ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

Posted On: 27 OCT 2020 1:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତରପ୍ରଦେଶର ପିଏମ୍‌ ସ୍ୱନିଧି ଯୋଜନା ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।  ସେମାନଙ୍କ ସହ କଥା ହେବାବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କ ଭଲମନ୍ଦ ବୁଝିବା ସହ ସଂପୃକ୍ତ ହିତାଧିକାରୀମାନଙ୍କୁ ଡିଜିଟାଲ ପେମେଣ୍ଟର ଲାଭ ସଂପର୍କରେ ବୁଝାଇଛନ୍ତି । ଏହାଦ୍ୱାରା କ୍ୟାଶବ୍ୟାକ୍‌ ଲାଭ କିପରି ସେମାନଙ୍କୁ ମଳିବ ତାହା ମଧ୍ୟ ସେ ବୁଝାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୟାଶବ୍ୟାକରୁ ପ୍ରାପ୍ତ ଏହି ଟଙ୍କାକୁ ଜଣେ ଉପଯୁକ୍ତ ଶିକ୍ଷା ଓ ଉତ୍ତମ ବୃତ୍ତି ପାଇଁ ବ୍ୟୟ କରିପାରିବ ।

ପରେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଚାକିରି କରୁଥିବା ଲୋକମାନଙ୍କୁ ମଧ୍ୟ ବ୍ୟାଙ୍କରୁ ଋଣ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ସେଥିପାଇଁ ସେମାନେ ସାହସ ମଧ୍ୟ କରୁନଥିଲେ । ତେଣୁ ଗରିବ ଲୋକ ଏବଂ ଷ୍ଟ୍ରିଟ ଭେଣ୍ଡରମାନେ ବ୍ୟାଙ୍କ ଋଣ କଥା ଚିନ୍ତା ବି କରିପାରୁ ନ ଥିଲେ । ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି । ବ୍ୟାଙ୍କଗୁଡିକ ଲୋକଙ୍କ ଦ୍ୱାର ମୁହଁରେ ପହଞ୍ଚି ସେମାନଙ୍କୁ ନିଜର ଜୀବନ ଜୀବିକା ପନ୍ଥା ଆରମ୍ଭ କରିବା ପାଇଁ ଋଣ ସହାୟତା ଯୋଗାଇ ଦେଉଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ ସ୍ୱନିଧି ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଯେଉଁ ବ୍ୟାଙ୍କଗୁଡିକ ସେମାନଙ୍କୁ ଋଣ ସହାୟତା ଯୋଗାଇ ଦେଇଛନ୍ତି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ । ବ୍ୟାଙ୍କଗୁଡିକର ଏହି ଉଦ୍ୟମ ଦ୍ୱାରା ଗରିବ ଲୋକମାନେ ସେମାନଙ୍କର ଉତ୍ସବ ପାଳନରେ ସଫଳ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ପାଇଁ ଆଜିର ଦିନଟି ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନଟି ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ସମ୍ମାନିତ କରିବାର ଦିବସ । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ସେମାନଙ୍କର ଅବଦାନକୁ ରାଷ୍ଟ୍ର ସ୍ୱୀକୃତି ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କରୋନା ମହାମାରୀ ବ୍ୟାପିଲା ନିଜ ନିଜର ଶ୍ରମିକମାନଙ୍କ ଭବିଷ୍ୟତ ନେଇ ଅନ୍ୟାନ୍ୟ ଦେଶମାନେ ଉଦ୍‌ବିଗ୍ନ ହୋଇପଡିଥିଲେ; କିନ୍ତୁ ଆମ ଦେଶରେ ଆମ ଶ୍ରମିକମାନେ ପ୍ରମାଣିତ କରିଦେଲେ ଯେ ସେମାନେ ଯେକୌଣସି ଆହ୍ୱାନର ମୁକାବିଲା କରିପାରିବେ ଏବଂ ପରିସ୍ଥିତି ବିରୋଧରେ ଲଢେଇ କରି ବିଜୟୀ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର 1 ଲକ୍ଷ 70 ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଘୋଷଣା କରିଛନ୍ତି । ତଦନୁସାରେ କରୋନା ମହାମାରୀ କାଳରେ ଗରିବ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏହି ଯୋଜନାରେ କାର୍ଯ୍ୟକାରୀ ହେଉଛି । ଏହାଛଡା 20 ଲକ୍ଷ କୋଟି ଟଙ୍କାର ଯେଉଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରାଯାଇଛି ଗରିବଙ୍କ କଲ୍ୟାଣକୁ ସେଥିରେ ଅଗ୍ରାଧିକାର ଦିଆଯାଇଛି । ଏହାଦ୍ୱାରା ଷ୍ଟ୍ରିଟ ଭେଣ୍ଡରମାନେ ପୁନର୍ବାର ନିଜର ଧନ୍ଦା ଆରମ୍ଭ କରିବେ ଏବଂ ପୁଣି ଥରେ ଆତ୍ମନିର୍ଭରଶୀଳ ହେବେ । ଏହି ସ୍ୱନିଧି ଯୋଜନା ସେମାନଙ୍କ କାର୍ଯ୍ୟରେ ଆସିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ସମଗ୍ର ଦେଶରେ ପିଏମ୍‌ ସ୍ୱନିଧି ଯୋଜନା ଯେଉଁ ବେଗରେ କାର୍ଯ୍ୟକାରୀ ହେଉଛି ତାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଋଣ ପାଇବାରେ ହିତାଧିକାରୀଙ୍କୁ କୌଣସି ଗ୍ୟାରେଣ୍ଟରଙ୍କ ଆବଶ୍ୟକତା ନାହିଁ ଆହୁରି ମଧ୍ୟ ସ୍ୱନିଧି ଯୋଜନାରେ ଋଣ ଯୋଗାଣ ବ୍ୟବସ୍ଥା ଅତ୍ୟନ୍ତ ସରଳ ଏବଂ ଜଞ୍ଜାଳମୁକ୍ତ ହୋଇଛି । ଯେକୌଣସି ଯୋଗ୍ୟ ଆଗ୍ରହୀ ବ୍ୟକ୍ତି ଏ ସଂକ୍ରାନ୍ତ ଆବେଦନପତ୍ରକୁ ଅନ୍‌ଲାଇନରେ ଅପ୍‌ଲୋଡ କରିପାରିବେ ଏବଂ ଯେକୌଣସି ସାଧାରଣ ସର୍ଭିସ ସେଣ୍ଟର (ସିଏସ୍‌ସି) କିମ୍ବା ମୁନିସିପାଲ ଅଫିସ ଅଥବା ଯେ କୌଣସି ବ୍ୟାଙ୍କକୁ ଯାଇ ଏହି ଆବେଦନପତ୍ର ଅନ୍‌ଲାଇନରେ ପ୍ରେରଣ କରିହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଷ୍ଟ୍ରିଟ ଭେଣ୍ଡରମାନେ ଦେଶରେ ସିକ୍ୟୁରିଟି ମୁକ୍ତ ସହଜ ଋଣ ପାଉଛନ୍ତି । ସେ କହିଛନ୍ତି ଯେ ଏହି ଋଣ ପାଇଁ ଉତ୍ତର ପ୍ରଦେଶରୁ ସର୍ବାଧିକ ଷ୍ଟ୍ରିଟ ଭେଣ୍ଡର ଆବେଦନ କରିଛନ୍ତି । ଏହି ଯୋଜନାରେ ଏ ପର୍ଯ୍ୟନ୍ତ ସାରା ଦେଶରୁ 25 ଲକ୍ଷରୁ ଅଧିକ ଆବେଦନପତ୍ର ମିଳିଛି । ଏଥିମଧ୍ୟରୁ ଏକା ଉତ୍ତର ପ୍ରଦେଶରୁ ମିଳିଥିବା ଆବେଦନପତ୍ର ସଂଖ୍ୟା 6.5 ଲକ୍ଷରୁ ଅଧିକ । ଏହି 6.5 ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ 4.25 ଲକ୍ଷଙ୍କୁ ଋଣ ପ୍ରଦାନ ପାଇଁ ମଞ୍ଜୁରି ମିଳିଛି । ଉତ୍ତରପ୍ରଦେଶରେ ସ୍ୱନିଧି ଯୋଜନାରେ ଋଣ ବୁଝାମଣା ଉପରେ କୌଣସି ଷ୍ଟାମ୍ପ ଡ୍ୟୁଟି ପଡୁନାହିଁ । ସେଠା ସରକାର ଏହି ଦେୟକୁ ଉଚ୍ଛେଦ କରିଛନ୍ତି  ।

