ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ-19 ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା

Posted On: 15 OCT 2020 5:30PM by PIB Bhubaneshwar

କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, ଔଷଧ ଓ ଅନ୍ୟାନ୍ୟ ଉପଚାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

ଭାରତର ଟୀକା ପ୍ରସ୍ତୁତ ଓ ନିର୍ମାଣକାରୀମାନେ କୋଭିଡ-19ର ମୁକାବିଲା ନିମନ୍ତେ କରୁଥିବା ଉଦ୍ୟମ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅତ୍ୟାଧୁନିକ ପ୍ରକ୍ରିୟା ଓ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶେଷଜ୍ଞମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଟୀକାର ବଣ୍ଟନ ଓ ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ କାର୍ଯ୍ୟକ୍ରମର ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏଥିରେ ଟୀକା ଆହରଣ ପାଇଁ ଆବଶ୍ୟକ ବିଭିନ୍ନ ବୈଷୟିକ ପ୍ରକ୍ରିୟା ଓ ଦକ୍ଷତା ସମ୍ପନ୍ନ ଯୋଗାଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଉଭୟ ସେରୋ ସର୍ଭେ ଏବଂ ନମୁନା ପରିକ୍ଷଣକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଥା ସମ୍ଭବ ଶୀଘ୍ର ନିୟମିତ ପରୀକ୍ଷା ଏବଂ ଏଥିରେ ମିତବ୍ୟୟିତ ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।

ପାରମ୍ପରିକ ଭେଷଜ ଉପଚାରର ବୈଧତା, ବିଜ୍ଞାନସମ୍ମତ ପରୀକ୍ଷା ନିରୀକ୍ଷା ନିରବଚ୍ଛିନ୍ନ ଓ ଦ୍ରୁତଗତିରେ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ଗବେଷଣା ଉପରେ ପର୍ଯ୍ୟବସିତ ତଥା ନିର୍ଭରଯୋଗ୍ୟ ସମାଧାନ ଦେବା ପାଇଁ ସେ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ । କମ ଖର୍ଚ୍ଚରେ ଓ ସହଜରେ ଉପଲବ୍ଧ ଟୀକା, ଔଷଧ, ପରୀକ୍ଷା ଇତ୍ୟାଦି କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱକୁ ଯୋଗାଇବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ ପ୍ରକାଶ କରିଥିଲେ । ବୈଶ୍ଵିକ ମହାମାରୀର ମୁକାବିଲା ନିମନ୍ତେ ସବୁବେଳେ ପ୍ରସ୍ତୁତ ଓ ସତର୍କ ରହିବାକୁ ଶ୍ରୀ ମୋଦୀ ଆହ୍ଵାନ ଜଣାଇଥିଲେ।

**********



(Release ID: 1664886) Visitor Counter : 213