଅଦରକାରୀ ଆଇନ ବ୍ୟବସ୍ଥାର ଉଚ୍ଛେଦ କରାଯାଇଛି । ଅନେକ ନିୟମକୁ ସରଳ କରାଯାଇ ସାରିଛି । ତାହା ପେନସନ କ୍ଷେତ୍ରରେ ହୋଇଥାଉ, ଛାତ୍ରବୃତ୍ତି ହୋଇଥାଏ, ଜଳ କର ଦେବା କଥା ହୋଇଥାଉ, ବିଜୁଳି ବିଲ୍ ଭରିବା କାର୍ଯ୍ୟ ହୋଇଥାଉ, ବ୍ୟାଙ୍କରୁ ଋଣ ନେବା କାର୍ଯ୍ୟ ହୋଇଥାଉ, ପାସପୋର୍ଟ ପ୍ରସ୍ତୁତ କରିବା କାର୍ଯ୍ୟ ହୋଇଥାଉ, ଯେକୌଣସି ପ୍ରକାର ସରକାରୀ ସହାୟତା ଆବଶ୍ୟକ, ତାହା ଯୋଗାଇ ଦିଆଯାଉଛି । ପୁଣି କୌଣସି ଏକ ନୂଆ କମ୍ପାନୀ ଖୋଲିବା କାର୍ଯ୍ୟ ହୋଇଥାଉ, ଏବେ ଅନ୍ୟ କାହା ପାଖକୁ ଯାଇ ଚକ୍କର କାଟିବାକୁ ପଡ଼ୁନାହିଁ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ମଧ୍ୟ ଠିଆ ହେବାକୁ ପଡ଼ୁନାହିଁ । ଏବେ ସେସବୁ କାମ କରିବା ସକାଶେ ଲୋକମାନଙ୍କ ପାଖରେ ଡିଜିଟାଲ ବିକଳ୍ପ ଉପଲବ୍ଧ ହୋଇଛି ।
ସାଥୀଗଣ, ଆମର ଏଠାରେ କୁହାଯାଇଥାଏ – “ପ୍ରକ୍ଷାଳନାଦ୍ଧି ପଂକସ୍ୟ ଦୂରାତ୍ ସ୍ପର୍ଶନମ୍ ବରମ୍” । ଅର୍ଥାତ୍, ଯଦି ଦେହରେ ମଇଳା ଲାଗିଗଲା ତ ତାକୁ ସଫା କରିବାକୁ ପଡ଼େ । ତା’ଠାରୁ ଭଲ ହେଉଛି ଦେହରେ ଆଦୌ ମଇଳା ଲଗାଅନାହିଁ । କାମକୁ ମାତ୍ର ସତର୍କତା ଅପେକ୍ଷା ଅଧିକ ଉତ୍ତମ ହେଉଛି ପ୍ରତିଷେଧମୂଳକ ସତର୍କତା ଉପରେ ଜୋର ଦେବା । ଯେଉଁ ପରିସ୍ଥିତିଗୁଡ଼ିକ ଯୋଗୁ ଭ୍ରଷ୍ଟାଚାର ପ୍ରସାରିତ ହେଉଛି, ତାହା ଉପରେ ପ୍ରଚଣ୍ଡ ପ୍ରହାର କରାଯିବାର ଆବଶ୍ୟକତା ରହିଛି । ଆମେ ସଭିଏଁ ଜାଣୁ ଯେ ଏକ ସମୟରେ ଉଚ୍ଚ ପଦପଦବୀ ପାଇଁ ଟ୍ରାନ୍ସଫର ପୋଷ୍ଟିଂ ପାଇଁ କେତେ ବଡ଼ ଖେଳ ଖେଳାଯାଉଥିଲା । ସେଥିପାଇଁ ଏକ ଭିନ୍ନ ପ୍ରକାର ଶିଳ୍ପସଂସ୍ଥା ଚାଲୁଥିଲା ।
ସାଥୀଗଣ, କୌଟିଲ୍ୟ କହିଯାଇଛନ୍ତି- ନ ଭକ୍ଷୟନ୍ତି ୟେ ତ୍ୱର୍ଥନ୍ ନ୍ୟାୟତୋ ବର୍ଦ୍ଧୟନ୍ତି ଚ । ନିତ୍ୟାଧିକାରାଃ କାର୍ଯ୍ୟାସ୍ତେ ରାଜ୍ଞଃ ପ୍ରିୟହିତେ ରତାଃ । ଅର୍ଥାତ୍, ଯାହା ଶାସକୀୟ ଧନ ହଡ଼ପ କରନ୍ତି ନାହିଁ, ବରଂ ଉଚିତ ବିଧି ଦ୍ୱାରା ଏହାର ବୃଦ୍ଧି ସାଧନ କରନ୍ତି, ରାଜହିତରେ ଲାଗିଥିବା ଏଭଳି ରାଜକର୍ମୀମାନଙ୍କୁ ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତି କରାଯିବା ଉଚିତ । କିନ୍ତୁ କିଛି ବର୍ଷ ପୂର୍ବ ଏକଥା ଏକପ୍ରକାର ଲୋକମାନଙ୍କ ମନରୁ ଭୁଲାଇ ଦିଆଯାଇଥିଲା । ଏହାର