ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପେଟ୍ରୋଲିୟମ କ୍ଷେତ୍ରରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ
Posted On:
13 SEP 2020 2:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (13.09.2020) ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ବର୍ଷ ଆଗରୁ ବିହାର ପାଇଁ ଘୋଷିତ ସ୍ଵତନ୍ତ୍ର ପ୍ୟାପେକ ବିହାରର ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ । ବିହାର ପାଇଁ ପେଟ୍ରୋଲିୟମ କ୍ଷେତ୍ର ବାବଦରେ 21 ହଜାର କୋଟି ଟଙ୍କାର 10ଟି ପ୍ରକଳ୍ପକୁ ସ୍ଵତନ୍ତ୍ର ପ୍ୟାକେଜ ହିସାବରେ ଘୋଷିତ ହୋଇଛି । ଆଜି ହେଉଛି ଏହା ସପ୍ତମ ପ୍ରକଳ୍ପ । ପୂର୍ବରୁ ଦିଆଯାଇଥିବା 6ଟି ପ୍ୟାକେଜ ଯାହାର କି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଘୋଷଣା କରିଥିଲେ । ପ୍ରାୟ ଦେଢ ବର୍ଷ ତଳେ 200 କିଲୋମିଟର ଦୀର୍ଘ ଗୁରୁତ୍ୱପୂର୍ଣ୍ଣ ଦୁର୍ଗାପୁର-ବାଙ୍କା ପାଇପଲାଇନର ସେ ଶୁଭ ଦେଇଥିଲେ, ଆଜି ତାହାର ଉଦ୍ଘାଟନ କରି ସେ ଖୁସି ବୋଲି ପ୍ରକାଶ କରିଥିଲେ । ବିଭିନ୍ନ ବାଧାବିଘ୍ନ ସତ୍ଵେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ, ଶ୍ରମିକ ଓ ଯନ୍ତ୍ରୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କର୍ମ ସଂସ୍କୃତିରେ ପରିବର୍ତ୍ତନ ଆଣିଥିବାରୁ ଶ୍ରୀ ମୋଦୀ ତାହାର ପ୍ରଶଂସା କରିଥିଲେ । ବିହାରରେ ଆଗରୁ ଗୋଟିଏ ପିଢି କାମ ଆରମ୍ଭ କରିଥିବା ବେଳେ ଆଉ ଗୋଟିଏ ପିଢି ତାହାକୁ ଶେଷ କରୁଥିଲା । ମାତ୍ର ନୂତନ କର୍ମ ସଂସ୍କୃତି ଆହୁରି ମଜବୁତ ହେବା ଦରକାର, ଯାହାଫଳରେ ବିହାର ଓ ପୂର୍ବ ଭାରତ ବିକାଶ ପଥରେ ଆଗେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପୁରାଣରୁ ଏକ ବାଣୀ ଉଦ୍ଧୃତ କରି କହିଥିଲେ ଯେ, “सामर्थ्य मूलं स्वातंत्र्यम्, श्रम मूलं वैभवम्”, ଯାହାର ଅର୍ଥ ହେଲା ସ୍ଵାଧିନତାରୁ ଶକ୍ତି ମିଳିଥାଏ ଓ ଦେଶର ବିକାଶର ମୂଳଭିତ୍ତି ଶ୍ରମ ଶକ୍ତି ଦ୍ଵାରା ହିଁ ସମ୍ଭବ ହୋଇଥାଏ । ଶ୍ରୀ ମୋଦୀ କହିଥିଲେ ଯେ, ବିହାର ସମେତ ପୂର୍ବ ଭାରତରେ ଶ୍ରମ ଶକ୍ତିର ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଏସବୁ ସତ୍ଵେ ଯୁଗ ଯୁଗ ଧରି ବିହାର ଓ ପୂର୍ବ ଭାରତ ବିକାଶର ପଛରେ ପଡିଛି । ଏପରି ଅନ୍ତହୀନ ବିଲମ୍ଭ ପାଇଁ ରାଜନୈତିକ, ଅର୍ଥନୈତିକ ଓ ଅନ୍ୟାନ୍ୟ କାରଣକୁ ଦାୟୀ କରାଯାଇପାରେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆଗରୁ ରାସ୍ତା, ରେଳ, ବିମାନ ଓ ଇଣ୍ଟରନେଟ ସଂଯୋଗକୁ ଅଗ୍ରାଧିକାର ଦିଆଯାଉନଥିଲା, ଏପରିରକି ଗ୍ୟାସ ଭିତ୍ତିକ ଶିଳ୍ପ ଏବଂ ପେଟ୍ରୋ ସଂଯୋଗୀକରଣ ମଧ୍ୟ ବିହାରର କଳ୍ପନା ବାହାରରେ ଥିଲା । ଗ୍ୟାସ ଭିତ୍ତିକ ଶିଳ୍ପ ବିହାର ପାଇଁ ଖୁବ ଆହ୍ଵାନମୂଳକ ଥିଲା କାରଣ ବିହାରର ଚତୁର୍ପାର୍ଶ୍ୱ ଭୂଖଣ୍ଡ ଦ୍ଵାରା ପରିବେଷିତ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ଭିତ୍ତିକ ଶିଳ୍ପ ଓ ପେଟ୍ରୋ ସଂଯୋଗୀକରଣ ଜନସାଧାରଣଙ୍କ ଜୀବନରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବା ସହ ସେମାନଙ୍କ ଜୀବନଧାରଣର ମାନବୃଦ୍ଧି ଓ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଆଜି ଯେତେବେଳେ ସିଏନଜି ଓ ପିଏନଜି ବିହାରର ଅନେକ ସହରରେ ପହଞ୍ଚିପାରୁଛି ଲୋକମାନେ ଏହାର ସୁବିଧା ସହଜରେ ପାଇପାରିବେ । ପୂର୍ବ ଭାରତକୁ ପାରାଦୀପ ବା ପୂର୍ବତଟ ସହ ଯୋଡିବା ଓ ପଶ୍ଚିମାଞ୍ଚଳରେ ବାଂଲା ସହ ଯୋଡିବା କାର୍ଯ୍ୟ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ କରାଯାଇଛି । ଏହାଦ୍ଵାରା 3000 କିଲୋମିଟର ଦୀର୍ଘ ପାଇପଲାଇନ 7ଟି ରାଜ୍ୟ ଦେଇ ସଂଯୋଗ ହେବ ଯେଉଁଥିରେ ବିହାରର ଏକ ପ୍ରମୁଖ ଭୂମିକା ରହିଛି । ପାରାଦୀପ-ହଳଦିଆ ଲାଇନ ଏବେ ପାଟନା-ମୁଜାଫରପୁର ସହ ଏବଂ କାଙ୍ଗଲାରୁ ଆସିଥିବା ପାଇପଲାଇନ ଗୋରଖପୁର ସହ ଯୋଡାଯିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏହା ବିଶ୍ଵର ଦୀର୍ଘତମ ପାଇପାଲାଇନ ଭାବେ ମାନ୍ୟତା ଲାଭ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ପାଇପଲାଇନଗୁଡିକ ଯୋଗୁଁ ବିହାରର ବଡ ବଡ ବଟଲିଙ୍ଗ ପ୍ଳାଣ୍ଟଗୁଡିକ ପ୍ରତିଷ୍ଠା ହେଉଛି । ସେଥିରୁ ଗୋଟିଏ ବାଙ୍କା ଓ ଅନ୍ୟଟି ଚମ୍ପାରଣରେ ଆଜି ପ୍ରତିଷ୍ଠା ହୋଇଛି । ଦୁଇଟିଯାକ ପ୍ଳାଣ୍ଟରେ ବାର୍ଷିକ ପ୍ରାୟ 125 ନିୟୁତ ସିଲିଣ୍ଡର ଭର୍ତ୍ତି କରିବା କ୍ଷମତା ରହିଛି । ଏହି ପ୍ଲାଣ୍ଟଗୁଡିକ ଗୋଡା, ଦେଓଘର, ଡୁମକା, ସାହେବଗଞ୍ଜ, ପାକୁର ପ୍ରଭୁତି ଜିଲ୍ଲା ସହ ଉତ୍ତରପ୍ରଦେଶ ଓ ଝାଡଖଣ୍ଡର କେତେକ ଅଞ୍ଚଳକୁ ଏଲପିଜି ସିଲିଣ୍ଡର ଯୋଗାଇଦେବ । ଗ୍ୟାସ ପାଇପାଲାଇନ ବିଛାଯିବା ଓ ସେଥିପାଇଁ ସୃଷ୍ଟି ହେଉଥିବା ନୂତନ ଶିଳ୍ପ ଯୋଗୁଁ ବିହାରରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ୟାସ ପାଇପାଲାଇନ ଯୋଗୁଁ ବାରାଉଣୀରେ ପଡିରହିଥିବା ସାରା କାରଖାନା ମଧ୍ୟ କାମ ଆରମ୍ଭ କରିପାରିବ । ଉଜ୍ଜ୍ଵଲା ଯୋଜନା ଯୋଗୁଁ ଦେଶର 8 କୋଟି ଗରିବ ପରିବାର ଗ୍ୟାସ ସଂଯୋଗ ପାଇପାରିଛନ୍ତି । ଗରିବ ଲୋକଙ୍କ ଜୀବନଧାରଣ ମାନରେ ଏହା ପରିବର୍ତ୍ତନ ଆଣିପାରିଛି । ବିଶେଷକରି କରୋନା ମହାମାରୀ କାଳରେ ଲୋକମାନେ ଘରୁ ବାହାରକୁ ଜାଳେଣୀ ସଂଗ୍ରହ ପାଇଁ ନଯାଇ ଘରେ ବସି ନିଜର ଇନ୍ଧନ ସମସ୍ୟାର ସମାଧାନ କରିପାରିଛନ୍ତି । ସେ ଏଥିପାଇଁ ପେଟ୍ରୋଲିୟମ ଓ ଗ୍ୟାସ ବିଭାଗ ଓ କମ୍ପାନୀ ତଥା ଏହାର ବିତରକମାନଙ୍କ କରୋନା କାଳରେ ସଂକ୍ରମଣ ସମ୍ଭାବନା ସତ୍ଵେ ଲୋକଙ୍କୁ ଗ୍ୟାସ ଯୋଗାଇଥିବାରୁ ସେମାନଙ୍କୁ ବିଶେଷ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ବିହାରରେ କେବଳ ଧନୀ ଲୋକମାନଙ୍କ ପାଖରେ ହିଁ ଏଲପିଜି ସଂଯୋଗ ଥିଲା । ଗ୍ୟାସ ସଂଯୋଗଟିଏ ପାଇବା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାନରୁ ସୁପାରିଶ କରିବାକୁ ପଡୁଥିଲା । ମାତ୍ର ଉଜ୍ଜ୍ଵଲା ଯୋଜନା ଯୋଗୁଁ ବିହାରରେ ସ୍ଥିତି ବଦଳିଯାଇଛି । ରାଜ୍ୟର 1.25 କୋଟି ଗରିବ ପରିବାର ନିଶୁଳ୍କ ଗ୍ୟାସ ସଂଯୋଗ ପାଇ ପାରିଛନ୍ତି ।
ପ୍ରଧାନମନ୍ତ୍ରୀ ବିହାରର ଯୁବ ସମାଜକୁ ପ୍ରଶଂସା କରିବା ସହ ବିହାରକୁ ଦେଶର ମେଧାର ଗନ୍ତାଘର ବୋଲି କହିଛନ୍ତି । ବିହାରର ଶକ୍ତି ଓ ଶ୍ରମ ବିକାଶ କ୍ଷେତ୍ରକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଅନୁସରଣ କରିବାକୁ ସେ କହିଛନ୍ତି । ଗତ 15 ବର୍ଷ ମଧ୍ୟରେ ବିହାର ଯଥାର୍ଥ ନିଷ୍ପତ୍ତି ଓ ନୀତି ଯୋଗୁଁ ଯଥେଷ୍ଟ ବିକାଶ କରିପାରିଛି । ଆଗରୁ ଲୋକଙ୍କ ଧାରଣା ଥିଲା ଯେ, ବିହାରକୁ ଶିକ୍ଷାର ଆବଶ୍ୟକତା