କରୋନା ମହାମାରୀ କାଳରେ ଉତ୍ତର ପ୍ରଦେଶ ସରକାର ରାଜ୍ୟର 6 ଲକ୍ଷ ଷ୍ଟ୍ରିଟ ଭେଣ୍ଡରଙ୍କୁ 1 ହଜାର ଟଙ୍କା ଲେଖାଏଁ ଅର୍ଥ ସହାୟତା ଯୋଗାଇ ଥିବାରୁ ପ୍ରଧାନମନ୍ତ୍ରୀ ସେଥିପାଇଁ ସେଠା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଅଧିକାଂଶ ଷ୍ଟ୍ରିଟ ଭେଣ୍ଡର ଯେଉଁମାନଙ୍କୁ ସ୍ୱନିଧି ଯୋଜନାରେ ଋଣ ଦିଆଯାଇଛି ସେମାନେ ସେମାନଙ୍କର ଋଣ ପରିଶୋଧ ନିର୍ଦ୍ଧାରିତ ସମୟରେ କରୁଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଯେ କ୍ଷୁଦ୍ର ଋଣକାରୀ ନିଜର ସାଧୁତା ଓ ସଚ୍ଚୋଟତା ସହ କେବେ ବୁଝାମଣା କରନ୍ତି ନାହିଁ ।

ଏହି ଯୋଜନା ସଂପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଦେଶରେ ଯେତେ ଷ୍ଟ୍ରିଟ ଭେଣ୍ଡର ଅଛନ୍ତି ସମସ୍ତଙ୍କ ପାଖରେ ଏହି ଋଣ ସହାୟତା ସୁବିଧା ବାର୍ତ୍ତା ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହି ଯୋଜନାରେ ଯେଉଁମାନେ ଡିଜିଟାଲ ବ୍ୟବସ୍ଥାରେ ଠିକ୍‌ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ 7 ଶତାଂଶ ସୁଧ ରିଆତି ସହିତ ମାସିକ 100 ଟଙ୍କାର କ୍ୟାଶ ବ୍ୟାକ୍‌ ମିଳିବ ।

ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଗୋଟିଏ ସମୟରେ ଲୋକେ ଜନଧନ ଆକାଉଣ୍ଟର ଦକ୍ଷତାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ।  ତେବେ ଆଜି ସେହି  ଜନଧନ ଆକାଉଣ୍ଟ ଗରିବ ଲୋକମାନଙ୍କୁ ସଂକଟ ସମୟରେ ସହାୟତା ଯୋଗାଉଛି । ଗରିବ ଲୋକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

ଦେଶର ଷ୍ଟ୍ରିଟ ଭେଣ୍ଡର, ଶ୍ରମିକ ଓ କୃଷକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଏବଂ ସେମାନଙ୍କ ଧନ୍ଦା ଓ ବେଉସାର ବିକାଶ ପାଇଁ ସରକାର କୌଣସି କାର୍ଯ୍ୟରେ ହେଳା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଜିର ଏହି ଅବସରରେ ପୁନର୍ବାର ପ୍ରତିଶ୍ରୁତି ଦେଇଛନ୍ତି ।

 

**********



(Release ID: 1667942) Visitor Counter : 184