ଅର୍ଥ ମନ୍ତ୍ରଣାଳୟ

ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ

• ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତ

Posted On: 25 SEP 2020 3:29PM by PIB Bhubaneshwar

ଆୟକର ବିଭାଗ ପକ୍ଷରୁ ଆଜିଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ । କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ । ଫେସଲେସ୍‌ ଅପିଲ ବ୍ୟବସ୍ଥା ସଂପର୍କରେ ଆଜି ଆବଶ୍ୟକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେସ୍‌ଲେସ ବ୍ୟବସ୍ଥାରେ ଟିକସ ପ୍ରସଙ୍ଗରେ ଟିକସଦାତା ଏବଂ ଆୟକର ଅଧିକାରୀମାନଙ୍କ ମଧ୍ୟରେ ଏଣିକି ମୁହାଁମୁହିଁ ବା ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ ।

ଏଠାରେ ସ୍ମରଣଯୋଗ୍ୟ ଯେ ଚଳିତବର୍ଷ ଅଗଷ୍ଟ 13 ତାରିଖରେ ପ୍ରଧାନମନ୍ତ୍ରୀ ଫେସ୍‌ଲେସ୍‌ ଆସେସମେଣ୍ଟ ଓ ଟିକସଦାତା ଚାର୍ଟରକୁ ଉଦ୍‌ଘାଟନ କରିଥିଲେ । ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ଟ୍ରାନ୍ସପରେନ୍ସ ଟାକ୍ସେସନ-ଅନରିଂ ଦି ଅନେଷ୍ଟ କାର୍ଯ୍ୟକ୍ରମ ନାମରେ ପରିଚିତ । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଣିକି ଆଉ ଟିକସ ପ୍ରସଙ୍ଗରେ ଟିକସଦାତା ଓ ଅଧିକାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ । ସବୁକାର୍ଯ୍ୟ ଫେସ୍‌ଲେସ ବ୍ୟବସ୍ଥାରେ କରାଯିବ । ଏହାଛଡା ସେତେବେଳେ ସେ କହିଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ସେପ୍ଟେମ୍ବର 25ରୁ ଫେସ୍‌ଲେସ ଅପିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତଦନୁସାରେ ଆଜିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଆହୁରି ମଧ୍ୟ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସଂସ୍କାରବାଦୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ଟିକସ ବ୍ୟବସ୍ଥାକୁ ସରଳ କରିବା ସହ ଟିକସଦାତାମାନେ ଯେପରି ସୁବିଧାରେ ଟିକସ ପୈଠ କରିପାରିବେ ସେ ବ୍ୟବସ୍ଥାକୁ ମଧ୍ୟ ଆହୁରି ସହଜିଆ କରାଯାଉଛି ।

ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଏଣିକି ଆୟକର ସଂକ୍ରାନ୍ତ ସମସ୍ତ ଆବେଦନ ଅନ୍‌ଲାଇନ ବ୍ୟବସ୍ଥାରେ ହେବ । ଏଥିପାଇଁ ଇ-ଆଲୋକେସନ ବ୍ୟବସ୍ଥା, ବିଜ୍ଞପ୍ତିର ଇ-କମ୍ୟୁନିକେସନ, ପଚରା ଯିବାକୁ ଥିବା ପ୍ରଶ୍ନର ଇ-ଫର୍ମାଟଇ-ଭେରିଫିକେସନ, ଇ-ଶୁଣାଣି ଏବଂ ଶେଷରେ ଇ-ଯୋଗାଯୋଗ ସବୁକଥା ଅନ୍‌ଲାଇନ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ କରାଯିବ । ସରଳ ଭାବରେ କହିଲେ ଆବେଦନଠାରୁ ଆରମ୍ଭ କରି ବିଚାର ଓ ରାୟ ପ୍ରକାଶ ପର୍ଯ୍ୟନ୍ତ ସବୁକଥା ଅନ୍‌ଲାଇନରେ ହେବ ଏବଂ ଏଥିରେ ସଂପୃକ୍ତ ପକ୍ଷ ଏବଂ ଆୟକର ବିଭାଗ ଅଧିକାରୀ କେହି କାହାରିକୁ ଭେଟିବାର ଅବକାଶ ରହିବ ନାହିଁ । ଆବେଦନକାରୀ ଓ ଟିକସଦାତା ଘରେ ବସି ସେମାନଙ୍କର ଆପତ୍ତି ଅଭିଯୋଗ ଓ ଆବେଦନ ସହଜରେ ଅନ୍‌ଲାଇନରେ କରିପାରିବେ । ଏହା ଫଳରେ ସେମାନଙ୍କର ସମୟ ଓ ଅର୍ଥ ସଂଚୟ ହେବା ସହିତ ସେମାନେ ଜଞ୍ଜାଳରୁ ରକ୍ଷା ପାଇବେ ।

ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଡାଟା ଆନାଲିଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପଯୋଗ କରାଯାଇ ମାମଲାଗୁଡିକ ବିଚାର ପାଇଁ ଉପସ୍ଥାପିତ କରାଯିବ । ଡକ୍ୟୁମେଣ୍ଟ ଆଇଡିଣ୍ଟିଫିକେସନ ଆଧାରରେ ଅପିଲଗୁଡିକୁ ଶୁଣାଣି ପାଇଁ ଉପସ୍ଥାପିତ କରାଯିବ ଏବଂ ଏହା ଡାଇନାମିକ୍‌ ଜୁରିସଡିକ୍ସନ ବ୍ୟବସ୍ଥାରେ କାର୍ଯ୍ୟ କରିବ । ଏହି ବ୍ୟବସ୍ଥାରେ ଗୋଟିଏ ସହରରେ ଆବେଦନ ଆପିଲେଟ ଅର୍ଡରର ଚିଠା ପ୍ରସ୍ତୁତ ହେବ ଏବଂ ତାହାର ସମୀକ୍ଷା ଓ ବିଚାର ଅନ୍ୟ ସହରରେ କରାଯିବ । ଏହା ଫଳରେ ସମଗ୍ର ପ୍ରକ୍ରିୟାଟି ନ୍ୟାୟୋଚିତ, ନିରପେକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ । ଏହାଦ୍ୱାରା ଟିକସଦାତା ବିଶେଷ ଉପକୃତ ହେବା ସହିତ ସେମାନଙ୍କ ଅପିଲ ଉପରେ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ବିଶେଷ ଅସୁବିଧା ବିନା ଉଚିତ ନ୍ୟାୟ ମିଳିବ । ନୂଆ ବ୍ୟବସ୍ଥା ମଧ୍ୟ ଆୟକର ବିଭାଗର ଦକ୍ଷତା ବଢାଇବ ଏବଂ ଏହାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ମଧ୍ୟ ଅଧିକ ମଜଭୁତ କରିବ ।

ସିବିଡିଟି ଡାଟା ଅନୁସାରେ ଆଜି ତାରିଖ ସୁଦ୍ଧା ଆୟକର ସଂକ୍ରାନ୍ତ 4.6 ଲକ୍ଷ ମାମଲା କମିସନରଙ୍କ ବିଭିନ୍ନ ପର୍ଯ୍ୟାୟରେ ବିଚାରାଧୀନ ରହିଛି । ସେଥିମଧ୍ୟରୁ 4.05 ଲକ୍ଷ ଅପିଲ, ଯାହା ମୋଟ ଅପିଲର 88 ଭାଗ, ତାହା ଏଣିକି ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଶୁଣାଣି ହୋଇ ସମାଧାନ ହେବ । ସେହିଭଳି ଏବେ ଆୟକର ଅପିଲ କମିସନମାନଙ୍କର ଯେଉଁ ସାମର୍ଥ୍ୟ ରହିଛି ନୂଆ ବ୍ୟବସ୍ଥାରେ ତାହାର ପ୍ରାୟ 85 ଶତାଂଶ ବିନିଯୋଗ ହୋଇ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ମାମଲାଗୁଡିକର ସମାଧାନ କରାଯାଇପାରିବ ।

 

**********



(Release ID: 1659173) Visitor Counter : 229