ନାହିଁ, କାରଣ ବିହାରର ଲୋକମାନେ ଚାଷ କାମରେ ଜଡିତ । ସେଦୃଷ୍ଟିରୁ ବିହାରର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକରେ ଆଶାତୀତ ଉନ୍ନତି ହୋଇନାହିଁ । ବିହାରର ଯୁବ ସମାଜ ସେଥିପାଇଁ ବାହାରକୁ ପାଠ ପଢିବା ପାଇଁ ବାଧ୍ୟବାଧକତାରେ ଯାଆନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରରେ ଶିକ୍ଷା ଦାନର ବଡ ବଡ କେନ୍ଦ୍ରମାନ ଖୋଲୁଛି । ବର୍ତ୍ତମାନ କୃଷି, ମେଡିକାଲ ଓ ଇଞ୍ଜିନିୟର ମହାବିଦ୍ୟାଳୟମାନ ଅଧିକରୁ ଅଧିକ ଖୋଲୁଛି । ରାଜ୍ୟର ଆଇଆଇଟି, ଆଇଆଇଏମ, ଆଇଆଇଆଇଟିଗୁଡିକରେ ବିହାରର ଯୁବଗୋଷ୍ଠୀ ସେମାନଙ୍କ ସ୍ଵପ୍ନାକୁ ସାକାର କରିବାକୁ ଲାଗିପଡିଛନ୍ତି । ବିହାରରେ ଅଧିକ ପଲିଟେକନିକ ପ୍ରତିଷ୍ଠାନ, ଦୁଇଟି ବୃହତ ବିଶ୍ଵବିଦ୍ୟାଳୟ, ଗୋଟିଏ ଆଇଆଇଟି, ଗୋଟିଏ ଆଇଆଇଏମ, ଗୋଟିଏ ଏନଆଇଏଫଟି ଏବଂ ଜାତୀୟ ଆଇନ ପ୍ରତିଷ୍ଠାନ ଖୋଲିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଷ୍ଟାର୍ଟ ଅପ ଇଣ୍ଡିଆ, ମୁଦ୍ରା ଯୋଜନା ଏହିପରି ଅନେକ ଲୋକହିତକର ଯୋଜନା ବିହାରର ଯୁବଗୋଷ୍ଠୀକୁ ଆତ୍ମରୋଜଗାରକ୍ଷମ କରିବାରେ ସାହାଯ୍ୟ କରିଛି । ଆଜି ବିହାରର ସହର ଓ ଗ୍ରାମ ସବୁଆଡେ ବିଜୁଳିଶକ୍ତି ପୂର୍ବ ତୁଳନାରେ ଅଧିକ ମିଳୁଛି । ଶକ୍ତି, ପେଟ୍ରୋଲିୟମ, ଗ୍ୟାସ ଇତ୍ୟାଦି କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ରାଜ୍ୟର 8 ହଜାରରୁ ଅଧିକ ପ୍ରକଳ୍ପରେ 6 ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ସହ ସେମାନଙ୍କ ପାଇଁ ନୂତନ କର୍ମନିଯୁକ୍ତି ସୃଷ୍ଟି କରାଯାଇଛି । ଦେଶରେ 100 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଜାତୀୟ ଭିତ୍ତିଭୂମି ପାଇପାଲାଇନ ପ୍ରକଳ୍ପ ଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ । ବିହାର ଓ ପୂର୍ବଭାରତକୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଗଢି ତୋଳିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ ।
**********
(Release ID: 1653871)
Visitor Counter : 254
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam