ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

• ପିଏମ୍‌ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମିତ 1.75 ଲକ୍ଷ ଘରକୁ କରିବେ ଉଦ୍‌ଘାଟନ

Posted On: 10 SEP 2020 5:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ଗୃହ ପ୍ରବେଶମ୍‌କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ । ଏସବୁ ଘର କରୋନା ମହାମାରୀ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିର୍ମିତ ହୋଇଛି ।

ପୃଷ୍ଠଭୂମି

2022 ସୁଦ୍ଧା ସବୁ ନିରାଶ୍ରୟଙ୍କୁ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ 2016 ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ସମଗ୍ର ଦେଶରେ ଏପର୍ଯ୍ୟନ୍ତ 1.14 କୋଟି ଗୃହ ନିର୍ମିତ ହୋଇଛି । ମଧ୍ୟପ୍ରଦେଶରେ 17 ଲକ୍ଷ ଗରିବ ଲୋକଙ୍କୁ ଏଯାବତ୍‌ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇ ଉପକୃତ କରାଯାଇଛି । ହିତାଧିକାରୀମାନେ ସମସ୍ତେ ଗରିବ ଶ୍ରେଣୀର । ସେମାନଙ୍କର ଆଦୌ ଘର ନ ଥିଲା ବା ଭଙ୍ଗାରୁଜା କାମଚଳା ଘରେ ସେମାନେ ଆଶ୍ରୟ ନେଉଥିଲେ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଶତପ୍ରତିଶତ ଅନୁଦାନ ବା 1.20 ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ କେନ୍ଦ୍ର ସରକାର 60 ଶତାଂଶ ଏବଂ ରାଜ୍ୟ ସରକାର 40 ଶତାଂଶ ଅର୍ଥ ବହନ କରୁଛନ୍ତି । ଏହି ଘର ତିଆରି ପାଇଁ 4ଟି କିସ୍ତିରେ ଅର୍ଥ ଯୋଗାଇ ଦିଆଯାଉଛି । ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ତଦାରଖ କରିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଯାଉଛି । ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ଜିଓଟ୍ୟାଗ ଫଟୋଗ୍ରାଫ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ 2022 ସୁଦ୍ଧା ସମଗ୍ର ଦେଶରେ 2.95 କୋଟି ଘର ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଘର ନିର୍ମାଣ ସହାୟତା ସହିତ ହିତାଧିକାରୀମାନଙ୍କୁ ଅଣକୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ 90ରୁ 95 ଦିନର ମଜୁରି ଏମ୍‌ଜି ନରେଗା ଯୋଜନାରେ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ସଂପୃକ୍ତ ହିତାଧିକାରୀ ଏହାଫଳରେ 3 ମାସର  ରୋଜଗାରର ସୁବିଧା ପାଉଛନ୍ତି । ସେହିଭଳି ଯେଉଁମାନେ ନିଜର ଶୌଚାଳୟ ତିଆରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତ୍ୟେକ 12 ହଜାର ଟଙ୍କା ଲେଖାଏଁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଯୋଗାଇ ଦିଆଯାଉଛି । ହିତାଧିକାରୀଙ୍କୁ ଏହି ସୁବିଧା ସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌, ବିଜୁଳି ସଂଯୋଗ, ଜଳଜୀବନ ମିଶନରେ ନିରାପଦ ପାନୀୟ ଜଳ ଆଦି ପ୍ରଦାନ କରାଯାଉଛି ।

ମଧ୍ୟପ୍ରଦେଶ ସରକାର ନିଜର ସମୃଦ୍ଧ ପର୍ଯ୍ୟବାସ ଅଭିଯାନ ଯୋଜନାରେ ବିଭିନ୍ନ 17ଟି ଯୋଜନାକୁ ମିଶାଇ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏଥିରେ ସାମାଜିକ ନିରାପତ୍ତା, ପେନସନ ଯୋଜନା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା, ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ଆଦିକୁ ମିଶାଇ ହିତାଧିକାରୀଙ୍କୁ ଅତିରିକ୍ତ ସୁବିଧା ଯୋଗାଇ ଦିଆଯାଉଛି ।

 

**********

 

 



(Release ID: 1653119) Visitor Counter : 195