ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁକ୍ତି ସଂଗ୍ରାମର ଅକୀର୍ତ୍ତିତ ନାୟକଙ୍କ କାହାଣୀମାନ ଲୋକଲୋଚନକୁ ଆଣିବା ପାଇଁ ଛାତ୍ର ଓ ଶିକ୍ଷକ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 30 AUG 2020 3:04PM by PIB Bhubaneshwar

ମୁକ୍ତି ସଂଗ୍ରାମ କାଳର ଅନାବିଷ୍କୃତ ଓ ଅକୀର୍ତ୍ତିତ ନାୟକମାନଙ୍କର କାହାଣୀ ଲୋକଲୋଚନକୁ ଆଣିବା ପାଇଁ ଛାତ୍ର ଓ ଶିକ୍ଷକ ସମାଜ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌କୀ ବାତ୍‌ (30.08.2020) ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜଣେ ଯେତେବେଳେ ନିଜର ସଫଳତା ବିଷୟରେ ଚିନ୍ତାକରେ ସେତେବେଳେ ନିଶ୍ଚୟ ଜଣେ ଶିକ୍ଷକଙ୍କ କଥା ତାଙ୍କ ମନକୁ ଆସେ । ସାଂପ୍ରତିକ କରୋନା ମହାମାରୀ ସଂକଟ ଶିକ୍ଷକମାନଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ସେମାନେ ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରି ନୂଆ ଟେକ୍ନୋଲଜିକୁ ଆପଣାଇ ନିରନ୍ତରଭାବରେ ଶିକ୍ଷାଦାନରେ ବ୍ରତୀ ରହିବା ସହିତ ଏ କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଅନୁପ୍ରାଣିତ କରୁଛନ୍ତି । ଜାତୀୟ ଶିକ୍ଷାନୀତିର ଲାଭ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ସେ ଦୃଢ ଆସ୍ଥା ପ୍ରକଟ କରିଛନ୍ତି ।

2022ରେ ଦେଶ ସ୍ୱାଧୀନତାର 75ତମ ବାର୍ଷିକ ପାଳନ କରିବ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମୁକ୍ତି ଆନ୍ଦୋଳନକାଳର ନାୟକ ନାୟିକାମାନଙ୍କ ସଂପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି । ଆମ ଛାତ୍ରଛାତ୍ରୀମାନେ ଯେତେବେଳେ ଆମର ମୁକ୍ତି ସଂଗ୍ରାମର ଇତିହାସ ଏବଂ ତାହାର ପରିବେଶ ପରିସ୍ଥିତି ସଂପର୍କରେ ଅବଗତ ହେବେ ସେତେବେଳେ ତାହାର ପ୍ରଭାବ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରତିଫଳିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ରହୁଥିବା ଜିଲ୍ଲାରେ ମୁକ୍ତି ସଂଗ୍ରାମ ସମୟରେ କଣ ସବୁ ଘଟିଥିଲା ସେ ବିଷୟରେ ଗବେଷଣା କରିବାର ଆବଶ୍ୟକତା ରହିଛି । ମୁକ୍ତି ସଂଗ୍ରାମ ସହ ସଂପୃକ୍ତ ସ୍ଥାନଗୁଡିକୁ ପିଲାମାନଙ୍କୁ  ବୁଲି ଦେଖାଇବାର ଯୋଜନା ପ୍ରସ୍ତୁତ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ କିଛି ସ୍କୁଲର ପିଲାମାନେ 75ଟି କବିତା ଏବଂ ଥିଏଟରଭିତ୍ତିକ କାହାଣୀ ଆମ ମୁକ୍ତି ସଂଗ୍ରାମ ଉପରେ ଲେଖିବା ପାଇଁ ଶପଥ ନେବା ଉଚିତ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ଉଦ୍ୟମ ଫଳରେ ମୁକ୍ତି ସଂଗ୍ରାମରେ ଭାଗନେଇ ଦେଶମାତୃକା ନିମନ୍ତେ ପ୍ରାଣପାତ କରିଥିବା ଅକୀର୍ତ୍ତିତ ଓ ଅନାବିଷ୍କୃତ ନାୟକମାନଙ୍କ ସଂପର୍କରେ ଦେଶ ଜାଣିପାରିବ । ସେପ୍ଟେମ୍ବର 5 ତାରିଖରେ ଗୁରୁଦିବସ ପାଳିତ ହେବ ।  ଏଥିପାଇଁ ଆବଶ୍ୟକ ବାତାବରଣ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷକ ସମାଜକୁ ଆହ୍ୱାନ ଜଣାଇଛନ୍ତି ।

 

**********

 



(Release ID: 1649892) Visitor Counter : 211