ବହୁତ ବଡ଼ କ୍ଷତି ମଧ୍ୟ ଦେଶକୁ ସହ୍ୟ କରିବାକୁ ପଡ଼ିଥିଲା । ଏଭଳି ସ୍ଥିତିକୁ ବଦଳାଇବା ସକାଶେ ମଧ୍ୟ ସରକାର ଇଚ୍ଛାଶକ୍ତି ଦେଖାଇଥିଲା । ଏଥିପାଇଁ ଅନେକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛି । ଏବେ ଉଚ୍ଚ ପଦପଦବୀରେ ହେଉଥିବା ନିଯୁକ୍ତି କ୍ଷେତ୍ରରେ ସୁପାରିଶର, ଏଠି ସେଠି ଚାପ ପ୍ରୟୋଗ କରିବାର ପରିବେଶ ସମାପ୍ତ ହୋଇସାରିଛି । ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଚାକିରୀ, ଯାହା ଏବେ ଡକ୍ଟର ଜୀତେନ୍ଦ୍ର ସିଂହଜୀ କହୁଥିଲେ ଯେ ଏଭଳି ଚାକିରୀ ପାଇଁ ଆଉ ସାକ୍ଷାତକାରର ବାଧ୍ୟବାଧକତା ନାହିଁ । ତାହା ଶେଷ ହୋଇସାରିଛି । ସରକାର ଏହି ବ୍ୟବସ୍ଥାର ଉଚ୍ଛେଦ କରିସାରିଛନ୍ତି । ଅର୍ଥାତ୍ ଯେତେବେଳେ ଏଭଳି ଅବସରକୁ ଉଚ୍ଛେଦ କରିଦିଆଯାଇଛି ସେତେବେଳ ଏହାକୁ ନେଇ ହେଉଥିବା ଖେଳ ମଧ୍ୟ ଖତମ୍ ହୋଇସାରିଛି । ବ୍ୟାଙ୍କ ବୋର୍ଡ଼ ବ୍ୟୁରୋ ଗଠନ କରାଯିବା ସହ ବ୍ୟାଙ୍କମାନଙ୍କରେ ବରିଷ୍ଠ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ସୁନିଶ୍ଚିତ କରାଯାଇପାରିଛି ।
ସାଥୀଗଣ, ଦେଶରେ ଭିଜିଲାନ୍ସ ବ୍ୟବସ୍ଥାକୁ ମଜଭୁତ କରିବା ସକାଶେ ମଧ୍ୟ ଅନେକ ଆଇନଗତ ସୁଧାର କାର୍ଯ୍ୟକାରୀ କରାଯାଇଛି, ନୂତନ ଆଇନ ପ୍ରଣୀତ ହୋଇଛି ଓ ଏହାକୁ ଲାଗୁ କରାଯାଇଛି । କଳା ଟଙ୍କା ଏବଂ ବେନାମୀ ସମ୍ପତ୍ତି ଠୂଳ ରୋକିବା ନିମନ୍ତେ ସରକାର ଯେଉଁ ଆଇନ ପ୍ରଣୟନ କରିଛନ୍ତି, ଯେଉଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି, ଆଜି ଏହାର ଉଦାହରଣ ବିଶ୍ୱର ଆହୁରି ଅନେକ ରାଷ୍ଟ୍ରରେ ଦିଆଯାଉଛି । ପଳାତକ ଆର୍ଥିକ ଅପରାଧୀକ ଆଇନ ମାଧ୍ୟମରେ ଭ୍ରଷ୍ଟାଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଢ଼େର୍ ସହାୟତା ମିଳିଛି । ଆଜି ଭାରତ ବିଶ୍ୱର ସେହି ରାଷ୍ଟ୍ରଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି ଯେଉଁଠାରେ ଫେସ୍-ଲେସ୍ ଟିକସ ଆସେସମେଣ୍ଟ୍ ବ୍ୟବସ୍ଥା ଲାଗି କରାଯାଇ ପାରିଛି । ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି ଯେଉଁଠାରେ ଭ୍ରଷ୍ଟାଚାରକୁ ରୋକିବା ସକାଶେ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ କରାଯାଇପାରୁଛି । ସରକାରଙ୍କ ପ୍ରାଥମିକତା ଏହା ଉପରେ ରହିଛି ଯେ ଭିଜିଲାନ୍ସ ସହିତ ସଂଶ୍ଳିଷ୍ଟ ସମସ୍ତ ଏଜେନ୍ସିଙ୍କୁ ଉତ୍ତର ପ୍ରଯୁକ୍ତି କିପରି ଉପଲବ୍ଧ କରାଯାଇପାରିବ । ସେମାନଙ୍କର ଦକ୍ଷତା କିଭଳି ବୃଦ୍ଧି କରାଯିବ ଏବଂ ସେମାନଙ୍କ ନିକଟରେ ସର୍ବାଧୁନିକ ସଂସାଧନ ଏବଂ ଉପକରଣ କିଭଳି ମିଳିପାରିବ ଯଦ୍ୱାରା ସେମାନେ ପ୍ରଭାବୀ ଢ଼ଙ୍ଗରେ କାମ କରିପାରିବେ ଏବଂ ସେଥିରୁ ସୁଫଳ ପାଇପାରିବେ ।
ସାଥୀଗଣ, ଏହିସବୁ ପ୍ରୟାସମାନଙ୍କ ମଧ୍ୟରେ ଆମମାନଙ୍କୁ ଏକଥା ମଧ୍ୟ ସ୍ମରଣ ରଖିବାକୁ ହେବ ଯେ ଭ୍ରଷ୍ଟାଚାର ବିରୋଧରେ ଆମର ଏହି ଅଭିଯାନ ଗୋଟିଏ ଦିନର କିମ୍ବା ଗୋଟିଏ ସପ୍ତାହର ସଂଗ୍ରାମ ନୁହେଁ । ଏ ସଂପର୍କରେ ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ଆଉ ଗୋଟିଏ ବଡ଼ ଚାଲେଞ୍ଜର ଅବତାରଣା କରିବାକୁ ଯାଉଛି । ଏହି ଚାଲେଞ୍ଜ ବିଗତ ଦଶକମାନଙ୍କରେ ଧୀରେ ଧୀରେ ବୃଦ୍ଧିପାଇ ଏବେ ଦେଶ ସମ୍ମୁଖରେ ଏକ ବିକଟାଳ ରୂପରେ ଉଭା ହୋଇସାରିଛି । ଏହି ଚାଲେଞ୍ଜ ହେଲା- ଭ୍ରଷ୍ଟାଚାରର ବଂଶବାଦ ଅର୍ଥାତ୍, ଗୋଟିଏ ପିଢ଼ିରୁ ଦ୍ୱିତୀୟ ପିଢ଼ିକୁ ଟ୍ରାନ୍ସଫର ହେଉଥିôବା ଭ୍ରଷ୍ଟାଚାର ।
ସାଥୀଗଣ, ବିଗତ ଦଶକମାନଙ୍କରେ ଆମେ ଏକଥା ଲକ୍ଷ୍ୟ କରିଛେ ଯେ ଯେତେବେଳେ ଭ୍ରଷ୍ଟାଚାର କରୁଥିବା ଗୋଟିଏ ପିଢ଼ିକୁ ଉପଯୁକ୍ତ ଶାସ୍ତି ମିଳେନାହିଁ, ସେତେବେଳେ ଦ୍ୱିତୀୟ ପିଢ଼ି ଆହୁରି ଅଧିକ ଶକ୍ତିର ସହିତ ଭ୍ରଷ୍ଟାଚାର କରିଥାଏ । ତାକୁ ଦେଖାଯାଏ ଯେ ଯେତେବେଳେ ନିଜ ଘର ଭିତରେ କୋଟି କୋଟି ଟଙ୍କାର କଳାଧନ ଉପାର୍ଜନକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କିମ୍ବା ଅଳ୍ପ କିଛି ସଜା ପାଇ ସେ ମୁକୁଳି ପାରିଛି, ସେତେବେଳେ ତା’ର ମଧ୍ୟ ସାହସ ବଢ଼ି ଯାଇଥାଏ । ଏହି କାରଣରୁ କେତେକ ରାଜ୍ୟରେ ତ ଏଭଳି ରାଜନୈତିକ ପରମ୍ପରା ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇସାରିଛି । ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ଏହି ଭ୍ରଷ୍ଟାଚାର , ଭ୍ରଷ୍ଟାଚାରର ଏହି ବଂଶବାଦ, ଦେଶକୁ ଧୀରେ ଧୀରେ ଫମ୍ପା କରି ଦେଇପାରେ ।
