ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୌହାଟୀ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

• ବିପର୍ଯ୍ୟୟ ପରିଚାଳନା ଓ ବିପଦ ହ୍ରାସ ପାଇଁ ଏକ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ଗୌହାଟୀ ଆଇଆଇଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
• ନୂଆ ଶିକ୍ଷାନୀତି 2020 ଭାରତକୁ ଏକ ବିଶ୍ୱ ଶିକ୍ଷା ଲକ୍ଷ୍ୟସ୍ଥଳଭାବେ ପରିଣତ କରିବ; କହିଲେ ପ୍ରଧାନମନ୍ତ୍ରୀ

Posted On: 22 SEP 2020 2:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ଜ୍ଞାନମ୍‌ ବିଜ୍ଞାନ ସହିତମ୍‌ ଯତ୍‌ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍‌ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ ।

ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳିଆସିଛି ।

ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଯୁବବର୍ଗର ସ୍ୱପ୍ନ ଏବଂ ଆକାଂକ୍ଷା ଭାରତର ଭବିଷ୍ୟତକୁ ରୂପ ଦେବ । ଆଇଆଇଟି ଗୌହାଟୀ ଏହି ଦିଗରେ ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ କରିଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ ସମୟରେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଆଇଆଇଟି ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆରମ୍ଭ କରିଛି ଏବଂ ପାଠପଢା, ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟ ଜାରି ରଖିଛି । ଏଥିପାଇଁ ଏହି ଅନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତି 2020 ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱରେ ଏକ ନେତୃତ୍ୱର ସ୍ଥାନ ଦେବା ପାଇଁ ଏହି ଶିକ୍ଷାନୀତିରେ ପ୍ରୟାସ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି 2020କୁ ବହୁବିଷୟକ କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ପଢିବା ପାଇଁ ସୁଯୋଗ ମିଳିବ । ନିଜର ଇଛା ଅନୁସାରେ ଯିଏ ଯେତେବେଳେ ଚାହିଁବ ସେ ବିଷୟ ପଢିପାରିବେ ଏବଂ ଭଲ ନ ଲାଗିଲେ ତାହାକୁ ମଧ୍ୟ ଅଧାରୁ ଛାଡିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତିରେ ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନର ପ୍ରସ୍ତାବ ରହିଛି । ଗବେଷଣା ପାଇଁ ପାଣ୍ଠି ଯୋଗାଉଥିବା ସବୁ ସଂସ୍ଥାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ନିମନ୍ତେ ଏହା ଗଠନ କରାଯିବ । ସେହିଭଳି ଏହି ପ୍ରସ୍ତାବିତ ପ୍ରତିଷ୍ଠାନ ବିଜ୍ଞାନ ହେଉ କିମ୍ବା କଳା ଯେକୌଣସି ବିଷୟରେ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେବ । ନୂଆ ଶିକ୍ଷାନୀତିରେ ମଧ୍ୟ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ ନିଜର ଦରିଆପାରି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି । ଏହା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସହିତ ପରିଚିତ ହେବାର ସୁଯୋଗ ପାଇବେ । ଭାରତକୁ ବିଶ୍ୱର ପ୍ରମୁଖ ଶିକ୍ଷା ଲକ୍ଷ୍ୟସ୍ଥଳରେ ପରିଣତ କରିବା ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରାଚ୍ୟାଭିମୁଖୀ ନୀତିର କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହିତ ସଂପର୍କର ପେଣ୍ଠ । ଏସବୁ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କର ମୁଖ୍ୟ ଆଧାର ହେଲା ସଂସ୍କୃତି, ବାଣିଜ୍ୟ, ସଂଯୋଗ ଏବଂ ସାମର୍ଥ୍ୟ । ସେ କହିଛନ୍ତି ଏ କ୍ଷେତ୍ରରେ ଶିକ୍ଷା ମଧ୍ୟ ଆଉ ଏକ ମାଧ୍ୟମ ହେବାକୁ ଯାଉଛି ଏବଂ ଆଇଆଇଟି ଗୌହାଟୀ ଏହାର କେନ୍ଦ୍ର ହୋଇପାରିବ ।  ଏହା ମଧ୍ୟ ଉତ୍ତର ପୂର୍ବ ଭାରତକୁ ଏକ ନୂଆ ପରିଚୟ ଓ ନୂଆ ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ନୂଆ ସୁବିଧା ସୁଯୋଗମାନ ସୃଷ୍ଟି କରାଯାଉଛି । ଏହି ଅଞ୍ଚଳରେ ରେଳବାଇ, ରାଜପଥ, ଆକାଶପଥ ଓ ଜଳପଥ ଆଦିର ବିକାଶ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ସେ କହିଛନ୍ତି ଯେ ଆଜି ସମାବର୍ତ୍ତନ ଉତ୍ସବରେ 300 ଯୁବ ଛାତ୍ରଛାତ୍ରୀ ପିଏଚ୍‌ଡି ଉପାଧି ପାଇଥିବା ଜାଣି ସେ ବିଶେଷ ଆନନ୍ଦିତ । ଦେଶର କଲ୍ୟାଣରେ ସେମାନେ ସେମାନଙ୍କ ଗବେଷଣାଲବ୍ଧ ତଥ୍ୟ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଶେଷକରି ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ନିଜ ନିଜର ଗବେଷଣା କିପରି ସହାୟକ ହେବ ସେ ବିଷୟରେ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଆଇଟି ଗୌହାଟୀରେ ବିପର୍ଯ୍ୟୟ ପରିଚାଳନା ଓ ବିପଦ ହ୍ରାସ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ବିଶେଷ ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

 

**********



(Release ID: 1657845) Visitor Counter : 210