ଭ୍ରଷ୍ଟାଚାର ବିରୋଧରେ ଗୋଟିଏ ମାମଲରେ ଯଦି ଢ଼ିଲା ଦିଆଯାଏ, ତାହା ଗୋଟିଏ ମାମଲା ମଧ୍ୟରେ ସୀମିତ ହୋଇ ରହିନଥାଏ । ତାହା ଏକ ଚେନ୍ ସୃଷ୍ଟି କରିଥାଏ । ଏକ ମୂଳଦୁଆ ସୃଷ୍ଟି କରିଥାଏ । ଭବିଷ୍ୟତରେ ଭ୍ରଷ୍ଟାଚାର ପାଇଁ , ଭବିଷ୍ୟତରେ ହେରଫେର ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିଥାଏ । ଯେତେବେଳେ ଭ୍ରଷ୍ଟାଚାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହୋଇନଥାଏ ସେତେବେଳେ ସମାଜରେ, ମିଡ଼ିଆରେ, ଏହି ଅପରାଧ ସଂପର୍କରେ ଖବର ପ୍ରକାଶ କମି ପଡ଼ିଯାଏ । ଲୋକମାନଙ୍କ ମଧ୍ୟରୁ ଏକ ବଡ଼ ଗୋଷ୍ଠୀଙ୍କୁ ଜଣାଥାଏ, ମିଡିଆକୁ ବି ଜଣାଥାଏ ଯେ ସାମ୍ନାବାଲା ହଜାର ହଜାର କୋଟି ଟଙ୍କା ଅନୁଚିତ ଢ଼ଙ୍ଗରେ ଉପାର୍ଜନ କରିଛି । କିନ୍ତୁ ସେମାନେ ମଧ୍ୟ ସେଭଳି ଲୋକମାନଙ୍କ ସହ ସହଜ ହୋଇଯାଆନ୍ତି । ଏଭଳି ସ୍ଥିତି ଦେଶର ବିକାଶରେ ବହୁତ ବଡ଼ ବାଧା ସୃଷ୍ଟି କରିଥାଏ । ଏହା ସମୃଦ୍ଧ ଭାରତ ସମ୍ମୁଖରେ, ଆତ୍ମନିର୍ଭର ଭାରତ ସମ୍ମୁଖରେ ବହୁତ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।
ମୁଁ ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ କରିବାକୁ ଚାହିଁବି । ଆପଣମାନେ କଳ୍ପନା କରନ୍ତୁ ଯେ ଆମମାନଙ୍କ ଭିତରୁ କେହି ପିଡବ୍ଲୁଡ଼ିରେ କାମ କରୁଥିବେ, ଇଂଜିନିଅରିଂର କାମ ଦେଖୁଥିବେ, ଏବଂ ପଇସାର ମୋହରେ କେଉଁଠି ଏକ ବ୍ରିଜ୍ ବନାଯାଉଛି ତ ଦାୟିତ୍ୱହୀନତା କାରଣରୁ, କିଛି ଟଙ୍କା ଉପାର୍ଜନ ସକାଶେ, କଣ୍ଟ୍ରାକ୍ଟର କିଛି ଟଙ୍କା ନିଜର ସାଥୀମାନଙ୍କୁ ବାଣ୍ଟି ଦେଉଥିବେ । ତାଙ୍କୁ ଲାଗୁଥିବ ଭାଇ ଚାଲ, ତୁମର ବି ମଙ୍ଗଳ ହେଲା, ମୋର ବି ମଙ୍ଗଳ ହେଲା ଏବଂ ସେମିତି ଭାବେ ନିର୍ମିତ ବ୍ରିଜ୍ ଉଦ୍ଘାଟନ ନିମନ୍ତେ ପ୍ରସ୍ତୁତ ହୋଇଗଲା । କଣ୍ଟ୍ରାକ୍ଟର ନିଜ ପଇସା ନେଇ ସେ ଘରକୁ ଚାଲିଗଲା । ସେ ଧରାପଡ଼ିଲା ନାହିଁ । କିନ୍ତୁ ଚିନ୍ତା କରି ଦେଖନ୍ତୁ ଯେ ଆପଣମାନଙ୍କ ଭିତରୁ କାହାର ଯବାନ ପୁଅ ସେଇ ବ୍ରିଜ୍ ଉପର ଦେଇ ଯିବାବେଳେ ଯଦି ସେ ବ୍ରିଜଟି ଭୁଶୁଡ଼ି ପଡ଼ିଲା, ସେତେବେଳେ ତାର ହେଜ ପଶିବ । ମୁଁ ତ ମୋ ପାଇଁ ଦୁର୍ନୀତି କରିଥିଲି କିନ୍ତୁ କେତେ ଲୋକଙ୍କ ଜୀବନ ଚାଲି ଯିବାର ଆଶଙ୍କା ରହିଛି । ଆଉ ଯେତେବେଳେ ନିଜ ପୁଅ ସେହି ଦୁର୍ଘଟଣାରେ ଚାଲିଯିବ ସେତେବେଳେ ତାକୁ ଜଣା ପଡିବ ଯେ ବ୍ରିଜ୍କୁ ସେ ସଚ୍ଚୋଟ ଢ଼ଙ୍ଗରେ କାହିଁକି ନିର୍ମାଣ କରିନଥିଲା । ଆଜି ମୋର ଏକମାତ୍ର ପୁଅକୁ ମୁଁ ହରାଇ ବସିଲି । ଭ୍ରଷ୍ଟାଚାର ଏଭଳି ପ୍ରଭାବ ମଧ୍ୟ ସୃଷ୍ଟି ।କରିଥାଏ ।
ଏଭଳି ସ୍ଥିତିକୁ ବଦଳାଇବା ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ଏବଂ ଆପଣମାନଙ୍କ ଉପରେ ଅଧିକ ମାତ୍ରାରେ ନ୍ୟସ୍ତ । ମୋର ବିଶ୍ୱାସ ଯେ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହେବ । ଏହା ବ୍ୟତୀତ ଆପଣମାନଙ୍କ ଆଉ ଗୋଟିଏ କଥା ସ୍ମରଣ ରଖିବାକୁ ହେବ । ଭ୍ରଷ୍ଟାଚାରର ଖବର ତ ମିଡ଼ିଆ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚିଥାଏ । କିନ୍ତୁ ଯେତେବେଳେ ଭ୍ରଷ୍ଟାଚାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ, ବେଳେବେଳେ ସେପରି ହୋଇଥାଏ । ସେତେବେଳେ ମଧ୍ୟ ଏହାର ଉଦାହରଣକୁ ମଧ୍ୟ ପ୍ରମୁଖତାର ସହ ପ୍ରସାରିତ କରାଯିବା ଆବଶ୍ୟକ । ଏହାଦ୍ୱାରା ସମାଜର ବ୍ୟବସ୍ଥାରେ ବିଶ୍ୱାସ ସୃଷ୍ଟି ହୋଇଥାଏ । ବିଶ୍ୱାସ ବଢ଼ିଥାଏ ଏବଂ ଭ୍ରଷ୍ଟାଚାରୀମାନଙ୍କ ଭିତରେ ଏକ ସଂଦେଶ ପହଞ୍ଚିଥାଏ ଯେ ସେମାନେ ଦୁର୍ନୀତି କରି ଆଇନ ଠାରୁ ବଞ୍ଚିବା ମୁସ୍କିଲ୍ । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ନିବେଦନ କରିବି ଯେ ‘ଭାରତ ବନାମ ଭ୍ରଷ୍ଟାଚାର’ର ସଂଗ୍ରାମରେ ସେମାନେ ସଦାବେଳ ପରି ଭାରତକୁ ମଜଭୁତ କରି ଚାଲିଥାନ୍ତୁ । ଭ୍ରଷ୍ଟାଚାରକୁ ପରାସ୍ତ କରି ଚାଲିଥାନ୍ତୁ । ମୋର ବିଶ୍ୱାସ ଯେ ଏହା କରିବା ଦ୍ୱାର ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶର ଭାରତ ନିର୍ମାଣ ସ୍ୱପ୍ନକୁ ସାକାର କରିପାରିବା । ସମୃଦ୍ଧ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କରିପାରିବା । ଏହି ଶୁଭକାମନାର ସହ ଆପଣମାନଙ୍କୁ ସମସ୍ତଙ୍କୁ ଆଗାମୀ ପର୍ବମାନଙ୍କ ନିମନ୍ତେ ବହୁତ ବହୁତ ଶୁଭକାମନା ।
ସୁସ୍ଥ ରହନ୍ତୁ, ନିଜର ଯତ୍ନ ନିଅନ୍ତୁ ।
ବହୁତ ବହୁତ ଧନ୍ୟବାଦ ।
**********
(रिलीज़ आईडी: 1668010)
आगंतुक पटल : 317
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam